Unknown

 

 

 

 

 

 

 

 

 

 

 

ସୁଖର ମୁହାଁମୁହିଁ

ଶ୍ରୀମତୀ ସରୋଜିନୀ ସାହୁ

 

ଉତ୍ସର୍ଗ

 

ବାପା

ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ସାହୁ

ମା

ଶ୍ରୀମତୀ ନଳିନୀ ଦେବୀଙ୍କୁ

 

ଯେଉଁମାନେ ମୋତେ ପୃଥିବୀକୁ ଆଣି ସୁଯୋଗ ଦେଲେ ନିଜର ପ୍ରତିଚ୍ଛବି ଆଙ୍କିବାକୁ, ପ୍ରତିଟି ଗଳ୍ପରେ ।

 

ଲାଲା

Image

 

ସୂଚୀପତ୍ର

 

୧.

ନିଦୁଆ କବାଟରେ ଖଡ଼୍‍ ଖଡ଼୍‍ ଶବ୍ଦ

୨.

ଆପଣା ଆପଣା ମଣିଷଙ୍କ ପାଇଁ

୩.

ହୃଦୟକୁ ଖେଳନା କରି

୪.

ସ୍ଵପ୍ନ ପରାହତ

୫.

ଦର୍ପଣରେ ଅଚିହ୍ନା ମୁହଁ

୬.

ସୂର୍ଯ୍ୟ-ଦଗ୍‌ଧ ଅପରାହ୍ନର ଇମେଜ

୭.

ସୁଖର ମୁହାଁମୁହିଁ

୮.

ଶୂନ୍ୟ ଇଲାକାର ଶୋକ

୯.

ଖୋଲା ଦରଜା

୧୦.

ଅପହଞ୍ଚ

Image

 

ନିଦୁଆ କବାଟରେ ଖଡ଼୍‌ଖଡ଼୍‌ ଶବ୍ଦ

 

କିଛି ଦେଖିବା ଭଳି ଦୃଶ୍ୟ ନୁହେଁ । ନିହାତି ମାମୁଲି । କୁକୁଡ଼ାଟି ଆଗରେ ତା’ର ଦାନା ବିଞ୍ଚିହେଇ ପଡ଼ିଚି । କୁକୁଡ଼ାଟି ସେଇ ଦାନାରୁ କିଛି କିଛି ଖୁମ୍ପି ଖୁମ୍ପି ଖାଉଚି । ତା’ପରେ ଉଡ଼ିଯାଇ ବସୁଚି, ବାଥ୍‌ରୁମ୍‌ ଛାତ ଉପରେ । କିଛି ସମୟ ବସୁଚି, ବେକ ଟେକି ଚାରିପଟକୁ ଚାହୁଁଚି, ପୁଣି ଉଡ଼ି ଆସୁଚି ତଳକୁ । ଅଗଣାଟାରେ ଘୂରି ବୁଲୁଚି ଖୁମ୍ପେ ଦି’ ଖୁମ୍ପା ଥଣ୍ଟରେ ଉଠେଇ ଉଡ଼ିଯାଉଚି ଲାଟ୍ରିନ୍‌ର ଛାତ ଉପରକୁ । କ୍‌ କ୍‌ ଶବ୍ଦ କରି ଚାହୁଁଚି ଏଣେ ତେଣେ, ପୁଣି ଉଡ଼ିଆସୁଚି ତଳକୁ । ଆପଣା ବାଥ୍‌ରୁମ୍‌ ଲାଟ୍ରିନ୍‌, ବାସ୍‌ ଏତିକି ଜାଗାରେ ସେ ଘୂରି ବୁଲୁଚି । ଦାନା ଖାଉଚି । ଗୋଟେ ଚେପା ସିଲ୍‌ଭର୍‌ ବାସନରୁ ପାଣି ପିଉଚି । କ୍‌ କ୍‌ ଶବ୍ଦ କରି ପର ଫୁଲୋଉଚି । ଏକଇ ଅର୍ଥରେ ତ ସମୃଦ୍ଧି ଭିତରେ ଅଛି । କିନ୍ତୁ ବିଚାରା କୁକୁଡ଼ାଟି ! ଗୋଡ଼ରେ ଟାଣୁଆ ସୂତାଟିଏ ବନ୍ଧା ହେଇଚି । ସୂତାଟିକୁ ବାନ୍ଧି ଦିଆହେଇଚି ଖୁଣ୍ଟ ଦେହରେ । କୁକୁଡ଼ା କ୍‌କ୍‌ କରି ଉଡ଼ିଯାଇ ପାରିବ ବାଥ୍‌ରୁମ୍‌ ଛାତ ଉପରକୁ । କୁକୁଡ଼ା ପର ଫୁଲେଇ ଉଡ଼ିଯାଇପାରିବ ଲାଟ୍ରିନ୍‌ ଛାତ ଉପରକୁ । କୁକୁଡ଼ା ଅଗଣାରେ ବୁଲିବ ହେଲେ ବାହାରି ପାରିବନି ବାହାରକୁ ।

 

ଏଇଭଳି ଲକ୍ଷ ଲକ୍ଷ ଦୃଶ୍ୟ ଅଛି ପୃଥିବୀରେ । ହେଲେ ସବୁ ଦୃଶ୍ୟକୁ ପଛରେ ପକେଇ ଶୁଭଦା ଏଇ ଦୃଶ୍ୟଟିକୁ ଦେଖୁଚି, ଦେଢ଼ମାସ ଧରି ଦେଖୁଚି । ପ୍ରତି ଶନିବାର ହଷ୍ଟେଲରୁ, ଘରକୁ ଆସି ଦେଖେ, କୁକୁଡ଼ାଟିର ସାଂସାରିକ ଦୃଶ୍ୟ, ଭାବେ : ଆଶ୍ଚର୍ଯ୍ୟ, ଏଥର ବା କୁକୁଡ଼ାଟା ମୋଡ଼ା ହୋଇନି ! ପ୍ରଥମେ ପ୍ରଥମେ କୁକୁଡ଼ାଟାକୁ ଦେଖି ସେ ଭାବୁଥିଲା, ଦିନେ ନାଁ ଦିନେ କୁକୁଡ଼ାଟା ମୋଡ଼ା ହେଇଯିବ । କିଛିଦିନ ପରେ, କୁକୁଡ଼ାଟା ସମ୍ପର୍କରେ ତା’ର ଧାରଣା ବଦଳିଗଲା । ଧଳା ଫାର୍ମ-କୁକୁଡ଼ା, ହୃଷ୍ଟପୁଷ୍ଟ । ମା’ର ଆଦରରେ ପାଳିତ କୁକୁଡ଼ା, ଦାନା ଖାଉଚି, ସମୃଦ୍ଧି ଭିତରେ ବଞ୍ଚିଛି-

 

କିନ୍ତୁ କିଏ ଜାଣିଥିଲା, କୁକୁଡ଼ାଟା, ସାମନ୍ୟ କୁକୁଡ଼ାଟା, ନିଜର ସମସ୍ତ ଇମେଜ୍‌ ବଦଳେଇ, ଅକସ୍ମାତ୍‌ ଦିନେ, ଶୁଭଦାକୁ ଅସହାୟ କରିଦେଇ, ପ୍ରଭାବ ବିସ୍ତାର କରିବ ବୋଲି । ଶୁଭଦାର ଶିରାପ୍ରଶିରା ଟାଣି ହେଇଗଲା ନାକପୁଡ଼ା ଫୁଲିଗଲା, ଓଠଟା ଥରି ଉଠିଲା । ଇଚ୍ଛା ହେଲା ଏଇ ମୁହୂର୍ତ୍ତରେ ସେ କିଛି କରିବସନ୍ତା, ଯଦିଓ ସେ ଜାଣେ ସେ କିଛି କରିପାରିବନି । ଆଉ କେବଳ ସେଥିପାଇଁ ସେ ଅସହାୟ ହେଇପଡ଼ିଲା, ଆଉ ଭବିଲା, ସେ ଏଇ ମୁହୂର୍ତ୍ତରେ ତା’ର ସବୁଯାକ ସାହସ ସଞ୍ଚୟ କରି ବାହାରିଯିବ । ହାତରେ ଫୁଟି କଉଡ଼ଟିଏ ବି ନ ନେଇ, ସେଇ ପିନ୍ଧା ଲୁଗାରେ ସେ ବାହାରିଯିବ । ଘରଯାକର ଲୋକ ତାକୁ ଚାହିଁ ରହିଥିବେ, ସେ ବାହାରିଯିବ ।

 

ଶୁଭଦା ଯେତେବେଳେ କିଛି କରି ନ ପାରିଲା, କିଛି କହି ନ ପାରିଲା, ବାଧ୍ୟ ହେଇ ତା’ ରୁମ୍‌କୁ ଫେରିଆସିଲା ଏବଂ ଭବିଲା : ମୁଁ ଜାଣେ, ତମ ସମସ୍ତଙ୍କୁ ଜାଣେ-କେବଳ ମୁଁ ନୁହେଁ ତମେ ସମସ୍ତେ ଗୋଟେ ଖୁଣ୍ଟରେ ବନ୍ଧା ହେଇଚ । ତମ ସମସ୍ତଙ୍କ ଗୋଡ଼ରେ ଗୋଟେ ଗୋଟେ ଟାଣୁଆ ସୂତା ବନ୍ଧା ହେଇଚି । ମୁଁ ଜାଣେ, ତମେ ମନଇଚ୍ଛା ଦଉଡ଼ି ଯାଇପାରିବନି ।

 

ସୋଫା ଉପରେ ଦେହଟାକୁ ଆଉଜେଇ ଦେଇ ଗପ ବହିଟିଏ ଧରିଲା ଶୁଭଦା । ମନ ଲାଗିଲାନି । ଉଠିଯାଇ ଫେରିବାଲାଠୁ କିଣିଥିବା ଉଲ୍‌ରେ ସ୍ଵେଟର୍‌ ବୁଣିଲା । ରେଡ଼ିଓ ଖୋଲି କ୍ରିକେଟ୍‌ କମେଣ୍ଟାରୀ ଶୁଣିଲା । ହେଲେ ତା’ର ଧୈର୍ଯ୍ୟ ରହିଲାନି । ଉଠିଗଲା ଓ ଫିଲ୍ମଫେୟାରରୁ କସ୍‌ମେଟିକ୍‌ସର ଆଡ଼ଭାଟାଇଜ୍‌ମେଣ୍ଟ ପଢ଼ିଲା । ନା, ସେ ଜାଣେ କୋଉଥିରେ ତା’ର ମନ ଲାଗିବନି । ସେମାନେ ତା ଗୋଡ଼କୁ ଅଦୃଶ୍ୟ ସୂତାରେ ବାନ୍ଧି ଦେଇଛନ୍ତି । ବାନ୍ଧି ଦେଇଛନ୍ତି ବୋଲି ତ ସେ ଅନେକ ଦିନ ଆଗରୁ ସନ୍ଦେହ କରୁଥିଲା । ଯୋଉଦିନ ତା’ର ବି: ଏ : ପରୀକ୍ଷାର ଶେଷ ସିଟିଂ ଥିଲା, ହଲରୁ ବାହାରି ଦେଖେ ତ ବାପା ବାହାରେ ତା’ରି ଅପେକ୍ଷାରେ ଛିଡ଼ା ହେଇଛନ୍ତି । କିଛିଟା ଆନନ୍ଦ କିଛିଟା ଭୟରେ ସେ ପଚାରିଥିଲା, କ’ଣ କିଛି ହେଇଚି ?

 

ବାପା କହିଲେ : ନାଁ କିଛି ନାଇଁ । ଚାଲ୍‍ ଘରକୁ ଯିବା ଚାଲ୍‌ । ମୋର କଟକରେ କାମ ଥିଲା । ତୋ’ର ବି ତ ଆଜି ପରୀକ୍ଷା ସରୁଛି । ମା’ ହଷ୍ଟେଲରେ ଅପେକ୍ଷା କରିଚନ୍ତି । ତୁ ଏକା କାଳେ ବେଡିଂ ସଜାଡ଼ି ପାରିବୁନି, ମା’ ସେଥିପାଇଁ ଚାଲିଆସିଲେ ।

 

ସେଦିନ ଶୁଭଦାର ପାଦତଳୁ ମାଟି ଛାଡ଼ିଗଲା ଭଳି ଲାଗିଥିଲା । ପଦଟିଏ ବି କଥା ବାହାରିଲାନି ତା’ର । ମା’ ସହିତ ମିଶି ବେଡ଼ିଂ ପତ୍ର ସଜାଡ଼ିଥିଲ। । ଘରକୁ ଆସିବା ବେଳେ ଜଣେ ହେଲେ ସାଙ୍ଗକୁ ବି ଦେଖା କରିପାରି ନ ଥିଲା । ରାସ୍ତାସାରା ଭାବୁଥିଲା, ଶୁଭଙ୍କରକୁ ସେ ଚିଠି ଦେଇଚି, ପରୀକ୍ଷା ପରେ ଆସିବା ପାଇଁ । ପୂର୍ବରୁ ସେ ଭାବୁଥିଲା ଶୁଭଙ୍କର ଆସିଲେ, ସେ ଗପିବ ମନଇଚ୍ଛା, ବୁଲିବ ଟାଉନ ସାରା । କିନ୍ତୁ ସେ କ’ଣ ଜାଣିଥିଲା । ଏଭଳି ଗୋଟେ ଘଟଣା ଘଟିଯିବ ବୋଲି । ସେ ଘରକୁ ଚାଲିଗଲା ପରେ, ସେଇଦିନ ସନ୍ଧ୍ୟାରେ ପହଞ୍ଚିଥିଲା ଶୁଭଙ୍କର, ଶୁଣିଥିଲା ଶୁଭଦା ଘରକୁ ପଳେଇଚି । ଏବେ ମନେ ପଡ଼ୁଚି, ସେତେବେଳେ ସେ କେତେ କୈଫିୟତ୍‌ ଦେଇ, ଚିଠି ଲେଖି ଶୁଭଙ୍କରକୁ ମନେଇ ଥିଲା ।

 

ସେଦିନ ଶୁଭଦାର ସେମାନଙ୍କ ଉପରେ ଯେତିକି ରାଗ ହେଇ ନ ଥିଲା, ଆଜି ତା’ଠୁ ଅଧିକ ହେଉଚି । ଘରଟା ଭିତରେ ଅଭୁତ ତାମସା ସବୁ ଲାଗିଚି । ମା’ ବୋଧହୁଏ ଷ୍ଟୋର୍‌ରୁମ୍‌ରେ ବସି କାନ୍ଦୁଛନ୍ତି । ବାପା ଏଇ ଟିକିଏ ପୂର୍ବରୁ ତାଙ୍କ ଲାଲ୍‌ ଆଖି ଦେଖେଇ ତାଙ୍କ ରୁମ୍‌କୁ ଚାଲି ଯାଇଛନ୍ତି । ଯାଆନ୍ତୁ, ଶୁଭଦା ଜାଣେ ବାପା ସେତିକିଠୁ ଆଉ ଅଧିକ ଯାଇ ପାରିବେନି । ସେ ଆଉ ଆଗକୁ ପାଦ ବଢ଼େଇ ପାରିବେନି । ଆଗେଇଲେ ମା’ ଚିତ୍କାର ଛାଡ଼ି ଦୁନିଆ କମ୍ପେଇବ । ବାପାଙ୍କ ନା ଉପରେ କଳାରଙ୍ଗ ମାଖି ଦେବ । ସାଇପଡ଼ିଶା ହସିବେ । କିରାଣୀ, ଅଫିସର ବନ୍ଧୁଏ ହସିବେ ।

 

କିନ୍ତୁ ସବୁର ମୂଳ ସେଇ ଝିଅଟା, ସେଇ ଅର୍ଚ୍ଚନା । ସାଧାରଣରେ ଦେଖିଲେ ଝିଅଟାକୁ ସନ୍ଦେହ କରି ହୁଏନା । କିନ୍ତୁ ବାପାଙ୍କ ପାଖରେ ତା’ର ହାବଭାବ ବଦଳିଯାଏ କି ? ମା’ କହେ, ଆଜି କାଲି ବାପା ଅଫିସ୍‌ରୁ ଫେରିବାରେ ଡେରି କରି ଦିଅନ୍ତି । ଆଗରୁ ତ ସେ କେବେ ଏମିତି କରୁ ନଥିଲେ । ମା’ କହେ, ଖାଲି ସେତିକି ନୁହେଁ, ଅଫିସରୁ ଫେରିଲା ବେଳକୁ ଅମୃତାଞ୍ଜନ ଗନ୍ଧ ବାରିଲି-। ମୁଁ ଜାଣେ, ମୁଣ୍ଡବଥା କରିଥିବ ଯେ, ସେଇ ଝିଅଟା ଚିପି ଦେଇଥିବ । କାହିଁ, ଆଗରୁ କ’ଣ ପିଅନ ଚପରାଶି ନଥିଲେ ନାଁ ଆଗରୁ ମୁଣ୍ଡବଥା କରୁ ନଥିଲା ? ତାଙ୍କ ଅଫିସ ପିଅନ ନିତିଆ ବି କହୁଥିଲା, ଯୋଉ ଝିଅଟା ନୂଆ ହୋଇ ଆସିଚି, ତା ହାବଭାବ ଭଲ ନୁହେଁ । ସମସ୍ତଙ୍କ ସଙ୍ଗେ ଗୋଟେ ହସ ଖୁସୀ, ଏ କି ସ୍ଵଭାବ । ଝିଅଟା ଦିନାକେତେ କାମ ଆଳରେ ଘରକୁ ଆସୁଥିଲା, ହେଲେ ଅଜିକାଲି ମୁଁ ଘରେ ନଥିଲାବେଳେ ଆସୁଚି । ମୁଁ କେତେ ଚୁପ୍‌ ରହିବି କହ ? ମା କହୁ କହୁ କାନ୍ଦକାନ୍ଦ ହେଇଯାଏ ।

 

ଶୁଭଦା ସବୁ ଶୁଣେ, ଚିନ୍ତା ଅଡୁଆ ଧରିଯାଏ । ବୁଝେ, ଫ୍ରୟେଡ୍‌ ତାକୁ ବାଘ, ମାଛ, ସାପ ଯାହା କୁହନ୍ତୁ ନାଁ କାହିଁକି, ତା’ ମା’ ଜାଣେ ଏଇଟା ଗୋପନ ପ୍ରୀତି । ବେଳେ ବେଳେ ଶୁଭଦା ବାପାଙ୍କ ଉପରେ ରାଗ ହୁଏ । ବେଳେ ବେଳେ ସେ ବାପାଙ୍କ ସମ୍ପର୍କରେ ଏତେ ବଡ଼ ଖରାପ ଚିନ୍ତା କରିପାରେ ନାଇଁ । ମା’କୁ ମିନ୍‌ ଭାବେ । ପୁଣି ବେଳେ ବେଳେ ତା’ର ଇଚ୍ଛାହୁଏ କହିବାକୁ : ସମସ୍ତଙ୍କ ଭିତରେ ସେଇ ଖେଳିବାର ଇଚ୍ଛା ଅଛି ଲୋ ମା’ । ବୟସରେ କିଛି କଥା ନାଇଁ । ନିଜ ମନଟାକୁ କିଏ କେତେ ଅକ୍ତିଆରରେ ରଖି ପାରିଲା, ସେଇଟାହିଁ କଥା ।

 

ଏମିତି ତ ଚାଲିଥାନ୍ତା, ବାପା ତାଙ୍କ ପରିଧି ଭିତରେ ଘୂରି ବୁଲୁଥାନ୍ତେ, ମା’ ତା ପରିଧି ଭିତରେ ଘୂରି ବୁଲୁଥାନ୍ତା ଏବଂ ସବୁ ଦେଖୁଥାନ୍ତା, ସାଇ ପଡ଼ିଶା ବନ୍ଧୁ, ପରିଜନ ଭୟରେ ଚୁପ୍‌ ରହୁଥାନ୍ତେ । ହଠାତ୍‌ କିଭଳି ଗଣ୍ଡଗୋଳଟା ସୃଷ୍ଟି ହେଲା ଶୁଭଦା ଜାଣିନି । ଉଚ୍ଚ ଗଳାର ପାଟିତୁଣ୍ଡ ଶୁଣି ତା’ ଦି’ ପହରିଆ ନିଦ ଭାଙ୍ଗିଗଲା । କେତେ ସମୟ ପାଟିକି ପାଟି ଲଗେଇ ଝଗଡ଼ା କରିବା ପରେ ବାପା ଲାଲ୍‌ ଲାଲ୍‌ ଆଖି କରି ତାଙ୍କ ରୁମ୍‌କୁ ଚାଲିଗଲେ । ମା’ ଲୁଗା କାନିରେ ଲୁହ ପୋଛି ପୋଛି ଷ୍ଟୋର୍‌ ରୁମ୍‌ ଆଡ଼େ ଗଲା । ଶୁଭଦା ଜାଣେ, ଝଗଡ଼ାଟା ତାକୁ କିମ୍ବା ବାପାଙ୍କୁ ନେଇ ହେଇଥିବ । ଅଜିକାଲି ପ୍ରାୟ ଏମିତି କିଛିଦିନ ଧରି ଘଟୁଛି ।

 

ବାପା ତାଙ୍କ ରୁମ୍‌କୁ ବାହାରିଗଲା ପରେ, ଶୁଭଦା ମା’ ପାଖରେ ଯାଇ ଛିଡ଼ା ହେଲା । ମା’ କାନ୍ଦୁ କାନ୍ଦୁ ହିଁ ରାଗିଗଲା । ଲୁହ ପୋଛୁ ପୋଛୁ କହିଲା, ତୋ ବାପାଙ୍କ ପରି ତୁ ବି ମନ ଯାହା ହଉଚି କରିଯା’ । ମତେ ଟିକେ ବିଷ ଦେଇକି ଯିଏ ଯାହା କରୁଚ କର ।

 

ଶୁଭଦାର ବୁଝିବାରେ ବାକି ରହିଲାନି, ମା’ ଏଇ ପଦକ କ’ଣ ପାଇଁ କହିଲା । ସେ ଜାଣେ, ଶୁଭଙ୍କରକୁ ଲକ୍ଷ୍ୟ କରି ମା’ କହିଚି । ସେ ମା’ ଉପରେ ରାଗି ପାରିଲାନି, ବରଂ ଗୁଡ଼େ ଦୁଃଖର ବୀଜ ବୁଣି ହେଇଗଲା ତା’ ଦେହର ପଡ଼ିଆରେ । ବୀଜରୁ ଗଜା ଉଠିଲା, ଗଜାରୁ ସବୁଜ ପତ୍ର ବେଢ଼ିଗଲା, ପତ୍ରରେ ନଦି ହେଇଗଲା ଦୁଃଖର ଫସଲ ।

 

ଘଟଣାଟା ଯଦି ଏଇଠି ତୁଟିଥାନ୍ତା ତେବେ ତ କଥା ନ ଥିଲା । ପ୍ରକୃତରେ ଘଟଣାଟା ଥିଲା ଅଲଗା ପ୍ରକାରର । ତାକୁ ମା’ ପାଖକୁ ଡାକି କହିଲା : ସେ ପିଲା ତୋ ପାଖକୁ ଆସିଥିଲା ? ବରାବର ଆସେ ତୋ ପାଖକୁ ? ତୁ ତା ସାଥୀରେ କୁଆଡ଼େ ପଳେଇବୁ, ବାହାରିଚୁ ? ତୋତେ କୋଉଥିରେ ଅଭାବ କଲି ? ମୋର ସିନା ରୂପ, ବୟସ ନାଇଁ ଯେ ତୋ ବାପାକୁ ବାନ୍ଧି ରଖି ପାରୁନି, ହେଲେ ତୋତେ ତ ଅଭାବ କରିନି, ଏଇ ଛାତିରୁ ଖୋଇ ଛିଡ଼ା କରେଇଥିଲି, କୋଉଠୁ କ’ଣ ଗୋଟେଇ ଆଣିଚି ?

 

ଶୁଭଦାର ରାଗରେ ଦୁଃଖରେ ଶିରା ପ୍ରଶିରା ଟାଣି ହେଇଗଲା । କିଛି କହି ପକେଇବାକୁ ଇଚ୍ଛା ହେଲା । ଭାବିଲା, ଆଉ ଥରେ ମା’ ଗର୍ଭରୁ ଜନ୍ମ ନିଅନ୍ତା, ଆଉ ଥରେ ସ୍ତନ କାମୁଡ଼ି ପଡ଼ି ରହନ୍ତା ମା’ କୋଳରେ, ଆଉ ଥରେ କୈଶୋର ଆଉ ଏଇ ଯୌବନରେ ପହଞ୍ଚି କୁହନ୍ତା : ତୋ ମନ ମୁତାବକ ମାତେ ଚଳେଇନେ ମା’ ।

 

ଶୁଭଦା କିଛି କରି ପାରିଲାନି । ବରଂ ଘର ଭିତରେ ଏପଟ ସେପଟ ହେଇ ଯାବତୀୟ କାମରେ ମନ ଲଗେଇଥିଲା । ବାପା ସିଗାରେଟ୍‌ ଧରୋଉ ଧରୋଉ ଶୁଭଦାକୁ ଡାକିଲେ । ଶୁଭଦା ବାପାଙ୍କୁ ଭୟ କରେ । ଆଜିଯାଏଁ ବାପାଙ୍କ ପାଦକୁ ଚାହିଁ କଥା କହି ଆସିଚି । ଏଥର ବାପାଙ୍କ ଭୟ ଓଜନିଆ ମୁହଁକୁ ଚାହିଁ ପାରିଲାନି । ବାପା କହିଲେ : ଦେଖୁଚୁ ମା’ ତୋ ମା’ଙ୍କୁ ? ମତେ ବଡ଼ କଷ୍ଟ ହେଲାଣି, ସହି ହଉନି । ସନ୍ଦେହ କରିବ, ଘରେ ପାଦ ନ ଦଉଣୁ ପାଟି କରିବ । ତୁ ତ ନିଜେ ଦେଖୁଚୁ, ମୁଁ କ’ଣ କରିବି ? ଶୁଭଦା ଚୁପ୍‌ଚାପ୍‌ ବାପାଙ୍କ ବ୍ୟଥାକୁ ଶୁଣୁଥିଲା । ବାପା କହିଲେ : ମୋ ଅବସ୍ଥା ତ ଦେଖୁଚୁ । ଏଥର ପ୍ରତି ଶନିବାର ଚାଲି ଆସିବୁ । ତତେ ଦେଖି ହେଲେ ମନଟା ଖୁସି ରହିବ ।

 

ବାପା ଆଖି ବୁଜି ବୁଜି ସିଗାରେଟ୍‌ ଟାଣୁଥିଲେ, ଶୁଭଦା ପାଦ ଚିପି ଚିପି ସେ ଘରୁ ଚାଲି ଆସିଲା । ବାହାର ଆସି ସୁସ୍ଥିରେ ଟିକେ ନିଃଶ୍ଵାସ ନେଲା । ଭାବିଲା, ମୁଁ ଜାଣେ ବାପା, ତମେ କେତେ ଅସହାୟ, ଜାଣେ । ତମ ନିଦା ଦେହଟା ଭିତର କଅଁଳିଆ ପାଖୁଡ଼ାର ହୃଦୟକୁ ଜାଣେ, ମୁଁ ଛୁଆବେଳେ କାନ୍ଦୁରୀ ଥିଲି ବୋଲି, ତମେ ରାତି ଅଧରେ ନିଦରୁ ଉଠେଇ ମତେ ବୁଲାଉଥିଲ । ମୋ ପସନ୍ଦ ମଣିଷ ତମ ମନ ମୁତାବକ ହେଇନି ବୋଲି ତମେ ଏବେ ମନ କଷ୍ଟ କର । ସେଇଥିପାଇଁ, କେବଳ ସେଇଥିପାଇଁ ମତେ ମିଶିବାକୁ ସୁଯୋଗ ଦଉନ । ପ୍ରତି ଛୁଟିରେ ଡକେଇ ଆଣ ଘରକୁ । ଏତେ ଆଳ ଦେଖାଅ କିଆଁ ବାପା ? ମୁଁ ଜାଣେ, ମନ ଚାହୁଁଥିବା ସବୁ କାମ ଯଦି ଶହ ଶହ ଆଖି ଆଗରେ କଣ ହଉଥାନ୍ତା ତେବେ, ଲୁଚା ଚୋରା ପରି ଶବ୍ଦ ଗୁଡ଼େ ଭଲ ହୋଇଯାନ୍ତା । ତମର ବି ତ କିଛି କିଛି ହଉଚି ବାପା । ମୋ ପରି କିଛି ତ ହଉଚି । ଓଃ ବାପାଙ୍କ ସମ୍ପର୍କରେ ଏତେ ଖରାପ ଚିନ୍ତା ତା ମନକୁ କିଆଁ ଆସୁଚି ! ଶୁଭଦାର ଶିରା ଟାଣି ହେଇଗଲା ମିନ୍‌ନେସ୍‌ର ରୂପ କି ଭୟଙ୍କର । ଛି, ଛି ।

 

ଶୁଭଦା ଏମିତି ଭାବୁ ଭାବୁ ହିଁ ଅଗଣାକୁ ଚାଲି ଆସିଥିଲ। କୁକୁଡ଼ା ପାଖକୁ ଦାନା ଫିଙ୍ଗି ଦେଲାବେଳେ, ଗୋଟେ ଅଦ୍ଭୁତ ଦୃଶ୍ୟ ନାଚିଗଲା ତା’ ଆଗରେ । କୁକୁଡ଼ାଟା ଦେହରେ ସେ ଗୋଟେ ପରେ ଗୋଟେ ମୁଖା ଖଞ୍ଜିଲା….ମା’ର, ବାପାଙ୍କର, ତା’ର ଓ ଶୁଭଙ୍କରର । ମୁଖାପିନ୍ଧା କୁକୁଡ଼ା ଉଡ଼ିଗଲା ବାଥ୍‌ରୁମ୍‌ ଛାତ ଉପରକୁ ପୁଣି ଆସିଲା ତଳକୁ । ଖୁମ୍ପେ ଖାଇଦେଇ ଉଡ଼ିଗଲା ଲାଟ୍ରିନ ଛାତକୁ, ଫେରିଆସିଲା ସେଇ ଅଗଣାକୁ । ଘର ଭିତରକୁ ଦଉଡ଼ିଗଲା ଶୁଭଦା । ପନିକିଟିଏ ଆଣି କୁକୁଡ଼ା ଗୋଡ଼ରେ ବନ୍ଧା ସୂତାଟାକୁ କାଟିଦେଲା । ବଞ୍ଚିବାର ଛୋଟକାଟିଆ ମୋହ ତାକୁ ଜାବୁଡ଼ି ଧରିଲା । ତାକୁ ଘର ଛାଡ଼ିବାକୁ ହବ । ଯେମିତି ହେଉ ।

 

ରାସ୍ତାସାରା ଶୁଭଦା ଦେଖୁଥିଲା ଗଛମାନେ, ପାହାଡ଼ମାନେ ଇଲେକ୍‌ଟିକ୍‌ ପୋଲ୍‍ମାନେ ପଛକୁ ଧାଇଁଛନ୍ତି, ହେଲେ ସେଇ ହୃଷ୍ଟପୁଷ୍ଟ ଧଳା କୁକୁଡ଼ାଟା ଗଛରୁ ଗଛକୁ, ପାହାଡ଼ରୁ ପାହାଡ଼କୁ, ଆଗକୁ ଆଗକୁ ଡେଇଁ ଡେଇଁ ଉଡ଼ିଚାଲିଚି । ଶୁଭଦା ମୁହୂର୍ତ୍ତେ ଆଖି ବନ୍ଦ କରିଦେଲା, ଶୁଣିଲା କୁକୁଡ଼ାଟା କ୍‌ କ୍‌ କରି ଆଗ ଗଛକୁ ଉଡ଼ିଗଲା । ଘରୁ ଯେତେବେଳେ ଗୋଡ଼ କାଢ଼ିଥିଲା, ଶୁଭଦା ଭାବିଥିଲା ଉଶ୍ଵାସ ହେଇଯିବ । ଘରଠୁ ଦୂରରେ ରହିଲେ, ଘର ଚିନ୍ତା ଏତେ ଖାଇଯିବନି । ହାଲୁକା ପଣରେ ସେ ଫୁଲପରି ହେଇଯିବ । ନିଃଶ୍ଵାସ ନବ, ଜୀଇଁ ଉଠିବ ।

 

ହଷ୍ଟେଲ୍‌ରେ ପହଞ୍ଚି ବି ଓଜନିଆ ଭାବଟା ତା’ର ଚାଲିଗଲାନି । କିଛି ଗୋଟେ ହଜେଇ ପକେଇଚି, କିଛି ଗୋଟେ ପାଇପାରୁନି, କିଛି ଗୋଟେ ଦେଇଦଉଚି, ଏଇଭଳି କିଛି ଗୋଟେ ଅନୁଭୂତି ତାକୁ ଓଦା କରିଦେଲା । ଦେହଟା ବିଛଣା ଉପରେ ଗଡ଼େଇଦେଇ, ରୀନା-ତା’ ରୁମ୍‌ ମେଟ୍‌-କୁ ପଚାରିଲା : ମତେ କେହି ଖୋଜିଥିଲା ? ମୋର କିଛି ଚିଠି ଆସିଚି ?

 

ଏକ ସଙ୍ଗରେ ଦୁଇଟା ନାଁ ଉତ୍ତର ଦେଇ-ଛାତିରେ ବହିଯାକି ରୀନା ବାହାରିଗଲା । ଶୁଭଦା ବିଛଣାରୁ ଉଠି ବସିଲା । ହାତ ବଢ଼େଇ ଝରକାଟାକୁ ବନ୍ଦ କରିଦେଲା । ଘଣ୍ଟା ଦେଖିଲା, ଗୋଟାଏ ପଇଁତିରିଶ ହେଇଚି । ପୂର୍ଣ୍ଣେନ୍ଦୁ ଭାଇ ଏବେ ଆସିବନି । ତା’ର ଆସିବା ସମୟ ହେଇନି । ଶୁଭଦାକୁ ନିଛାଟିଆ ଲାଗିଲା । ସ୍ଳିପର୍‌ ଘୋଷାରି ଘୋଷାରି ସେ ବାହାରିଗଲା କ୍ୟାଣ୍ଟିନ୍‌କୁ । ଦେଢ଼ଟା ଚା’ର ବରାଦ୍‌ଦେଇ ଢୋକ ଗଣି ଗଣି ଚା ପିଇଲା । ଚା’ ପିଇଦେଲେ ଶୁଭଦାର ସ୍ନାୟୁ ସବୁ ସତେଜ ହେଇଯାଏ । ମନେହୁଏ ଗୁଡ଼ାଏ ଗପିଚି କା’ ସାଙ୍ଗରେ, ଗୁଡ଼ାଏ ଦୁଃଖ ସୁଖ ହେଇଯାଇଚି ।

 

ରୁମ୍‌କୁ ଫେରିଆସି ଶୁଭଦା କବାଟଟି ଭିତରୁ ବନ୍ଦ କରିଦେଲା । ବିଛଣାରେ ଗଡ଼ି ପଡ଼ିଲା । ନାଁ, ସମୟ ସବୁ ସୁଖରେ ଯାଉନି । ଉଠି ପଡ଼ିଲା, ପାଦେ ପାଦେ କର ରୁମ୍‌ରେ ଚାଲୁ ଚାଲୁ, କେତେବେଳେ ପୁଣି ରୀନାର ବିଛଣାରେ ଟିକେ ଗଡ଼ି ପଡ଼ିଲା । ହଁ, ସୂର୍ଯ୍ୟର ଗତି ଥମିଯାଇଚି, ସମୟ ସବୁ ଧୀରେ ଧୀରେ ଯାଉଚି । ଶୁଭଦା ରୁମ୍‌ରେ ପାଞ୍ଚୋଟିଯାକ ବିଛଣାରେ ଗଡ଼ିଲା, ହେଲେ ସମୟ ହାତରୁ ଖସିଗଲାନି ।

 

ଅଗତ୍ୟା ଉଠିଆସି ଦର୍ପଣ ଆଗରେ ଛିଡ଼ାହେଲା । ପୁଅ ପିଲାଙ୍କ ଦାଢ଼ି ଉଠିଲାପରି ଭୁରୁତଳଟା ନୀଳ ଦିଶୁଚି । ଅନେକଦିନ ହେଲା ସେ ସାଇଜ୍‌ କରିପାରିନି ତାକୁ । ଏଇ ମୁହୂର୍ତ୍ତରେ ତା’ର ଇଚ୍ଛା ହେଲାନି ଭୁରୁ ସଜେଇବାକୁ । ଦର୍ପଣ ପାଖରୁ ଯାଇ କପ୍‌ବୋର୍ଡ଼ ଖୋଲିଲା । କପ୍‌ବୋର୍ଡ଼ ଖୋଲି ଯା’ ଉପରେ ତା’ର ପ୍ରଥମେ ଦୃଷ୍ଟି ପଡ଼ିଲା ସେ ହେଉଛି ସୁନିଲ୍‌ ଗାଭାସ୍କର୍‌ । ଶୁଭଦା ଟିକେ ହସିଦେଲା । ବିଛଣାରେ ବସୁ ବସୁ ସୁନିଲ୍‌ ଗାଭାସ୍କରକୁ ଚାହିଁଲା । ସୁନିଲ୍‌ ଗାଭାସ୍କର୍ କିଛି କହିବେ କହିବେ ବୋଲି ହଉଥିଲେ ! ଶୁଭଦା ତାଙ୍କୁ କହିବାକୁ ନ ଦେଇ ଆଗତୁରା କହି ପକେଇଲା : ତମେ ଭଲ ଖୋଳିପାର ବୋଲି ତମେ ଗର୍ବକର । ତମେ ଡବଲ୍‌ ସେଞ୍ଚୁରୀ ମାରିପାର । ବେଳେ ବେଳେ ତମେ ଦୁଇ ଚାରି ରନ୍‌ରେ ଆଉଟ୍‌ ହେଇଯାଅ । ସେଇଥିପାଇଁ, କେବଳ ସେଇଥିପାଇଁ ମୁଁ ତମକୁ ପସନ୍ଦ କରେ । ସେଇ ଖାତିରରେ ମୁଁ ତମକୁ ମୋ’ ଜ୍ଞାତି ବୋଲି ଗଣିନେଇ, ମୋ’ କପ୍‌ବୋର୍ଡ଼ରେ ତମ ଫଟୋ ମାରିଚି । ସୁନିଲ୍‌ ଗାଭାସ୍କର୍‌ ବ୍ୟାଟ୍‌ ଧରି ସେମିତି ଛିଡ଼ା ହୋଇଥିଲେ ।

 

ବିନା ଘୋଷଣାରେ ଗାଭାସ୍କର ପାଖରୁ ଦୃଷ୍ଟି ଫେରାଇ ଶୁଭଦା ଯାହାକୁ ଚାହିଁଲା ସେ ହେଉଛନ୍ତି ସେକସ୍‌ପିୟର୍‌ । ଶୁଭଦା କହି ଚାଲିଲା : ସେକସ୍‌ପିୟର୍, ତମ ମୁଣ୍ଡକୁ ଏତେ ଅନୁଭୂତି କାହୁଁ ଆସିଲା ? ତମେ ଏତେକଥା କେମିତି ଜାଣିଲ ? ତମେ ତ ସବୁ ଦେଖିଗଲ, ସବୁ କହିଗଲ, ସବୁ ଲେଖିଗଲ, ସେକ୍‌ସପିୟର୍‌ ମୋ ଜ୍ଞାତିର ମଣିଷ, ତମେ ଦେଖି କହିଲ ତମେ କ’ଣ ମୋ’ ଭଳି ଛାତି ଭିତରେ କିଛି ଅନୁଭବ କର ? ସେକସ୍‌ପିୟର୍‌ ଉଦାସ ଦିଶିଲେ, ଫିସ୍‌ ଫିସ୍‌ କଣ୍ଠରେ କହିଲେ-: ଅଇ ନୋ ନଟ୍‌ ହାଇ ଆଇ ଆମ୍ ସୋ ସ୍ୟାଡ୍, ଇଟ୍‌ ଓରିଜ୍ ମି, ୟୁ ସେ ଇଟ୍‌ ଓରିଜ୍‌ ୟୁ, ବଟ୍ ହାଓ କଟ୍‌ ଇଟ୍ ଫାଉଣ୍ଡ୍ ଇଟ୍ ଅର୍ କେମ୍ ବାୟ୍‍ ଇଟ୍, ହ୍ୱାଟ୍ ଷ୍ଟଫ୍ ଇଟ୍ ଇଜ୍ ମେଡ଼୍ ଅଫ୍ , ହୋୟାର ଅଫ୍ ଇଟ୍ ଇଜ୍ ବର୍ ନ ?

 

ଶୁଭଦା ଦେଖିଲା ସେକସ୍‌ପିୟର୍‌ଙ୍କ ଅଣ୍ଡାକୃତି ମୁହଁ ଉଦାସ ଦିଶୁଚି । ତାଙ୍କର ବି ଏବେ ମୁଡ୍‌ ନାଇଁ । ଶୁଭଦା ଗପ ବନ୍ଦ କରିବାପାଇଁ କପ୍‌ ବୋର୍ଡ଼ ବନ୍ଦ କରିଦେଲା । ବିଛଣାରେ ପୁନର୍ବାର ଗଡ଼ିଗଲା ।

 

କୌଣସି କାରଣରୁ ମୁଣ୍ଡ ଓଜନ ଧରି ଯାଉଚି । ଏଣୁ ତେଣୁ ଚିନ୍ତା କରୁ କରୁ ଶୁଭଦା ଡବାଖୋଲି ମିକସ୍‌ଚର ପାଟିରେ ପକେଇଲା । ଶେଷରେ ସେଇ ମୁହୂର୍ତ୍ତ ଆସିଲା, ପୂର୍ଣ୍ଣେନ୍ଦୂ ଭାଇ ଆସିଚି । ପୁର୍ଣ୍ଣେନ୍ଦୂ ଭାଇ ଆଗରେ ଆଜି ଅନେକ କିଛି ଗପିବ । ପୁର୍ଣ୍ଣେନ୍ଦୂ ଭାଇ ଏଇ ବର୍ଷେ ହେଲା ତା’ର ଆପଣାର ଲୋକ ହେଇଯାଇଚି । ଅଧିକ ଘନିଷ୍ଠତା ପାଇଁ କିମ୍ବା ଗୋଟେ ସମ୍ପର୍କ ଯୋଡ଼ିବାପାଇଁ କିମ୍ବା ଗୋଟେ ବଡ଼ଭାଇର ଅଭାବରେ, ସେ ସାଙ୍ଗଟାକୁ ଭାଇକରି ପକେଇଲା ।

 

ଶୁଭଦା ତଳେ ପହଞ୍ଚୁ ପହଞ୍ଚୁ ପୂର୍ଣ୍ଣେନ୍ଦୁ ଭାଇ ପଚାରିଲା : କ’ଣରେ ଏମିତି ଦିଶୁଚୁ, ଦେହ ଭଲ ନାଇଁ କି ?

 

ଶୁଭଦା କିଛି କହିପାରିଲାନି ।

 

ଭାଇ ପୁଣି ପଚାରିଲା : କ’ଣ ଶୋଇଥିଲୁ କି ?

 

ଶୁଭଦା ମୁଣ୍ଡ ହଲାଇ ନାଁ କହିଲା ।

 

: ତେବେ ମନ ଭଲ ନାଇଁ ?

 

: ହଁ

 

: କ’ଣ ହେଇଛି ? ଘରୁ ତ ଆସିଲୁ, ମନ ଖରାପ କିଆଁ ? କ’ଣ ଘରେ କା’ର ଦେହ ଖରାପ କି ?

 

: ନାଁ

 

: ମନ ଖରାପ ହେଇଚି ଯେ

 

ଶୁଭଦା ଭାବିଥିଲା କହିପକେଇବ ସବୁକଥା । ହେଲେ କାହିଁକି କେଜାଣି କହି ପାରିଲାନି-। କଥାଗୁଡ଼ା ଗୋପନ ରଖିବା ଉଚିତ ବୋଲି ମନେହେଲା । ଗୋଟେ ଓଜନିଆ ଛାତିରେ କିଛି ସମୟ ଚୁପ୍‌ ରହିବା ପରେ କହିଲା ? ନା ଏମିତି କାରଣ ନ ଥାଇ ମନ ଭଲ ଲାଗୁନି, ଉଦାସ ଉଦାସ ଲାଗୁଚି ।

 

ଭାଇ ହସିଦେଲା, ତୁ’ଟା ଗୋଟେ ପାଗଳୀ । ହଉ ଯା, ଶୀଘ୍ର ବାହାରିଆ । କୋଉଠି ଗୋଟେ ଖାଇବାକୁ ଯିବା ।

 

କାହିଁକି କେଜାଣି ଶୁଭଦାକୁ ଖୁବ୍‌ ଖୁସୀ ଲାଗିଲା । ଏଇ ପ୍ରଥମଥର ସେ ଭାଇ ସାଙ୍ଗରେ ବାହାରକୁ ବାହାରୁଚି । ତରତର ହେଇ ଉପରକୁ ଆସି ଶାଢ଼ୀ ବଦଳେଇ ନେଲା । ପାଉଡ଼ର ଲଗେଇଲା । ଲାଇଟ୍‌ରେ ଲିପ୍‌ଷ୍ଟିକ ଲଗାଇଲା । ଯଥାସମ୍ଭବ ନିଜକୁ ସଜେଇ ବାହାରି ଆସିଲା ।

 

ପୂର୍ଣ୍ଣେନ୍ଦୁ, ଭାଇ ତା’ ମୁହଁକୁ ଚାହିଁ କିଛି ସମୟ ନିର୍ବାକ୍‌ ହୋଇଗଲା । ରାସ୍ତାରେ ସେମାନେ କିଛି ଗପି ପାରିଲେନି । କେବଳ ପୂର୍ଣ୍ଣେନ୍ଦୁ, ଭାଇର ପାଦକୁ ସେ ଅନୁସରଣ କରୁଥିଲା ଯାହା । ରେସ୍ତୋରାଁରେ ପୂର୍ଣ୍ଣେନ୍ଦୁ, ଭାଇ ତା’ ସାମନା ଚେୟାରରେ ବସୁ ବସୁ ପଚାରିଲା : କ’ଣ ଖାଇବୁ ?

 

ଶୁଭଦା ମୁଣ୍ଡଟେକି ଚାହିଁଲା । ପୂର୍ଣ୍ଣେନ୍ଦୁ ଭାଇ ତା ମୁହଁକୁ ଚାହିଁ ହସୁଚି । ଆଖି ଦି’ଟା ତା’ର ଚକ୍‌ ଚକ୍‌ କରୁଛି ।

 

ଅଜାଣତରେ ଶୁଭଦା ତଳକୁ ମୁହଁ ପୋତିଦେଲା । ଏଡ଼େ ଚକ୍‌ ଚକ୍‌ ଆଖି ସେ ପୂର୍ବରୁ କେବେ ଦେଖିନି । ଶୁଭଙ୍କରର ଆବେଗପ୍ରବଣ ଆଖି ବି ଏଡ଼େ ଚକ୍‌ ଚକ୍‌ ହବନି । ଟେବୁଲ୍‌ ଉପରୁ ପାଣିଗ୍ଲାସ ଉଠେଇ, ଏକ ନିଃଶ୍ଵାସରେ ପିଇଦେଲା । ଖାଇବା ଭିତରେ ସେ ଆଉ ଗପି ପାରିଲାନି, ବରଂ ହାତରୁ ତା’ର ଚାମଚ ଖସି ଟେବୁଲ ତଳେ ପଡ଼ି ଯାଇଥିଲା । ତଳକୁ ମୁହଁପୋତି ଆଉ ଗୋଟେ ଚାମଚ ମଗେଇ ଶୁଭଦା ଚୁପ୍‌ଚାପ୍‌ ଖାଇଲା ଆଉ ମନେ ମନେ କହିଥିଲା : ମୁଁ ଚକ୍‌ ଚକ୍‌ ଆଖିର ସାମନାସାମନି ହେଇ ପାରିବିନି, ଭାଇ ।

 

ସେଦିନ ହିଁ ଗୋଟେ ଅଭୁତକାଣ୍ଡ କରି ବସିଲା ପୂର୍ଣ୍ଣେନ୍ଦୁ ଭାଇ । ତାକୁ ଗୁଡ଼ାଏ ଆଶ୍ଚର୍ଯ୍ୟ ଅନୁଭୂତିରେ ବୁଡ଼େଇ ପକେଇଲା । ତା’ ଭିତରର ଆଇଁଷିଆ ଇଚ୍ଛାକୁ ନିଦରୁ ଉଠେଇଦେଲା । ଶୁଭଦାକୁ ହଷ୍ଟେଲ୍‌ରେ ଛାଡ଼ିଦେଇ ଗଲାବେଳେ ପୂର୍ଣ୍ଣେନ୍ଦୁ ଭାଇ କହିଲା : ତୋ’ ନାକଟାକୁ ମୋର ଚିପିଦେବାକୁ ଇଚ୍ଛା ହେଉଚି ।

 

ଏବଂ କହୁ କହୁ ହିଁ ଶୁଭଦାକୁ ଭାବିବାକୁ ସମୟ ନ ଦେଇ ଶୁଭଦାର ଲମ୍ବା ତୀକ୍ଷ୍‌ଣ ନାକଟାକୁ ଚିପିଦେଲା । ଶୁଭଦା ପ୍ରଥମେ ବୋକା ବନିଗଲା, ହେଲେ ପରମୁହୂର୍ତ୍ତରେ ତା’ର ପାଦ ଥରି ଉଠିଲା । ମୁହଁ ତାତିଗଲା । ରାଗରେ ଦୁଃଖରେ ଠସ୍‌ ଠସ୍‌ କାନ୍ଦି ପକେଇଲା । ତା’ପରେ ଆଙ୍ଗୁଠି ଅଗରେ ଶାଢ଼ୀ ଗୁଡ଼ୋଉ ଗୁଡ଼ୋଉ କହିଲା ଭାଇ ସେମିତି ଆଉ କେବେ କରିବିନି ।

 

ପୂର୍ଣ୍ଣେନ୍ଦୁ ଭାଇ ବୁଝିପାରିଲାନି ତା’ ଭୁଲ୍‌ କୋଉଠି ରହିଲା କିମ୍ବା ରୁଝି ନ ବୁଝିଲା ପଣିଆ ଦେଖେଇଲା ।

 

ଶୁଭଦା ପୂର୍ଣ୍ଣେନ୍ଦୁ ଭାଇକୁ ବୁଝେଇ ପାରିଲାନି ଯେ କେବଳ ଶୁଭଙ୍କର ହିଁ ତା’ ନାକ ଚିପିପାରେ; ସେଇଟା ତା’ର ଏକଚାଟିଆ ଅଧିକାର । ପୂର୍ଣ୍ଣେନ୍ଦୁ ଭାଇକୁ ସେ ଶୁଭଙ୍କର ହେବାକୁ ଦବନି । ଏମିତି ସବୁ ଭାବୁ ଭାବୁ ହିଁ ସେ ପୂର୍ଣ୍ଣେନ୍ଦୁ ଭାଇ ପାଖରୁ ଚାଲିଆସିଲା, ଶୁଭଙ୍କର ପାଖକୁ ସେ ଚିଠିଟିଏ ଲେଖି ପକେଇଲା, ସବୁକଥା ଖୋଲି ଲେଖି ପକେଇଲା ଏବଂ ମୁହୂର୍ତ୍ତକର ଆବେଗକୁ ଚାପି ନ ପାରି ନାଲି ବାକ୍‌ସରେ ଗଳେଇ ଦେଲା ।

 

ରାତିସାରା ସେଦିନ ଶୋଇ ପାରିଲାନି ଶୁଭଦା । ସେଇସବୁ ପୁରୁଣା ଘଟଣାଗୁଡ଼ିକରୁ ପରସ୍ତ ପରସ୍ତ କରି ଚୋପା ଛଡ଼େଇ ବସିଲା । ଯେତିକି ଯେତିକି ସେ ଚୋପା ଛଡ଼େଇଲା ସେତିକି ସେତିକି ପୂର୍ଣ୍ଣେନ୍ଦୁ, ଭାଇର ମୁହଁ ଝାପ୍‌ସା ଦିଶିଲା । ଠିକ୍‌ ଏଇଭଳି ମୁହୂର୍ତ୍ତରେ ଗୋଟେ ଅଦ୍ଭୁତ ଦୃଶ୍ୟ ତା’ର ସମଗ୍ର ମନକୁ ଥରେଇଦେଲା । ପୂର୍ଣ୍ଣେନ୍ଦୁ ଭାଇ ତା’ ଚାରିପଟେ ଘୂରି ବୁଲୁଚି । ମଝିରେ ମଝିରେ ତା’ ତୀକ୍ଷ୍‌ଣ ନାକଟାକୁ ଚାପି ଦଉଚି, ପୁଣି ଘୂରି ବୁଲୁଚି । ପୂର୍ଣ୍ଣେନ୍ଦୁ ଭାଇର ଚକ୍‌ ଚକ୍‌ ଆଖି ତା’ ସମଗ୍ର ଦେହକୁ ଉଲଗ୍ନ କରି ପକଉଚି ।

 

ଶୁଭଦା ଦାନ୍ତ ଚିପି ଧରିଲା । ନାଁ ସେ ଘରକଥା ଭାବିବ, ଘରକଥା । କୁକୁଡ଼ାଟାକୁ ସେ ସୂତା ଦେହରୁ ଅଲଗାକରି ଦେଇଚି, କୁଆଡ଼େ ଯାଇଥିବ କୁକୁଡ଼ାଟା, କୁଆଡ଼େ ? ବାପା ମା’ ପୁଣି ହସିକରି ଗପ ମାରୁଥିବେ, ହସିକରି ? ଏମିତି ହୁଏ, ବଞ୍ଚିବାର ମୋର ବାରମ୍ବାର ଭାଙ୍ଗେ, ବାରମ୍ବାର ତିଆରି ହୁଏ, ସବୁଠି । ଶୁଭଦା ବିଛଣାରୁ ଉଠି ପଡ଼ିଲା, ଏତେ ଶସ୍ତା ଚିନ୍ତାଗୁଡ଼ା ତା ଭିତରେ କାହଁକି ? ରାତି ଅଧଟାରେ ଲୁଗାପଟା ଧରି ବାହାରିଲା ବାଥ୍‌ରୁମ୍‌କୁ । ମନପୂରେଇ ଗାଧେଇଲା, ଦେଢ଼ଘଣ୍ଟା ଧରି । ରୁମ୍‌କୁ ଆସି ରୀନାକୁ ନିଦରୁ ଉଠେଇ ପଚାରିଲା : ତମର ଗୀତା ଅଛି ନାଁ ? ନିଦ ବାଉଳାରେ ରୀନା ବଲ ବଲ କରି ଚାହିଁଲା ତାକୁ । ତା’ପରେ କପ୍‌ବୋର୍ଡ଼ରୁ ନେଇଯିବା ପାଇଁ କହି ଶୋଇପଡ଼ିଲା ।

 

ଗୀତାରେ କ’ଣ ଥାଏ ? ଗୋଟେ କୃଷ୍ଣ, ଗୋଟେ ଅର୍ଜୁନ ଥାଏ ବୋଲି ସେ ଶୁଣିଚି । ଦି’ଟା ଲୋକ ବସି ବସି ପୃଥିବୀଯାକର ଯାବତୀୟ ଚିନ୍ତା କରିଚନ୍ତି । ଲେଟ୍‌ ଦେମ୍‌ ଥିଙ୍କ୍‌ । ସାର୍‌ କହୁଥିଲେ ଗୀତା ସ୍ପର୍ଶ କଲେ ଦେହରେ ରୋମାଞ୍ଚ ଜାତ ହୁଏ । ଶୁଭଦା ତା ହାତ ଦେଖିଲା, ଲୋମ ସବୁ ଶୋଇ ରହିଛନ୍ତି । ଶୁଣିଚି ଗୀତା ଛୁଇଁ କୋର୍ଟରେ ଆସାମୀମାନେ, ସାକ୍ଷୀମାନେ ଶପଥ କରନ୍ତି-। ଶୁଭଦାକୁ ହସ ଲାଗିଲା । ହସ ଲାଗିଲା ଏଇଥିପାଇଁ ଯେ, ଖାସା ଖାସା ଆସାମୀମାନେ ଗୋଟେ ପ୍ରେସ୍‌ରେ ଛାପା ବହି ଧରି ଏ ବୁଦ୍ଧିଜୀବୀଗୁଡ଼ାଙ୍କୁ ଠକି ଯାଉଚନ୍ତି ବୋଲି । ଏମିତି ଭାବୁ ଭାବୁ ହିଁ ମୁଁ କୌଣସି ଅସତର୍କ ମୁହୂର୍ତ୍ତରେ, ଶୁଭଦା ଗୀତାକୁ ଛାତି ଉପରେ ଧରି ଶୋଇପଡ଼ିଲା ।

 

ଏଇଭଳି ଭାବରେ ସୋମବାର ଦଶଟା ହୁଏ, ମଙ୍ଗଳବାର ଦଶଟା ହୁଏ, ବୁଧବାର ଦଶଟା ହୁଏ, ଗୁରୁବାର ଦଶଟା ହୁଏ, ଶୁକ୍ରବାର ଦଶଟା ହୁଏ, ଅଥଚ ଶୁଭଙ୍କରର ଚିଠି ଆସେନା । ହଠାତ୍‌ ଦିନେ ଅଭିମାନଭରା ଚିଠିଟିଏ ଆସି ପହଞ୍ଚେ । ଯାହାର ଉତ୍ତର ଲେଖିବାକୁ ଯାଇ ଶୁଭଦା ବାରମ୍ବାର ଓଠ କାମୁଡ଼ି ପକାଏ, ଦାନ୍ତରେ ନଖ ଛିଡ଼ଉ ଛିଡ଼ଉ ଲେଖେ : ଏକା ବଞ୍ଚିଛି । ତେଣୁ ଯାହାକୁ ପାଖରେ ପାଉଚି ଟିକେ ଗପିବାପାଇଁ, ଟିକେ ଅନୁଭୂତିରେ ସେୟାର କରିବାପାଇଁ, ଟିକେ ସଙ୍ଗ ପାଇବାପାଇଁ, ତାକୁ ଜାତି, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ମଣିଷଟିଏ ବୋଲି ଭାବି ମିଶୁଚି । ଏ ଯାଏଁ ମୋ ଭିତରେ କିଛି ଅସତର୍କ ଆକର୍ଷଣ ଜନ୍ମିନି । ବିଶ୍ଵାସ କର, ମୋ ପାଖରେ ମୋ ବ୍ୟତୀତ କୁକୁରଟିଏ ଥିଲେ ବି ମୁଁ ଚିଠି-ଭର୍ତ୍ତି କୁକୁରର କାହାଣୀ ଶୁଣେଇଥା’ନ୍ତି ।

 

ସମ୍ପର୍କର ସମୁଦ୍ର ଶାନ୍ତ ପଡ଼ିଯାଏ କିଛିଦିନ ଧରି । ବଞ୍ଚିବାର ମୋର ବଢ଼େ ଶୁଭଦାର । ନିଃସଙ୍ଗତା ଆଉ କାବୁ କରେନି । ପୁର୍ଣ୍ଣେନ୍ଦୁ ଭାଇର ମୁହଁ ଆଉ ଫିକା ଦିଶେନି । ଶୁଭଙ୍କର ପ୍ରତି ଚଠିରେ ଚୁମାଟିଏ ଦେବାକୁ ଭୁଲିଯାଏନି ।

 

ବାପା ମାଙ୍କ କଥା ରଖି ପ୍ରତି ଶନିବାର ଦିନ ଘରକୁ ବାହାରିଯାଏ ଶୁଭଦା । ପୂର୍ଣ୍ଣେନ୍ଦୁ ଭାଇ ସହ ସମ୍ପର୍କର ସୂତା ଲମ୍ବିଯାଏ । ତା ସ୍ନେହରେ ବୋକା ବନିଯାଏ ଶୁଭଦା । ଜାତି, ବର୍ଣ୍ଣ, ଲିଙ୍ଗର ପ୍ରଭେଦ ନ ଦେଖି ଗପ ଯୋଡ଼ିଦିଏ । ଚାରି ଛଅଟି ଝିଅଙ୍କୁ ଧରି ପୂର୍ଣ୍ଣେନ୍ଦୁ ଭାଇ ସଙ୍ଗେ ଫିଲ୍ମ ଦେଖି ପଳାଏ । ଗୋଟେ ନିଷ୍ପାପ ଆବେଗକୁ ଚାପି ନ ପାରି କଥାଟା ପୁଣି ଥରେ ଜଣେଇଦିଏ ଶୁଭଙ୍କରକୁ । ସେ ଜାଣେ ଶୁଭଙ୍କରକୁ, ତା ଫ୍ରକପିନ୍ଧା ବୟସରୁ ଜାଣେ । ଶୁଭଙ୍କରର ବିସ୍ତୃତ ଛାତି ଭିତରେ ଶୁଭଦାର ଲମ୍ବା ଲମ୍ବା ଛାଇ ପଡ଼ିଥାଏ ନିତି । ଶୁଭଙ୍କରର ଚଉଡ଼ା ଛାତି ଏବେ ବି ଆଶ୍ରୟର ପ୍ରତିଶ୍ରୁତି ଦିଏ । ଶୁଭଦା ଫିସ୍ ଫିସ୍ କରେ : ଶୁଭଙ୍କର ତମେ ମୋର ଜ୍ଞାତିର ସର୍ବୋତ୍ତମ ମଣିଷ ।

 

ଶୁଭଦାର ଇଚ୍ଛା ହେଲା ଏଇ ମୁହୂର୍ତ୍ତରେ ଶୁଭଙ୍କରର ଚିଠିଟିଏ ଲୋଡ଼ା । ପ୍ରାୟ ତିନି ଚାରି ସପ୍ତାହ ହେଲା ସେ ଚିଠି ଦେଇନି । କ’ଣ ହେଇଚି ତା’ର ! ମାସେ ପୂର୍ବରୁ ତା’ର ମା’ ଓ ଭାଇ ହସ୍‌ପିଟାଲରେ ପଡ଼ିଥିଲେ, ଉଭୟଙ୍କୁ ସାଲାଇନ୍‍ ଦିଆଯାଉଥିଲା, କିଛି ଘଟିଗଲା କି ଆଉ ? ଶୁଭଦା ଆଗକୁ ଭାବିପାରିଲାନି । ପରମୁହୂର୍ତ୍ତରେ ସଚେତନ ହେଇପଡ଼ି ଭବିଲା, ଏ କି ଅମଙ୍ଗଳ ଚିନ୍ତା ସେ କରୁଚି ! ଆପେ ଆପେ କାନମୋଡ଼ି ଚାପୁଡ଼ା ମାରିହେଲା । ଶୂନ୍ୟକୁ ପ୍ରଣାମ କଲା । ଛି ଏମିତି ଚିନ୍ତା ଆଉ ନ ଆସୁ ।

 

ଏମିତି ଚଲୁ ଚାଲୁ ହିଁ ଶୁଭଦାର ଜୀବନର ଘଡ଼ି ବନ୍ଦ ହୋଇଯାଏ । ଶୁଭଦା ବୁଝେନି ଅସୁବିଧାଟା କୋଉଠି । ଶୁଭଙ୍କରକୁ ନେଇ ଅନେକ ଅଭୁତ ଚିନ୍ତାକରି ପକାଏ । ହୁଏତ ତୋ’ର ଆକ୍‌ସିଡେଣ୍ଟ ହେଇଥାଇ ପାରେ, ହୁଏତ ସେ ହେଇଯାଇଥିବ କାଫ୍‌କାଙ୍କ ଗପର ଅଭୁତ ପୋକ । ମନ ଅସ୍ଥିର ହେଇଯାଏ । ସମୟ ସବୁ ଠିକ୍‌ରେ ଯାଏନି ।

 

ସବୁ ଅସମ୍ଭବ ଚିନ୍ତାକୁ ଘୁଞ୍ଚେଇ ଶୁଭଙ୍କରକୁ ଚିଠି ପହଞ୍ଚିଲା । ଉତ୍ସାହ, ଉଦ୍‌ବେଗରେ ଇନ୍‌ଲାଣ୍ଡଟାର ଓଲଟାପଟୁ ଚିରିଦେଲା ଶୁଭଦା । ସମ୍ବୋଧନହୀନ ଛୋଟ ଚିଠିଟିଏ । ‘‘କାହା ପ୍ରତି ମୋର କୌଣସି ଅଭିଯୋଗ ନାଇଁ ନିଜର ଅଯୋଗ୍ୟତା ପାଇଁ ଦୁଃଖ ହୁଏ ଯାହା । ଆଜି ମୁଁ ଚାକିରୀରୁ ମାସକର ନୋଟିସ୍‌ ସମ୍ବଳିତ ଇସ୍ତଫାପତ୍ର ଦେଲି । କିଛିଦିନ ହେଲା ଭାବିବାକୁ କିଛି ଭଲ ଲାଗୁନି । ଘଟଣା-ସୁଅରେ ଜୀବନ ଭସେଇ ଦେଇଛି । ଭବିଷ୍ୟତକୁ କହିଚି-ନଚା ଯେତେ ନଚଉଥିବୁ । ଦୁହେଁ ମୋର ସ୍ନେହ ନେବ । ପୂର୍ଣ୍ଣେନ୍ଦୁର ଯତ୍ନ ନଉଥିବ ।’’

 

ଶୁଭଦା ଚିଠିଟାକୁ ମୁଠାକରି ପକେଇଲା । ଓଠଟା ଥରି ଉଠିଲା ତା’ର । ଶୂନ୍ୟରୁ ଖସିଗଲା ପରି ମନେହେଲା, ଚାରିପାଖଯାକ ଅନ୍ଧାର ଭର୍ତ୍ତି ହେଇଗଲା, ଦେହଟା ଭିତରେ ଗୋଟେ ନିସ୍ତେଜ ସକାଳ ଚେଇଁ ଉଠିଲା । ମନ ଖୋଲି କାନ୍ଦିଲା । ଆଖି ଫୁଲିଗଲା ପରେ, ତକିଆ ଓଦା ହୋଇଗଲା ପରେ ଉଠି ବସିଲା ଶୁଭଦା । ହଠାତ୍‌ ସେ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟଙ୍କ ଶ୍ୟାମ ଚକ୍ରବର୍ତ୍ତୀ ଉପରେ ରାଗିଗଲା । ରାଗୁ ରାଗୁ ହିଁ ଦୁଃଖ କଲା । ଗାଳିଦେଲା । ଗାଳି ଦେଉ ଦେଉ ହିଁ ଦୟାକରି ବସିଲା । ସେ ଜାଣେ, ଭଲଭାବରେ ଜାଣେ ଶ୍ୟାମ ଚକ୍ରବର୍ତ୍ତୀ ହିଁ ଶୁଭଙ୍କର ଶିଖେଇ ଦେଲା । ଶୁଭଙ୍କର ଭାଙ୍ଗିପଡ଼ିଲା । ଏତେ ଭାଙ୍ଗିପଡ଼ିଲା ଯେ ଅତୀତ, ବର୍ତ୍ତମାନ, ଭବିଷ୍ୟତକୁ ଅସ୍ଵୀକାରକରି ଚାକିରୀ ଛାଡ଼ିଦେଲା ।

 

ଶୁଭଦା ତା ଛାତି ଭିତରର ଛ’ଫୁଟିଆ ମଣିଷଟାକୁ କହିଲା : ଜ୍ଞାତିର ମଣିଷ ଥରେ ମତେ ଚାହଁ, ଏ ନିଃସଙ୍ଗ ମଣିଷଟାକୁ ଚାହଁ । ମୁଠା ଭିତରୁ ଚିଠିଟା ଖସିପଡ଼ିଲା କେତେଗୁଡ଼େ ଅକ୍ଷର, କେତେଗୁଡ଼େ ଶବ୍ଦ ମୋଡ଼ିହେଇ ତଳେ ପଡ଼ିଗଲେ । ଶୁଭଦା ଫିସ୍‌ ଫିସ୍‌ କଲା : ଶୁଭଙ୍କର, ମୁଁ ପୂର୍ଣ୍ଣେନ୍ଦୁ ଭାଇକୁ ମନା କରିଦେବି । ତା ଦେହର ଫିକା ଛାଇଟାକୁ ମୋ ଛାତିରୁ ହଟେଇଦେବି ।

 

ଲୁହପୋଛି ଉଠିଗଲା ଶୁଭଦା । ଆଲବମ୍‌ ଖୋଲି ଶୁଭଙ୍କରକୁ ଦେଖିଲା । ଶୁଭଙ୍କର ତାକୁ ରାଗରେ, ଘୃଣାରେ ଚାହିଁ ଆଖି ତଳକୁ କଲା । ଶୁଭଦା ବାଧ୍ୟହେଲା ଆଲବମ୍‌ ଟା ଥୋଇବାକୁ-। ଚପଲ୍‌ ଘୋଷାରି ଘୋଷାରି ଚାଲିଲା କ୍ୟାଣ୍ଟିନ୍‌କୁ । ଦି’ଟା ଚା’ର ବରାଦ ଦେଲା । ତା’ର ଇଚ୍ଛାହେଲା ଘରକୁ ଚାଲିଯିବ । ଘରକଥା ଭାବିବାକ୍ଷଣି, କୁକୁଡ଼ାଟା ଭିତରେ ସେ ନିଜକୁ ଦେଖିଲା । ଅଦୃଶ୍ୟ ସୂତା ତା ଗୋଡ଼ରେ । ରୁମ୍‌କୁ ଫେରିଆସି, ଝରକାକୁ ଆଉଜି ବସିଲା । ଶୁଭଙ୍କର ବିନା ଜୀବନଟା ଭାବି ହଉନି । କୋଉଠି କେମିତି ଅଟକି ଯାଉଚି, କୋଉଠି ?

 

ଏଇ ସଫାସୁତୁରା ଜୀବନରେ ପୂର୍ଣ୍ଣେନ୍ଦୁ ଭାଇ ନାଇଁ, ଅଥଚ ଝରକା ପାଖରେ ବସିଲେ କାହିଁକି କେଜାଣି ଇଚ୍ଛା ହୁଏ, ପୂର୍ଣ୍ଣେନ୍ଦୁ ଭାଇ ରାସ୍ତାରେ ଚାଲି ଯାଉ ଯାଉ ଝରକାକୁ ଚାହିଁ କୁହନ୍ତା । ଆ, ତଳକୁ ଆ ।

 

ଶୁଭଦା ଝରକା ପାଖରୁ ଉଠି ଆସିଲା, ରୁମ୍‌ସାରା ଘୂରିବୁଲିଲା । ଫିସ୍‌ ଫିସ୍‌ କଲା : ହଁ ଆଜିକୁ ବାଇଶିବର୍ଷ ଦଶମାସ ପୂର୍ବରୁ ମୋ’ ମା କହିଥିଲା : ଆ’, ମା’ ଗର୍ଭକୁ ଆ, ଆଜିକୁ ବାଇଶିବର୍ଷ ପୂର୍ବରୁ ମୋ ମା’ କହିଥିଲା ଆ’, ମୋ’ କୋଳକୁ ଆ, ଦଶମାସର ଗର୍ଭ ପେଡ଼ିରୁ ବାହାରି ଆସି ଶୁଣିଥିଲା.....ଆ, ମୋ’ କୋଳରେ ବସ । ଆଜିକୁ ନଅବର୍ଷ ପୂର୍ବରୁ ଶୁଭଙ୍କର ଦି’ହାତ ବଢ଼େଇଦେଲା : ଆ ଚାଲିଆ, ମୋ’ ଛାତିକୁ ଆ, ତୋର ସେଇ କଳା ଭଅଁର ବାଳ ଆଉଁସିଦେବି । ତୋ’ ପତଳା ଓଠରେ ହସ ଫୁଟେଇ ଦେବି, ଆ, ମୋ’ ଛାତିକୁ ଆ । ଆଉ ଏଇ ବର୍ଷେ ହେଲା ପୂର୍ଣ୍ଣେନ୍ଦୁ, ଭାଇ ଆସି କହିଲା : ଆ ତଳକୁ ଆ, ଗପ କରିବା, ସମୟ ସବୁକୁ ରଙ୍ଗେଇଦବା ।

 

ପୂର୍ଣ୍ଣେନ୍ଦୁ ଭାଇ ଦିନେ ନ ଆସିଲେ ନିଃଶ୍ୱାସ ବନ୍ଦ ହେଇଗଲାପରି ଲାଗେ ତାକୁ । ଚିଡ଼ି ଚିଡ଼ି ଲାଗେ । ପଢ଼ିବାରେ ମନ ଲାଗେନା । ବାରମ୍ବାର ମୁଣ୍ଡରେ ପାନିଆଁ ଚଳାଏ, ବାଥ୍‌ରୁମ୍‌ ଯାଏ, ମୁହଁ ଧୁଏ, ଶାଢ଼ୀ ସଜାଡ଼ି ପକାଏ, ପୁଣି ବିଛଣାରେ ଅଧା-ଶୁଆ ଅବସ୍ଥାରେ ପଡ଼ିରହେ ! ଧୀରେ ଧୀରେ ପୂର୍ଣ୍ଣେନ୍ଦୁ ଭାଇ ତା ଛାତି ଭିତରେ ନୂଆ ହିଡ଼ ବୁଲେଇ ନଉଚି କି ? ଶୁଭଦା ଥରି ଉଠିଲା....ମୁଁ ଖରାପ ପିଲା ହେଇଯାଇଚି । ଶୁଭଙ୍କରକୁ ମୁଁ କ’ଣ ଆଗପରି ଭଲ ପାଉନି ? ପୂର୍ଣ୍ଣେନ୍ଦୁ ଭାଇ ପ୍ରତି । ନାଁ, ପୂର୍ଣ୍ଣେନ୍ଦୁ ଭାଇ ‘ଭାଇ’ ଶବ୍ଦ ଭିତରେ ବନ୍ଧାହୋଇ କାନ୍ଧରେ ଝୁଲୁଚି । ସେ ଭାଇ, କେବଳ ଭାଇ, ମୋ’ ମନ କହେ ମୁଁ ଖରାପ ଝିଅ ନୁହେଁ ।

 

ଶୁଭଦା ଟେବୁଲ୍‌ ଉପରୁ ଚକ୍‌ଟା ଉଠେଇ ଗୁଡ଼ାଏ ଅବୋଧ୍ୟ ଶବ୍ଦମାଳା ତିଆରିକରି ବସିଲା । ଫିସ୍‌ ଫିସ୍‌ କଲା : ଅନ୍‌ୟୁଜୁଆଲ୍‌ । ମୁଣ୍ଡ ଚାପିଧରି ବସିପଡ଼ିଲା । ଶୁଭଙ୍କରକୁ ହାତମୁଠାରୁ ଛାଡ଼ିପାରିବନି, ବରଂ ପୂର୍ଣ୍ଣେନ୍ଦୁ, ଭାଇକୁ ମନା କରିଦେବ । ମନା କରିଦବ ସବୁଦିନ ପାଇଁ ।

 

ୟା’ପରେ ବି ତା’ ମନଟା ଅଥୟ ହେଇ ପଡ଼ିଲା ସେତେବେଳେ, ଯେତେବେଳେ ଗୋଟିଏ ପରେ ଗୋଟିଏ ପିଲାଙ୍କ ନାଁ । ଧରି ଡକା ହଉଥିଲା, ଗୋଟିଏ ପରେ ଗୋଟିଏ ପିଲା ଓହ୍ଲେଇ ଯାଉଥିଲେ ତଳକୁ । ପ୍ରତିଥର ଚମକି ପଡ଼ୁଥିଲା ଶୁଭଦା । ଶେଷରେ ସେଇ ମୁହୂର୍ତ୍ତଟା ହିଁ ଆସିଲା । ବାରମ୍ବାର ଶୁଭଦା ନାଁ ଧରି ଡକରା ଆସୁଥିଲା । ଦାନ୍ତ ଚିପି ଓଠ ଚିପି ବସି ରହିଲା ଶୁଭଦା, ନାଁ ସେ ଯିବନି । ଯିବନି ।

 

କିନ୍ତୁ ଆଉ ସମ୍ଭାଳି ପାରିଲାନି । ତା’ ରୁମ୍‌-ମେଟ୍‌ ରୀନାକୁ କହିଲା : ଯାଇ ଟିକିଏ ଦେଖି ଆସିବ ମୋର କିଏ ଆସିଚି ।

 

ରୀନା ବାହାରିଗଲା । ଶୁଭଦା ରୁମ୍‌ରେ ଏପଟ ସେପଟ ହଉ ହଉ ଆଉ ଅପେକ୍ଷା କରିପାରିଲାନି । ରୀନ। ପଛେ ପଛେ ଓହ୍ଲାଇଗଲା ତଳକୁ ।

 

ସେ ଜାଣିଥିଲା ପୂର୍ଣ୍ଣେନ୍ଦୁ, ଭାଇ ହିଁ ଆସିଥିବ, ତଥାପି ପୂର୍ଣ୍ଣେନ୍ଦୁ ଭାଇକୁ ଦେଖି ସେ ଚମକି ପଡ଼ିଲା । ମନେହେଲା ସେ କିଛି ଭୁଲ୍‌ କରି ପକେଇଚି । ମୁହୂର୍ତ୍ତେ ଖଣ୍ଡେ ଛିଡ଼ାହେଇ, ସେ ପୁର୍ଣ୍ଣେନ୍ଦୁ, ଭାଇ ଆଡ଼କୁ ଆଗେଇଗଲା । ଭାବିଲା କହିଦବ, ଭାଇ ତମେ ଆଉ ଆସିବନି । ତମେ ଆଉ ସମ୍ପର୍କ ରଖିବନି । ଶୁଭଙ୍କର ଠିକ୍‌ ଭାବୁ ନାହାନ୍ତି । ତାଙ୍କ ମନଟା ସନ୍ଦେହର ବର୍ଷାରେ ଓଦା ହେଇ ଯାଇଚି ।

 

ଶୁଭଦା କିଛି କହିବା ପୂର୍ବରୁ ପୂର୍ଣ୍ଣେନ୍ଦୁ ଭାଇ କହି ପକେଇଲେ : ଆରେ ଫିଲ୍ମ ଯିବୁ । ଖୁବ୍‌ ଭଲ ଫିଲ୍ମଟା, ମୁଁ ବ୍ଲାକ୍‌ ରେ ଟିକେଟ୍‌ ନେଇ ଆସିଚି । ସମୟ ହେଇଗଲାଣି, ଶୀଘ୍ର ବାହାରିଆ-

 

ହଠାତ୍‌ ଭାବିବାକୁ ସମୟ ପାଇଲାନି ଶୁଭଦା । କାହିଁକି କେଜାଣି ସେ କହି ପକେଇଲା : ଭାଇ, ତମେ ଟିକେ ଅପେକ୍ଷା କର । ମୁଁ ଏଇ ବାହାରି ଆସୁଚି । ଶୁଭଦା ତରତରରେ ବାହାରି ଯାଉ ଯାଉ କ’ଣ ହେଲା କେଜାଣି ପାଦ ଅଟକିଗଲା । ଇଚ୍ଛା ହେଲା କହିବ : ନାଁ ଥାଉ, ମୁଁ ଯିବିନି । କିନ୍ତୁ ଦେଖ, ଆଶ୍ଚର୍ଯ୍ୟ, ଏମିତି ଭାବୁ ଭାବୁ ହିଁ, ସେ ଶାଢ଼ୀ ପିନ୍ଧି ପକେଇଲା, ପାଉଡ଼ର ଲଗେଇ ପକେଇଲା, ଓଠରେ ଲାଇଟ୍‌ରେ ଲିପ୍‌ଷ୍ଟିକ୍‌ ଲଗେଇ, ଧୀରେ ଧୀରେ ପାହାଚ ସବୁ ଅତିକ୍ରମ କରି ତଳକୁ ଓହ୍ଲେଇ ଆସିଲା ।

Image

 

Unknown

ଆପଣା ଆପଣା ମଣିଷଙ୍କ ପାଇଁ

 

କଥାଟା ଯେଉଁଦିନ ଶୁଭଦାର କାନ ପାଖରେ ପହଞ୍ଚିଥିଲା, ସେଦିନ ଶୁଭଦାର କାନ୍ଦିବା ଛଡ଼ା ଅନ୍ୟ ଉପାୟ ହିଁ ନ ଥିଲା । ସେ ତ ଭବିପାରି ନ ଥିଲା ବାପାଙ୍କ ପେଟ ଭିତରେ ଦଶବର୍ଷ ଧରି ବଢ଼ି ଆସିଥିବା ରୋଗ ପାଇଁ ଶେଷରେ ତାକୁ ଦାୟୀ କରି ଦିଆଯିବ ବୋଲି । ଶୁଭଦାର ସାନ ଭଉଣୀ ମୀନା ଆସି କହିଥିଲା : ଜାଣିଚ ଅପା, ବାପା କହୁଥିଲେ, କାଳେ ତମରି ଚିନ୍ତାରେ, ତାଙ୍କ ସ୍ୱାସ୍ଥ୍ୟ ହାନି ହଉଚି ଦିନକୁଦିନ । ତମେ ବାପାଙ୍କ କଥାରେ ରାଜିହେଇ ଯାଉନ କିଆଁ ? ତାଙ୍କୁ ତ ଆଜିକାଲି ଚାହିଁ ହୁଏନା, ଏତେ ଦୁର୍ବଳ ହେଇ ଯାଉଚନ୍ତି କେମିତି ଯେ ?

 

ମୀନା କଥାଶୁଣି ଶୁଭଦା ପ୍ରଥମେ ମୂକ ପାଲଟିଗଲା । ମୁହଁ ଉପରକୁ ତା’ର ନଇଁ ଆସିଲା ସଞ୍ଜ । ଅପରାଧୀ ପରି ମନେହେଲା ନିଜକୁ । ଶୁଭଦା ଭବିଲା, ତା’ରି ପାଇଁ, ଖାସ ତାରି ପାଇଁ ବାପାଙ୍କର ଏ ଅବସ୍ଥା ? କାହିଁକି ଯେ, ଏଇଥର ‘ହିଁ’ କରିଦବ ବାପାଙ୍କୁ, କହିଦବ, ‘ବାପା ମୁଁ ତମ କଥାରେ ରାଜି ।’

 

କିନ୍ତୁ ଅନେକ ଥର ଚେଷ୍ଟାକରି ବି ଶୁଭଦା କହିପାରିଲାନି ବାପାଙ୍କ ଆଗରେ ମାତ୍ର ସେତିକି କଥା ।

 

କିଛିଦିନ ପରେ ଯେତେବେଳେ ବାପାଙ୍କ ଅପରେସନ୍‌ ଟା ସକ୍‌ସେସ୍‌ ହେଇଚି, ଶୁଣିଲା, ସବୁଠୁ ବେଶୀ ଖୁସି ହେଇଯାଇଥିଲା ଶୁଭଦା । ବାପା ଗୋଟେ ଆସନ୍ନ ବିପଦରୁ ବଞ୍ଚିଗଲେ ବୋଲି, କେହି ଦୋଷ ଦେବେନି ଯେ ତା’ରି ପାଇଁ, କେବଳ ତା’ରି ପାଇଁ, ବାପା ମରିଗଲେ ବୋଲି, କିମ୍ବା ଏଥିଇପାଇଁ ଯେ ବାପା ଆଉ ଜୋର କରି ଲଦି ଦେବେନି ମୋ ପ୍ରସ୍ତାବରେ ରାଜି ହେଇ ଯା’ରେ ଝିଅ ।’

 

ବାପାଙ୍କୁ ଅପରେସନ୍‌ ଥିଏଟରରୁ ଅଣାଗଲାବେଳେ, ବାହାରେ ଅପେକ୍ଷା କରିଥିବା ପଚାଶରୁ କିଛି ଊଣା ଅଧିକ ଲୋକ, ଯିଏ ଯାହାର ସୁବିଧା ବାଟରେ, ବାପାଙ୍କ ବେଡ଼୍‌ ପାଖରେ ପହଞ୍ଚିଗଲେ । ବେଡ଼୍‌ ପାଖରେ ଏତେଲୋକ ତ ଜମିବା କଥା ନୁହେଁ, ତେବେ କିଏ କାହାକୁ ବା ମନା କରିବ ଏଠି ! ସମସ୍ତେ ତ ବାପାଙ୍କର ସମ୍ପର୍କୀୟ ଆତ୍ମୀୟ ବନ୍ଧୁଭାବାପନ୍ନ ।

 

ତିନି ଚାରି ଘଣ୍ଟା ପରେ ବାପା ମୁଣ୍ଡ ହଲେଇଲେ, ଶୁଭଦାର ବଡ଼ ଅପା ଫୁସ୍‌ ଫୁସ୍‌ କରି କାହା କାନରେ ଜଣେଇଦେଲେ : ବାପା ମୁଣ୍ଡ ହଲେଇଲେଣି । କଥାଟା କାନରୁ କାନ ହେଇ ଶୁଭଦା ପାଖରେ ପହଞ୍ଚିଗଲା । କେହି କେହି କ୍ଳାନ୍ତ ହୋଇ ଯାଇଥିଲେ ବି, କେହି କେହି ଅନେକ ଜରୁରୀ କାମ ପକେଇଦେଇ ଏଇଠି ଅଟକି ଯାଇଥିଲେ ବି, ଯାଇ ପାରୁନଥିଲେ ଯେମିତି, ଫର୍ମାଲିଟର ଖାତିର୍‌ରେ । ବାପାଙ୍କ ମୁଣ୍ଡ ହଲେଇବାରେ ସେମାନେ ଆଶ୍ଵସ୍ତ ହେଲେ ।

 

ବାପା ଧୀରେ ପାଟି ଫିଟେଇଲେ । ଖୁବ୍‌ ଅସ୍ପଷ୍ଟ ଗଳାରେ କିଛି କହିଲେ । ଶୁଭଦାର ବଡ଼ଅପା କାନ ନୁଆଇଁ ଆଣିଲେ ବାପାଙ୍କ ଓଠ ପାଖକୁ । ହଠାତ୍‌ କ’ଣ ହେଲା କେଜାଣି ମୁହଁଟା ତାଙ୍କର ଭିନ୍ନ ଦେଖାଗଲା । ସମସ୍ତଙ୍କ ଆଖି ଯାଇ ଅପାଙ୍କ ପାଖରେ ଅଟକିଗଲା, କ’ଣ କହୁଚନ୍ତି ?

 

ଅପା କହିଲେ : ବୁଝି ହଉନି ।

 

ବାପା କିନ୍ତୁ ଆଉ ଟିକିଏ ଉଚ୍ଚ ଗଳାରେ କହିଲେ : ପଦି, ପଦି, ପଦି, ପାଣି, ପଦି ପାଣି, ପାଣି, ପାଣି । ସମସ୍ତଙ୍କ ଭିତରୁ କିଏ ଜଣେ କହି ଉଠିଲା : ପାଣି ? ପାଣି ତ ଦବା କଥା ନୁହେଁ, ତୁଳାରେ ପାଟି ପୋଛିଦିଅ ।

 

ଶୁଭଦା ଦେଖିଲା ଏକ ସଙ୍ଗରେ ଚାରି ପାଞ୍ଚ ଜଣ ତୁଳା ଖଣ୍ଡେ ଖଣ୍ଡେ ଛିଣ୍ଢେଇ ଧରିଲେ ସେମାନଙ୍କ ଭିତରୁ କିଏ ଆଗ ପାଟି ପୋଛିବ !

 

ଦିନ ଖୁବ୍‌ ଆଗେଇ ଯାଇଥିଲା, ଜଣ ଜଣ କରି ସମସ୍ତେ ଚାଲିଗଲେ । କେବଳ ଯା’ ସାଲାଇନ୍‌ ଲାଗିଥିବା ହାତଟା, ଆଉ ପାଦ ଦି’ଟା ଧରିବା ପାଇଁ ମା ଆଉ ଶୁଭଦା ରହିଗଲେ ।

 

ଘରକୁ ଫେରିବା ପରେ ଅପା ଶୁଭଦାକୁ କହିଲେ : ଦେଖୁଚୁ ଦେଖୁଚୁ ବାପାଙ୍କ କଥା ? ଆମେ ଏତେଗୁଡ଼େ ତାଙ୍କ ପିଲାଛୁଆ କେହି ହେଲେନି, କେହି ଦିଶିଲେନି ତାଙ୍କ ଆଖି ଆଗରେ I ସେନ୍‌ସ ଫେରି ଆସିଲାବେଳକୁ କେମିତି ପଦି ନାଁ ଧରି ଡାକିଲେ ।

 

ଶୁଭଦା ଏତେ କଥା ଚିନ୍ତା କରି ପାରିନଥିଲା ପ୍ରକୃତରେ । ସତେ ତ ବାପାଙ୍କ ସେନ୍‌ସ ଫେରିଲାବେଳେ ପଦିକୁ ପାଣି ମାଗୁଥିଲେ ।

 

ଅପାଙ୍କର ଧୀରେ ଧୀରେ ଦିକ୍‌ ଦିକ୍‌ ହେଇ ଜଳୁଥିବା ମୁହଁଟାକୁ ଚାହିଁ ଶୁଭଦା କହିଲା : ୟେ’ତ ନ୍ୟାଚୁରାଲି ହେବାର କଥା । ମୁଁ ଯଦି ସେଇ ଜାଗାରେ ଥାନ୍ତି ତେବେ ତ ପଦିକୁ ଡାକିଥାନ୍ତି । ଆମେ ସବୁ ବାପାଙ୍କ ପୁଅ-ଝିଅ ସତ, ହେଲେ ଆମେ ପ୍ରତି କଥାରେ ପଦିକୁ ଅଡ଼ର ଦେବାରେ ଏତେ ଅଭ୍ୟସ୍ତ ହୋଇ ପଡ଼ିଚୁ ଯେ ସାଧାରଣ ପାଣି ଗ୍ଲାସଟେ ବି ଆମେ ହାତରେ ପାଣି ପିଉନା, ପଦିକୁ ମାଗି ବସୁ । ହୁଏତ ସେଇ ଅଭ୍ୟାସ ପାଇଁ ବାପା ପଦିକୁ ଡାକିଥିବେ ।

 

ଅପା ଶୁଭଦା କଥାରେ ଜବାବ ଦେଲେନି ।

 

ଶୁଭଦା ତ ଆଶ୍ଚର୍ଯ୍ୟ ହେଇଗଲା, କଥାଟା ଉପରେ ମା ମଧ୍ୟ ସେତିକି ଗୁରୁତ୍ଵ ଦେଲା ବୋଲି । ସଂଧ୍ୟାବେଳେ ହସ୍ପିଟାଲରୁ ଫେରିବାପରେ, ମା ଆଉ ଅପା ଭିତରେ କଥାଟା ଆଲୋଚିତ ହେଇ ଯାଇଥିଲା, ବେଶ୍‌ ବେଳଯାଏ । ଶୁଭଦା ଡରିଗଲା, କାହିଁକି ମା’ ମୁଣ୍ଡରେ ଏଇ କଥାଟାକୁ ଏତେ ବହଳ କରି ଦିଆଗଲା ? ସେ ଯେମିତି ପାଗଳୀ ନାଁ । କେତେବେଳେ କ’ଣ ଯେ କରି ନ ବସିବ !

 

ବାପା ଟିକେ ସୁସ୍ଥ ହୋଇ ଆସିଲା ପରେ, ପୁଣି ସାଧାରଣ ଅବସ୍ଥାକୁ ଚାଲିଆସିଲା ଦିନଗୁଡ଼ା । ଶୁଭଦା ଆଉ ଅପା ମିଶି ଦୁଇ ତିନୋଟି ଫିଲ୍ମ ଦେଖି ପକାଇଲେ । ମା’ ଖୁସି ମନରେ ମାର୍କେଟିଂ ଆରମ୍ଭକରି ଦେଇଥିଲା, ଯେମିତି କିଛ ଘଟିନାହିଁ ଏ ଭିତରେ ।

 

ଏଇଭଳି ଭାବରେ ସମୟ ଚାଲିଥିବା ବେଳେ, ଅପରେସନ୍‌ ହେବାର ତିନି ଚାରିଦିନ ପରେ ଗୋଟେ ଅଭୁତକାଣ୍ଡ ଘଟେଇ ବସିଲା ମା’ । ଶୁଭଦା ଭାବି ନ ଥିଲା, କଥାଟା ଏତେବଡ଼ ହେଇଯିବ ବୋଲି । ବାପା ସେଦିନ ଗପୁ ଗପୁ, ପାଖ ବେଡ୍‌ରେ ରୋଗୀଟିକୁ କହି ପକେଇଲେ : ଘରକୁ ଚାଲିଗଲେ ମୋର ଆଉ କିଛି ଅସୁବିଧା ନାଇଁ । ମୋର ଚାକର ବାକର ଗୁଡ଼ାଏ, ହେଲେ ଘରେ ଯୋଉ ଚାକରାଣୀ ଅଛି, ତା’ ସଙ୍ଗେ କେହି ସମାନ ହେବେନି, ଦଶଟା ମଣିଷର କାମ କରିପାରେ ।

 

ଶୁଭଦାକୁ ସମୟ ମିଳିଲାନି ଭାବିବାକୁ ବାପାଙ୍କର ଏଠି ଅସୁବିଧା ଟିକକ କ’ଣ ? ମା’ ସେଇ ସମୟରେ, ବାପାଙ୍କ ପାଇଁ ହର୍‌ଲିକ୍‌ସ ତିଆରି କରୁଥିଲା । ବାପାଙ୍କ କଥା ଶୁଣି ମୁଣ୍ଡ ଭିତରେ ତା’ର ଭୂତ ସବାର ହେଇଗଲା ଯେମିତି । ରାଗିଗଲା ଖୁବ୍‌ । ରାଗିଯାଇ, ହରଲିକ୍‌ସଟାକୁ ଅଧା ଗୋଲେଇବା ଅବସ୍ଥାରେ ଥୋଇଦେଇ ବାହାରି ଆସିଲା ବାହାରକୁ I

 

ଶୁଭଦା ଜାଣେ, ମା’ର ପାଗଳାମୀକୁ । ଅଦ୍ଭୁତ ବଦ୍‌ରାଗୀ ଆଉ ଜିଦ୍‌ଖୋର ତେଣୁ ବାପାଙ୍କର ଏଇ ସାଧାରଣ କଥା ବି ତା’ର ରାଗି ଯିବାପାଇଁ ଯଥେଷ୍ଟ ଥିଲା ।

 

ମା’କୁ ମନେଇବାପାଇଁ ଶୁଭଦା ଦଉଡ଼ିଗଲା ମା’ ପଛେ ପଛେ । ମା’ର ହାତଟା ଧରିପକେଇ ଅଟକେଇ ଦେଲା : କ’ଣ ହେଲା ମା’ ? କୁଆଡ଼େ ଯାଉଛୁ ?

 

ମା’ ଅଟକିଲାନି । ଚାଲି ଯାଉ ଯାଉ କହିଲା : ମୋ ମନ ଯୁଆଡ଼େ ଡାକିବ, ସିଆଡ଼େ ଯିବି । ଏ ଜୀବନଟାରେ ପୁଅ, ଝିଅ, ସ୍ୱାମୀ କାହାରି କାମକୁ ଆସିଲିନି, ଧିକ୍‌ ମୋ ଜୀବନ ! ଛୋଟ ପିଲା, ଧନ ସମ୍ପତ୍ତି ଛାଡ଼ି ଏଠି ପଡ଼ିଚି, ହେଲେ ମୋ କାମ କାହା ମନକୁ ପାଉନି, ମୁଁ କାହିଁକି ପଡ଼ିଥିବି ଦାନ୍ତ କାମୁଡ଼ି ଏଠି ଯେ ?

 

ଶୁଭଦା ମା’ ପଛେ ପଛେ ଚାଲିଗଲା ଆଉ କିଛି ବାଟ : ମା’ ତୁ ରହିଯା, ବାପାଙ୍କ ଏ ଅବସ୍ଥାରେ ଚାଲିଗଲେ, ଲୋକେ କ’ଣ କହିବେ କହ ତ ? ତା’ ଛଡ଼ା ତୁ ଏକା କୁଆଡ଼େ ଯିବୁ ? ରହିଯା, ଟିକେହେଲେ ବାପାଙ୍କୁ କହିଦେଇ ଆସୁଚି; ବସ୍‌ରେ ତତେ ବସେଇ ଦେଇ ଆସିବି ।

 

ମା’ ଶୁଭଦା ହାତରୁ ହାତ ଛଡ଼େଇ ନେଲା : ଥାଉ ଥାଉ ।

 

ଶୁଭଦା ଭାବିପାରିଲାନି କ’ଣ କରିବାକୁ ହେବ । ଇଚ୍ଛା ହେଲା ଦଉଡ଼ିଯାଇ ସମ୍ବାଦଟା ବାପାଙ୍କୁ ଦେଇଦେବ, କିନ୍ତୁ ୟାଡ଼େ ମା’ ସେ ପଳାଉଚି !

 

ମା’ ସେଇ ଚଢ଼ା ଗଳାରେ କହିଲା : ଯା, ଚଞ୍ଚଳ ତୋ’ ବାପାଙ୍କ ପାଖରୁ ଚାଲି ଆସିବୁ ।

 

ଶୁଭଦା ଦଉଡ଼ିଗଲା ବାପାଙ୍କ ପାଖକୁ । ବାପା ଶୁଭଦାଠୁଁ ସବୁ ଶୁଣି ଗୁମ୍‌ମାରି ବସିଗଲେ ଟିକେ । ତା’ପରେ ଚିଡ଼ିଗଲେ, ଅସ୍ପଷ୍ଟ ଭାବରେ ବିକିବା ଆରମ୍ଭ କରିଦେଲେ । ବାପାଙ୍କୁ ଶାନ୍ତକରି ଦେବାପାଇଁ ଶୁଭଦା କହିଲା : ବାପା ତମେ ପାଟିକରନି, ଷ୍ଟିଚ୍‌ ଖୋଲିଯିବ ଯେ ! ମୁଁ ମା’କୁ ବୁଝେଇ ଫେରେଇ ଆଣୁଚି । ଜାଣିଚ ତ ସେ କେମିତି ପାଗଳୀ ? ତା’ କଥା’କୁ ଧରି ବସି ପାଟି କଲେ ନିଜର କ୍ଷତି । ଶୁଭଦା ଅଧା-ତିଆରି ହରଲିକ୍‌ସଟା ତିଆରି କରି ବାପାଙ୍କ ହାତରେ ଧରେଇ ଦେଇ, ଫେରି ଆସିଲା ମା’ ପାଖକୁ ।

 

ବ୍ୟସ୍ତ ହେଇ ପଡ଼ିଲା ଶୁଭଦା, ମା’ ଯେ ନାଇଁ ! ଗଲା କୁଆଡ଼େ ? ଚାରିଆଡ଼କୁ ଆଖି ବୁଲେଇନେଲା, ପାଖରେ କୋଉଠି ଛିଡ଼ା ହେବାର ଦେଖିପାରିଲାନି । ଅଗତ୍ୟା ରିକ୍‌ସାଟିଏ ଡାକି, ବାଦାମବାଡ଼ିକୁ ଯିବାକୁ କହି ବସିପଡ଼ିଲା । ଗଭର୍ଣ୍ଣମେଣ୍ଟ, ‘ମିନି’ ଦୁଇଟିଯାକ ବସ୍‌ଷ୍ଟାଣ୍ଡ୍ ଖୋଜି ବୁଲିଲା ଶୁଭଦା, ହେଲେ ମା’ କାହିଁ ? ଘରଆଡ଼କୁ ଯାଉଥୁବା ବସ୍‌ରେ ଚଢିଯାଇ ଖୋଜି ପକେଇଲା, ହେଲେ ମା’ ତ ନ ଥିଲା । ଆଉ ମୁହୂର୍ତ୍ତେ ଡେରି ନ କରି, ରିକ୍‌ସାଟିଏ ଧରି, ଓ.ଏମ୍‌.ପି. ଛକରେ ପହଞ୍ଚିଗଲା ଶୁଭଦା ।

 

ଦେଖିଲା ଘରଆଡ଼କୁ ଯାଉଥିବା ମିନିବସ୍‌ଟିଏ ଛିଡ଼ା ହେଇଚି । ରିକ୍‌ସାରୁ ଏକରକମ ଡେଇଁପଡ଼ି, ବସ୍‌ରେ ଉଠିଗଲା ଶୁଭଦା । ଡୋର୍‌ ପାଖରେ ଛିଡ଼ା ହେଇଥିବା ଲୋକମାନଙ୍କୁ ଦି’ହାତରେ ଆଡ଼େଇଦେଇ, ଆଖି ବୁଲେଇ ଆଣିଲା ସବୁ ସିଟ୍‌ରେ, ହେଲେ ମା’କୁ ପାଇଲାନି ତା’ ଭିତରେ । ଶୁଭଦା ଫେରି ଆସିଲା, କଟକରେ ସେମାନେ ସାମୟିକ ଭାବରେ ରହୁଥିବା ଘରକୁ । ମା’ ତ ଘରକୁ ଫେରି ନ ଥିଲା, ତେବେ ଗଲା କୁଆଡ଼େ ? ଶୁଭଦାର ଛାତିରେ କ୍ରମେ ଆଶଙ୍କା ଜମି ଆସୁଥିଲା । ଏଇ ମୁହୂର୍ତ୍ତରେ ତା’ର ମନେ ପଡ଼ିଗଲା, ତା’ର ଜଣେ ଦୂର ସଂପର୍କୀୟ ପିଉସୀ ଅଛନ୍ତି ତୁଳସୀପୁରରେ । ହୁଏତ ମା’ ସେଇଠିକି ଚାଲିଯାଇ ଥାଇପାରେ ।

 

ତୁଳସୀପୁରରେ ପହଞ୍ଚିଲା ବେଳକୁ ସଂଧ୍ୟା ହେଇଯାଇଥିଲା । ପିଉସୀଙ୍କ ଘରପାଖରେ ଓହ୍ଲେଇପଡ଼ି ଦେଖିଲା, ତାଙ୍କ ଦାଣ୍ଡ କବାଟରେ ଗୋଟେ ବଡ଼ ତାଲା ଝୁଲୁଚି । ଶୁଭଦାର ମୁହଁରୁ ରକ୍ତ ଓହ୍ଲେଇଗଲା । ମା’, ଯା’ ପାଗଳୀ ନା କ’ଣ ଯେ କରି ନ ବସିବ କିଏ କହିବ । ଗୋଟେ କ୍ଳାନ୍ତି ଆଉ ହତାଶା ନେଇ ଶୁଭଦା ଫେରିଆସିଲା ଡାକ୍ତରଖାନାକୁ !

 

ବାପାଙ୍କୁ ମିଛ କଥାଟେ କହିଦେଲା ଶୁଭଦ୍ରା । ବାପାଙ୍କ ଆଗରେ ସେ କେବେ ମିଛ କହିପାରେନା । ବାପାଙ୍କ ମୁହଁ ଦେଖିଲେ ଭୟରେ ତା’ ପାଟିରୁ ସତକଥା ବାହାରି ଯାଇଥାଏ ସବୁବେଳେ । ଆଜି ମିଛଟା କିନ୍ତୁ ବିନା ବାଧାରେ ବାହାରି ଆସିଲା ତା’ର ।

 

କହିଲା : ମା’ ମନଟା ବୁଝିଯିବା ପାଇଁ ଘରକୁ ପଠେଇ ଦେଲି । ଦି’ଦିନ ପରେ ପୁଣି ଚାଲିଆସିବ ।

 

ବାପା କେମିତି ଭାରି ଭାରି ସ୍ଵରରେ କହିଲେ : ତା’ର ଆସିବା କିଛି ଦରକାର ନାଇଁ ।

 

ଶୁଭଦା ବାପାଙ୍କୁ ପତଳା ଦୁଧରେ ବିସ୍କୁଟ ବୁଡ଼େଇ ଖାଇବାକୁ ଦେଇ, ରାତିପାଇଁ ଗରମପାଣି କରି ଫ୍ଲାସ୍କରେ ଭରିଦେଲା । କିଛି ସମୟ ବସିବାପରେ, ଘରୁ ଆସିଥିବା ଚାକର ପିଲାଟିକୁ ରାତିଟା ବାପାଙ୍କ ପାଖରେ ରହିବାକୁ କହି, ଶୁଭଦା ହସ୍‌ପିଟାଲରୁ ଫେରି ଆସିଲା ।

 

ଫେରିବା ବାଟରେ, ଗୋଟେ ଟେଲିଗ୍ରାଫ ଅଫିସ ପାଖରେ ଅଟକିଗଲା, ଘରକୁ ଟ୍ରଙ୍କକଲ୍‌ କରିବାକୁ ହେବ । ଦେଢ଼ଘଣ୍ଟାକାଳ ଅପେକ୍ଷା କରିବାପରେ, ଲଇନ୍‌ ମିଳିଗଲା ତା’କୁ । ଘରେ ଫୋନ୍‌ ଉଠେଇଥିଲା ଶୁଭଦାର ସାନ ଭଉଣୀ ମୀନା ।

 

ଶୁଭଦା ମା’ ବିଷୟରେ କିଛି କହିବା ଆଗରୁ, ମୀନା କହିଲା : ମା’ ଆସି ଏଇ ଅଧଘଣ୍ଟା ହେବ ପହଞ୍ଚିଛି । ବାପାଙ୍କ ସଙ୍ଗେ ତା’ର କିଛି ପାଟିତୁଣ୍ଡ ହେଇଗଲା କି ? ସେମିତି ତ ମନେ ହେଉଚି ତା’ କଥାରୁ, କ’ଣ ହେଇଚି ?

 

ଶୁଭଦା କହିଲା : ନାଁ ସେମିତି କିଛି ନୁହେଁ । ତାକୁ ବୁଝେଇ ଦବୁ ।

 

ଘରକୁ ଫେରିବା ବେଳକୁ ଶୁଭଦା ବଡ଼ କ୍ଳାନ୍ତ ହୋଇ ପଡ଼ିଥିଲା । ତଳେ ବିଛଣା ଚାଦରଟେ ପାରି ଦେଇ ଚାରିକାତ ମେଲେଇ ପଡ଼ିଗଲା କିଛି ବେଳ ।

 

ଶୁଭଦା ସ୍ତମ୍ଭୀଭୁତ ହୋଇପଡ଼ିଲା, ବାପା ଡାକ୍ତରଖାନାରୁ ଫେରିବାର ପନ୍ଦରଦିନ ଭିତରେ, ସବୁକିଛି ବଦଳିଗଲା ଦେଖି । ବାପା ଭୁଲିଗଲେ ଏଇ କିଛିଦିନ ପୂର୍ବରୁ ତାଙ୍କ ଦେହ ଖରାପ ଥିଲା ବୋଲି । ଘରେ ପହଞ୍ଚିବାର ତିନିଦିନପରେ ବାପା ଫ୍ୟାକ୍‌ଟ୍ରିକୁ ବାହାରିଲେ । ଘର ଲୋକଙ୍କ କୈଫିୟତ୍‌ର ଜବାବ୍‌ ଦେବାକୁ ଯାଇ କହିଲେ : ମୁଁ ତମମାନଙ୍କ ପାଇଁ ଚିନ୍ତା କରୁନି । ମାସେ କ’ଣ ଛ’ମାସ ଘରେ ବସିରହିଲେ ବି କିଛି କଥା ନାଇଁ । ହେଲେ, ମୋର ତ ଗୋଟେ ଅନୁଷ୍ଠାନ ଅଛି, ସେଠି ଦଶ ପଚିଶ ଲୋକ କାମ କରି ପୋଷି ହଉଛନ୍ତି । ଥରେ ଅଧେ ବୁଲି ନ ଆସିଲେ ଭଲ ଲାଗିବନି ।

 

ବାପାଙ୍କୁ ଆଉ ଅଟକେଇ ହେଲାନି ଘରେ । ବାପା ପୂର୍ବପରି କ୍ଲାନ୍ତିକର ପରିଶ୍ରମ ଆରମ୍ଭ କରିଦେଲେ । ବିଶ୍ରାମ ଆଉ ଖାଇବା କଥା ମଧ୍ୟ ଭୁଲିଗଲେ ।

 

ମା’ ବି ଭୁଲିଗଲା ସେ ବାପା ଏବେ ଡାକ୍ତରଖାନ।ରୁ ଫେରିଚନ୍ତି । ମାନସିକ ଶାନ୍ତି ନେଇ କେବଳ ଖାଇପିଇ ବସିବାର କଥା ତାଙ୍କର । ମଝିରେ ମଝିରେ ମା’ର ପାଗଳାମୀ ଆରମ୍ଭ ହେଇ ଯାଉଥିଲା । ବାପା କ୍ଳାନ୍ତ ହେଇ ଫେରିବାବେଳେ ମା’ ବ୍ୟସ୍ତକରି ପକାଉଥିଲା ବାପାଙ୍କୁ, ଥରେ ଅଧେ ନୁହେଁ, ବାରମ୍ବାର । ବାପାଙ୍କୁ, ଛୁଆବେଳୁ ଆଜିଯାଏ, ସେମାନେ ଦିନରେ ଦୁଇଥର ଦେଖିଥାନ୍ତି । ଥରେ ଦି’ପହର ଖାଇବା ସମୟରେ, ଏକାଠି ମିଶି ଖାଇବାବେଳେ, ଆଉ କେତେବେଳେ କେମିତି ରାତିରେ ଫେରିବାବେଳେ । ଖୁବ୍‌ କମ୍‌ ସମୟ ବାପା ଘରେ ରହନ୍ତି । ସେ ସମୟତକ ବି ସେ ଶାନ୍ତିରେ କଟେଇ ପାରିଲେନି ।

 

ଉଭୟଙ୍କ ଭିତରେ ଗୋଟେ ବୁଝାମଣା ଆସିଯିବ ବୋଲି ଶୁଭଦା ଯାହା ଭାବିଥିଲା, ତା’ତ ହେଲାନି, ବରଂ ବାପା ଡାକ୍ତରଖାନାରୁ ଫେରିବାର ପନ୍ଦରଦିନ ଭିତରେ ଗଣ୍ଡଗୋଳଟା ବଢ଼ିଗଲା ବେଶୀ । ମା’ ହିଁ ପ୍ରଥମେ ଆରମ୍ଭ କଲା । ଅନ୍ୟ ସବୁଦିନ ପରି ମା’ ବାପାଙ୍କ ବିଛଣାରେ ବସି ଗପ କରୁଥିଲାବେଳେ, ପଦୀ ବାପାଙ୍କ ପାଦରେ ତେଲ ମାଲିସ୍‌ କରୁଥିବାବେଳେ, ଆରମ୍ଭ କରିଥିଲା ମା : ଦିନରାତି ବସି ବସି ମୋ’ ଦେହରେ ରୋଗ ମାଡ଼ି ବସିଲାଣି । ଆଉ ଦିନ କେଇଟାରେ ପାରାଲିସିସ୍‌ ହେଇଯିବ । ଗୋଡ଼ ହାତ ଚଞ୍ଚଳ ନ କଲେ ପାରାଲିସିସ୍‌ ହବନି ତ ଆଉ କ’ଣ ହବ । ଅନ୍ୟ ଦିନପରି ଏଥର ବି ବାପା କଥାଟାକୁ ହସରେ ଉଡ଼େଇ ଦଉଥିଲେ । ମା କିନ୍ତୁ ହଠାତ୍‌ ରାଗିଗଲା, କହିଲା : ମଲା ମୁଁ କ’ଣ ଏମିତି ତମର ସେବା କରିବାକୁ ନିପାରଗ ହେଇଚି ? ବଳନାଇଁ, ଜୋର୍‌ନାଇଁ କହି ହଉଚ ! ଦୁନିଆସାରା କ’ଣ ଏମିତି ଘରକାମକୁ ଲୋକ ରଖିଚନ୍ତି ? ମା’ ଗରଗର ହୋଇ ଉଠିଗଲା, ଜାଣେ ମୁଁ ଜାଣେ, ମୁଁ ଆଉ ତମ ପସନ୍ଦକୁ ଆସୁନି । ଯା’ର ଜୋର୍‌ ଅଛି, କାମ ଦେଖେଇ ପାରୁଚି ସେ ସିନା ପସନ୍ଦ ମଣିଷ । ଛାର ଚାକରାଣୀକୁ ମୁଁ ଯୋଗ୍ୟ ହେଲିନି ଯାହା !

 

ବାପା ଏଥର ରାଗିଗଲେ, ବିଛଣାରୁ ଉଠି ବସିଲେ : ତମେ ତମର କାମ କର କି ଯାହା ଇଚ୍ଛା ପାରୁଚ କର । କିନ୍ତୁ କହି ଦଉଚି, ମୋ’ ପିଲାମାନେ ଯେମିତି କେହି କାମ ନ କରନ୍ତି, ସେମାନଙ୍କୁ ହଇରାଣ କଲେ ଦେଖିବ ପୁଣି । ସବୁବେଳେ ତୁଚ୍ଛାଟାରେ ପାଟି କରୁଚ, ସବୁବେଳେ ଗୋଟେ ପାଗଳାମୀ ।

 

ଶୁଭଦା ତ ଭାବିପାରି ନ ଥିଲା, ଏକ ସଙ୍ଗରେ, ସେମାନେ ସବୁ ଭାଇଭଉଣୀ ମିଶି, ମା’କୁ ଏମିତି ଆକ୍ରମଣ କରି ବସିବେ ବୋଲି । ଶୁଭଦାର ନାକପୁଡ଼ା ଘୃଣାରେ ଫୁଲିଗଲା । ଏକ ସଙ୍ଗରେ ସେମାନେ କହି ଉଠିଲେ : ତୋର ଦରକାର ନାଇଁ ତ ତୁ ଲୋକ ନ ରଖିପାରୁ । ଆମମାନଙ୍କର ଦରକାର ଯେତେବେଳେ, ଆମେ ରଖିବୁ ।

 

ମା’ ଏଭଳି ଆକ୍ରମଣ ଆଶା କରି ନ ଥିଲା ବୋଧହୁଏ । ତେଣୁ ସେ ଯେତିକି ରାଗିଗଲା ସେତିକି ଅସହାୟ ହେଇପଡ଼ିଲା । ମା’ର ଏ ଅବସ୍ଥା ଦେଖି ଶୁଭଦା କଥା ଚଳେଇ ନେବାପାଇଁ କହିଲା : କି ଅଜବ୍‌ କହୁଚୁ ମା ? ଚାକରାଣୀକୁ ତୁ ତୋ ନିଜ ସହିତ ତୁଳନା କରୁଚୁ କାହିଁକି ? ସେ ଯାହାସବୁ ଆମ ପାଇଁ କରୁଚି ସବୁ କେବଳ ଟଙ୍କାର ପ୍ରତି ବଦଳରେ । ଏଇ ସାଧାରଣ କଥାକୁ ନେଇ ଚିନ୍ତା କରିବା ବୋକାମୀ ନୁହେଁ ତ ଆଉ କ’ଣ ?

 

ମା’କୁ ବୋଧହୁଏ ଛୁଇଁ ପାରିଲାନି କଥାଗୁଡ଼ା । ସେ କହିଲା : ମୁଁ କାହାକୁ ମୋ’ ସାଙ୍ଗେ ତୁଳନା କରୁନି ଯେ, ହେଲେ ତୋ ବାପାଙ୍କ କଥା ପଡ଼ିଚି । ସେ ଆଜିକାଲି ମୋ ସାଙ୍ଗେ ଭଲରେ ଟିକେ କଥା ହଉଚନ୍ତି ? ଉପରେ ପଡ଼ି ଗପିବି, ଆଜକାଲି ମୁଁ କିଛି ପାରୁନି ପରା ।

 

ମା’କୁ ଆଉ ଅଧିକ କହିବାକୁ ନ ଦେଇ ଶୁଭଦା କହିଲା : ମୁଁ ବୁଝିଚି, ତୁ ଭାରି ବୋର୍‌ ହେଇଯାଉଚୁ । ଏଇ ବୋର୍‌ଡମ୍‌ ପାଇଁ ତୋର ଏସବୁ ବାହାରୁଚି । ଆଚ୍ଛା ତୁ ବୋର୍‌ ହଉଚୁ କାହିଁକି ଯେ ? ତୋର ତ ଏବେ ପୂଜା ପାଠରେ ମନଦେବା ବେଳ ଆସିଗଲାଣି, ଠାକୁରଙ୍କୁ ଡାକୁନୁ । ଠାକୁରଙ୍କୁ ଡାକ୍‌, ଦେଖିବୁ ଆଉ ବାଜେ ଚିନ୍ତା ମୁଣ୍ଡରେ ପଶିବ ନି ଜମା । ଏ ଦୁନିଆରେ କିଏ କାହାର କହିଲୁ ? କେହି କାହାର ନୁହଁ । ତୁ ଭଗବାନଙ୍କୁ ଡାକି ଦେଖି ଆମେ ଆଉ କେହି ତୋ’ ଆଖିରେ ବି ଦେଖା ଯିବୁନି ।

 

ଶୁଭଦା ବହିପଢ଼ା କଥା ସବୁ କହି ପକାଇଲା ମା’କୁ ଏକା ନିଃଶ୍ଵାସରେ । କହିଦେଲା ସିନା, ହେଲେ ସେ କ’ଣ ଜାଣିଥିଲା ମା’ ମନରେ କଥାଟା ଚଉଡ଼ା ହୋଇଯିବ ବୋଲି ? ମା’ ହାତ ଉପରକୁ ତୋଳି କହିଲା : ହଁ ସେଇ ମୋର ସ୍ଵାମୀ, ସେଇ ମୋର ଭଗବାନ, ସେଇ ମୋର ସବୁ । ତା’ପରେ ଢୁ ଢୁ କରି ମୁଣ୍ଡ ପିଟି ଦେଲା କେତେଥର ତାଙ୍କରି ଉଦ୍ଦେଶ୍ୟରେ । ତା’ପରେ ଠାକୁର ଘରକୁ ଯାଇ ଝୁଲି ଝୁଲି ସ୍ତୁତି କି ଗୀତ ଗାଇବା ଆରମ୍ଭ କରିଦେଲା ।

 

ଶୁଭଦା ପ୍ରଥମେ ହସି ପକାଇଲା ମା’କୁ ଏମିତି ଭାବେ ଦେଖି । ଏ ଗୋଟେ ପ୍ରହସନ ପରି ମନେହେଲା ତା’ର । ମା’କୁ ଏମିତି ପୂଜା କରିବାର ସେ କେବେ ଦେଖିନି । ମା ଫିଲ୍ମି-ଭଜନ ଗାଇବା ଆରମ୍ଭ କରିଦେଲା, ଯା’ର ସ୍ଵର ତାଳ-ଲୟ କିଛି ହିଁ ନ ଥିଲା, ମଧୁରତା ତ ନ ଥିଲା, ବରଂ କିଛି ଭିନ୍ନ ଧରଣର କଥାବାର୍ତ୍ତା ପରି ମନେହେଲା ।
 

ମା’ ଠାକୁରଘରୁ ବାହାରିବା ବେଳେ ପଦୀ ବାପାଙ୍କ ପାଇଁ ପାଣି ଗରମ କରୁଥିଲା ଗାଧୋଇବା ପାଇଁ । ମା’ ତାକୁ କଟମଟ କରି ଚାହିଁଲା, ତା’ପରେ କହିଲା, ‘ଲୋକେ କାମ ଦେଖେଇ ହଉଚନ୍ତି, ପ୍ରଶଂସା ପାଇଁ ।‘ ତା’ପରେ ପୁଣି ଥରେ ଠାକୁରଘରେ ପଶିଯାଇ ଗରଗର ହେଲା : ଜଳେଇଲୁ, ଖାଲି ଜଳେଇଲୁରେ ଚକାଡ଼ୋଳା । ଏ ଲୋକଟାକୁ ବାହା ହେଇ କୋଉଦିନ ଭଲା ମୁଁ ଶାନ୍ତି ପାଇଲି ? ମୋ’ ଜନମକଲା ଛୁଆଙ୍କୁ ବି ମୋ’ ପାଖରୁ ଛଡ଼େଇ ନେଲା । ନହେଲେ ମୋ’ ମନ କଥା ଏମାନେ ବୁଝନ୍ତେ ନାଇଁ !

 

ଶୁଭଦାର ଆଜିଯାଏ ଧାରଣା ଥିଲେ ମା ଗୋଟେ ଅର୍ଦ୍ଧ-ପାଗଳୀ । କିନ୍ତୁ ଏଇ ମୁହୂର୍ତ୍ତରେ ମନେ ହେଲା ନାଁ ନୁହେଁ, ସେ ପାଗଳୀ ନୁହେଁ, ମିଛ କଥା । ତା’କୁ ପାଗଳୀ କୁହାଯାଉଚି । ମା’ର ଏଇ ଶେଷ କଥା ପଦକରେ ତା’ର ମନେ ପଡ଼ିଗଲା ଛୁଆବେଳ କଥା । ଛୁଆବେଳୁ ସେମାନେ ମା ଅପେକ୍ଷା ବାପାଙ୍କ ସହ ବେଶି ଇମୋସନାଲି ଆଟାଚଡ଼ ହେଇ ପଡ଼ିଛନ୍ତି । ବାପା ଉଦାର, ଆଉ ମା’ଟା ବଦରାଗୀ ଖୁବ୍‌ । ତଥାପି ଶୁଭଦାକୁ ଦୁଃଖ ଲାଗିଲା, ମା’ ପାଇଁ ଏଇ ମୁହୂର୍ତ୍ତରେ, ତା’ର ପିଲାବେଳ କଥା ମନେ ପଡ଼ି । ସେମାନେ ଛୋଟ ଥିଲାବେଳେ, ମା’ ରନ୍ଧାରନ୍ଧି ସାରି ଅପେକ୍ଷାକରି ବସିଥିଲେ ବି ଅଧିକାଂଶ ସମୟରେ ବାପା ସେମାନଙ୍କୁ ଡାକି ନେଇ ହୋଟେଲେ ଚାଲିଯାନ୍ତି, ଖାଇବା ପାଇଁ । ଆଉ ମା ସତର ଜାତି ତିଆରି କରୁ କରୁ, କେତେବେଳେ ଖାଏ, କେତେବେଳେ ଶୁଏ ସେମାନେ ଜାଣି ପାରନ୍ତି ନାହିଁ । ଶୁଭଦାର କାହିଁକି ମନେ ହେଲା ମା’ର ପଗଳାମୀରେ ଗୋଟେ ନିଷ୍ପାପ କୋମଳତା ଅଛି, ଆଉ ବାପାଙ୍କ ଉଦାରତା ଭିତରେ ଭରି ରହିଛି ଗୋଟେ କ୍ଳାନ୍ତିକର ଯନ୍ତ୍ରଣା ।

 

ମା କେତେବେଳେ ଉଠି ଆସି ଠାକୁର ଘର କବାଟଟା ଭିତରୁ ବନ୍ଦ କରିଦେଲା । ଶୁଭଦା ଭାବି ପାରିଲାନି ମା’କୁ କେମିତି ବୁଝାଯାଇ ପାରିବ । ହସ୍ପିଟାଲରୁ ମା ମୁଣ୍ଡରେ ଯେଉଁ ମଞ୍ଜି ପୋତା ହେଇଥିଲା, ଘରେ ପହଞ୍ଚି ସେଇଟା ଗୋଟେ ବଡ଼ଗଛ ପାଲଟି ଗଲାଣି ୟା’ ଭିତରେ । ଏତେ ସହଜରେ କ’ଣ ଉପାଡ଼ି ହେବ ତା ଚେର ?

 

ଘରର ଜଣ ଜଣ କରି ସବୁ ଲୋକ ଡାକି ଡାକି ଥକି ଗଲେ, ହେଲେ ଭିତରୁ ଜବାବ ମିନିଲାନି କି କବାଟ ଖୋଲିଲା ନି । ଶେଷରେ ବାପା ରାଗିଗଲେ, କହିଲେ : ତମେ କ’ଣ ଚାହୁଁଚ କୁହ ? ମୋ ପିଲମାନଙ୍କୁ ଏତେ ହଇରାଣ ଆଉ କରନି ।

 

ଭିତରୁ ଜବାବ ମିଳିଲା ନି । ବାପା ଚିତ୍କାର କରି ଗଳା ଫଟେଇ ଡାକିଲେ ମା’କୁ । ଧଡ଼ ଧଡ଼ କରି ପିଟି ଲାଗିଲେ କବାଟକୁ ।

 

ଏଥର ଭିତରୁ କଥା ଆସିଲା : ସେ ଲୋକ ଏ ଘରୁ ଗଲେ, ମୁଁ ଯାଇ କବାଟ ଖୋଲିବି-

 

ଶୁଭଦା ପୁଣି ରାଗିଗଲା ମା’ ଉପରେ । କି ଅଦ୍ଭୁତ ଜିଦ୍‌ ଯେ ତା’ର ! ଶୁଭଦା ଭାବିଲା, ଏମିତି ଜିଦ୍‌ଖୋର ଲୋକ ସଙ୍ଗେ ବାପା ଯେ କେମିତି ସାରା ଜୀବନଟା କଟେଇଲେ ? ଶୁଭଦାର ବାପାଙ୍କ ପାଇଁ ଦୁଃଖ ହେଲା । ସତରେ ବାପାଙ୍କର ଭାରି ଦୁଃଖ । ଟିକିଏ ପରେ ପୁଣି ଭବିଲା, କାହ।ପାଇଁ ଦୁଃଖ କରିବାର କିଛି ନାଇଁ, ଏଇମିତି ଭାବରେ ତ ସେମାନେ ବଞ୍ଚିଯିବେ ଆହୁରି ଦଶ ପନ୍ଦର ବର୍ଷ । ମା କଥାରେ ସମସ୍ତେ ଦବିଗଲେ ଟିକିଏ । ଆଠ, ଦଶ ବର୍ଷର ପୁରୁଣା ଲୋକକୁ ଛାଡ଼ି ଦେବାକୁ କାହାରି ଯେମିତି ମନ ଯାଉ ନ ଥିଲା ।

 

ବାପା ସମ୍ଭାଳି ପାରିଲେନି ନିଜକୁ-ରାଗରେ ଦାନ୍ତରେ ଓଠ କାମୁଡ଼ି ପକେଇଲେ । ଗୋଡ଼ ଉଠେଇ ଶକ୍ତ ଧକ୍‌କାଟେ ମାରିଲେ କବାଟକୁ । ସେଇ ଯେ ଧକ୍‍କା ମାରିଲେ, ହଠାତ୍‍ ତାଙ୍କର କ’ଣ ହେଲା କେଜାଣି ପେଟ ଚାପି ବସି ପଡ଼ିଲେ ସେଇଠି । ହବୁକି ହେଇ ପାଟିବାଟେ ବାହାରିଆସିଲା ଟିକେ ରକ୍ତ । ବାପା ଭୂଇଁଟାରେ ଶୋଇପଡ଼ିଲେ ଲମ୍ବହେଇ କେତେବେଳ । କିଛି ସମୟ ପରେ ଭାଇ ଭଉଣୀ ମିଶି ବାପାଙ୍କୁ ନେଇ ଆସିଲେ ବିଛଣାକୁ ।

 

ଦ୍ଵିତୀୟଥର ପାଇଁ ମଧ୍ୟ ଶୁଭଦା ଉପରେ ସେଇ ଗୋଟିଏ ଅପରାଧ ସାବ୍ୟସ୍ତ କରି ଦିଆଗଲା ଓ ମଥାପୋତି ସହିନେଲା ଶୁଭଦା ସବୁ ଅଭିଯୋଗକୁ । ଅନ୍ୟ ଆଗରେ ନିଜକୁ ବୁଝେଇବାକୁ ସେ ଏଡ଼େ ଅସମର୍ଥ ଥିଲା ଯେ, ଶେଷରେ ତାକୁ ସହିନେବାକୁ ହେଲା ସମସ୍ତ ଅଭିଯୋଗ । କାରଣ ୟା’ରି ଭିତରେ ହିଁ ଶୁଭଙ୍କରକୁ ନେଇ ଗୋଟେ ଝଡ଼ ଉଠି ସାରିଥିଲା ଘରେ ।

 

ବଡ଼ବାପା, ଦାଦା, ମଉସା, ମାମୁଁ ସମସ୍ତଙ୍କ କାନ ପାଖରେ ପହଞ୍ଚିଗଲା ବାପାଙ୍କ ଅସୁସ୍ଥତାର ଖବରଟା ଖୁବ୍‌ ଶୀଘ୍ର । ପୁଣି ଥରେ ଘରଭିତରେ ଆରମ୍ଭ ହେଇଗଲା ଫର୍ମାଲିଟିର ଭିଡ଼-। ଆଉ ସେଇ ଭିଡ଼ ଭିତରୁ ଗୋଟିଏ କଥା ବାହାରୁଥିଲା, ଶୁଭଦା......ଶୁଭଦା....ଶୁଭଦା, ବାପାର ଏଇ ଅବସ୍ଥାରେ ଏ କି ଅବିବେକୀ କାମ ? ବାପା ମରିବା-ବଞ୍ଚିବା ବେଳରେ ପୁଣି ଏମିତି ଆଘାତ । ଛି ଛି, ଶିକ୍ଷିତ ହୋଇ ବି କି ଅଶିକ୍ଷିତ କାମ କୁହ ତ ଦେଖି !

 

ଶୁଭୁଦା ଆଉ ଘରଭିତରୁ ବାହାରି ପାରିଲା ନାଇଁ । କବାଟ ଦେଇ ଅଧିକାଂଶ ସମୟ ଶୋଇ ରହିଲା । ଅପରାଧୀର ହୃଦୟ ନେଇ ମଥା ତା'ର ନଇଁଆସିଲା ତଳକୁ । ଶୁଭଦାର ଇଚ୍ଛା ହେଉଥିଲା କହିବାକୁ, ‘ମୁଁ ନୁହେଁ, ମୁଁ ନୁହେଁ, ବାପାଙ୍କର ଏ ଅବସ୍ଥା ପାଇଁ ଦାୟୀ ତାଙ୍କର କ୍ଳାନ୍ତିକର ପରିଶ୍ରମ କିମ୍ବା ଅଟକାଇପାରୁ ନ ଥିବା ତାଙ୍କର ରାଗ ।’ କିନ୍ତୁ ଶୁଭଦା କହିପାରିଲା ନାଇଁ ।

 

ବହୁ ପଢ଼ୁ ପଢ଼ୁ ହିଁ ଦିନେ ଜିତୁଭାଇ-ତା’ର ଭିଣେଇ-ହାତରେ ବହି ଧରି ଦଉଡ଼ି ଆସିଲେ ଅପା ପାଖକୁ । ଏଇ ଦେଖ କ’ଣ ଲେଖା ହେଇଚି, ମାନସିକ ଦୁଶ୍ଚିନ୍ତା ହିଁ ଏଇସବୁ ରୋଗକୁ ବେଶୀ ବଢ଼େଇ ଦିଏ । ବାପାଙ୍କ ଅପରେସନ୍‌ ପରେ ବି ରୋଗଟା କମିଲା ନାହିଁ କ’ଣ ପାଇଁ ବୁଝୁନ, ମୁଁ ଭାବୁଚି କେବଳ ଶୁଭଦା ଲାଗି । ବାପା ଆଜିକାଲି ଭାରି ଡିପ୍ରେସ୍‌ଡ଼ ରହିଲାପରି ମନେହେଉ ନାହାନ୍ତି କି ?

 

ଅପା ସମର୍ଥନ କଲେ ଭାଇଙ୍କୁ : ଶୁଭଦାର ବୁଝିବା କଥା । ସେ ତ ଆଉ ଛୋଟ ପିଲା ନୁହଁ । କ’ଣ ଯେ ମହୁ ଲାଗିଚି ତାକୁ ଶୁଭଙ୍କର ପାଖରେ । ଜୀବନରେ ଅଳ୍ପ ବହୁତେ ସମସ୍ତେ ପ୍ରାୟ ପ୍ରେମ କରିଥାନ୍ତି । ତା’ ବୋଲି ସମସ୍ତେ କ’ଣ ତା’ପରି ଯିଦ୍‌ କରି ବସନ୍ତି ? ମୁଁ ଭାବୁଚି ସେ ଉଭୟଙ୍କ ଭିତରେ ଯୋଗସୂତ୍ର ନ ରହିଲେ ତା ମନଟା ଆପେ ଫେରି ଆସିବ ସେ ପିଲା ପାଖରୁ ।

 

କାନରୁ କାନ ହେଇ ଶୁଭଦା କାନରେ ପହଞ୍ଚି ଯାଇଥିଲା କଥାଟା । ଶୁଭଦା ରାଗି ଯାଇଥିଲା ଅପାଙ୍କ ଉପରେ । ରାଗିଯାଇ କାନ୍ଦି ପକେଇଲା । ହାତ ପାପୁଲିରେ ଲୁହ ପୋଛି ଦେଇ କହିଲା : ସମସ୍ତେ ଅସ୍ଵୀକାର କରି ଦେଇପାରନ୍ତି ଅପା, ଶୁଭଙ୍କର ସହିତ ବର୍ଷ ବର୍ଷ ଧରି ମୋର ବଢ଼ି ଆସିଥିବା ସମ୍ପର୍କକୁ । କିନ୍ତୁ ତମେ କ’ଣ ଅସ୍ଵୀକାର କରିପାରିବ ? ଯେତେବେଳେ ପ୍ରେମ କହିଲେ ମୋ ମନରେ ଗୋଟେ ଉତ୍ତେଜନା ଇ ଆସୁ ନ ଥିଲା, ସେତିକିବେଳେ ତ ଶୁଭଙ୍କରର ଚିଠି ମୁଁ ତୁମକୁ ଦେଖେଇଥିଲି, ଚିଠିଟାର ଅର୍ଥ ବୁଝେଇ ଦେବାକୁ କହିଥିଲି । ତମେ ତ ସେତେବେଳେ ଖୁବ୍ ବଡ଼ ହେଇ ଯାଇଥିଲ ଅପା କଲେଜରେ ପାଠ ପଢ଼ୁଥିଲ, କାହିଁକି ମନାକଲନି ମୋତେ ତା ସହ ସମ୍ପର୍କ ରଖିବାକୁ ? କାହିଁକି ଗାଳି ଦେଲନି ମତେ ? କାହିଁକି ତେବେ ଏତେ ବାଟ ଲମ୍ବି ଆସିଥିବା ସମ୍ପର୍କକୁ ଏବେ ଅସ୍ଵୀକାର କରିଦେଉଛ ?

 

ଅପା ମୁହଁ ଛାଟି କହିଲେ : ତୁ ମତେ, ବ୍ଲେମ୍‌ କରୁଚୁ ? କାହିଁକି, ତୁ ତୋର ବୁଝିପାରିବା ବୟସରେ ଓହରି ଆସିଲୁନି ?

 

ଶୁଭଦାର ଛାତିରେ ନିଆଁ ଲାଗି ଯାଇଥିଲା : ଅପା କି ଅସମ୍ଭବ କଥା କୁହ ଯେ ! ହୃଦୟକୁ କି ଆଖିଠାର ମାରିବା ଏତେ ସହଜ ଅପା ? ମାତ୍ର ଦୁଇବର୍ଷର ସଂପର୍କରେ ତମେ ଭାଇଙ୍କୁ ଯେତିକି ଭଲ ପାଇଚ, ତାକୁ କ’ଣ ତମେ ଛାଡ଼ିଦେଇ ଆସି ପାରିବ ? ତେବେ ମୁଁ କେମିତି ପାଇଥାନ୍ତି ? ତୁମ-ମୋ ଭିତରେ କେବଳ ଏକ ତଫାତ୍‍-ତୁମକୁ ଗୋଟେ ସାମାଜିକ ସମ୍ମତି ମିଳିଚି, ଯାହା ମତେ ମିଳିନି ।

 

ଅପା କିଛି କହିଲେନି, ରାଗରେ ବାହାରିଗଲେ ତମ-ତମ ହେଇ ।

 

ବାପାଙ୍କ ଅପରେସନ୍‍ ପରେ ପରେ ଗୋଟିଏ ଗୋଟିଏ ହେଇ ଅଦ୍ଭୁତ କାଣ୍ଡ ଲାଗିଯିବ ବୋଲି ତ ସେ ଭାଵିପାରି ନ ଥିଲା । ଦୁଃଖ ଆଉ କ୍ଷୋଭକୁ ଚାପି, ଶୁଭଦା ଜଣେଇ ଦେଲା କଥାଟା ଶୁଭଙ୍କରକୁ । କିନ୍ତୁ ସେ କ’ଣ ଜାଣିଥିଲା ଏମିତି ଆକସ୍ମିକ ଭାବେ ଶୁଭଙ୍କର ପହଞ୍ଚିଯିବ ବୋଲି ?

 

ଶୁଭଦା ଶୁଭଙ୍କର ଉପରେ ରାଗିଗଲା, କିଛି ଗୋଟେ ଚିନ୍ତା ନ କରି ଚାଲି ଆସିଲା କେମିତି ? ଏତେ ବ୍ୟସ୍ତ ହୋଇପଡ଼ିବା କ’ଣ ଦରକାର ଥିଲା ତା'ର ? ଶୁଭଦା ତ ଏଇ ଶୁଭଙ୍କରର ସାହସ କଥା ଭାବିଲେ ଅଭିଭୂତ ହେଇଯାଏ । ହଠାତ୍‌ ଶୁଭଦାକୁ ଚମକେଇ ଦେଇ ଶୁଭଙ୍କର ପହଞ୍ଚିଗଲା ତାଙ୍କ ଘରେ, ଶୁଭଦା ରାଗୁରାଗୁ ହିଁ ଡରିଗଲା, ଏତେ ଡ଼ରିଗଲା ଯେ ଦେଖି ନ ଦେଖିଲା ପରି ଭିତର ଘରକୁ ଚାଲିଗଲା, ତରତରରେ ପଶିଯାଇ କବାଟ ବନ୍ଦ କରିଦେଲା ଭିତରୁ । କ’ଣ କରିବ ସେ ଏବେ ? ଶୁଭଙ୍କର କି ଜାଣେନା, ବାପା ମା ଅପା ସମସ୍ତେ ଶୁଭଙ୍କରର ଶତ୍ରୁ ପାଲଟି ଯାଇଛନ୍ତି ବୋଲି ? ବାରମ୍ବାର ଚେତେଇ ଦେଇଚି ଶୁଭଦା ଏଇ କଥା । କିଏ ଜାଣେ ତା'କୁ ଯଦି ଖରାପ ବ୍ୟବହାର କରିବସନ୍ତି, ପିଟି ପକାନ୍ତି, ଓ, ବ୍ୟସ୍ତ ହେଇ କାନ୍ଦ କାନ୍ଦ ହେଇଗଲା ଶୁଭଦା ଓ ଚିନ୍ତା କରିନେଲା ପରିସ୍ଥିତିଟା କି ଭୟଙ୍କର ହେଇ ଉଠିବ ।

 

କେତେ ସମୟ ପରେ କିନ୍ତୁ ବାପା ଶୁଭଦାକୁ ଡାକିଲେ । ଶୁଭଦା ଏଇ ମୁହୂର୍ତ୍ତଟାକୁ ଯେତିକି ଭୟ କରୁଥିଲା, ସେତିକି ଚାହୁଁଥିଲା ଯେମିତି । କିଛି ନ ଘଟିଥିଲା ପରି, ଶୁଭଦା ଡ୍ରଇଁରୁମ୍‌ରେ ଯାଇ ଛିଡ଼ା ହେଲା ମୁହଁପୋତି । ବାପାଙ୍କ ସାମନାରେ ସିଧା ହୋଇ ବସିଥିଲା ଶୁଭଙ୍କର । ଶୁଭଦାର ଇଚ୍ଛା ହେଲା, ବାପା ଉଠିଯାନ୍ତେ କି, ଶୁଭଙ୍କରକୁ ମନଇଚ୍ଛା ଗାଳି ଦିଅନ୍ତା ସେ-। କୁହନ୍ତା, ତମକୁ ଆଉ ସମୟ ମିଳିଲାନି, ଏଇଭଳି ସମୟରେ ଆସିଲ ? କେମିତି ବୁଝୁନ ବାପା ଏବେ ରୋଗରୁ ଉଠିଛନ୍ତି ବୋଲି, କେମିତି ବୁଝୁନ ମୋତେ ଏଥିପାଇଁ ପ୍ରତି ମୁହୂର୍ତ୍ତରେ ଦାୟୀ କରାଯାଉଚି ବୋଲି ? ତମର ଏତେ ତରତର ହେବାର କ’ଣ ଥିଲା ? ଯା’ ତମେ ଚାଲିଗଲ, ମୁଁ ତମକୁ ଆଉ ଭଲ ପାଉନି, ଏବେଠୁ, ଏଇ ମୁହୂର୍ତ୍ତରୁ । କିନ୍ତୁ ଶୁଭଦା କିଛି କହିବା ପାଇଁ ମଉକା ପାଇଲା ନାଇଁ ।

 

ବାପା, ଶୁଭଦାକୁ ବସିବା ପାଇଁ ଇଙ୍ଗିତ ଦେଲେ । କିଛି ସମସ୍ତ ଚୁପ୍‌ଚାପ୍‌ କଟିଗଲା । ତା’ପରେ ଶୁଭଙ୍କରକୁ ଲକ୍ଷ୍ୟ କରି କହିଲେ, ଆପଣଙ୍କୁ ମୁଁ ଖୁବ୍‌ ଭଲପାଏ, ପୁଅ ପରି । ଆପଣଙ୍କ ସଙ୍ଗେ ଶୁଭଦାର ମିଶିବାଟାକୁ ମୁଁ କେବେ ଖରାପ ଆଖିରେ ଦେଖି ପାରିନି । ଆପଣ ଯେତେଥର ଆସିଚନ୍ତି, କେବେ ଆପଣଙ୍କୁ ଅସମ୍ମାନ ଦେଖେଇଚୁ ଆମେ ? ତା’ର ପ୍ରତିଦାନ କ’ଣ ମୁଁ ଏଇଆ ପାଇବି ? ମୋର ଆପଣଙ୍କୁ ବିଶ୍ଵାସ କରିବାଟା କ’ଣ ଭୁଲ ଥିଲା ? ଉତ୍ତର ଦିଅନ୍ତୁ ଆପଣ ।

 

ଶୁଭଦା ଭାବୁଥିଲା, ବାପାଙ୍କର ଏସବୁ କଥା କେତେ ଅବାନ୍ତର ! ୟା ପାଇଁ, କି ଉତ୍ତର ଥାଇପାରେ ?

 

ଶୁଭଙ୍କର ମୁହଁ ଖୋଲିଲା, ଅତି ନମ୍ର ଭାବରେ କହିଲା : ଭଲ ପାଇବା ପାଇଁ, କେହି କ’ଣ ଉଦ୍ଦେଶ୍ୟ ନେଇ ଆସିଥାଏ ? ତାଛଡ଼ା, ସେତେବେଳେ ସେ ଭଲ ପାଇବା ବୟସରେ ପହଞ୍ଚିଲା କି ନାଇଁ କେଜାଣି ! ମୁଁ ତାକୁ ବାହାହେଇ କୋଉ ଦୃଷ୍ଟିରୁ ଲାଭବାନ ହେବି ଯେ ? ଏତିକି କେବଳ, ମୁଁ ତାକୁ ଭଲପାଏ ଯାହା । ଶୁଭଙ୍କର ରହି ରହି ଖାପଛଡ଼ା ଭାବେ କଥାଗୁଡ଼ା କହିଲା ।

 

ବାପା ଏଥର ଶୁଭଦାକୁ ଚାହିଁଲେ, ତା’ପରେ କହିଲେ; କହରେ ମା, ମୁଁ ତତେ ମଣିଷ କରିଚି, ତୋର ଯଥେଷ୍ଟ ବୁଦ୍ଧି ହେଇଚି । ତୁ କ’ଣ ଚାହୁଁ ତୋ ପାଇଁ ତୋ ବାପା ପରିହାସର ପାତ୍ର ହୁଅନ୍ତୁ, ତାଙ୍କର କମେଇଥିବା ନାଆଁ ମାଟିରେ ମିଶିଯାଉ ବୋଲି ?

 

କାହିଁକି କେଜାଣି ଶୁଭଦା ଖୁବ୍‌ ଦୃଢ଼ ହେଇଗଲା : ମୁଁ ସମାଜକୁ ଖାତିର କରୁନି ।

 

ବାପା ହସିଦେଲେ : ପିଲାଳିଆ ଉତ୍ତର ଦେଏନା, ଚିନ୍ତା କରି କହ ।

 

“ମୋର କହିବାକୁ କିଛି ନାଇଁ । ସମସ୍ତଙ୍କର ଇଚ୍ଛା ବିରୁଦ୍ଧରେ ଯିବା ଛଡ଼ା ମୋର ଅନ୍ୟ ଉପାୟ ନାଇଁ ।” ଶୁଭଦା ଦେଖିଲା ଏଇତକ କହିବା ବେଳେ, ହଠାତ୍‌ ସାହସୀ ହେଇ ପଡ଼ିଚି ଯେମିତି ।

 

ଶୁଭଦାର ଏଇଭଳି ରୋକ୍‌ଠୋକ୍‌ ଉତ୍ତରରେ ବାପା ରାଗିଲା ପରି ମନେହେଲା, ହଠାତ ତାଙ୍କ ଯିଦ୍‌ ବଢ଼ିଗଲା ପରି ମନେ ହେଲା । ସେ ଉଠି ଛିଡ଼ାହେଇ ପଡ଼ିଲେ ଏବଂ କ’ଣ ଭାବିଲେ କେଜାଣି ବସି ପଡ଼ିଲେ ପୁଣି ଥରେ । ଉଭୟଙ୍କୁ ଚାହିଁ କହିଲେ । ମୋତେ ସମୟ ଦିଅ, ମୁଁ ଭାବିକି କହିବି । ତା’ପରେ ଘରୁ ବାହାରି ଯାଉ ଯାଉ କହିଲେ : ଆପଣ ବର୍ତ୍ତମାନ ଆସନ୍ତୁ । ବଡ଼ ପାଟିରେ ସାନ ଭାଇକୁ ଡାକି କହିଲେ : ସ୍କୁଟରେ ନେଇଯା’ ତାଙ୍କୁ ବସ୍‌ଷ୍ଟାଣ୍ଡରେ ଛାଡ଼ିଦେଇ ଆସିବୁ ।

 

ଅନ୍ୟଦିନ ହେଇଥିଲେ ଶୁଭଦାକୁ ବାଧିଥା’ନ୍ତା କଥାଟା । ଏବେ କିନ୍ତୁ ଶୁଭଙ୍କରକୁ ଚର୍ଚ୍ଚା କରିବାର ମୁଡ଼ ତା’ର ତ ନ ଥିଲା, ଆଉ ଅନ୍ୟମାନେ ବା କ’ଣ କରିଥାନ୍ତେ ! ଶୁଭଙ୍କର ବାପାଙ୍କ ବ୍ୟବହାରରେ ଆଶ୍ଚର୍ଯ୍ୟ ହେଲାନି । ଏଇ ପ୍ରଥମ ଥର, ସେ ବାପାଙ୍କର ମୁହାଁମୁହିଁ ବସିଲା ଓ ତାଙ୍କ ଘର ସହ ଦୀର୍ଘ ବର୍ଷର ସଂପର୍କ ଭିତରେ ବାପାଙ୍କ ସଙ୍ଗେ ପ୍ରଥମ ଥର କଥାବାର୍ତ୍ତା କଲା । ଶୁଭଙ୍କର ଉଠି ଛିଡ଼ା ହେଲା । ଅପମାନ ବଦଳରେ କ୍ଷୋଭ ଆଉ କ୍ଳାନ୍ତିରେ ତା ଆଖି ଭାରି ହେଇ ଯାଇଥିଲା ଯେମିତି । ପରଦା ସେ ପଟେ କେହି ଜଣେ ଛିଡ଼ା ହେଇଥିଲା ବୋଧହୁଏ, ଶୁଭଙ୍କର ଟିକିଏ ବି ଖାତିର୍‌ କଲାନି, ଏତେ କ୍ଳାନ୍ତି ଭିତରେ ବି ଶୁଭଦାର ହାତଟିକୁ ଟାଣିନେଇ ଗଭୀର ଚୁମାଟିଏ ଦେଇଦେଲା ପାପୁଲିରେ । ବାହାରି ଗଲାବେଳେ ଶୁଭଦାର ପିଠିରେ ହାତ ରଖି କହିଗଲା : କେବେ ଅଧୈର୍ଯ୍ୟ ହେବନିରେ ସୁନା ।

ଶୁଭଙ୍କର ଚାଲିଯିବା ପରେ, ବାପା ପଶି ଆସିଲେ ଘର ଭିତରକୁ । ଚୁପ୍‌ଚାପ୍‌ କେତେ ସମୟ ସୋଫା ଉପରେ କପାଳରେ ହାତ ଦେଇ ବସିଲେ ।

ଶୁଭଦା ବାପାଙ୍କୁ ଏଇଭଳି ବସିବାର ଦେଖିଲେ ସହି ପାରେନା, ମନହୁଏ, ଦଉଡ଼ିଯାଇ ହାତଟା ଖସେଇ ଦିଅନ୍ତା । କିନ୍ତୁ ଶୁଭଦା କିଛି କରି ପାରିଲାନି, କେବଳ ତଳକୁ ମୁହଁପୋତି ବସି ରହିଲା ।

ବାପା ଆରମ୍ଭ କଲେ : ତୁ ଯେତେବେଳେ ଯାହାମାଗୁଚୁ ମା, ତୋତେ ମୁଁ ଦେଇନି ? କହ, ତୁ ନିଜେ କହ ! ଶୁଭଦା ଆଖି ଉଠେଇ ଥରେ ଚାହିଁଲା ଓ ମୁହଁପୋତି ବସିରହିଲା ।

ତୁ ଶୁଭଙ୍କରକୁ ଭଲ ପାଉଚୁ; ମାନୁଚି, ତୋ’ର ତା’ ପ୍ରତି ଟିକେ ଆସକ୍ତି ହିଁ ଆସି ଯାଇଚି-

ଶୁଭଦା ଭଲପାଇବା ଶବ୍ଦଟା ବାପାଙ୍କ ମୁହଁରୁ ଶୁଣି ଲାଲ୍‌ ପଡ଼ିଗଲା ଲାଜରେ, ଭୟରେ-। ସେ ତ ଭାବିପାରି ନ ଥିଲା ଏ ଶବ୍‌ଦଟା ବାପା ମୁହଁରେ ଧରି ପାରିବେ ବୋଲି ବାପାଙ୍କ ଆଗରେ ଖରାପ ଝିଅଟେ ହେଇଗଲା ପରି ଲାଗିଲ ତାକୁ; ଶୁଭଦା କିନ୍ତୁ ଉଠିଯାଇ ପାରିଲାନି ସେଠୁଁ । ବାପା ପୁଣି ଥରେ କଥା ଦୋହରେଇଲେ । ଏଇ ସାମାନ୍ୟ ଆସକ୍ତି ତ ?

ଶୁଭଦା ଧୀରେ ଧୀରେ କଠିନ ହେଇ ଆସିଲା । ଭାବିଲା, କେମିତି କହୁଚ ବାପା ତମେ ଆସକ୍ତି ବୋଲି ୟା’କୁ ? ଏ ତ କାଲି ରାତିରେ ଘଟିଥିବା ଘଟଣା ନୁହେଁ । କେମିତି ପୋଛିବି ଏତେ ଅଙ୍ଗାରଚିତ୍ରକୁ, ଏ ଯେ ଦଶବର୍ଷର ଲମ୍ବା କାନ୍ଥରେ ଲେଖା, ମୋର ହାତ ପାଉନି ତ ବାପା, ହାତ ଯେ ପାଉନି ! ଶୁଭଦା କିଛି କହିଲା ନି, ବାପାଙ୍କୁ ଥରେ ଚାହଁ ଆଖି ନୁଆଁଇ ନେଇ ନେଲା ।

ବାପା ଏଥର ତାକୁ ମାନସିକ ସ୍ତରରେ ଦୁର୍ବଳ କରିଦେବା ପାଇଁ, କି ତାଙ୍କ ଛାତିରେ ଉଠିଥିବା ଆଶଙ୍କାକୁ ଚପେଇ ନ ପାରି, କହିଲେ ସେ ଯଦି ତତେ କେବେ ଡିଭୋର୍ସ କରିଦିଏ, ତା’ପରେ ? କ’ଣ କରିବୁ ତୁ ?

ଶୁଭଦା ଏଥର ପାଟି ଫିଟେଇଲା : ବାପା ଆପଣଙ୍କ ମନୋନୀତ ପାତ୍ର ଯଦି ମତେ ଡିଭୋର୍ସ କରିଦିଏ, ତେବେ ମୁଁ କ’ଣ କରିବି କୁହନ୍ତୁ ? ଭବିଷ୍ୟତରେ କ’ଣ ହବ ନ ହବ, ଏଥିପାଇଁ ତ ବର୍ତ୍ତମାନଟା ଅଟକି ଯିବନି ଆଉ ।

ବାପା କହିଲେ : ମୋର କିଛି, ଆପତ୍ତି ନାଇଁ, ତେବେ ଏ ଧରଣର ବିବାହ କେବେ ସଫଳ ହୁଏନା, ଏକଥା କ’ଣ ତୁ ଜାଣୁନା ? ତେବେ ତୁ ଗୋଟେ ଗୋଟେ ଚାକିରୀ କର, ଦଶହଜାର ଆଉ କୋଡ଼ିଏ ହଜାର ଟଙ୍କା ଜମେଇ ରଖ, ତ।’ପରେ ତୁ ଯାହା କିଛି କଲେ ମୋର କହିବାର କିଛି ନାଇଁ ।

ଶୁଭଦା ଭିତରେ ଗୋଟେ କ୍ଳାନ୍ତି ମାଡ଼ି ଆସିଲା, ଦଶହଜାର କୋଡ଼ିଏ ହଜାର ? ସେ’ତ ଏବେ ଚାକିରୀ କରିନି । ତା’କୁ କେତେ ବର୍ଷ ହେଲା ? କେତେ ବର୍ଷ ଭିତରେ ସେ ଏତେ ଟଙ୍କା ଜମେଇ ପାରିବ ?

ଶୁଭଦା ବାପାଙ୍କ ବୁଦ୍ଧିକୁ ତାରିଫ୍‌ କଲା । ତମେ ବଡ଼ ଚାଲାକ୍‌ ବାପା । ହେଲେ ମୁହଁ ଖୋଲି କିଛି କହି ପାରିଲାନି ।

ବାପା ପୁଣି ଥରେ କହିଲେ : ଦେଖ୍‌ ମା ତତେ ମୁଁ ପୁଅ ବୋଲି ଭାବେ । ମୋର ତ ଦେହ ଖରାପ, କେମିତି ଦେଖୁଚୁ । ତୋ-ଭାଇଙ୍କ ଦାୟିତ୍ଵ ତୋ ଉପରେ ରହିଲା । ତୁ ସେମାନଙ୍କୁ ପାଠ ପଢ଼େଇବୁ, ବାହା କରିବୁ, ମଣିଷ କରିବୁ । ସାକ୍ରିଫାଇସ୍‌ କରିବୁ ।

ଶୁଭଦା ବିଡ଼୍‌ ବିଡ଼୍‌ ହେଲା....ସାକ୍ରିଫାଇସ୍‌ ? ମନେ ମନେ ଭାବିଲା : କାହିଁକି ? ବାପା, ତମେ ତ ମୋ ଲାଗି ଏତେ ଟିକେ ସାକ୍ରିଫାଇସ୍‌ ପାଇଁ ପ୍ରସ୍ତୁତ ନୁହଁ, ମୁଁ କାହିଁକି ଏତେ ବଡ଼ ସାକ୍ରିଫାଇସ୍‌ କରିବି ? ସାକ୍ରିଫାଇସ୍‌ ଶବ୍ଦଟା ବଡ ମହତ୍‌ ବାପା, ତା’କୁ ଏମିତି ଦୟନୀୟ ଭାବେ ସଙ୍କୁଚିତ କରି ଦିଅନି, ମୋ ପାଇଁ । ଆଇ କ୍ୟାଣ୍ଟ୍‌ ଆଇ କ୍ୟାଣ୍ଟ୍ ଡୁ ଇଟ୍‌ । ମୁଁ ଜାଣେ, ତୁମର ଏଇଟା ଚମତ୍କାର ପ୍ଳାନ୍ । ମୋ ଭିତରେ ସ୍ଵତଃପ୍ରବୃତ୍ତ ସାକ୍ରିଫାଇସ୍‌ କରିବାର ଇଚ୍ଛା ଆସୁନି ବାପା, ମୁଁ କ’ଣ କରିବି କୁହ ? ଶୁଭଦା ବାପାଙ୍କୁ କିଛି ଉତ୍ତର ଦେଲାନି । ଆଖିରେ ତାର ପାଣି ଆସିଗଲା । ବାପା ଉଠି ଆସିଲେ ତାଙ୍କ ଜାଗାରୁ, ଶୁଭଦାର ହାତଟାକୁ ଧରି କାନ୍ଦି ପକେଇଲେ : କହ ମା, ମୁଁ ଆଜି ତୋ ପାଖେ ଏତିକି ଅଳି କରୁଚି, ତୁ କ’ଣ ତୋ ବୁଢ଼ାବାପାର କଥା ଶୁଣିବୁ ନି ଆଜି ? ତୋର ସବୁ ଅଳି-ଅର୍ଦ୍ଦଳି ଆଜିଯାଏ ଶୁଣି ଆସିଚି, ଆଜି ତୁ ମୋ ଅଳି ରଖିବୁ ନି ?

 

ଶୁଭଦା ସମ୍ଭାଳି ପାରିଲା ନି, କାନ୍ଦିପକେଇଲା ଭୋ ଭୋ କରି, ମାତ୍ର ପାଟିରୁ ଶବ୍ଦଟିଏ ବି ଖସି ଆସିଲା ନି, ବରଂ ଭବିଲା, ମତେ ମାରୁନ କାହିଁକି ବାପା, ପିଟୁନ କାହିଁକି ? ମତେ ଶାସ୍ତି ଦିଅ, ଏ ଅଧିକାର ତମର ତ ଅଛି । ତମେ କାନ୍ଦନି ବାପା, ମୁଁ ଦୁର୍ବଳ ହେଇପଡ଼ୁଚି । ତମେ କାନ୍ଦନି, ପ୍ଲିଜ୍‌ ।

 

ବାପା ଚାଲିଯିବା ପରେ, ଘରଟାର ଲାଇଟ୍‌ ଲିଭେଇ ଦେଇ, ଅନ୍ଧାରରେ ଗୁଡ଼ାଏ ବେଳଯାଏ କାନ୍ଦିଥିଲା ଶୁଭଦା । ରାତିଟା ପାହି ସକାଳ ହେଇଗଲା ପରେ ସବୁକିଛି ପୁଣି ଠିକ୍‍ଠାକ୍‍ ଚାଲିଲା । ରାତିର ସେ ଗୁମ୍‌ସୁମ୍‌ ଭାବର ଗନ୍ଧ ଟିକେ ବି ମିଳିଲା ନି କୋଉଠି । ମନେ ହେଉଥିଲା ଦୁଃଖଟାକୁ ସମସ୍ତେ ମାଡ଼ିମକଚି ଦଳି ଦେବାକୁ ଚାହାନ୍ତି । ଶୁଭଦା କିନ୍ତୁ ସେମିତି ବିଛଣାରେ ପଡ଼ିରହିଲା କିଛି ବେଳ । ଶୁଣିଲା, ମା କହୁଥିଲା କାହାକୁ କେଜାଣି, ‘ଯା, ତାକୁ ଚା ଦେଇଆ, କାଲିରାତିରୁ କିଛି ଖାଇନି ।’

 

ଶୁଭଦା ଚା କପ୍‌ଟା ମୁହଁକୁ ନେଲାବେଳେ ଦେଖିଲା, ବାପା ଫ୍ୟାକଟ୍ରି ବାହାରି ଯାଉଥିଲେ, ପୂର୍ବ ରାତିର ଛାପ ତାଙ୍କ ମୁହଁରେ ନ ଥିଲା । ଆଶ୍ୱସ୍ତ ହେଲା ସେ । ସ୍ଵାଭାବିକ୍‌ ହେଇଯିବାକୁ ଚାହିଁଲା, ହେଲେ ସ୍ଵାଭାବିକ୍‌ ଭାବେ ସେ ରହି ପାରିଲା କେଉଁଠି ? ତାକୁ ସେ ସୁଯୋଗ ମିଳିଲାନି ଘରଟା ଭିତରେ । ଅପରାଧ ତା’ର ବଢ଼ି ଯାଇଥିଲା ୟା’ ଭିତରେ । ଆଗରୁ ବନ୍ଧୁବାନ୍ଧବମାନେ ତା’କୁ ଦାୟୀ କରୁଥିଲେ, ହେଲେ ଏବେ ସାନ ଭାଇଭଉଣୀମାନେ ମା’କୁ ଅପରାଧୀଟିଏ ପରି, ଦେଖିଲା ପରି ଚାହିଁଲେ । ଭାଇଭଉଣୀଙ୍କ ଆଗରେ ଥବା ତା’ର ସମସ୍ତ ଇମେଜ୍‌ ଯେମିତି ନଷ୍ଟହେଇ ଯାଇଥିଲା ଏଇ ଗୋଟିଏ ରାତି ଭିତରେ ।

 

ରାତି ପାହିବା ପରଠୁ, ନିଜ ଅଜାଣତରେ ଥିବା କଥାଟାକୁ ଧୀରେ ଧୀରେ ଜାଣିନେଲା ଯେ ଏବେ ସେ ବନ୍ଦୀହେଇ ଯାଇଚି । ଏଇଥିପାଇଁ ଦୋଷ ଦେଇ ପାରେନା ଶୁଭଙ୍କରକୁ, ଦେଇପାରେ ନି ବି ବାପାଙ୍କୁ ।

 

ଅତି ଚତୁରତାର ସହ ତାକୁ ବନ୍ଦୀକରି ଦିଆଯାଇଚି । ବନ୍ଦୀ, ବନ୍ଦୀ, ବନ୍ଦୀ-ଏଇ ବନ୍ଦୀ ଶବ୍ଦଟାକୁ ଯେ ଯେତେଥର ଦୂରକୁ ଠେଲି ଦେବାକୁ ଚେଷ୍ଟା କରୁଚି, ତା’ପରେ ବି ସେ ଦେଖୁଚି, ସେ ବନ୍ଦୀ ।

 

ଦିନେ ଶୁଭଦା ଆଇନା ସାମନାରେ ଛିଡ଼ାହେଇ ଦେଖିଲା, ଗୋଟେ ବୟସ୍କ, ଚିନ୍ତାଗ୍ରସ୍ତ ଅବସନ୍ନ ମନ ନେଇ ସ୍ତ୍ରୀ ଲୋକଟିଏ ଛିଡ଼ା ହେଇଚି । ଶୁଭଦା କହିଲା : ବନ୍ଦୀ, ଦେଖୁଚ ତମ ବୟସ ବଢ଼ି ଯାଇଚି ।

 

ବନ୍ଦୀ ଉତ୍ତର ଦେଲାନି । ସେ ଆଜିକାଲି କାହାରିକୁ ଉତ୍ତର ଦିଏ ନି ।

 

ଫେରି ଆସି ଶୁଭଦା ‘ଚମ୍ପାବତୀ ଓ ତିନି ମୁଣ୍ଡିଆ ଅସୁର’ କାହାଣୀ ବହିଟା ଧରି ବସିଲା-

 

ପରଦିନ ବି ସେଇ ଏକା ଘଟଣା ଘଟିଲା । ଶୁଭଦା ଆସି ଆଇନା ପାଖରେ ଛିଡ଼ା ହେଲା । ଭେଟିଥିଲା । ସେଇ ବୟସ୍କ ଚିନ୍ତାଗ୍ରସ୍ତ ଅବସନ୍ନ ମନ ନେଇ ଛିଡ଼ା ହୋଇଥିବା ବନ୍ଦୀଟିକୁ ।

 

ଶୁଭଦା କହିଲା : ତମ ହସ କିଏ ଛଡ଼େଇନେଲା ବନ୍ଦୀ ? ତମ ବୟସ ମାତ୍ର ତେଇଶ, ଆଶ୍ଚର୍ଯ୍ୟ, ତମେ ବୁଢ଼ୀ ହୋଇ ଯାଇଚ ଏଇ ବୟସରେ !

 

ବନ୍ଦୀ ତ ୟା’ ଭିତରେ ମୁକ ପାଲଟି ଯାଇଚି, କହନ୍ତା କ’ଣ ଯେ !

 

ଶୁଭଦା ଆଇନା ପାଖରୁ ଫେରି ଆସିଲା, ଝୁରିହେଲା, ପୁରୁଣା ମୁକ୍ତ ଆକାଶତଳର ଦିନଗୁଡ଼କୁ ।

 

ହଠାତ୍‌ ଦିନେ ବନ୍ଦୀ ଦେଖିଲା, ତା ଭିତରେ, ଖୁବ୍‌ ପ୍ରବଳ ଭାବରେ ମୃତ୍ୟୁଚିନ୍ତା ଘାରି ଆସୁଚି । ମରିବାର ଉପାୟ ଖୋଜି ବୁଲିଲା ବନ୍ଦୀ । ମରିବାର ସହଜୋତ୍ତମ ଉପାୟ କ’ଣ ? ବହୁତ୍‌ ଭାଵିବା ପରେ ସେ ଠିକ୍‌ କଲା, ନାଁ ସୁଇସାଇଡ୍‌ ନୁହେଁ, ଗୋଟେ ସ୍ଵାଭାବିକ୍‌ ମୃତ୍ୟୁ ଦରକାର ତା’ର-। ସ୍ଵାଭାବିକ୍‌ ମୃତ୍ୟୁ ଉପରେ ତ ଭରସା ନାଇଁ, କେବେ ଯେ ଆସିବି ସେ, କିଏ ଜାଣେ, ଏତେ ଦିନ ଅପେକ୍ଷା କରି କରି ସେ କ୍ଳାନ୍ତ ହେଇପଡ଼ିବ । ଚେଷ୍ଟାକରି ସେ ମୃତ୍ୟୁଚିନ୍ତାକୁ ଦୂରେଇ ପାରିଲାନି, ଘୁଞ୍ଚେଇ ଦେଇ ପାରିଲାନି, ବରଂ ବିଷର୍ଣ୍ଣ ହେଇ ପଡ଼ିଲା । ସେଇ ଯେ ବିଷର୍ଣ୍ଣ ହୋଇ ପଡ଼ିଲା, ମୁଣ୍ଡ ତା’ର ଆପେ ନଇଁ ଆସିଲା ତଳକୁ, ଅଣ୍ଟା ଆଉ କାନ୍ଧ ଝୁଙ୍କି ଆସିଲା ସାମ୍‌ନାକୁ ।

 

ଶୁଭଦା, ବାପା ଓ ଅନ୍ୟ ଭାଇଭଉଣୀମାନଙ୍କ ସଙ୍ଗେ ବସି ଦି’ପହରେ ଖାଉଥିବାବେଳେ, ହଠାତ୍‌ ଉଠି ଛିଡ଼ାହେଇ ପଡ଼ିଲା, ବାପା ତାଙ୍କ ଅଣ୍ଟାରୁ ଖଣ୍ଡେ ଛିଣ୍ଡେଇ ଶୁଭଦା ଆଡ଼କୁ ବଢ଼େଇ ଦେଉ ଦେଉ କହିଲେ : କ’ଣ ଏତିକିରେ ଖାଇବା ସରିଗଲା ? ତୋ ଚେହେରା କ’ଣ ହେଲାଣି ଦେଖୁଚୁ ତ ? ସୁନା ମା’ଟା ପରା ଏତିକି ଖାଇନେ । ଶୁଭଦା ଉତ୍ତର ଫେରାଇବାକୁ ଯାଇ ଅଳ୍ପ ହସିଦେଲା ।

 

ବାପା କହିଲେ , ଚାରିଟାବେଳେ ବାହାରିଥିବୁ, ଡାକ୍ତର ପାଖକୁ ଯିବା । ତୋର ସ୍ଵାସ୍ଥ୍ୟ ବହୁତ ଖରାପ ହେଇଯାଉଚି, କିଛି ଟନିକ୍‌ ଫନିକ୍‌ ନ ଆଣିଲେ ହେବନି ।

 

ଶୁଭଦା ଆଉ ରହି ପାରିଲାନି, ପାଟି ଖୋଲିଲା : କାହିଁ, ମୋର ତ କିଛି ହଉନି, ମୁଁ ଭଲ ଅଛି, ଏଇ ଦେଖ ପୁରା ଭଲ ଅଛି । କାହିଁକି କେଜାଣି ଓଦା ହେଇଗଲା ତା’ର ସ୍ଵର । ଅନୁନୟ କଲା ଢଙ୍ଗରେ ସେ କହି ପକେଇଲା : ଡାକ୍ତରପାଖକୁ ଯିବିନି ବାପା, ଜମା ଯିବିନି ଡାକ୍ତର ପାଖକୁ ।

 

ବାପା ବୋଧହୁଏ ଆଶ୍ଚର୍ଯ୍ୟ ହେଇଗଲେ ଶୁଭଦାର ଏପରି କହିବା ଢଙ୍ଗ ଦେଖି । କେତେ ସମୟ ଚୁପ୍‌ଚାପ୍‌ ଖାଇବାରେ କଟିଗଲା ପରେ ବାପା କହିଲେ : ତୁମ୍ଭେମାନେ ସବୁ ମିଶି ଫିଲ୍ମ ଯାଉନ ?

 

କେହି ଉତ୍ତର ଦେଲେନି, ପରସ୍ପରକୁ ଚାହିଁ ହସିଦେଲେ ଟିକେ, କେବଳ ଶୁଭଦା ଯା’ ପୂର୍ବପରି ବସି ରହିଥିଲା ।

 

ବାପା ପୁଣି ଥରେ କଥା ଦୋହୋରେଇଲେ, ଶୁଭଦାକୁ ଚାହିଁ ।

 

ଖୁବ ସଂକ୍ଷିପ୍ତ ଉତ୍ତର ଦେଲା ଶୁଭଦା : ଇଚ୍ଛାହେଉନି, ସେମାନେ ସବୁ ଯା’ନ୍ତୁ । ବାପା, ଶୁଭଦାର ମୁଡ୍‌ ନାହିଁ ବୋଲି ବୁଝିଲେ ବୋଧହୁଏ, ତେଣୁ ଆଉ କିଛି କହିଲେ ନାଇଁ । ଟିକିଏ ପରେ ବାପା ପୁଣି ପଚାରିଲେ : ତୁ ଆଉ ସିଲେଇ ଶିଖିବାକୁ ଯାଉନୁ କି ରେ ?

 

ଶୁଭଦା ମୁଣ୍ଡ ହଲେଇ ନାହିଁ କଲା ।

 

: ଯାଉନୁ କାହିଁକି ?

 

: ଭଲ ଲଗୁନି, ମତେ ସେସବୁ ଭଲ ଲାଗୁନି । ବୋର୍‌ ଲାଗୁଚି । ଭୀଷଣ ବୋରିଂ ସେ ସବୁ କାମ । ମୁଁ ଜିଲ୍‌ ପାଉନି ।

 

ବାପା ଏଥର ଟିକିଏ ଭିନ୍ନ ସ୍ଵରରେ କହିଲେ : ତତେ ତ କିଛି ଭଲ ଲାଗୁନି ରେ ! ଯାହା କହିଲେ, କହିଲୁ ‘ଭଲ ଲାଗୁନି’ । ଘରଟାରେ ବସି ରହିଚୁ । ବାହାରକୁ ଗଲେ ତ ଅନ୍ତତଃ ରିଫ୍ରେସ୍‌ମେଣ୍ଟ ଟିକେ ହବ ।

 

ଶୁଭଦା ଏଥର ମନେ ମନେ ରାଗିଗଲା ଖୁବ୍‍ । ଇଚ୍ଛା ହେଲା ତା’ର କହିପକେଇବାକୁ ରିଫ୍ରେସ୍‍ମେଣ୍ଟ ? ହ୍ଵାଟ୍‌ ଡୁ ୟୁ ମିନ୍‌ ବାୟ ଇଟ୍‌ ? ଗୁଡ଼ାଏ ମେସିନ୍‌ ପଡ଼ିଥିବା ଘରେ ଯାଇ ଖଡ଼ ଖଡ଼ କରିବାଟା କି ରିଫ୍ରିସ୍‌ମେଣ୍ଟ ? ସେ’ଠି ମୁଁ କାହାକୁ ଆପଣାର ଭାବି ପାରେନି । ସେ’ଠି ଥିଲା ଅନ୍ୟ ସମସ୍ତେ ମୋ’ଠୁ କ୍ଵାଲିଫିକେସନ୍‌ରେ ଯଥେଷ୍ଟ କମ୍‌ । ସେଠିକୁ ଗଲେ ମୋ ଭିତରେ ଯେ ଗୋଟେ କଂପ୍ଲେକସ ତିଆରି ହୋଇଯାଏ । ସବୁଦିନ ସେଇ ମୁହୂର୍ତ୍ତଟାକୁ ମୁଁ କେତେଭୟ କରୁଛି, ବାପା କେତେ ଭୟ କରୁଛି କେମିତି ବୁଝେଇବି ତମକୁ ? ଶୁଭଦା କିନ୍ତୁ କିଛି କହିପାରିଲା ନି, ଫେରି ଆସିଲା ନିଜ ବଖରାକୁ । ଆଇନା ପାଖରେ ଛିଡ଼ା ହେଇ ପଡ଼ିଲା, ଦେଖିଲା ବନ୍ଦୀର ଆଖିରେ ଲୁହ-। ଶୁଭଦା ଗାଳି ଦେଲା ଖୁବ୍‌, ତମକୁ କିଏ କହୁଥିଲା ପାଟି ଖୋଲିବାକୁ, ବନ୍ଦୀ ? ତମେ ପାଟି ଖୋଲିବାରୁ ସିନା ତମର ଅହଂ, ତମର ମୁକ୍ତ ଜୀବନକୁ ମନେ ପକେଇଦେଲେ ସେମାନେ ! ତମକୁ କିଏ କହିଲା ପାଟି ଖୋଲିବାକୁ ?

 

ସେଇଦିନ ସବୁଠୁ ବେଶି ଖୁସି ହେଇଥିଲା ଶୁଭଦା, ଯେଉଁଦିନ ତା’ର କମ୍ପିଟେଭିଟ ରିଟିନ୍‌ ଟେଷ୍ଟ ପାଇଁ କାଗଜ ଆସି ପହଞ୍ଚିଗଲା-କମ୍ପିଟେଟିଭ୍‌ ଦେବ ବୋଲି ତ ନୁହେଁ, ଗୁଡ଼ାଏ ଦିନର ବନ୍ଦୀ ଜୀବନରୁ ମୁକ୍ତି ମିଳିଯିବ ବୋଲି । ଜିନିଷ ପତ୍ର ସଜାଡ଼ିବାରେ ଲାଗିଗଲା ଶୁଭଦା । ଚିଠିଟିଏ ଲେଖି ଜଣେଇଦେଲା ଶୁଭଙ୍କରକୁ । ବୁଣିଦେଲା କଳ୍ପନାର ଅଜସ୍ର କାଶ୍ମୀରୀ ଗାଲିଚା ।

 

ବାହାରିବାର କେତେଘଣ୍ଟା ପୂର୍ବରୁ ବାପା ଶୁଭଦାକୁ ଡାକିଲେ । ହାତରେ ଧରେଇ ଦେଲେ ଗୋଟେ ଖାତା । ଖାତା ଭିତରୁ ଖସି ପଡ଼ିଲା ଜାତକଟା ତା’ର । ବାପା କହିଲେ ! ପଢ଼ି ଦେଖ୍‌, ଜଣେ ନୁହେଁ, ତିନି ତିନି ଜଣ ମତେ ଦେଇଛନ୍ତି, ତୋର ଏଇ ସମୟଟା । ଭଲ ନାଇଁ-ପ୍ରାୟ ଦେଢ଼ବର୍ଷ । ନିଜେ ବି ହାତରୁ ତା’ର ଖାତାଟା ନେଇ ପଢ଼ି ଶୁଣେଇ ଦେଲେ କିଛି । ତା’ପରେ କହିଲେ, ‘ମୋର କହିବାକୁ କିଛି ନାଇଁ-ତୁ ତୋର ବିଚାର କର ଯାହା କରିବୁ ।’

 

ଶୁଭଦାର ନାକପୁଡା ଫୁଲି ଗଲା, ମୁହଁ କଠିନ ହେଇଗଲା, କିଛି ନ କହି ପାଦେ ପାଦେ କରି ଘରୁ ବାହାରି ଚାଲିଗଲା ସେ । ବାପା ତା ପଛେ ପଛେ ଆସିଲେ । ସେ ବୋଧେ ଅପମାନ ବୋଧ କଲେ, କିଛି କହିଲେନି କିନ୍ତୁ । ଶୁଭଦାର ମନଭିତରେ କିନ୍ତୁ ଜାତକ କଥା ପ୍ରଭାବ ବିସ୍ତାର କରିପକେଇଲା, ଏହି ଦଶା କାଳରେ ସ୍ଥାନଚ୍ୟୁତି, ଅସ୍ଥିରତା, କାର୍ଯ୍ୟନାଶ, ମରଣତୁଲ୍ୟ କଷ୍ଟଯୋଗ, ତଥା ବିଷଯୋଗର ସମ୍ଭାବନା ରହିଅଛି ।

 

ତା’ପରେ ଶୁଭଦା ଦୃଢ଼ ହେଇଗଲା, କହିଲା: ଜାତକରେ ମୁଁ ବିଶ୍ଵାସ କରେ ନା । ଶୁଭଦା ଘରୁ ପାଦ କାଢ଼ିଲା ବେଳକୁ ଦେଖିଲା, ଏକା ନୁହେଁ, ସାଙ୍ଗରେ ମା’କୁ ହିଁ ନେଇ ଯିବାକୁ ହେବ ତାକୁ-। ହଠାତ୍ ବିଷର୍ଣ୍ଣ ହେଇ ପଡ଼ିଲା ସେ । ସେଇ ବିଷର୍ଣ୍ଣତା ଭିତରେ ବି ବାପାଙ୍କ ବୁଦ୍ଧିକୁ ତାରିଫ୍‍ କଲା-। ବଡ଼ ଚମତ୍କାର ଭାବେ ବନ୍ଦୀ କରି ଦିଆଯାଉଚି ତା’କୁ !

 

ଶୁଭଦା କଟକରେ ପହଞ୍ଚି ଭାବିଥିଲା, ହୁଏତ ସମ୍ଭାବ୍ୟ ଜାଗା ଗୁଡ଼ାକରେ ଚିହ୍ନା ମୁହଁଟିର ଦେଖା ପାଇବ । ପୂର୍ବରୁ ତ କଥା ଥିଲା, ସେ ତା’କୁ କଲେଜ ଛକରେ ହିଁ ଦେଖା କରିବ, ପରୀକ୍ଷାକୁ ଫେରିବା ପରେ । କିନ୍ତୁ କାହିଁ, ପ୍ରଥମ ଦିନ ଦେଖା ପାଇଲା ନି ଶୁଭଦା, ଶୁଭଙ୍କରର ! ଯେତିକି ବିଷର୍ଣ୍ଣ ସେତିକି ବ୍ୟସ୍ତ ମଧ୍ୟ ହେଇ ପଡ଼ିଲା ସେ । ଦ୍ଵିତୀୟ ଦିନ ତା’ର ପରୀକ୍ଷା ନ ଥିଲା । ଶୁଭଙ୍କର ଯଦି ଦ୍ଵିତୀୟ ଦିନ ପହଞ୍ଚିଯାଏ, ତେବେ ?

 

ଏଇଭଳି ଗୋଟେ ଅସ୍ଥିରତା ନେଇ ପରଦିନ ସକାଳେ ଶୁଭଦା ମା’କୁ କହିଲା : ମା, ମୁଁ ଗୋଟେ ବହି କିଣିବାକୁ ଯିବି ।

 

ମା କହିଲା : ଚାଲ୍‌ ସାଙ୍ଗ ହେଇଯିବା । ମୁଁ ବି ଘର ପାଇଁ କେତେଟା ଜିନିଷ କିଣିବି । ଶୁଭଦାର ମୁହଁ ଉପର ଆକାଶର ଛାଇ ବୁଲିଗଲା, ବାହାନା ଦେଖେଇ ଅଟକିଗଲା ଅଟିକିଗଲା ସକାଳଟି ଘରେ । ଛାତି ଭିତରୁ ବାହାରି ଆସିଲା ଗୋଟେ ଦୀର୍ଘଶ୍ଵାସ । ବାଥ୍‌ରୁମ୍‌ ଭିତରେ କବାଟ ଦେଇ ଚିତ୍କାର କଲା; ବନ୍ଦୀ ବନ୍ଦୀ ବନ୍ଦୀ । ଦୁଇହାତ ପାପୁଲିରେ ଲୁହ ପୋଛି ଚଳେଇ ନେଲା ସମୟକୁ । ଚାରିଟା ବେଳେ ମା’କୁ ଆଉଥରେ ସାହସ କରି ପଚାରିଥିଲା ଶୁଭଦା : ମା’ ଏଇ କଲେଜଛକରୁ ବହିଟିଏ ନେଇ ଚାଲି ଆସିବ । ଏତିକି କହିବା ବେଳେ ଶୁଭଦାର ଗଳାରେ ଗୋଟେ କରୁଣ ଅନୁନୟ ଝୁଲି ପଡ଼ିଥିଲା ଯେମିତି ।

 

ମା’ କ’ଣ ଭାବିଲା କେଜାଣି କହିଲା; ହଉ ଯା’, ସଂଧ୍ୟା ପୂର୍ବରୁ ଚାଲି ଆସିବୁ । ଶୁଭଦାର ମନେ ହେଲା ଏବେ ବି ସୁଖକର ଅନୁଭୂତି ତା’ ଭିତରେ ଜୀଇଁ ରହିଚି, କୋଉଠି କେମିତି, ତା’ ଛାତି ତଳେ, ସକାଳର ଶିଶିର ବିନ୍ଦୁଭଳି ।

 

ରାସ୍ତାରେ ଶୁଭଙ୍କରକୁ ଦେଖି ଖୁସିଟାଏ ହେଇଗଲା ଶୁଭଦା । କିନ୍ତୁ ପର ମୁହୂର୍ତ୍ତରେ ଶୁଭଙ୍କର ପାଖରେ ପହଞ୍ଚିବା କ୍ଷଣି ଗୋଟେ ସଂକୋଚ ଜାବୁଡ଼ି ଧରିଲା ତା’କୁ । ରାସ୍ତାରେ ଶୁଭଙ୍କରକୁ ପାଇଲେ ସେ ନର୍ଭସ ହେଇଯାଏ । ଏତେ ନର୍ଭସ ହେଇଯାଏ ଯେ ସେ ସଜାଡ଼ି କି' କଥା କହି ପାରେ ନା । ତା’ର ମନେ ହୁଏ କେହି ଯଦି ଦେଖିନେବ, କେହି ଯଦି କିଛି କଦର୍ଯ୍ୟ ମନ୍ତବ୍ୟ ଦେଇ ଦବ, ତେବେ ? ଶୁଭଦା ଶୁଭଙ୍କରକୁ ଦେଖି ନର୍ଭସ ହେଇ କହି ପକେଇଲା; ଓଃ, କୋଉଠି ଠିଆ ହେଇ ଗପିବି ? କୋଇଠି ଚାଲ ଟିକେ ବସି ପଡ଼ିବା । କୋଉ ଗୋଟେ ଦୋକାନରେ ।

 

ଶୁଭଙ୍କର ଶୁଭଦାର ଅନୁଭୂତିକୁ ବୁଝିଲା ବୋଧହୁଏ । କହିଲା : ତେବେ ଚାଲ, ଏଇ ସାଉଥ୍‌ ଇଣ୍ଡି, ଆନ୍‌ ହୋଇଟେଲେକୁ ଚାଲ ।

 

ଶୁଭଦା ମୁଣ୍ଡ ହଲେଇ ନାଁ କଲା : ନାଁ ସେଠି ନୁହେଁ, ଖୁବ୍‌ ଲୋକ ଥିବେ ।

 

: ତେବେ ସେଇ ରେସୋରାଁକୁ ଯିବ ?

 

: ଓଃ, ନା ନା ସେ’ଠିକୁ ବି ନୁହେଁ, ବରଂ ଚାଲ, ଚାଲ ଚାଲି ଗପ କରିବା ।

 

ଖୁବ୍‌ ହେଲେ ପାହୁଣ୍ଡେ ବାଟ ଚାଲିବା ପରେ ଶୁଭଦା କହିଲା : ରାସ୍ତାରେ କେତେ ଚିହ୍ନା ଜଣା ଯାଉଥିବେ, ମୁଁ ଯେ ଫ୍ରି ହେଇ ପାରୁନି ।

 

ଶୁଭଙ୍କର ରାଗିଗଲା ଏଥର, କହିଲା : ତମେ ଏମିତି ଅଜବ୍‌ କଥା କହିବ ବୋଲି କ’ଣ ମୁଁ କଲିକତାରୁ ଧାଇଁ ଆସିଥିଲି, ବିନା ଛୁଟିରେ ମୁଣ୍ଡ ଉପରେ ରିସ୍କ ବୋହି ?

 

ସକାଳ ଆଠରୁ ସନ୍ଧ୍ୟା ପାଞ୍ଚ ଯାଏ, ଏଇ ଗୋଟିଏ ଜାଗାରେ ଘୂରି ବୁଲୁଚି ମୁଁ, କ’ଣ ଭାବୁଥିବେ କହିଲ ଏଇ ପାଖ ଆଖିର ଦୋକାନୀମାନେ ? ତଥାପି ତ ମୁଁ ଅପେକ୍ଷା କରିଛି, ତମକୁ ଯଦି ଏତେ ଖରାପ ଲାଗୁଚି ତମେ ଚାଲିଯାଅ ବରଂ; କିନ୍ତୁ ଦୟାକରି ଏଇ ଫାର୍ସ ବନ୍ଦ କର ।

 

ମୁହଁ ଶୁଖେଇଦେଲା ଶୁଭଦା । ତା’ର ଶୁଖିଲା ମୁହଁକୁ ଚାହିଁ ନରମି ଗଲା ଶୁଭଙ୍କର ।

 

: ତମେ ଏତେ ନର୍ଭସ ହେଇଯାଅ କିଆଁ ? ନର୍ଭସ ହେଲେ ଷ୍ଟ୍ରଗ୍‌ଲ କରିବ କେମିତି ? ଛି, ମୋ କଥାରେ ମନ ଦୁଃଖ କରନି, ପ୍ରକୃତ କଥା ଉପରକୁ ଆସ ।

 

ଶୁଭଦା ଚାହିଁଲା ଶୁଭଙ୍କରକୁ । ଏଇ ଲୋକଟା ପାଇଁ ସେ ଏତେ ବ୍ୟାକୁଳ ହେଇ ପଡ଼ୁଚି, ବାପା-ମା-ଭାଇ-ଭଉଣୀଙ୍କ ଭିତରେ ଜୀବନ ଖୋଜି ପାଉନି, କ’ଣ ଅଛି ୟା’ ଭିତରେ ? କ’ଣ ଅଛି ୟା ଭିତରେ ଯେ, ଅନେକ ଥର ଶୁଭଙ୍କର ସହ ଖୁଚୁରା ମନାନ୍ତର ହେଇଗଲା ପରେ ବି ସେ ଦେଖେ ଯେ, ତଥାପି ସମ୍ପର୍କର ହାତ ଲମ୍ବେଇ ଦେଉଛନ୍ତି ଉଭୟେ । କ’ଣ, କ’ଣ ଅଛି ଏ ମଣିଷଟା ପାଖରେ, କ’ଣ ଅଛି ? ଶୁଭଦା ଭାବିଲା-ହଁ ଅଛି, ଗୋଟେ ଅର୍ଥହୀନ ଆକର୍ଷଣ, ନ ପାଇବା ଯାଏ, ପାଇଗଲା ପରେ ଯାହାର ମୂଲ୍ୟ ହିଁ କେବଳ ହେବ ବୋରଡ଼ମ୍‌, ଯେମିତି ହଉଚି ସାରା ପୃଥିବୀରେ, ପ୍ରତିଟି ମଣିଷ ପାଖରେ, ଯେମିତି ହଉଚି ତା’ ମା’ ପାଖରେ, ଯେମିତି ହଉଚି ତା’ ଅପାଙ୍କ ପାଖରେ, ଯେମିତି ହେଇଥିବା ତା’ ପୂର୍ବ ଜନ୍ମରେ ।

 

ଗୋଟେ ରେସୋରାଁରେ ପଶିଯାଇ, ଚେୟାରଟିରେ ବସିବା ପରେ, ଶୁଭଦା ଏକ ନିଃଶ୍ୱାସରେ କହି ପକେଇଲା I ସେମାନେ ମତେ ବନ୍ଦୀ କରି ଦେଇଚନ୍ତି । ତମେ ଫେରି ଆସିବା ପରଠୁ, ମୁଁ ବନ୍ଦୀ ହେଇ ଯାଇଚି ଯେ, ଆଉ ମୁକ୍ତି ନାଇଁ ।

 

ଶୁଭଙ୍କର ଏଥର ଭାବପ୍ରବଣ, ଅଥଚ ଦୃଢ଼ ଭାବରେ କହି ପକେଇଲା ? ମୁଁ ତମକୁ ସବୁ ସମୟରେ ଗ୍ରହଣ କରିନେବାକୁ ପ୍ରସ୍ତୁତ ଅଛି; ଏମିତି କି ତମେ ବର୍ତ୍ତମାନ କହିଲେ ବି ରାଜି । କୁହ ତୁମେ ବାହାରି ଆସିପାରିବ ମୋ’ ସାଥୀରେ ଏଇ ମୁହୂର୍ତ୍ତରେ ? ଶୁଭଦା ଉତ୍ତର ଫେରେଇଲା ନି । ଚୁପ୍‌ଚାପ୍‌ ଚାମଚ୍‍ରେ ସନ୍ଦେଶ୍‌ଟାକୁ ଘୁରେଇଲା । ଶୁଭଙ୍କର କଥା ଦୋହରେଇଲା । ଶୁଭଦା ଉତ୍ତର ଫେରେଇଲା ନି ।

 

ଶୁଭଙ୍କର ତେବେ ବି ଉତ୍ତର ଚାହିଁଲା ଶୁଭଦା ପାଖରୁ ।

 

ଏଥର ଓଦା ହେଇ ଆସିଲା ଶୁଭଦାର କଥା । ରହି ରହି କହିଲା ସେ : “ନାଁ, ପାରିବିନି-। ବାପାଙ୍କ ବ୍ୟତିରେକେ ସବୁକିଛି ଗୋଳମାଳ ହେଇଯାଉଚି । ମୋର କ’ଣ ମନେହେଉଚି ଜାଣ ? ବାପାଙ୍କୁ ବୋଧହୁଏ ମୁଁ ସେତିକି ଭଲପାଏ, ଯେତିକି ଭଲପାଏ ତୁମକୁ । ବାପାଙ୍କର ମୁହଁ ମନେ ପକେଇଲେ, ମୋ’ ଭିତରେ ତୁମକୁ ପାଇବାର ଇଚ୍ଛା ଫିକା ହେଇଯାଏ । ନାଁ ମୁଁ ପାରିବି ନି ବୋଧହୁଏ । ତା’ଛଡ଼ା, ଜାଣିଚ, ବାପାଙ୍କର ଆଉ ଥରେ ଅପରେସନ୍‌ ହେବ ? ଏଥର ବି ସେମାନେ ମୋ’ଉପରେ ଦୋଷ ଲଦି ଦେଲେ ।” ଏଇତକ କହିଦେବା ପରେ ଶୁଭଦାକୁ ଉଶ୍ୱାସ ଲାଗେ, ମୁହଁ ଉଠେଇ ଚାହେଁ ଶୁଭଙ୍କରକୁ । ଏତେ ଦୁଃଖରେ ବି ଦୁହିଁଙ୍କର ଆଖି ମିଶିଯିବା ପରେ ହସି ପକାନ୍ତି ସେମାନେ । ଶୁଭଙ୍କର ପୁଣି ଗମ୍ଭୀର ହେଇଯାଏ । ଚା’ ବରାଦ୍‌ ଦେଇ ମଧ୍ୟ, ଚା’ ନ ପିଇ ଉଭୟେ ଉଠିଆସନ୍ତି ଟେବୁଲ ପାଖରୁ ।

 

ଶୁଭଦା ରିକ୍‌ସାରେ ଉଠିବାବେଳେ, ଶୁଭଙ୍କର ଶୁଭଦାର ହାତଟା ମୁଠେଇ ଧରି କହେ : ମୁଁ ଅପେକ୍ଷା କରିବି ।

 

ଶୁଭଦା ଉତ୍ତର ଫେରାଏ : ମୁଁ ବି ।

 

‘ଦି ପ୍ଲେଗ୍‌’ ବହିରୁ, ଆଖି ଉଠେଇ କ୍ଳାନ୍ତିର ହାଇ ଫିଙ୍ଗିଦେଲା ଶୁଭଦା । ରାତି ତିନିରୁ ତାକୁ ନିଦରୁ ଉଠେଇ ଦେଇ, ସେମାନେ ସବୁ ବାହାରି ଗଲେ, ବାପାଙ୍କ ଅପରେସନ୍‌ କାଲି ହେବା କଥା । ଶୁଭଦା ରହିଗଲା ଘରେ ଏକା, ମା’ ଗଲାବେଳେ ଘରର ଦାୟିତ୍ଵ ବୁଝେଇ ଦେଇ ଗଲା । ଶୁଭଦା ମଶାରୀ ବାହାରକୁ ମୁଣ୍ଡ ବାହାର କରି ବୁଝିନେଲା ଦାୟିତ୍ଵ ସବୁ । ସେମାନେ ପ୍ରସ୍ତୁତ ହେଇଗଲା ପରେ ଶୁଭଦା ମାଶାରୀ ତଳୁ ବାହାରି ଆସି, ସେମାନଙ୍କୁ ବାଟେଇ ଦେଇ ଆସିଲା ଓ ଭିତରୁ କବାଟ ବନ୍ଦ କରି ଫେରିଆସିଲା ବିଛଣାକୁ । ନିଦ ଲାଗିଗଲା ନି ଆଉ, ଅଧା କରିଥିବା ‘ପ୍ଲେଗ୍‌କୁ’ ଧରି ବସିଲା ।

 

ମାତ୍ର କେଇଟା ପୃଷ୍ଠାରେ କ୍ଳାନ୍ତ ହେଇ ପଡ଼ିଲା ଶୁଭଦା । ଆଜିକାଲି ଏସବୁ ବହିରେ ମନ ଦେଇପାରେ ନା ଶୁଭଦା । କ୍ଳାନ୍ତ ଲାଗେ ପୃଷ୍ଠେ ଦି’ପୃଷ୍ଠାରେ । ବହିଟା ବନ୍ଦ କରିଦେଇ, ଚୁପ୍‌ଚାପ୍‌ ବସିଲା ବୋଲି ବୋଧହୁଏ, ତା’ ଭିତରେ ଅନୁଭୂତି ତିଆରି ହେଇଗଲା ସଙ୍ଗେ ସଙ୍ଗେ । ବନ୍ଧୁ ପରିଜନ ପରି ଚାଲିଆସିଲା ସେଇ ପୁରୁଣା ଅନୁଭୂତି ତା’ ଛାତିକୁ । ଶୁଭଦା ଫିସ୍‌ ଫିସ୍‌ କଲା : ବନ୍ଦୀ ବନ୍ଦୀ ବନ୍ଦୀ । ବିଛଣାରେ ଆଉସ୍ଥିର ହେଇ ବସି ରହିପାରିଲା ନି ସେ ।

 

ଉଠି ଆସିଲା, ଗୋଟିଏ କରି ବୁଲି ବୁଲି ସବୁ ମଶାରୀ ଖୋଲିଦେଲା, ବିଛଣା ଝାଡ଼ି, ଘର ସଫା କଲା । ତା’ପରେ ଚୂଲୀ ଜଳେଇ ଚା’ ତିଆରି କଲା ନିଜ ପାଇଁ । ତେବେ ବି ରାତି ପାହି ନ ଥିଲା । ଶୁଭଦା ଚା’ କପ୍‌ ଧରି ଆଇନା ସାମ୍‌ନାରେ ଛିଡ଼ା ହେଲା । ଚା’ କପ୍‌ ଥରି ଉଠିଲା ତା’ର, ଚିତ୍କାର କଲା, ‘ବନ୍ଦୀ ବନ୍ଦୀ ବନ୍ଦୀ ।’ ବାମ୍ଫ ସଙ୍ଗେ ମିଳେଇଗଲା ଶବ୍ଦ ସବୁ । ଶୁଭଦା ମୁହଁ ବୁଲେଇ ନେଲା ଆଇନା ପାଖରୁ, କିନ୍ତୁ କାହିଁକି, କାହିଁକି ଆସିବ ତା’ର ସେ ଅନୁଭୂତିବୋଧ ? ସେ ତ ବନ୍ଦୀ ନୁହେଁ, ନିଜ ଶିଙ୍ଗରେ ନିଜେ ମାଟି ଖୋଳି ଶିଖିବା ପରେ କ’ଣ କୋଉ ଲୋକ ନିଜକୁ ବନ୍ଦୀ ବୋଲି କହିପାରେ ? ଭୂଇଁ ଉପରେ ପାଦ ଦୃଢ଼ କରି ଛିଡ଼ା ହେବା ପରେ କ’ଣ ସେ ନିଜକୁ ବନ୍ଦୀ ବୋଲି ମାନିନେବ ? ଏଇ ତ ସେଦିନ ସେ ବାପାଙ୍କ ସାମନାରେ ନିଜ ପ୍ରେମିକର ପ୍ରଶାଂସ କରିପାରିଲା ବିନା ଦ୍ୱିଧାରେ, ଘୋଷଣା କରିଦେଲା, ମୁଁ କାହାକୁ ଭୟ କରେନା ବୋଲି । ତେବେ ବି ମନେହୁଏ, ସେ ବନ୍ଦୀ ବନ୍ଦୀ ବନ୍ଦୀ, ସେ ପରାଧୀନ । ‘ପରାଧୀନ’, ହଁ, ଚମତ୍କାର ଶବ୍ଦଟିଏ ତ ସେ ଭାବିପାରିଲା, ନିଜକୁ ନିଜେ ତାରିଫ୍‌ କଲା ଶୁଭଦା । “ପରାଧୀନ” ଗୋଟେ ଚମତ୍‌କାର ଶବ୍ଦ ସତେ ।

 

ଶୁଭଦା ଭବିଲା, ଘର ଭିତରେ ସେ ଏକା ମନ ଇଚ୍ଛା ସବୁକିଛି କରିପାରିବ । ମନ ଚାହିଲେ ନିଆଁ ଜଳେଇ ଦବ ଘରେ, ମନ ଚାହିଲେ ଭାଙ୍ଗି ରୁଜି ଦେଇପାରିବ ସବୁ । ମନ ଚାହିଲେ ମୃତ୍ୟୁକୁ ହାତ ମୁଠାରେ ଧରିବ, ନିଷ୍ପ୍ରାଣ କରିଦେବ ସମଗ୍ର ଦେହଟା, ଉଡ଼େଇ ଦେବ ସ୍ୱାଧୀନତାର ପତାକା । କିନ୍ତୁ ଏତେ ସତ୍ତ୍ୱେ ବି କୋଉଠି ଗୋଟେ ଦୁଃଖ ଚିକ୍‌ ଚିକ୍‌ କରୁଥିଲା ଶୁଭଦାର । ପ୍ରଚଣ୍ଡ ଅଭିମାନରେ କୋହ ଉଠିଆସିଲା ତା’ର । ସମ୍ଭାଳି ପାରିଲା ନି ନିଜକୁ, ସୁଁ ସୁଁ ହେଇ କାନ୍ଦି ପକେଇଲା ଓ କାନ୍ଦୁ କାନ୍ଦୁ କହିଲା, ମତେ ଶାସ୍ତି ଦେବାକୁ ଆଉ କିଛି ଉପାୟ ମିଳିଲା ନି ବାପା ? ମୋର କି ଭଲ ପାଇବା ତମପ୍ରତି ସେତିକି ଯଥେଷ୍ଟ ନୁହେଁ ଯେ, ମୁଁ ଯାଇ ଠିଆ ହେଇ ପାରିବି, ତମର ଅନ୍ୟ ପିଲାମାନଙ୍କ ପରି; ଅପରେସନ୍‌ ଥିଏଟର ବାହାରେ ? କ’ଣ କରିବି କୁହ, ମୋ’ ଭିତରେ ଯେ ଗୋଟେ କଂପ୍ଲେକ୍‌ସ ତିଆରି ହଉଚି ବାପା, କଂପ୍ଲେକ୍‌ସ ତିଆରି ହେଉଚି ।

 

ଶୁଭଦା ଆଇନା ପାଖକୁ ଫେରିଆସିଲା, କହିଲା: ଜନ୍ମଠାରୁ ମୃତ୍ୟୁଯାଏ ପରାଧୀନତାକୁ ମାନି ନେଲି ବନ୍ଦୀ, ମାନି ନେଲି । ତେବେ ମରିବାର ସହଜୋତ୍ତମ ଉପାୟ କ’ଣ ବନ୍ଦୀ ? ସ୍ଵାଭବିକ ମୃତ୍ୟୁ ଉପରେ ମୋର ଭରସା ନାଇଁ, କେବେ ଯେ ସେ ଆସିବ, ଅପେକ୍ଷା କରି କରି ମୁଁ କ୍ଲାନ୍ତ ହେଇ ପଡ଼ିବି । ଶୁଭଦା କିଛି ସମୟ ଚୁପ୍‌ଚାପ୍‌ ଛିଡ଼ା ହେବା ପରେ ମୁହଁ ବୁଲେଇ ନେଲା ଆଇନା ସାମ୍‌ନାରୁ ।

 

ଘରସାରା ଖୋଜି ଖୋଜି ବାହାର କଲା ଗୋଟେ ପ୍ଲାଷ୍ଟିକ୍‌ ଦଉଡ଼ି । ଖଟଟା ଟାଣି ଆଣିଲା ଫ୍ୟାନ୍‌ ସିଧାକୁ, ଖଟ ଉପରେ ଚେୟାର ଆଣି ପକେଇଲା, ସିଲିଂ ଫ୍ୟାନ୍‌ ଦେହରେ ଜୋର୍‌ କରି ବାନ୍ଧିଦେଲା ଦଉଡ଼ିଟା । ତଳକୁ ଲମ୍ବି ଆସିଥିବା ଦଉଡ଼ିରେ ତିଆରି କଲା ଗୋଟେ ଫାଶ । ତା’ପରେ ଓହ୍ଲେଇ ପଡ଼ିଲା ଚଉକୀ ଉପରୁ । ତଳେ ଛିଡ଼ାହେଇ ଦେଖିଲା ଓ କଳ୍ପନା କଲା ମୃତ୍ୟୁକୁ ।

 

ଶୁଭଦା ମୁରୁକି ହସିଲା, ଫିସ୍‌ ଫିସ୍‌ ଗଳାରେ କହିଲା : ଦେଖୁଚ ବନ୍ଦୀ ମରିବାର ସହଜୋତ୍ତମ ଉପାୟଟା କେମିତି ଆପେ ବାହାରି ଆସିଲା ?

 

ଧୀରେ ଧୀରେ ଆଗେଇ ଗଲା ଶୁଭଦା ଚଉକୀ ପାଖକୁ, ଆଉ ଅଳ୍ପ ସମୟ ପରେ ଶିରା ପ୍ରଶିରା ପାଣି ହେଇଯିବ । ହାତ ମୁଠା ହେଇଯିବ ନାଁ ଖୋଲିଯିବ ? ଜିଭ ବାହାରି ଆସିବ ନାଁ ଦାନ୍ତ ଚିପି ହେଇଯିବ ? ଆଖି ବଡ଼ ହେଇଯିବ, ଟୋପେ ଲୁହ ନାଁ ଟୋପେ ରକ୍ତ ବାହାରି ଆସିବ ଆଖିରୁ ? ଛାତିରେ ପବନ ବାହାରକୁ ବାହାରି ପାରିବନି ନାଁ ବାହାର ପବନ ଛାତିରେ ପଶି ପାରିବ ନି ?

 

ଶୁଭଦା ଆଗେଇ ଯାଉ ଯାଉ ହିଁ ଫେରି ଆସିଲା । ମରିବା ପୂର୍ବରୁ ଶୁଭଙ୍କର ପାଖକୁ ଗୋଟେ ସୁନ୍ଦର ଚିଠି ଲେଖିଯିବ ସେ । ଖାତାଟିଏରୁ ପୃଷ୍ଠା ଛିଡ଼େଇ ନେଲା, ଚିଠି ଲେଖି ବସିଲା, ମଧୁର ଚିଠିଟିଏ-ଦୁଇ ଲାଇନ୍‌ର ଚିଠିଟିଏ ‘ତୁ’, ସମ୍ବୋନ୍ଧନରେ : “ତୋତେ ପାରିଯିବି ବୋଲି ଯେତେବେଳେ ସ୍ଥିର ନିଶ୍ଚିତ ହେଇଗଲି, ମନେ ହେଲା ସବୁ କିଛି ପାଇ ଯାଇଚି । ସବୁ କିଛି ପାଇ ଯାଇଚି ବୋଲି ଭାବିଲା ପରେ କ୍ଳାନ୍ତ ଲାଗିଲା । କ୍ଳାନ୍ତ ଯେ ଲାଗିଲାରେ ଧନ ବଞ୍ଚିବାକୁ ଇଚ୍ଛା ହେଲା ନାଇଁ ।” ଶୁଭଦା ପଢ଼ିଲା ଚିଠିଟାକୁ ହସି ପକେଇଲା, ବଡ଼ ରୋମାଣ୍ଟିକ୍‌ ଚିଠିଟା ସତେ ।

 

ପୁଣି ଥରେ ଚଉକୀ ଉପରେ ଉଠିଲା ଶୁଭଦା । ସେ ମରିଲା ପରେ, ତା ଶବ ପଚିଯିବ-। ଖଣ୍ଡ ଖଣ୍ଡ ହେଇ ପଚା ମାଂସ ଖସି ପଡ଼ିବ ତଳେ, ଝୁଲି ରହିବ କେବଳ କଙ୍କାଳଟା । କିଏ କହିବ ଦିନେ ସେ ବଞ୍ଚିଥିଲା ବୋଲି, ବଞ୍ଚୁଥିଲା ଖାଲି ଗପ ଲେଖିବାକୁ ! ଶୁଭଦା ଏଥର ଚି ମରି ପାରିଲା ନି, ଓହ୍ଲେଇ ପଡ଼ିଲା ଚଉକି ଉପରୁ । ଏ’ଠି ସେ’ଠି ରହିଥିବା ଗପ ସରୁ ଫାଇଲ୍‌ କରି ସଜାଡ଼ି ରଖିଲା । ନିବିଡ଼ ଭାବରେ ଚୁମାଟିଏ ଦେଲା ଗପ ଫାଇଲରେ । ତା’ପରେ ମୁଣ୍ଡ ପୋତି ଚାଲିଲା ସେ ପ୍ଲାଷ୍ଟିକ୍‌ ଦଉଡ଼ି ପାଖକୁ । କିନ୍ତୁ ଅଧା ବାଟରୁ ଫେରି ଆସିଲା ଶୁଭଦା ପପିର କୁଁ କୁଁ ଡାକରେ । ଆଦରରେ କୋଳେଇ ଧରିଲା ପପିକୁ । ତା’ପରେ ରାତିର ବାସି ରୁଟି ଦୁଇଟି ଆଣି ଗୁଞ୍ଜିଦେଲା ତା ମୁହଁରେ । ପପି କିନ୍ତୁ ଚୋବେଇଲା ବି ନାଇଁ, ଯେମିତି ସତେ ଅବା ରୁଚୁନି । ଶୁଭଦା ତା ମୁହଁରେ ଜୋର କରି ମାଡ଼ିଦେଲା ରୁଟିଟା ଓ କହିଲା, ତୁ ତ ବଞ୍ଚିଛୁ କେବଳ ମୋର ମୃତ୍ୟୁ ଦେଖିବାକୁ, ନେ ଖାଇ ଦେ’ରେ ବାପା । କୁକୁରଟା ବୋକା ବନି ଯାଇଥିଲା ସେମିତି, କେବଳ ଅନେଇଁ ରହିଲା ଯା’ ।

 

ଫ୍ୟାନ୍‌ରେ ଝୁଲୁଥିବା ଦଉଡ଼ିକୁ ଦେଖି, ଶୁଭଦା ଆକର୍ଷିତ ହେଇଗଲା ଆପେ । ଖଟ ଉପରେ ଚଢ଼ିଲା, ତାପରେ ଚଉକୀରେ । ଫାଶଟାକୁ ବଡ଼ କଲା, ମୁଣ୍ଡଟା ଗଳିବା ପରି । ଭୟରେ ମୁହଁ ତା’ର ତାତିଗଲା । ଠିକ୍‌ ମୁଣ୍ଡ ଗଳେଇବାକୁ ଗଲାବେଳେ ମୁଁ ବାହାର କବାଟରେ ଖଡ଼ ଖଡ଼ ଶବ୍‌ଦରେ ଚମକି ପଡ଼ିଲା ଶୁଭଦା । ତରତର ହେଇ ଶୁଭଦା ଓହ୍ଲେଇ ପଡ଼ିଲା ଚଉକିରୁ ।

 

ବନ୍ଦ ଦ୍ଵାର ଭିତରପଟୁ ଥାଇ ପଚାରିଲା : କିଏ ? କିଏ ଡାକୁଚ ? କହୁ କହୁ ହିଁ ଖୋଲିଦେଲା କବାଟ । କାହିଁ କେହି ତ ନ ଥିଲେ । ବରଂ ସକାଳୁଆ ଆଲୁଅ ଆଉ ପବନ ପଶି ଆସିଲା ଘର ଭିତରକୁ ।

 

ଶୁଭଦା ଥକ୍‌କାମାରି, କାନ୍ଥକୁ ଆଉଜି ବସିଗଲା କିଛି ବେଳ । ଫିସ୍‌ଫିସ୍‌ କଲା : ଶେଷରେ ମୃତ୍ୟୁ ପାଖରେ ପରାଧୀନତା ସ୍ଵୀକାର କଲ ବନ୍ଦୀ ! ଯେତେ ସହଜ ଭାବୁଥିଲ, ସେତେ ସହଜ ନୁହେଁ, ମରିବାରେ ବି ଗୋଟେ କ୍ଳାନ୍ତି ଅଛି ।

 

ଶୁଭଦା ବିଡ଼୍‌ ବିଡ଼୍‌ ହେଲା, କିଏ ଜାଣେ କେବେ ଯେ ଆସିବ ସ୍ଵାଭାବିକ ମୃତ୍ୟୁ ଉପରେ ତା’ର ଭରସା ନାଇଁ । ତାକୁ ଚାହିଁ ଚାହିଁ ସେ କ୍ଳାନ୍ତ ହେଇ ପଡ଼ିବ ନିଶ୍ଚେ ।

Image

 

ହୃଦୟକୁ ଖେଳନା କରି

 

ତମେ ଯଦି ଘରେ ବସିଚ, ତମ ହାତରେ କିଛି କାମ ନାହିଁ, ତମ ଛାତିରେ କିଛି କଲବଲ କରୁନି, କିମ୍ବା ପ୍ରଥମେ ପ୍ରଥମେ କଲବଲଉ ଥିଲେ ବି ଏବେ ସେଇଟା ଗୋଟେ ବଡ଼ ଧରଣର ଯନ୍ତ୍ରଣା ବୋଲି ମନେ ହେଉନି ଓ ତମେ ବସି ରହିଚ, ତେବେ ତମ ପାଇଁ ଗୁଡ଼ାଏ ପ୍ରଶ୍ନ ଆସିବ । ପ୍ରଥମ ଦିନ କେତେ ତମେ ଉତ୍ତର କରିବ: କମ୍ପିଟେଟିଭ ପାଇଁ ପ୍ରିପେୟାର କରୁଚି, ଗୋଟେ ଅମୁକ ଅଫିସର ପୋଷ୍ଟ ପାଇଁ ଆପ୍ଲାଇ କରିଚି, ମିଳିଯିବାର ଚାନ୍‌ସ ବହୁତ । ପ୍ରକୃତ ତମେ କିଛି କିଛି ଆଗ୍ରହ ନେଇ ସେସବୁ କରିଥିବ ବି । ସେତେବେଳେ ତମ କଥାରେ କିଛି ଓଜନ ଥିବ । ତମକୁ ବ୍ରିଲିଆଣ୍ଟ୍‌ ନ ଭାବନ୍ତୁ ପଛେ, ଉଦ୍ୟୋଗୀ ତ ଭାବିବେ । କିନ୍ତୁ କେତେଦିନ ତମେ ଏ ଗୋଟେ ଉତ୍ତର ଦବ କୁହ ? ଏମିତି ଗୋଟେ ସମୟ ଆସିବ, ତମେ ଉତ୍ତର ଦବାକୁ ଯାଇ କହିବ ବ୍ୟାଙ୍କ ପରୀକ୍ଷା ପାଇଁ ପଢ଼ାପଢ଼ି କରୁଚି । ତମେ କିନ୍ତୁ ନିରାଶ ହେବନି । କିଛି ଦିନ ଉତ୍ତାରେ ଦେଖିବ ତମ ଭିତରେ ସେମିତି କିଛି ଗୋଟେ ଆଗ୍ରହ ନଥିବ, ତମ ଛାତିରେ କିଛି କଲବଲ କରୁ ନ ଥିବ ତମେ ବସି ରହିଥିବ ଗୋଟେ ଚମତକାର ସ୍ୱାଧୀନତାକୁ ଉପଭୋଗୁଥିବ । ତେବେ ବି ତମ ପାଇଁ ପ୍ରଶ୍ନ ଆସିବ : କ’ଣ କୋଉଠି କିଛି ହେଲା । ତମେ ବିବ୍ରତ ହେବନି, ଲଜ୍ଜା ଅପମାନ ଅପାରଗ ପଣିଆର ଦୁଃଖ ତମକୁ ନାଲି କରିବନି, ତମେ ପୂର୍ବପରି ମିଛ କହି ଗର୍ବୀ ମଣିଷ ଭଳି ଦିଶିବନି, ସଂକୋଚରେ ଅବଧାନ ଆଗରେ ଉତ୍ତର ମନେ ପଡ଼ୁ ନ ଥିବା ଚାଟ ଭଳି ଧୀରେ ଧୀରେ କଥା ଖସେଇବନି, ତମେ ଖାଲି ମୁରୁକି ହସିଦେବ ।

 

ତମେ ବାରମ୍ବାର ଭାବୁଥିବ ତମେ ଗୋଟେ ଚମତ୍‌କାର ସ୍ୱାଧୀନତା ଉପଭୋଗୁଚ, ଚମତ୍କାର ସ୍ଵାଧୀନତା, ତେବେ ବି କେଉଠି ମେଘସନ୍ଦି ଆଲୁଅ ଭଳି, କଅଁଳ ଲୋମ ସବୁ ଭଳି, ଦେହର ଗନ୍ଧ ଭଳି, ମଡ଼ା ଆଖିର କଥା ଭଳି, ଜୀବନ ଜୀଇଁଲା ଭଳି, ଗୋଟେ ଆଦୃଶ୍ୟ ଜୀବନ ବିତାଉଚ । ଶୁଭଦା ସେ ଜୀବନର ନାଆଁ ଦିଏ ‘ଛୋଟ ସଂଘର୍ଷମୟ ଜୀବନ’ ।

 

ଶୁଭଦା ଖସି ଆସିଲା, ଖସି ଆସି ଛିଡ଼ା ହେଲା, ବାଣୀବିହାର ପାଣି ଟାଙ୍କି ପାଖରେ, ସିଡିକୁ ଆଉଜି-ଯଦିଓ ଶୁଭଦା ଜାଣେ ଏଇଟା ଏମିତି ଗୋଟେ ଜାଗା ଯେଉଁଠି ସେ ଏକୁଟିଆ ହେଇ ରହିପାରିବନି, କେହି ନା କେହି ପରିଚିତ ପହଞ୍ଚିଯିବ ଓ ତମର ଭଲମନ୍ଦ ପଚାରିବ ।

 

କିଛି ସମୟ ଏକୁଟିଆ ପକ୍ଷୀଟିଏ ଭଳି ଛିଡ଼ା ହେବା ପରେ ଶୁଭଦା ଦେଖିଲା ହାତରେ ମାଟିଆ ଖାମଟିଏ ଧରି ସାଙ୍ଗଟିଏ ଆସୁଚି ଓ ଶେଷରେ ସେ ଆସି ପହଞ୍ଚିଗଲା ଶୁଭଦା ପାଖରେ ।

 

ଆରେ ଶୁଭଦା ଯେ କେମିତି କଲ ? କେତେ ପରସେଣ୍ଟ ଉତ୍ତର ଦେଲ ?

 

ସିଧା ଚାହିଁଲା ଶୁଭଦା ସାଙ୍ଗଟିକୁ, ଏମ. ଏ. ବେଳର ସାଙ୍ଗ-ନାଆଁ ମନେ ପଡ଼ୁନି, ମଝି ରୋ ର ଚତୁର୍ଥ ଲାଇନରେ ବସେ, ପିଙ୍କ୍‌ସାର୍ଟ ପିନ୍ଧେ, ନାଆ ମନେ ପଡ଼ୁନି, କବି କବି ଚେହେରା ହେଇଯାଇଚି ଏବେ । କହିଲା : ମୁଁ ଅନ୍ୟମନସ୍କ ହେଇପଡ଼ିଲି । ‘ଅନ୍ତ୍ୟୋଦୟ ଇଜ୍‌ ଟର୍ମ ୟୁନଡ଼୍‌ ଫର୍‌’ ଲେଖିଲାବେଳେ ହିଁ ମୁଁ ଅନ୍ୟମନସ୍କ ହୋଇପଡ଼ିଲି । ହଠାତ୍‌ କ’ଣ ହେଲା ଯେ ? ମନେହେଲା ଯେତେ ସବୁ କମ୍ପିଟିଟିଭ୍‌ ପରୀକ୍ଷା ସବୁ ଗୋଟେ ଗୋଟେ ଜୁଆଖେଳ । ଜୁଆଖେଳ ନୁହେଁ ତ ଆଉ କ’ଣ ? ଥରେ ଜୁଆଖେଳ ଭାବି ଦେବା ପରେ ମୁ ଅନ୍ୟମନସ୍କ ହେଇପଡ଼ିଲି ।

 

ଶୁଭଦାର କଥାଟା ଶୁଣି ହସିଦେଲା ସାଙ୍ଗଟା : ହଅଁ, ଅଙ୍ଗୁର ଖାଇ ନ ପାରିଲେ ଖଟା ।

 

ଶୁଭଦା ଯୁକ୍ତି କଲାନି । ସେ ଠିକ୍‌ ବୁଝେଇ ପାରି ନଥାନ୍ତା ନିଜର ଚିନ୍ତାଧାରାକୁ । ସେ ନିଜେ ବି ବୁଝି ପାରିଲାନି, ହଠାତ ଏମିତି ଧାରଣାଟେ ତା’ର କାହିଁକି ହେଲା । ସେ କେବେ ମାର୍କିସ୍‌ଷ୍ଟ ନଥିଲା କି ବୁର୍ଜିୂଆ ପ୍ରତି ତା’ର ଘୃଣା ବି ନ ଥିଲା । ଏଇ ସମୟରେ ତା’ର ଶୁଭଙ୍କର କଥାଟା ମନେ ପଡ଼ିଗଲା । କେବେ ଥରେ ଗୋଟେ ଏପ୍ରିଲ ମାସରେ ଶୁଭଙ୍କର ସାଙ୍ଗରେ ଯାଉଥିବାବେଳେ, ରାସ୍ତା କଡ଼ରେ ଓହ୍ଲେଇ ପଡ଼ି, ଶୁଭଙ୍କର ଗୋଟେ ପାଣିଛତରରୁ ସିଲଭର ଗ୍ଲାସରେ ପାଣି ମାଗି ପିଇଲାବେଳେ, ଶୁଭଦା ଲାଜରେ ମୁହଁ ଘୋଡ଼େଇ ପକେଇ ଥିଲା, ରିକ୍‌ସାରେ ବସି । ଚିଡ୍‌ ଚିଡ୍‌ ହେଇ କହିଥିଲା ।

 

ତମକୁ କ’ଣ ଏତେ ଜୋର ଶୋଷ ହଉଥିଲା ? ଟିକେ ସମ୍ଭାଳି ପାରିଲା ଭଳି ନୁହେଁ ।

 

ଶୁଭଙ୍କର ହସି ଦେଇ ଥଟ୍ଟା କରିଥିଲା ତାକୁ । ତମେ ଗୋଟେ ମିଡିଲ୍‌ କ୍ଲାସ ଆରିଷ୍ଟୋତ୍ରାଟ୍‌ ।

 

ପ୍ରଥମେ ଶୁଭଦା ରାଗି ଯାଇଥିଲା, କହିଲା, ନା କୁହ ମିଡ଼ିଲ କ୍ଲାସ୍‌ ଲୋୟର ମିଡ଼ଲ୍‌ କ୍ଲାସ୍‌ ଭିକାରୀ କୁହ ।

 

ପରେ କିନ୍ତୁ ହସି ଦିଏ ଶୁଭଦା, କଥାଟା ଶହେରେ ଶହେ ହିଁ ସତ ।

 

ଏଇ ମୁହୂର୍ତ୍ତରେ ଶୁଭଙ୍କରର କଥାଟା ମନେ ପଡ଼ିଗଲା ଏଇଥି ପାଇଁ ସେ, ଶୁଭଙ୍କରର କଥାକୁ ଖାପିଲା ଭଳି ଶବ୍ଦଟିଏ ସେ ପରୀକ୍ଷା ହଲରେ ହିଁ ଚିନ୍ତା କରି ପାରିଚି ।

 

କେତେ ସମୟ ପରେ ପିଲାଟା କହିଲା : ଏଇଟା ତୁମର ଗୋଟେ ଭେଗ୍‌ ଚିନ୍ତା ଜୀବନକୁ ପ୍ରାକ୍ଟିକାଲ୍‌ ଭାବରେ ଭାବି ଦେଖ । ଏଇ ଦେଖନ ମୋ କଥା । ଜୀବନଟାକୁ କୋଉ ପ୍ରଶସ୍ତ ବାଟ ଦେଇ ଆଗେଇ ନେଲି ଯେ-ଏମିତି ଗୋଟେ ଲମ୍ବା କଥାର ସୁଅ ମଝିରୁ ଅଟକି ଯାଇ ହଠାତ୍‌ ପଚାରିଲା ।

 

କ’ଣ କରୁଚ ତମେ ଏବେ ?

 

ବସିଚି ।

 

ହଁ ସେଇ କଥା କହିବାକୁ ଚାହୁଁଥିଲି । ତମେ ଯେମିତି ବସିଚ, ଆମେ ସେମିତି ବସିଥା’ନ୍ତୁ । ମାମଲତକାର ଢଙ୍ଗରେ କହିଲା : ଆଚ୍ଛା ତମେ କୋଉଠି ଗୋଟେ ଦେଖି କି ରହି ପାରିଲିନି ?

 

ଶୁଭଦା ଅଳ୍ପ ହସି ଦେଲା : ତମକୁ କେତେ ଦଉଚନ୍ତି ?

 

ପିଲାଟା ହଠାତ୍‌ ଥା-ଥା-ମା-ମା ହେଇଗଲା ହଡ଼ ବଡ଼େଇକି, କ’ଣ କହିବ କହିବ ହଉ ହଉ କହିଲା : ସେ କଥା ନ ପଚାରିବା ଭଲ । ତା’ପରେ କହିଲା, “ଜାଣ ମୁଁ ନିନାକୁ ବାହାହେଇ ପଡ଼ିଲି ।”

 

ଶୁଭଦାର ମନେ ପଡ଼ିଗଲା, ଓହୋ ପିଲାଟାର ନାଆଁ ବିପିନ ।

 

ଶୁଭଦା କହିଲା : ଖୁବ୍‌ ଲକି ତମେ, ସବୁ କିଛି ପାଇଗଲ ।

ବିପିନ ଯେ ଏଥର ବରଷନ୍ତି ମେଘପରି ଓଜାଡ଼ି ହେଇ ପଡ଼ିବ, ଏ କଥା କ'ଣ ଶୁଭଦା ଜାଣିଥିଲା । ବିପିନ ଖାମ୍‌ଟିକୁ ମୋଡ଼ୁ ମୋଡ଼ୁ କହିଲା : ଜାଣ, ନିନା ମା ହେବା ଅପେକ୍ଷାରେ ବସି ରହିଚି, ଆଉ ମୁଁ ନିତି କଟକରୁ ଭୁବନେଶ୍ଵର ହେବା ଭିତରେ ଗୋଟେ ଅସହାୟତାକୁ, ଦିନେ ଅଧେ ନୁହେ, ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ ହିଁ ଭେଟୁଚି । କୁହ ତ ଦେଖି; ଚାକିରୀ କରି କିଏ ସବୁ ଦିନ ବାପା ପାଖରେ ହାତ ପକାଏ, ବାପା ଆଜିର ବସ ଫେୟାରଟା ଦିଅ !

ଶୁଭଦା ଭାବିଲା ପିଲାଟା ଅଜାଣତରେ ଅସହାୟତା ଯାକ ଥୋଇ ଦେଇଚି । ହୁଏତ ଆଉ ଟିକେ ପରେ, ନିଜର ଭୁଲ ପାଇଁ ସେ ଲଜ୍ଜାବୋଧ କରିପାରେ; କିମ୍ବା ଶୁଭଦାକୁ ସେ ଆଉ ଟିକେ ଅସହାୟ ବୋଲି ଭାବୁଚ, ଏମିତି କି ଗୋଟେ କଲମର କାଳି ପାଇଁ, ଖଣ୍ଡେ ପୋଷାକ ପାଇଁ ଗୋଟେ ଫଲିମ୍‌ ଟିକଟ ପାଇଁ ସେ ହାତ ପତେଇ ମାଗିବା ଅବସ୍ଥାରେ ଅଛି । ସମସ୍ତେ ତ ନିଜର ଅସହାୟତାକୁ ହଉ ପଛେ ଛିଣ୍ଡା ପୋଷାକରେ, ଟାଣି ଓଟାରି ଲୁଚେଇ ପକା’ନ୍ତି । କିଏ କାହିଁକି ଚାହିଁବ ଅନ୍ୟ ଆଗରେ ଲଙ୍ଗଳା ହେଇ ପଡ଼ିବାକୁ ? ଶୁଭଦା ହସିଦେଲା, କହିଲା, ହଁ ଅସହାୟତା ।

ଶୁଭଦା ଦେଖିଲା ପିଲାଟା ଆଉ କିଛି ଗପିବ ଗପିବ ହଉଚି । ତାକୁ ଅଣନିଃଶ୍ୱାସି ଲାଗିଲା, ଖସି ପଲେଇବାକୁ ମନ ଡାକିଲା । ଶୁଭଦା କହିଲା : କିଛି ମନେ କରିବନି, ମୋର ଆଗରେ ଟିକେ କାମ ଅଛି ଆସୁଛି ।

କରିଥିଲି ତ । କହୁ କହୁ ଶୁଭଦା ରାସ୍ତାକୁ ଓହ୍ଲେଇ ଉପରେ ଅପେକ୍ଷା କରି ଛିଡ଼ା ହେଲା-

ଘରକୁ ଫେରି ଆସିଲେ ଶୁଭଦାର ମନେହୁଏ ସେ ଗୋଟେ ନିରାପଦ ଆଶ୍ରୟସ୍ଥଳରେ ପହଞ୍ଚି ଯାଇଚି, ଯେଉଁଠି ସଞ୍ଜସକାଳର ପାର୍ଥକ୍ୟ ନ ଥାଏ । ଘରେ ବସି ରୁହ ଓ ଗୋଟେ ଅଳସୁଆ ଜୀବନ ବିତାଅ ।

ଏମିତି ଗୋଟେ ଅଳସୁଆ ଜୀବନ ବିତାଉଥିବା ବେଳେ ଶୁଭଦା ଦିନେ ଘରେ କାହାକୁ କିଛି ନ କହି ଡି. ଆଇ : ଅଫିସରେ ପହଞ୍ଚିଯାଏ ଓ ଗୋଟେଲିଭ୍‌ଭାକାନସି ଯୋଗାଡ଼ କରିନିଏ । ଏଥିପାଇଁ ତାକୁ ଇଣ୍ଟରଭ୍ୟୁ ଦେବାକୁ ପଡ଼େନି-କେବଳ ମୁହାଁମୁହିଁ କେଇଟା କଥା ।

ତୁମେ କ’ଣ କରିବ ସେଠି ? ତମେ ପରା ଏମ. ଏ. ପାଶ କରିଚ ? ଆଉ କିଛି ଦେଖୁନ ?

ଶୁଭଦା ଚିଡ଼ିଗଲା, ମନେ ମନେ ଭବିଲା, ତୋ ବୋପାର କ’ଣ ଯାଉଛି ମୁଁ ଯାହା କାଲେ ? ଉତ୍ତର ଦେଲାନି ।

ତମେ କ’ଣ ପାଇଁ ଚାକିରୀଟା ଚାହୁଁଚ, ଉଁ ?

ଏକ୍‌ସପିରିୟେନ୍‌ସ, ଏକ୍‌ସପରିୟେନ୍‌ସ ପାଇଁ ।

ଶୁଭଦା ଜାଣେ ବାପା କେବେ ପସନ୍ଦ କରିବେନି, ତେବେ ତା ଇଚ୍ଛା ବିରୁଦ୍ଧରେ ଆପତ୍ତି ବି କରିପାରିବେନି । ଶୁଭଦା କିଛଦିନ ହେଲା କାହାର ପସନ୍ଦ ଅପସନ୍ଦ ଉପରେ ଗୁରୁତ୍ଵ ଦଉନି । ନିଜେ ନିଜର ଭାଗ୍ୟନିୟନ୍ତା ହେବାକୁ ଚାହେଁ, ସେ ।

 

ସେଥିପାଇଁ ତ ଜଏନିଂରିପୋର୍ଟ ଧରି ଆସିଥିଲା, ଘରଠୁଁ ଷୋଳ କିଲୋମିଟର ଦୂରରେ ଥିବା, ପିଚୁ ରାସ୍ତାରୁ ଦେଢ଼ କିଲୋମିଟର ଚାଲିକରି ଯିବାକୁ ପଡ଼ୁଥୁବା, ଏଇ ଗୁଣଦେଇପୁର ଏମ୍‌. ଇ. ସ୍କୁଲକୁ । ଆଲମିରାରେ ପାର୍ଟିସନ ଦେଇ ତିଆରି ହେଇଥିବା ହେଡ଼ ମିଷ୍ଟ୍ରେସ୍‌ଙ୍କ ବଖରାରେ ପହଞ୍ଚି, ଶୁଭଦା ନମସ୍କାର ଦଉ ଦଉ ହସ ବଦଳେଇଥିଲା । ହେଡ଼୍‌ ମିଷ୍ଟ୍ରେସ୍‌ ତା’ର ଚିହ୍ନା ସ୍କୁଲବେଳର କେଇଟି ଉପର ବ୍ୟାଚର ଝିଅ ।

 

ଦି’ଚାରିଟା ମାମୁଲି କଥା ହେବାପରେ ହେଡ଼୍‌ ମିଷ୍ଟ୍ରେସ୍‌ କହିଲେ, ତମେ କ୍ଳାସଟେ ନିଅ । ତା’ପରେ ଛିଡ଼ାହେଲେ ଓ କହିଲେ ସେଭେନଥର ଏମ୍‌. ଆଇ. ଆଲ୍‌ କ୍ଲାସ୍‌ ଟା ନେବ ।

 

ଶୁଭଦା ଗୋଟେ ଅଦ୍ଭୁତ ଥ୍ରୀଲିଂ ନେଇ କ୍ଲାସ୍‌ ଟା ଭିତରେ ପଶିଥିଲା । ବିନା ଭୂମିକାରେ ଆରମ୍ଭ କରିଥିଲା : ପିଲେମାନେ ତମର କ’ଣ ପଢ଼ା ହଉଚି ?

 

“ରେବତୀ” ଏକ ସଙ୍ଗରେ ପିଲାଗୁଡ଼ା କହିଲେ ।

 

ଓଃ, “ରେବତୀ”, ଶୁଭଦା,ପଢ଼େଇବା ଆରମ୍ଭ କଲା : ରେବତୀର ସମାଜ ଊନ୍ନବିଂଶ ଶତାବ୍ଦୀ ଶେଷାର୍ଦ୍ଧର ସମାଜ । ରେବତୀରେ ଆମେ ଦେଖୁ ପରମ୍ପରା ଓ ପ୍ରଗତିର ସଂଘର୍ଷ ଜେଜିମା ପରମ୍ପରାର ପ୍ରତୀକ, ଆଉ ରେବତୀ, ପ୍ରଗତିର । ୟା’ଛଡ଼ା ରେବତୀ ଗୋଟେ ସୁନ୍ଦର ପ୍ରେମଗଳ୍ପ । ଫ୍ରୟେଡୀୟ ମନସ୍ତତ୍ତ୍ଵର….. । ଶୁଭଦା ଦେଖିଲା ପିଲାଗୁଡ଼ା ବୋକାଙ୍କପରି ଚାହିଁଛନ୍ତି । ଏଇଭଳି ଏକ କ୍ଲାଇମାକ୍‌ରେ ହେଡ଼ମିଷ୍ଟ୍ରେସଖ୍‌ ପହଞ୍ଚିଗଲେ ଓ ତାକୁ ଡାକି ନେଇଗଲେ । ତାପରେ କହିଲେ : ତମେ ଯାଅ । ଟିକେ ରହିଯାଇ କହିଲେ, ତମେ କମନ୍‌-ରୁମ୍‌କୁ ଯାଅ ଓ ଶୁଭଦାକୁ ଆବାକ୍‌ କରିଦେଇ ନିଜେ ପଢ଼େଇବାକୁ ବସିଗଲେ । ଗୋଟେ ଅପମାନ ବୋଧରେ ଶୁଭଦା ଥରିଗଲା । ବୁଝିପାରିଲା ନାଇଁ ତା ଭୁଲ ଟା କୋଉଠି ? କମନ୍‌-ରୁମ୍‌ କୁ ଫେରି ନ ଯାଇ ବାହାରେ ଛିଡ଼ାହେଇ ପାହାଡ଼ ଦେଖିଲା । ଶୁଭଦା ପାହାଡ଼କୁ ଚାହିଁଲା ଓ ନିଜକୁ ସହଜ କରିନେଲା, ଭାବିଲା ତା’ର ଏଇ ନୂଆ ଚାକିରୀଟା ବିଷୟରେ ଶୁଭଙ୍କରକୁ ଜଣେଇଦବ । ଲେଖିବ, ଜାଣି ଅନ୍ତତଃ ଗୋଟେ ମାସ ପାଇଁ ବୋର୍‌ଡମ୍‌ରୁ ମୁକ୍ତିପାଇ ଯାଇଛି । ଶୁଭଦା ପାହାଡ଼ ଦେଖୁଥିବାବେଳେ, ପିଲାମାନେ ପଡ଼ିଆରେ ଡେଇଁ ବୁଲିଲେ ।

 

ହେଡ଼ ମିଷ୍ଟ୍ରେସ୍‌ ଶୁଭଦାକୁ ବାହାରେ ଛିଡ଼ା ହୋଇଥିବା ଦେଖି ପଚାରିଲେ : ଆରେ ତମେ କମନ୍‌ରୁମ୍‌କୁ ଗଲନି ? ଆସ, ଅନ୍ୟମାନଙ୍କ ସଙ୍ଗେ ଚିହ୍ନା କରେଇଦେବି ।

 

କମନ୍‌ ରୁମ୍‌ ! ନା ଥାଉ । ଆଜିକାଲି ଶୁଭଦାର ଏମିତି କିଛି ହୁଏ, କୋଉଠି କିଛି ଅନ୍ତରଙ୍ଗର ପ୍ରଶ୍ନ ଉଠିଲେ ତାକୁ ଅଣନିଃଶ୍ଵାସି ଲାଗେ । ଶୁଭଦାକୁ ଅଣନିଃଶ୍ଵାସି ପଳେଇବାକୁ ମନ ଡାକିଲା । ଏକୁଟିଆ ପକ୍ଷୀଭଳି ଫୁର କି’ ଉଡ଼ିଯିବାକୁ ଚାହିଁଲା ସେ । କହିଲା : ମତେ ଆଉ କିଛି କ୍ଲାସ୍‌ ଦିଅନ୍ତୁ ।

 

ହେଡ଼୍‌ ମିଷ୍ଟ୍ରେସ୍‌ ହସିଲେ । ତାପରେ କାନ୍ଥରେ ଝୁଲୁଥିବା ରୁଟିନ୍‌ ଦେଖି କହିଲେ : ସିକସ୍‌ଥର ଗଣିତ ନିଅ । ବାରଣ୍ଡାରେ ହେଉଥିବା କ୍ଳାସ୍‌ରୁମ୍‌ଟିଏ ପାଖରେ ଛାଡ଼ିଦେଇ ଗଲେ ସେ ।

 

ଶୁଭଦା ବିବିଧ ପ୍ରଶ୍ନମାଳାରୁ ଅଙ୍ଗଟିଏ ଦେଇ ବସିରହିଲା । ଅଳ୍ପ ସମୟ ପରେ ଅତି ବ୍ୟସ୍ତ ହେଲ, ଓଲଟ କଚଟିରେ ଝାଲପୋଛି ସ୍ମାର୍ଟ ପିଳାଟିଏ, ଖାତାଧରି ପହଞ୍ଚିଲା । ଶୁଭଦା ଅଙ୍କ ଦେଖିଲା, ପ୍ରଶ୍ନ ପଢ଼ିଲା ଓ ପିଲାଟିର ମୁହଁକୁ ଚାହିଁ କୋଡ଼ିଏରୁ ଅଠରଦେଲା ପିଲାଟା ଟିକେ ଘୁଞ୍ଚିଆସି ଡାକିଲା : ସାର୍‌ !

 

କ’ଣ ହେଲା ?

 

ଅଠର ପାଇବିନି ।

 

ଆଉ କେତେ ?

 

ବେଶୀ, କୋଡ଼ିଏ ।

 

ତମେ ଶେଷଆଡ଼କୁ ଭୁଲ କରିଚି । ଉତ୍ତର ଠିକ୍‌ ଥିଲେ ବି ଅଙ୍କ ଠିକ୍‌ ହେଇ ନ ଥାଏ ବେଳେ ବେଳେ ।

 

ମୁଁ ତ କୋଡ଼ିଏ ପାଇଥିଲି, ଆର ସାର୍‌ ଦେଇଥିଲେ ।

 

ଆର ସାର୍‌ ଯାହା, ମୁଁ ସେୟା ନୁହେଁ ।

 

ଆର ସାର୍‌ ତ ଏକାଦଶ ପିଲାଙ୍କୁ ଅଙ୍କ ଟ୍ୟୁସନ କରନ୍ତି ।

 

କହୁଚିପରା ଆର ସାର୍‌, ଯାହା, ମୁଁ ସେୟା ନୁହଁ ।

 

କେତେ ସମୟ ଗୋଡ଼ଭାଙ୍ଗି ଠିଆହେବା ପରେ ପିଲାଟା ମିନତି କଲାପରି କହିଲା : ସାର୍‌ କୋଡ଼ିଏ ଦେବେନି ?

 

ଦେବିନି । ତମେ ତମ ଜାଗାକୁ ଯାଅ ।

 

ହେଡ଼ମିଷ୍ଟ୍ରେସ୍‌ଙ୍କୁ କହିବି ମୋର କୋଡ଼ିଏ ପାଇବା କଥା । ତାପରେ ଟିକିଏ ଚଢ଼ାଗଳାରେ କହିଲା : ଦେବେନି କେମିତି ଦେଖିବା ।

 

କୁହ ! ଶୁଭଦା ଦାନ୍ତରେ ଦାନ୍ତ ଚାପିଧରି କହିଲା : ୟୁ କିଡ୍‌ । ଶୁଭଦା ଶେଷପର୍ଯ୍ୟନ୍ତ କ୍ଳାସ ବସି ରହିଲା ।

 

ସେଦିନ ବସ୍‌ ଫେଲ୍‌ ହେଇ ଶୁଭଦା ଫେରି ଆସିଥିଲା ହେଡ଼୍‌ ମିଷ୍ଟ୍ରେସ୍‌ଙ୍କ ଘରକୁ । ଗାଁ ଭିତରେ, ଚାଲଘର, ବଡ଼ ଅଗଣା, ଘର ଭିତରେ ଗୋଟେ କୋଣରେ ଷ୍ଟୋଭ୍‌ଟିଏ, ଡ଼େକୁଚି, କରେଇ, କାନ୍ଥକୁ ଲାଗି ଖଟ, ଖଟ ପାଖକୁ ଟେବୁଲ, ଟେବୁଲ୍‌ ଉପରେ ଡାଏରୀ, କ୍ୟାଣ୍ଡଲ୍‌, ହେୟାରପିନ, କଲମ, କାନ୍ଥରେ ଅରବିନ୍ଦଙ୍କ ଫାଟ, ଅଗଣାରେ ଫିତା । ଖଟଟେ ।

 

ଶୁଭଦା ଫିତା ଖଟଟାରେ ମୁଣ୍ଡତଳେ ଦୁଇହାତ ଛନ୍ଦ ଶୋଇଲା । ଶୋଇ ଶୋଇ ଆକାଶ ଦେଖିଲା । ଆକାଶ ଦେଖୁ ଦେଖୁ ଛାତିର ବଖରା ଫିଟିଗଲା, ଶୁଭଙ୍କର ମନେ ପଡ଼ିଲା । ପ୍ରେମୀ ମଣିଷଟା କେମିତି ବଞ୍ଚିଛି ? ଗୁଡ଼ାଏ ଦିନ ହେଲା, କେତେ ମାସ ହେବ କେଜାଣି, ସେମାନଙ୍କ ଭିତରେ ଗୋଟେ ବନ୍ଧୁ ବନ୍ଧୁ ଭଳି ଭାବରହି ଆସିଚି । ଆଜିକାଲି ଶୁଭଙ୍କରର ଚିଠିପଢ଼ି ଶୁଭଦାର ଏମିତି ମନେହୁଏ ଯେମିତି ଶୁଭଙ୍କରର ହୃଦୟ ଜିନିଷଟା ହଜିଯାଇଚି । ଶୁଭଦା ବି ଜିଲ୍‌ ପାଏନା. ପ୍ରେମ କଥା ଗପିବାପାଇଁ । ଶୁଭଦାର ବେଳେ ବେଳେ ମନେ ହୁଏ ସେମାନେ ଦିଟା ବୃଦ୍ଧଦମ୍ପତ୍ତି-ମୃତ୍ୟୁକୁ ଯା’ ଅପେକ୍ଷା କରିଚନ୍ତି । ଦିନତ ବହିଯାଏ ସେମିତି । ଶୁଭଙ୍କର ଆଜିକାଲି ଆଉ ବ୍ୟସ୍ତ କରେ ନାଇଁ, ଆଗପରି କୁହେ ନାଇଁ : ତତେ ଦିନେ ଉଡ଼େଇ ନେବିରେ ସୁନା, ଉଡ଼େଇନେବି । ଶୁଭଦା ବସିରୁହେ, ଭାବେ ଏମିତିରେ ଦେଖିବାକୁ ଗଲେ ତା’ର ଦୁଃଖ କ’ଣ ଯେ ? ବସିରହିଚି ଓ ଗୋଟେ ଚମତ୍କାର ସ୍ଵାଧୀନତାକୁ ଉପଭୋଗ କରୁଚି । ଶୁଭଦା ଫିସ୍‌ ଫିସ୍‌ ହେଲା :

 

‘‘ଖାଅ ପିଅ ବଞ୍ଚିରୁହ, ଗଛବୁଛ ଭଳି ବଞ୍ଚିରୁହ

ଜୀବନ ଗୁଳାରେ ଜୀବନ ଚାଲିଚି ଚିନ୍ତାନାଇଁ, ଚିନ୍ତାନାଇଁ

ଖାଅ ପିଅ ବଞ୍ଚିରୁହ, ଓଲଟ କଚଟିରେ ଝାଳ ପୋଛିଦିଅ

ଆଞ୍ଜୁଳା ପାଣିରେ ଜୀବନ ରହିଚି ଚିନ୍ତାନାଇଁ ଚିନ୍ତାନାଇଁ ।”

 

ଶୁଭଦା ଦେଖିଲା, ହେଡ଼୍‌ ମିଷ୍ଟ୍ରେସ୍‌ ଷ୍ଟୋଭ୍‌ ପାଖରୁ ଉଠି ଛିଡ଼ା ହେଲେ । ଚା ଦି’କପ୍‌ ଧରି ଅଗଣାକୁ ଆସିଲେ। ଶୁଭଦା ଉଠିବସିଲା । ହେଡ଼୍‌ ମିଷ୍ଟ୍ରେସ୍‌ ପଚାରିଲେ : ତମେ ଚା’ରେ ବେଶୀ ଚିନି ଖାଅ ?

 

ଶୁଭଦା ଚା’ କପ୍‌ ଟିଏ ନଉ ନଉ କହିଲା : ଚା’ରେ ଚିନି ସ୍ଵାଦ ମୁଁ ବାରିପାରେ ନାଁ । କମ୍‌ ବେଶୀ ଯାହା ହେଲେ ଚଳିବ ।

 

ହେଡ଼ମିଷ୍ଟ୍ରେସ୍‌ ଶବ୍ଦକରି ଚା’ପିଇ କହିଲେ : ତମେ ସେ ପିଲାକୁ ନମ୍ବର ଦେଲନି, ସେ ପିଲା ମତେଆସି କହୁଥିଲା ।

 

ଶୁଭଦା କହିଲା : ପିଲାଟା ବଡ଼ ଅହଂକାରୀ ।

 

ହଁ, ସେ ସେକ୍ରେଟାରୀଙ୍କ ପୁଅ । ଗାଁରେ ପହଞ୍ଚି ସେକ୍ରେଟାରୀ ତମରିକଥା ପଚାରୁ ଥିଲେ ।

 

ଶୁଭଦା କିଛି କହିଲା ନାଇଁ । ହେଡ଼ମିଷ୍ଟ୍ରେସ୍‌ଙ୍କର ହଠାତ୍‌ କିଛି ମନେ ପଡ଼ିଗଲା ପରି ହସିଦେଇ କହିଲେ : ଆରେ ହଁ, ତମର ଏଠିକୁ ଆସିବାପରେ ଆମ ଷ୍ଟାଫରେ ଚାଞ୍ଚଲ୍ୟ ଖେଳଯାଇଚି । କଥା କ’ଣ କି, ଆମର ଜଣେ ଅନ୍‌ଟ୍ରେନଡ଼ ମ୍ୟାଟ୍ରିକୁଲେଟ ଅଛନ୍ତି, ତମକୁ ଦେଖି ତାଙ୍କର ସ୍ପନ୍ଦନ ବଢ଼ିଯାଇଚି, ତମେ କାଳେ ତାଙ୍କ ଜାଗାଟା ମାଡ଼ି ବସିବ ।

 

ଶୁଭଦା ଟିକିଏ ହସିଦେଲା ପ୍ରକୃତରେ ।

 

ହେଡ଼୍‌ ମିଷ୍ଟ୍ରେସ୍‌ କହିଲେ : ଦେଖ ଶୁଭଦା ଏମିତି ଅନେକ କାମ ହିଁ ଆମ ଇଚ୍ଛା ବିରୁଦ୍ଧରେ କରିବାକୁ ହେଇଥାଏ । ଇଚ୍ଛା ନ ଥାଇ ବି କେତେକ ଲୋକଙ୍କ ସଙ୍ଗେ ମିଶିବାକୁ ପଡ଼ିଥାଏ । ମୁଁ ତ ଭାବିଥିଲି ତମକୁ ନେଇ ସେକ୍ରେଟାରୀଙ୍କ ଘରକୁ ଯିବି ବୋଲି । କିନ୍ତୁ ଦେଖୁଚି ତମର କୌଣଥିରେ ହିଁ ଯେମିତି ଆଗ୍ରହ ନାଇଁ । ଟିକେ ରହିଯାଇ, ଅଳ୍ପ ହସିଦେଇ ପୁଣି କହିଲେ : ତମେ ତମରି ସାଙ୍ଗରେ ଦିନ ରାତି ଗପୁଚି । କିନ୍ତୁ ଏତେ ବେଶୀ ଇଣ୍ଟ୍ରାଭର୍ଟ ହେବା କ’ଣ ଭଲ ? ଶୁଭଦା ଚୁପ୍‌ରହି ମୁରୁକି ହସିଲା ।

 

ରାତିରେ ମହିଁଷିଦୁଧ ଆଉ ରୁଟି ଖାଇଲାବେଳେ ଶୁଭଦାର ଖସି ପଳେଇବାକୁ ମନ ଡାକିଲା । ଛାତି ଭିତରେ କିଛି ଗୋଟେ ଅଥୟକର ପକେଇଲା ତା’କୁ । ଶୁଭଦା ସକାଳ ହେଲାକ୍ଷଣି ଘରକୁ ଚାଲିଯିବ ।

 

ରାତିରେ ବିଛଣାରେ ଶୋଇ ଶୋଇ ଅନ୍ଧାରକୁ ଚାହିଁ ବିଡ଼୍‌-ବିଡ଼୍‌ ହେଲା : ଏଇ ଅନ୍‌ଟ୍ରେଣ୍ଡ-ଟିଚର ଖୁସି ହଁ, ମୁଁ କାଲି ଘରକୁ ପଳେଇବି ।

 

ଶୁଭଦା ଫେରିଆସିଗଲା ଘରକୁ । ମା’କୁ ପଚାରିଲା ! କାଲି ବସ୍‌ ଫେଲ୍‌ ହେଇ ରହିଗଲେ ହେଡ଼ ମିଷ୍ଟ୍ରେସ୍‌ଙ୍କ ଘରେ । ବାପ ବ୍ୟସ୍ତ ହଉଥିଲେ କି ?

 

ମା କହିଲା : ବ୍ୟସ୍ତ ହେବେନି ? କଣ କହୁଚ : ଶୁଭଦା ବାଥରୁମ୍‍ରେ ପଶିଲାବେଳେ ଘୋଷଣା କରିଦେଲା : ମୁଁ ଚାକିରୀଟା ଛାଡ଼ିଦେଲି । ତାକୁ କେହି ପଚାରିଲେ ନାଇଁ କ’ଣ ପାଇଁ ଚାକିରୀଟା ଛାଡ଼ି ଚାଲିଆସିଲା, ତାକୁ ଯେମିତି କେହିପଚାରି ନ ଥିଲେ କ’ଣ ପାଇଁ ଚାକିରୀଟା କରୁଚି ବୋଲି । ଅସଲରେ ତା ହାତରେ ଯେ କିଛି କାମ ହେବନି ଗୋଟେ ଶବ୍ଦରେ ‘ଅପଦାର୍ଥ’ ଏ କଥାଟି ସମସ୍ତେ ମାନି ନେଇଥିଲେ ।

 

ମା’ ଭାତବାଢ଼ି ଦେଲାବେଳେ ଶୁଭଦା ପଚାରିଲା ; ମୋର କିଛି ଚିଠି ଫିଠି ଆସିଥିଲା କି ମା ?

 

ଚିଠି ? କାହିଁ ନାଇଁତ ।

 

ଶଭଦାକୁ ରାସ୍ତାସାରା ବିହ୍ଵଳକରି ଦେଇଥିବା ପ୍ରପାତର ଶବ୍ଦ ଥମ୍‌କରି ଯେମିତି ବନ୍ଦ ହେଇଗଲା । ଦୀର୍ଘ ନିଶ୍ଵାସଟେ ଛିଡ଼ିଲା ଶୁଭଦା । ଘରକୁ ଆସିଲେ ତାର ଦ୍ଵିତୀୟ ସାଙ୍ଗ କେହି ନ ଥାନ୍ତି ଚିଠି ବ୍ୟତୀତ । ଶୁଭଦା ବେଳେ ବେଳେ ଭାବେ, ଶୁଭଙ୍କର ଶୁଭଦାର ସବୁ ଭାଇ ବନ୍ଧୁ, ଆତ୍ମୀୟଙ୍କୁ ଖାଇଯାଇଚି, ଖାଇଯାଇଚି କେବଳ ନିଜକୁ ଜାହିର କରିବ ବୋଲି । ସେଥିପାଇଁ ପୃଥବୀର ଯୋଉ କୋଣକୁ ଗଲେ ବି ଶୁଭଦା ଏକା ହେଇ ଯାଏ । ଏକାକୀତ୍ଵର ରୋଗ ଭୋଗ ଭୋଗି ଶୁଭଦା ଦିନେ ମୃତ୍ୟୁପାଖରେ ପହଞ୍ଚିଯିବ, ଦେଖିବ । ଦିନେ ରହ ଦେଖିବ, ଶୁଭଙ୍କରକୁ ସେ ବିଛଣାରେ ପାଇ ବି ଏକା ହେଇଯିବ ।

 

କେତେଦିନ ହେଲା ସେ ଚିଠି ପାଇନି । ମନେ ମନେ ହିସାବକରି ପକେଇଲା; ୟା’ ଭିତରେ ଦି’ଟି ସୋମବାର ଚାଲିଯାଇଚି । ଅଥଚ ଶୁଭଙ୍କରର ଖଣ୍ଡେ ବି ଚିଠି ନାହିଁ ! ଆଶ୍ଚର୍ଯ୍ୟ ହେଉ ହେଉ ରାଗିଗଲା ଶୁଭଦା । ସେ ଜାଣିଚି ଏ ଘରଟା ଭିତରେ ଅଦ୍ଭୁତ ଛକପଞ୍ଝାର ଖେଳ ଲାଗିରହିଚି । ଶୁଭଦା ଛାତିର ଧା’ଦଉଡ଼ ନେଇ ବସିରୁହେ ଚିଠିଟିଏ ପାଇଁ, ଅଥଚ ଅଧିକାଂଶ ସମୟରେ ତା’ର ଚିଠି ଘରେ ପହଞ୍ଚିବି ହଜିଯାଏ । ଶୁଭଦା ରାଗିଯାଏ, ବେଳେ ବେଳେ ଅଥୟ ହେଇ କାନ୍ଦିପକାଏ । କାହାକୁ ଦୋଷଦେଇ ଗାଳିଦେବ ଯେ ? ଘରଟା ତ ପଚାଶ ଲୋକକୁ ନେଇ କୁଟୁମ୍ବ ପରି ପରିବାର ।

 

ଏବେ କିନ୍ତୁ ଶୁଭଦା ରାଗି ଯାଇଥିଲା ଖୁବ୍‌ । ଏଇ ମୁହୂର୍ତ୍ତରେ ସେ ଉଠିଯିବ ଆଉ ପଚାରିବ : ତମକୁ ଏ ଅଧିକାର କିଏ ଦେଲା ? ଚିଠି ରଖି ମଜା ଉଠଉଚ, ନାଁ ମତେ ବ୍ଲାକମେଲ କରିବ ? ତମର ଉଦ୍ଦେଶ୍ୟ କ’ଣ ?

 

ଶୁଭଦା ଉଠି ଗଲାନି । ଆଳୁରୁ ଚୋପା ଛଡ଼େଇ, ଆଚାରରୁ ଖଟା ସ୍ଵାଦ ନସରିବା ଯାଏ ବସି ବସି ଖାଇଲା । ଶୁଭଦା କାହାକୁ ପଚାରିବ ଏକଥା ? ଘର ଭିତରେ ଶୁଭଦାର ଅଲଗା ଚେହେରା ଟେ ଅଛି । ସେଇଟା ତା’ର ‘ପ୍ରେମିକା’ ଚେହେରା । ଯେଉଁଥି ପାଇଁ ସେ ଘର ଭିତରେ ସବୁଠ; ବେଶୀ ପ୍ରମିନେଣ୍ଟ ଓ ମୁଖ ରୋଚକ ଗପର ବିଷୟ । ଶୁଭଦାର ଭଲ ପାଇବାଟା ବଡ଼ମାନଙ୍କ ଆଖିରେ ଅପରାଧ, ଛୋଟମାନଙ୍କ ପାଖରେ ବିସ୍ମୟ ଆଉ ବୟସ୍କମାନଙ୍କ ପାଖରେ ଗୋଟେ କୌତୁହଳ । ସମସ୍ତେ ଭାବନ୍ତି ଶୁଭଦା ନଷ୍ଟ ହେଇଗଲା । ଶୁଭଦା କିନ୍ତୁ ଏଇ ମିଡ଼ଲ୍‌ କ୍ଳାସ୍‌ କଂପ୍ଲେକ୍‌ସଟାକୁ ଖାତିର୍‌ କରେନାଁ । ତେବେ ବି ମନ ଦୁଃଖ ହୁଏ ।

 

ଶୁଭଦାର ଘରଟା ଗୋଟେ ବହୁ କୁଟୁମ୍ବୀ ଘରର ଗୋଟେ କୋଣରେ, ଯୋଉଠି ଗୋଟେ ଘରର ଛୁଙ୍କ ବାସ୍ନା ଅନ୍ୟ ଘରକୁ ଚାଲି ଆସେ ଯୋଉଠି ନିତି ଜାଗା ଜମି ପାଇଁ ଝଗଡ଼ା ଲାଗେ । ବାହାରୁ ଏମିତି ଦେଖିଲେ ଗୋଟେ ପରିବାର ବୋଲି ମନେ ଦେଉଥିଲେ ବି ସମସ୍ତେ ନିଜର ସଂସାର ଅଲଗା ଅଲଗା କର ନେଇଚନ୍ତି । ଘରଟା ଭିତରେ ଦୁଇ କିସମର ଲୋକ ଥାନ୍ତି । ଘରେ ବସିରହିବା ପରେ, ଶୁଭଦା ଏଇ ଘର ଲୋକମାନଙ୍କୁ ଦୁଇଟି ଦଳର କରିଦେଇଚି । ଦୁଇଟି ଦଳ କରି ଦେଇଚ ଏଥିପାଇଁ ଯେ, ଏ ଉଭୟ ଭିତରେ ଏତେ ବେଶୀ ଫାଙ୍କା ଅଛି ଯେ ସେଇଟା ଆଖିରେ ପଡ଼ିଲାଭଳି । ଦଳଟିଏ ଅଛନ୍ତି, ଯୋଉମାନେ ଖାଲି ଏଷ୍ଟାବ୍ଲିଶମେଣ୍ଟ ପଛରେ ଦଉଡ଼ିଛନ୍ତି । ଜେଜେବାପାଙ୍କ ବୁନିଆଦକୁ ଥଟ୍ଟା କରି କହନ୍ତି, ବୁଢ଼ାଟା କିଛି କରିନି, ଗୁଡ଼ାଏ ଜମି ଜଗା ଛଡ଼ା । ତା’ର ଅପା-ଭାଇମାନେ ତ ଗର୍ବ କରନ୍ତି, ଘରର ଆରିଷ୍ଟୋତ୍ରାସି ସେଇମାନେ ହିଁ ତିଆରି କରିଛନ୍ତି କହି । ଏମିତିକି, ଡେରିରେ ପ୍ରୋମୋଶନ ପାଇ ଫ୍ୟାକ୍‌ଟ୍ରିରେ ଅଫିସର ପୋଷ୍ଟକୁ ଆସିଥିବା, ବାପାଙ୍କୁ ବି ସେମାନେ ଏଷ୍ଟାବ୍ଲିଶଡ୍‌ ବୋଲି ଭାବନ୍ତିନି । ଏଷ୍ଟାବ୍ଲିଶଡ୍‌ କହିଲେ, ସେମାନେ ଅନ୍ୟ କିଛି ବୁଝନ୍ତି, ଯୋଉଥିପାଇଁ ଶୁଭଦା ବେଳେ ବେଳେ ଯୁକ୍ତିକରେ, କହେ:ପ୍ରତିଟି ମଣିଷ ଜନ୍ମହେବା ପରେ ନିଜସ୍ଵ ଧାରାରେଇ ବଞ୍ଚେ, ସେଇ ନିଜସ୍ଵ ଧାରାରେ ବଞ୍ଚି ରହିବାଟା କ’ଣ ବଡ଼କଥା ନୁହେଁ ? ମୁଁ ତ ଭାବେ ଗୋଟେ ରିକ୍‌ସାବାଲା ବି ଏଷ୍ଟାବ୍ଲିଶଡ୍‌ । ଡିକସ୍‌ନାରୀ ଶବ୍ଦକୁ ମୁଁ ମାନୁନି ।

 

ଶୁଭଦା ମୁହଁ ବୁଲଉ ନ ବୁଲଉଣୁ ସେମାନେ ଥଟ୍ଟାକର ପକାନ୍ତି : ତେବେ କହୁନୁ ତତେ ବି ଆମେ ଏଥର ଏଷ୍ଟାବ୍ଲିଶଡ୍‌ ବୋଲି କହିବୁ । ତୁବିତ ତୋର ଗୋଟେ ନିଜସ୍ଵ ଧାରାରେ ବଞ୍ଚିଚୁ ?

 

ଶୁଭଦା ରାଗିଉଠେ, ଯୁକ୍ତି କରିପାରେ ନାଇଁ । ଶୁଭଦା ଯେ ବେକାର, ଆଉ ବେକାର ଲୋକମାନେ ଯେ ଅସହାୟ ଏଇ କଥାଟି ସେଇମାନଙ୍କ ସାମ୍ନାସାମ୍ନି ହେଇଗଲେ ଚିନ୍ତା କରିପାଏ ।

 

ଦଶଟା ପୁରର ଫାଙ୍କା ଘରକୁ ଚାହିଁଲେ, ଶୁଭଦା ଆଗରେ ଅନ୍ୟଦଳଟି ପ୍ରମିନେଣ୍ଟ ହେଇପଡ଼େ, ଏଇ ମା-ବଡ଼ମା-ଖୁଡି ଇତ୍ୟାଦିଙ୍କୁ ନେଇ, ଯୋଉମାନେ କେବଳ ରୋଷେଇ କରନ୍ତି । ଦି’ ଜଣ ଏକାଠି ହେଇଗଲେ ଅନ୍ୟଜଣଙ୍କ ନାଆଁ ରେ ଗପ କରନ୍ତି । ବେଳେ ବେଳେ ଜାଗା ଜମି ଆଉ ପିଲାଙ୍କ କଥା କିମ୍ବା ଫେରିବାଲା, ସୁନାଗହଣା ରେସନ୍‌ ଭିତରେ ସେମାନେ ଏତେ ସୀମିତ ଯେ ଶୁଭଦା ସେମାନଙ୍କ ସଙ୍ଗେ ମିଶି ପାରିବିନି କେବେ ।

 

ଶୁଭଦା ଏମିତି ଭାବୁ ଭାବୁ ହିଁ ନିଜ ବଖରାକୁ ଚାଲିଆସିଲା । ଦିନଯାକର ସବୁଠୁ ବଡ଼କାମ, ଖାଇବା କାମଟା ସରିଗଲା, ୟା’ପରେ କ’ଣ କରିବ ଯେ ଗୋଟେ ଲମ୍ବାଦିନକୁ ହାତରେ ରଖି ? ତକିଆରେ ମୁହଁମାଡ଼ି ଶୋଇପଡ଼ିଲା । ଶୋଇପଡ଼ିଲା ଯେ ଦିନଟାକୁ ମାରିଦେଲା ।

 

ତା’ ପରଦିନ ବି ଦଶଟାପରେ, ଖାଁ ଖାଁ । ମୁହୂର୍ତ୍ତ ଆସିଗଲା । ଶୁଭଦା ଶୋଇବ ଶୋଇବ ହେଇବି ଶୋଇ ପାରିଲାନି, ଯଦିଓ ସେ ଜାଣେ ଦିନ ସବୁ ସରୁନି, ଗୋଟେ ଦିନ ଚାଲିଗଲେ, ତା’ ପାଇଁ ଆଉ ଗୋଟେ ଲମ୍ବା ଦିନ ଚାଲି ଆସୁଚି । ପ୍ରତିଟିତ ଦିନ ଭିତରେ କିଛି ଫରକ୍‌ ରହୁନି । ୟା ଭିତରେ ବି ତା’ର ଆନୁଭୂତିବୋଧ ସବୁ ଦନ୍ଥଡ଼ା ହୋଇ ଯାଇଚି । ଶୁଭଦା ଶୋଇ ଶୋଇ ପାଖ ରେଡ଼ିଓ ମେକାନିକ୍‌ ଦୋକାନରୁ ଆସୁଥିବା ‘‘ଚୋରୀ ଚୋରୀ ପିଲ୍ମିର ଚୋରୀ ଗୀତ ଶୁଣିଲା । ଶୁଭଦା ଗୀତଟା ଶୁଣୁ ଶୁଣୁ ଭାବିଲା, ଏ ଲୋକଟା ପାଗଳ ହେଇ ଯାଉନି କେମିତି-? ସପ୍ତାହେ ହେଲା ଏଇ ଗୋଟିଏ ଗୀତ ଦୋକାନୀଟା ବାରମ୍ବାର ଲଗେଇ ଚାଲିଚି, ସକାଳ ନଅରୁ ରାତି ଏଗାର ଯାଏ । ଶୁଭଦା ପୁଣି ଭାବିଲା ପାଗଳ ହୋଇଯିବ କାହିଁକି ଯେ ? ଏଇ ଯେ ସେ ବସି ଶୋଉଚି ଖାଉଚି, ଦିନ ପରେ ଦିନ ସମୟ ବିତଉଚ, ତା’ର କିଛି ପ୍ରତିକ୍ରିୟା ହଉନି ତ । ଅସଲରେ ସବୁ କିଛି ଘଟୁନି; କିଛି ଚାଞ୍ଚଲ୍ୟକର ଘଣାଟିଏ ଘଟୁନି ପୃଥବୀରେ । ଯେମିତି ହବ ହବ ହେଇ ଡରଉଚି, ଅଥଚ ତୃତୀୟ ମହାସମର ହଉନି; ପ୍ରଳୟ ହବ ହବ ହେଇ ପୃଥବୀଟା ଫାଟି ଯାଉନି କି ସମୁଦ୍ର ମାଡ଼ି ଆସୁନି, କଳକୀ ସଂହାରିବ ସଂହାରିବ ହେଇ ବି ଖଣ୍ଡିଆ ହାତ ନେଇ ଅଟକି ରହିଛି, ବାରହାତ ଖଣ୍ଡାର ଦେଖା ନାଇଁ ।

 

କେତେ ବର୍ଷ କେତେ ମନ୍ଵନ୍ତରେ ପ୍ରଲୟ ହୁଏ ?

 

ପ୍ରଳୟ ପରେ କ’ଣ ନୂଆ ମଣିଷ ଜନ୍ମ ନିଏ ? ନୂଆ ଭାବେ ଜୀବନ ଚାଲେ ?

 

ଶୁଭଦା ଫିସ୍‌ ଫିସ୍‌ ହୁଏ : ହଁ ହଁ ହୁଏ, ସବୁ ହୁଏ । ଉଠ, ଛିଡ଼ାହୁଅ, ଜୀବନକୁ ଏମିତି ଶୋଇଲା ଆଖିରେ ଦେଖା ଯାଏନାଁ । କମ୍ପିଟିଟିଭ୍‌ରେ ଦେଖା ହେଇଥିବା ବିପିନ୍‌ କଥା ଭାବିଲ, ସେ କେମିତି ଜୀବନର ମୁହାଁମୁହିଁ ଛିଡ଼ା ହେଇଚି ଦେଖ ଜୀବନକୁ “ସଂଘର୍ଷ” ବୋଲି ଛୋଟ ଶବ୍ଦଟିଏ ବାଦଦେଇ ଭାବି ହୁଏନା । ଛିଡ଼ାହୁଅ, ଧାଏଁ କି’ନା ବୋମା ଛାଡ଼ିଦିଅ । ତମେ ଗୁଣ୍‌ ଦେଇପୁର ହେଡ଼ ମିଷ୍ଟ୍ରେସ୍‌ ଘରେ ଶୋଇ ଶୋଇ ଗୀତ ଗାଉଥିଲ “ଜୀବନ ଗୁଳାରେ ଜୀବନ ଚାଲିଚି” । କେତେ କେତେ ଦିନ ଆଉ ଗାଇବ ? ଏମିତି ବଞ୍ଚି ରହିବାର କୌଣସି ମାନେ ନାଇଁ । ଏମିତି ଜୀବନ କି ଗୋଟେ ଜୀବନ ? ଉଠ୍‌, ହେ ଶୁଭଦା ଉଠ୍‌ ।

 

ଶୁଭଦା ଉଠି ପଡ଼ିଲା । ତା’ର ମନେହେଲା ବହୁତ ଜାଗା ଫାଙ୍କା ପଡ଼ିଚି, ବହୁତ ଜାଗା । ହେଲେ କୋଉଠି ? କୋଉଠି ଫାଙ୍କା ହେଲା ? ଶୁଭଦା ଆସିଲା, ମୁଢ଼ି ଟିଣରୁ ମୁଢ଼ି ଖାଇଲା । ମନେ ପକେଇଲା, କେମିତି ଅଯଥାଗୁଡ଼େ ସେ ଖାଇ ପକେଇଚି ଆଜି । ସକାଳେ ରୁଟି ଚା ଖାଇଲା, ତାପରେ ବିସ୍କୁଟ, ତାପରେ କଦଳୀ, ତା’ ପରେ ଚା’ ତାପରେ ପଖାଳ, ତାପରେ ମନ୍ଦିରର ଅନ୍ନଭୋଗ, ତା’ପରେ ଚୁଡ଼ାଚକଟା ତାପରେ ଦି’ ପହର ଭାତ ଖାଇସାରିକି ବି ତା’କୁ ଭୋକ ଲାଗୁଚି, ଆଶ୍ଚର୍ଯ୍ୟ ।

 

ଶୁଭଦା ଫିସ୍‌ ଫିସ୍‌ ହେଲା । ଏଇଟା ବୋର୍‌ ଡ଼ମ୍‌ର ଲଙ୍ଗଳା ଦେହ, ବୁଝୁନ ? ଖାଲି ଛିଡ଼ାହୁଅନି, ଆଗେଇ ଯାଆ । ନିଜ ଚିନ୍ତା ନିଜେ ନକଲେ, ତୁମ ଚିନ୍ତା କେହି କରିବେନି । ଅନ୍ୟ ଚିନ୍ତା କେହି କିହନ୍ତିନି ।

 

ଶୁଭଦା ଉଠିଯାଇ ଝରକା ପାଖେ ଛିଡ଼ା ହେଲା । ଦେଖିଲା, ଘରପାଖ ମନ୍ଦିର ଚଉତରାରେ କେଇଟା ସାଇଛୁଆ ବସି ତିନିପତିଆ ପକେଇଛନ୍ତି । ଏ ମନ୍ଦିରଟା ଦଶଟା ପରେ ବନ୍ଦ ହେଇଯାଏ । ମନ୍ଦିରର ପୂଜାରୀଟା କବାଟରେ ତାଲା ପକେଇ ଦେଇ ବାହାରିଗଲା ପରେ, ପିଲାଗୁଡ଼ା ପାଚେରୀ ଡେଇଁ ଭିତରେ ପଶି ତିନିପତିଆ ପକେଇ ଦିଅନ୍ତି, ବଡ଼ଟାଣି ଅଶ୍ଳୀଳ ଭାଷାରେ ଝଗଡ଼ା କରନ୍ତି । ଶୁଭଦା ସବୁଦିନ ଦଶଟା ପରେ ଏମିତି ଗୋଟେ ଦୃଶ୍ୟ ଦେଖେ । ଝରକାପାଖରୁ ଫେରିଆସି, ଫାଣ୍ଟମ୍‌ କମିକ୍‌ସ ଧରି ବସିଲା ଶୁଭଦା, ଡାୟନା କଲମ କାମୁଡ଼ିବସି ସୁନ୍ଦର ସ୍ମୃତିର ମୂହୁର୍ତ୍ତକୁ ମନେ ପକଉଚି । ଅନ୍ୟମନସ୍କ ହେଇପଡ଼ିଲା ସେ ।

 

ଶୁଭଦା ଫିସ୍‌ ଫିସ୍‌ ହୁଏ : ତମେ ନିଜକୁ ଭୁଲେଇ ରଖୁଚ । ମୋ କଥାକୁ ଖାତିର କରୁନ-। କେତେଦିନ ଆଉ ଏମିତି ହେଇ ରହିବ କାନ୍ଥର ରଙ୍ଗ ଆଉ ଘରର ଖିଡ଼ିକି ହେଇ ? ଜୀବନର ମୁହାଁମୁହିଁ ହୁଅ । କିଛି ତ ହେଲେ କର, କିଛି ତ ହେଲେ । ଗୋଟେ ଗପ କହୁଚି ଶୁଣ.... ।

 

ଶୁଭଦାର ମନେ ହେଲା ସେ ମା’ ପେଟରେ ନିବୁଜ କୋଠରୀର ଛୁଆଟିଏ ଭଳି ଦୁର୍ଗରହିଚି । ଏ ଘରଟାରେ ତାକୁ କେହି ତଡ଼ି ଦଉନି କି ଅଟକେଇ ରଖୁନି, ଅଥଚ ସେ ରହିଯାଇଚି-। କ’ଣ ପାଇଁ ଯେ ? ହଠାତ ଶୁଭଦା ଚାହିଁଲା, ମା’ ପେଟରେ ଅନ୍ଧାରିଆ କୋଠରୀ ଚିରି ବାହାରି ଆସିବ । ନିଜସ୍ଵ ଗୋଟେ ପୃଥବୀ କରିବା ପାଇଁ ତା’ର ମନ ଡାକିଲା । ନିଜସ୍ଵ ଗୋଟେ ପୃଥିବୀ ଥିବ, ଯୋଉଠି ତା’ର ଗୋଟେ ଭୂମିକା ଥିବ, ଯୋଉଠି ସେ ତରବର ଅଫିସିଆ ସକାଳ ବଢ଼େଇଦବ, କ୍ଳାନ୍ତ ହେଇ ସନ୍ଧ୍ୟାକୁ ଅପେକ୍ଷା କରିବ ।

 

ଏମିତି ଭାବୁ ଭାବୁ ଶୁଭଦା ତରତର ହେଇ ତଳକୁ ଓହ୍ଲେଲ ଗଲା । ମା’ ପାଖରେ ପହଞ୍ଚିଯାଇ ମାଗିଲା : ମା ଚାରିଟା ଟଙ୍କା ଦବୁ ?

 

: ଟଙ୍କା କ’ଣ କରିବୁ ?

 

ଶୁଭଦା ହଠାତ୍‌ ଭାବି ପାରିଲା ନାଇଁ କ’ଣ କହିବ । ଟିକେ ରହିଯାଇ କହିଲା, “ହଉଥାଉ, ଏବେ ନ ହେଲେ ଚଳିବ ଯେ ।” ଶୁଭଦା ମା’ ପାଖରୁ ଚାଲି ଆସିଲା ଓ ଟଙ୍କା ଯୋଗାଡ଼ କରିବା କଥା ଚିନ୍ତା କରୁ କରୁ, ମା ବାକ୍‌ସରୁ ପାଞ୍ଚଟଙ୍କିଆ ଖଣ୍ଡେ ଉଠେଇ ନେଲା । ସେଇ ପାଞ୍ଚଟଙ୍କିଆ ଖଣ୍ଡକ ଧରି ସେ ତାଙ୍କ ବହୁ କୁଟୁମ୍ବୀ ଘରଟାସାରା ବୁଲି ଆସିଲା । ଶେଷରେ ଅପେକ୍ଷାକୃତ ବୋକା, ମ୍ୟାଟ୍ରିକ୍‌ ପରୀକ୍ଷା ପ୍ରିପାରେସନ୍‌ ପାଇଁ ବସିଥିବା ସାନଭାଇଟିକୁ ଡାକି କହିଲା : ‘‘ଏଇ ଶୁଣ୍‌, ମୋର ଗୋଟେ ଟେଲଗ୍ରାମ୍‌ କରିଦବୁ ।” ଭାଇଟାର ଅନିଚ୍ଛା ପ୍ରକାଶୁଥିବା ମୁହଁଟା ଦେଖି ଶୁଭଦା କହିଲା : ମୁ ଦେଖ୍‌ ଯାହା ପଇସା ବଞ୍ଚିବ ସବୁ ତୋର । “ସୁନା ଭାଇଟାପରା” କହି ଶୁଭଦା ତା’ର କାନ୍ଧ ଧରି ଉଠେଇ ଦେଲା । ଗୋଟେ କାଗଜରେ ଲେଖିଦେଲା : “ଇଣ୍ଟିମେଟ....”

 

ଟେଲିଗ୍ରାମ୍‌ଟା କରି ଦେବା ପରେ ପରେ ଶୁଭଦା ଛାତି ଭିତରେ ଗୋଟେ ଅଦ୍ଭୁତ ସ୍ପନ୍ଦନ ଅନୁଭବ କଲା, ଅସ୍ଥିର ହେଇପଡ଼ିଲା । ଅଠର ମାସର ଅଳସୁଆ ଜୀବନ ଭିତରେ ଏଇ ପ୍ରଥମ ଥର ପାଇଁ ତ ସେ ଅସ୍ଥିର ହେଇପଡ଼ିଚି । ଏଇ ଅଠରମାସକାଳ ସେ ଶୋଇ ପଡ଼ିଥିଲା ଯେମିତି ।

 

ଖୁବ ଭାବିଚିନ୍ତି ରାତିରେ ଶୁଭଦା ମା’ ମାର୍ଫତରେ ବାପାଙ୍କ ପାଖକୁ ଖବର ପଠେଇ ଦେଲା, ସେ କଟକ ଯିବ ସି. ଏଲ୍‌. ସି. ଆଣିବା ପାଇଁ ।

 

ବାପା କିଛି ସମୟ ଗୁମ୍‌ ଖାଇ ବସି ଯାଇଥିଲେ, ଯେମିତି ଗୋଟେ ଦ୍ଵନ୍ଦରେ ପଡ଼ି ଯାଇଚନ୍ତି କିମ୍ବା ଯେମିତି ସେ ଶୁଭଦାର ଉଦାସୀନତା ପାଖରେ ହାରିଯାଇଚନ୍ତି କି ଗୋଟେ ଘୂମନ୍ତ ପକ୍ଷୀକୁ ଦେଖି ମାୟା ଆସିଯାଇଚି ଯେମିତି । କେତେ ସମୟ ପରେ ତଳ ଓଠ ଆଗକୁ କାଢ଼ି କହିଲେ : ଯାଉନି ।

 

ଏଇକଥା ପଦଟିରେ ଶୁଭଦାର ଛାତିରେ ଯେତେ ଅସ୍ଥିରତାର ମେଘ ଜମିଥିଲା, ସବୁ ଦେହରେ ଦେହ ପିଟି ଚାଲିଗଲା । ଶୁଭଦା କବାଟ ପଛଆଡ଼ୁ, ବାହାରି ଆସି ବିଛଣା ଝାଡ଼ିଲା । ତକିଆରେ ମୁହଁ ମାଡ଼ି ଶୋଇଲାବେଳେ ହଠାତ୍‌ ଭବିଲା ନାଁ ଆଉ ନୁହେଁ, ମୁହଁ ମାଡ଼ି ଶୋଇବନି ସେ । ମୁହଁ ମାଡ଼ି ଶୋଇବାଟା ପେସିମିଷ୍ଟିକ୍‌ ଲକ୍ଷଣ । ସେ ଶୋଇବ ରାଜାଭଳି ହଁ, ରାଜା ଭଳି ।

 

ପ୍ରାଇଭେଟ୍‌ ବସଷ୍ଟାଣ୍ଡ୍‌ରେ ଛିଡା ହେଇ ଶୁଭଦା ଚାରିଆଡ଼କୁ ଆଖି ବୁଲେଇ ନେଲା । ସବୁ ଦିଗରେ ହିଁ ବ୍ୟସ୍ତ ମଣିଷ । ଶେଷରେ ଗୋଟେ ପାନ ଦୋକାନରେ ଛିଡ଼ା ହେଇ, ମାଇଲ୍‌ ମାଇଲ୍‌ ଦୂରକୁ ଦୃଷ୍ଟି ଲମ୍ବେଇ ସିଗାରେଟ୍‌ ଖାଉଥିବା । ଶୁଭଙ୍କରକୁ ଦେଖି ପାରିଲା ଶୁଭଦା । ଖୁବ୍‌ ଶୀଘ୍ର ରାସ୍ତା ପାର ହେଇ ପହଞ୍ଚିଗଲା ତା’ ପାଖରେ । ଶୁଭଙ୍କର ସିଗାରେଟ ଓଠରେ ମୁରୁକୀ ହସିଦେଲା : ଏମିତି ବେଦୁଇନ୍‌ ପରି ବ୍ୟାଗ ଝୁଲେଇ ? କଥା କ’ଣ ? ଶୁଭଦା, ଶୁଭଙ୍କରର ପାଦ ସଙ୍ଗେ ପାଦ ମିଳେଇ ଚାଲୁ ଚାଲୁ କହିଲା : ତମେ ଥରେ ମୋଠୁଁ ଗୋଟେ ଦସ୍ତଖତ ନେଇଥିଲ, କଣ କଲ ? ଶୁଭଙ୍କର ଶୁଭଦାର କଥାକୁ ଖାତିର କଲାନି । ଆଉ ଖଣ୍ଡେ ସିଗାରେଟ ଲଗେଇଲା ।

 

କ’ଣ କିଛି କହୁନ ? ଶୁଭଦା କେମିତି ଓଦାଳିଆ ସ୍ଵରରେ କହିଲା ଶୁଭଙ୍କର ଏଥର ଉଦାସୀନ ଅଥଚ ଆଘାତ ଦେଲାଭଳି କହିଲା, ଆପ୍ଲାଇ କରିଥିଲି । କିନ୍ତୁ ସେ ତ ବହୁଦିନୁ । ଡେଟ୍‌ ଚାଲି ଯିବଣି । ତମକୁ କେତେଥର ଲେଖିଚି, କିନ୍ତୁ ତମେ ମୋର ସେଇ କଥାଟିର ଜବାବ ଦେଇନ କେବେ । ଶୁଭଦା ଏଥର ବ୍ୟାକୁଳ ହେଇପଡ଼ିଲା : ମିତି କୁହନି ମୁଁ ଯେ ତମ ସାଙ୍ଗରେ ଯିବାପାଇଁ ଆସିଚି ।

 

ଶୁଭଙ୍କର ଶବ୍ଦ କରି ହସିଦେଲା । ହସି ହସି କାଶି ପକେଇଲା ପାଗଳୀ !

 

ମିଛ କହୁନି । ସତରେ । ପ୍ରମିଜ । ପ୍ରମିଜ ।

 

ଶୁଭଙ୍କର ଦୀର୍ଘଶ୍ଵାସଟିଏ ନେଲା କେବଳ ।

 

ମୁଁ ସିରିୟସଲି କହୁଚି । ନ ହେଲେ ବ୍ୟାଗ କାହିଁ ଆଣିଥାନ୍ତି ସାଙ୍ଗରେ ?

 

କ’ଣ ଆଣିଚ ସେ ବ୍ୟାଗରେ ? ଶୁଭଙ୍କର ସିଗାରେଟ ଫିଙ୍ଗି ଦେଇ ପଚାରିଲା ।

 

ଶାଢ଼ୀ ଖଣ୍ଡେ କେବଳ । ଟିକେ ରହିଯାଇ କହିଲା, ଆଉ ସବୁ ଆମେ ଘର ବସେଇଲେ କରିନେବା ନି ? କିନ୍ତୁ କାଲି ପାଇଁ ତ ଶାଢ଼ୀଟିଏ ଲୋଡ଼ା ନିହାତି । ତା’ପରେ ହଠାତ୍‌ ମନେ ପଡ଼ିଗଲା ପରି କହିଲା, ଏଇ ମୁଁ ବ୍ରଶ ଆଣିବାକୁ ଭୁଲି ଯାଇଛି, ସକାଳ ହେଲେ ହିଁ ଲୋଡ଼ା ସେଇଟା । ଏଇଠୁ କିଣିନେବା ଆଜି ।

 

ଶୁଭଙ୍କର ତରଳି ଯାଉଥିଲା ମହମ ପରି । ଚାଲୁ ଚାଲୁ ଅଟକି ଗଲା ଓ ଶୁଭଦାକୁ ଚାହିଁଲା, ତମେ ଯଦି ସତରେ କହୁଥାଅ, ଏଭଳି ଗୋଟେ ରିସ୍‌କ ମୁଁ ହାତକୁ ନେବି ।

 

ଶୁଭଦା ମୁଣ୍ଡ ହଲେଇ ‘ହଁ’ କଲା । ଗୋଟେ ଅଦ୍ଭୁତ ଆଡ଼ଭେଞ୍ଚର ଓ ଆନନ୍ଦରେ ଶିହରୀ ଉଠିଲା ସେ ।

 

ଶୁଭଙ୍କର ରିକ୍‌ସାଟେ ଡାକିଲା । ଶୁଭଦାକୁ ଚାହିଁ କହିଲା ଦି’ ତିନିଟା ୱିଟ୍‌ନେସ ପ୍ରଥମେ ଯୋଗାଡ଼ କରିବାକୁ ପଡ଼ିବ । ରିକ୍‌ସାରେ ଉଠିଲା ମାତ୍ରେଇ ଶୁଭଦାର ଛାତି ଧମ୍‌ ଧମ୍ କରି ଉଠିଲା-। ଏତେ ଜୋରରେ ଧମ୍‌ ଧମ୍ ହେଲା ଯେ, ତାର ମନେହେଲା ଛାତିଠୁ ଗଳା ଭିତରେ ଗୋଟେ ଅସ୍ଥିର ପବନ ଘୂରି ବୁଲୁଚି । ତାକୁ ଲାଗିଲା ତାଙ୍କ ରିକ୍‌ସା ଆଗରେ ରିକ୍‌ସା ଛିଡ଼ା କରିଦେବେ । ଶୁଭଦାକୁ ରିକ୍‌ସାରୁ ଟାଣି ଆଣିବେ, କହିବେ ଖସି ପଳାଉଥିଲୁ ? ଶୁଭଦାର ମୁହଁ ଉପରକୁ ତାତି ଚାଲି ଆସିଲା । ଶୁଭଦା ଧୀରେ ଶୁଭଙ୍କର ଆଣ୍ଠୁରେ ଟିପ ମାରିଲା । ଶୁଭଦାର ଫିକା ପଡ଼ି ଯାଇଥିବା ମୁହଁକୁ ଚାହିଁ, ଶୁଭଦାର ପିଠି ଥାପୁଡ଼େଇ କହିଲା, ଡରନି ।

 

ଶୁଭଦା ଜୋରରେ ନିଃଶ୍ୱାସଟେ ଛାଡ଼ିଲା ।

 

ଶୁଭଙ୍କର ରାଣୀହାଟରେ ରିକ୍‌ସା ରଖେଇଲା, କହିଲା-ଟିକେ ବସିଥାଅ, ମୁଁ ଆସୁଚି । ଏଇଠି ଗୋଟେ ପ୍ରେସ୍‌ବାଲା ସାଙ୍ଗ ଅଛି । ତାକୁ ଧରିଲେ ଆଉ ଦି’ଟା ଓ ୱିଟ୍‌ନେସ୍‌ ଯୋଗାଡ଼ ହେଇଯିବ ।

 

ଶୁଭଦା ରିକ୍‌ସାରେ ତଳକୁ ମୁହଁ କରି ବସି ରହିଲା । କେତେ ସମୟ ପରେ ଶୁଭଙ୍କର ଫେରି ଆସିଲା ଏକୁଟିଆ । ଶୁଭଦା ପଚାରିଲା, କ’ଣ ହେଲା ?

 

ସେ ଭୁବନେଶ୍ଵର ଚାଲିଯାଇଛି କାମରେ ।

 

ଶୁଭଦା କହିଲା, ମୋର ଜଣେ କବି ଚିହ୍ନା ଅଛନ୍ତି ଚାଉଳିଆଗଞ୍ଜରେ । ଶୁଭଙ୍କର ସିଗାରେଟ୍‌ଟିଏ ଧରି କାଶି ଉଠିଲା : ବ୍ୟସ୍ତ ହେବାର କିଛି ନାଇଁ, ମେଡ଼ିକାଲ୍‌ କଲେଜର ପ୍ରଶାନ୍ତ ମହାପାତ୍ରକୁ ଡାକି ଆଣିଲେ ହବ । ତା’ପରେ ରିକ୍‌ସାବାଲାକୁ ଚାହିଁ କହିଲା : ଏ ରିକ୍‌ସା ମେଡିକାଲ ନେଇ ଚାଲ ।

 

ମେଡ଼ିକାଲ୍‌ କଲେଜ ହଷ୍ଟେଲ ସାମନାରେ, ତାକୁ ରିକ୍‌ସାରେ ଛାଡ଼ିଦେଇ ଶୁଭଙ୍କର ଓହ୍ଲେଇ ପଡ଼ିଲା । ଶୁଭଦା ଏକୁଟିଆ ବସି ଥିବାବେଳେ ବେକକୁ ଉପରକୁ ଲମ୍ବେଇ ଦେଇ, ସିଧା ହେଇ ବସିଲା ନିଜକୁ ଲୁଚେଇବା ପାଇଁ । କେତେ ସମୟ ପରେ ଶୁଭଙ୍କର ଫେରି ଆସିଲା ସେମିତି ଏକା ଏକା ।

 

ଗୋଟେ ଭୟ ମିଶା ହତାଶ ଗଳାରେ ଶୁଭଦା ପଚାରିଲା : କ’ଣ ସେ ବି ନାହାନ୍ତି ? ଅନ୍ୟମନସ୍କ ପରି ଶୁଭଙ୍କର କହିଲା : ମୁଁ ତାଙ୍କ ରୁମ୍‌ଟାରେ ତାଲା ପଡ଼ିଚି । ତା’ପରେ ହାତ ଘଣ୍ଟାକୁ ଚାହିଁ ବ୍ୟସ୍ତ ହେଇ ରିକ୍‌ସାରେ ଉଠି ପଡ଼ିଲା ସେ ।

 

ସେମାନେ ଚାଉଳିଆଗଞ୍ଜରୁ ବିନୋଦବିହାରୀ ଯାଏ ଘୂରି ବୁଲିଲେ । କଟକ ଟାଉନ୍‌ଟାରେ ଏତେ ଲୋକ ଚିହ୍ନା ଅଥଚ ଦରକାରବେଳେ ଜଣେ ବି ଆଖିରେ ପଡ଼ୁନାହାଁନ୍ତି । ଶୁଭଙ୍କର ଅଧୈର୍ଯ୍ୟ ହେଇ ଉଠୁଥିଲା । ଏତେ ଅଧୈର୍ଯ୍ୟ ହେଇ ପଡ଼ିଥିଲା ଯେ, ରିକ୍‍ସାବାଲାକୁ ଅଯଥା ଗୁଡ଼େ ବକି ଯାଉଥିଲା ।

 

ଶେଷରେ ଗୋଟେ ବହି ଦୋକାନ ପାଖରେ ରିକ୍‌ସା ରଖେଇଲା ଶୁଭଙ୍କର । ବହି ଦୋକାନର ଦି’ ଚାରିଟା ଲୋକ ହସି ହସି ନମସ୍କାର କଲେ ତାକୁ । ଶୁଭଙ୍କର କହିଲା ଫୋନ୍‍ଟିଏ କରିବାକୁ ଥିଲା । ସେମାନଙ୍କ ଭିତରୁ ଲୋକଟିଏ କହିଲା : ଆଜ୍ଞା ସେଇ ଭିତରକୁ ଯା’ନ୍ତୁ, ଟେବୁଲ ପାଖ ସେଲଫ୍‌ରେ ଅଛି ।

 

ଶୁଭଦା ଶୁଭଙ୍କର ପଛେ ପଛେ ଭିତରକୁ ଗଲା । ଶୁଭଙ୍କର ଦି’ଟା ଚା’ ମଗେଇ, କୋଉ ଗୋଟେ ନମ୍ବରରେ ଫୋନ କଲା । ଶୂନ୍ୟକୁ ଚାହିଁ ଚାହିଁ ସିଗାରେଟ୍‌ ଟାଣୁ ଟାଣୁ, ମୁହଁ ପାଖରୁ ଖସେଇ ଆଣି ରିସିଭରଟା ଥୋଇଦେଲା ଏବଂ ପୁଣି ଥରେ ଆଉ ଗୋଟେ ନମ୍ବର, ଲଗେଇଲା । କ’ଣ ଦି’ଟା କଥା ପଚାରି ଦେଇ ଥୋଇଦେଲା ଓ ପ୍ରଥମ ନମ୍ବରଟି ଆଉ ଥରେ ଲଗେଇଲା ।

 

ଶୁଭଦା ଦେଖିଲା, ଚା’ ମଗେଇବା ଏବଂ ଚା’ ଖାଇବା ଭିତରେ, ଶୁଭଙ୍କର ଅସ୍ଥିର ଭାବରେ ବାରମ୍ବାର ଫୋନ୍‍ ଉଠେଇଚି, ହାତ ଘଣ୍ଟାକୁ ଚାହିଁଚି, ବ୍ୟସ୍ତ ହେଇପଡ଼ି ଦୀର୍ଘନିଃଶ୍ଵାସ ଛାଡ଼ିଚି । ଶୁଭଙ୍କରର ଏମିତି ବାରମ୍ବାର ଫୋନ ଉଠେଇବା ଦେଖି, ସେ କ୍ଳାନ୍ତ ହତାଶ ହେଇଗଲା । ଡରିଗଲା ମଧ୍ୟ । ଯେତିକି ଯେତିକି ଡେରି ହଉଥିଲା, ଶୁଭଦାକୁ ସେତିକି ସେତିକି ଡର ଲାଗୁଥିଲା । ଛାତିରେ ଧମ୍‌ ଧମ୍‌ ଶବ୍ଦ ନେଇ ଭାବୁଥିଲା, ଏଇ ସେଇ ମୁହୂର୍ତ୍ତ ଆସିଗଲା, ତା’ର ଧରା ପଡ଼ିଯିବାର ମୁହୂର୍ତ୍ତ ।

 

ହଠାତ୍‌ ଶୁଭଦାର ମନେ ପଡ଼ିଗଲା, ଏକଦା ପିଉସୀଙ୍କ ଘରେ ଭଡ଼ା ଥିବା ତା’ର ଦି’ଜଣ କ୍ଲାସ୍‍ମେଟଙ୍କ କଥା । ସେମାନେ ଗୋଟେ ସମୟରେ ତା’ର ଅନ୍ତରଙ୍ଗ ଥିଲେ ଏବେ ବି ଗ୍ରୀଟିଙ୍ଗସ୍ ପଠାନ୍ତି ତା ପାଖକୁ । ପିଲା ଦି’ଟା ଗଣେଶଘାଟକୁ ଘର ବଦଳେଇଚନ୍ତି । ଜଣେ ଏକସାଇଜ ବିଭାଗରେ ଚାକିରୀ ପାଇଚି, ଆଉ ଜଣେ ଆଇ. ଏ. ଏସ. ପ୍ରିଲିମିନାରୀ ପାଇ ବସି ପଢ଼ାପଢ଼ି କରୁଚି । ଶୁଭଦା ଶୁଭଙ୍କରର ବ୍ୟସ୍ତ ମୁହଁକୁ ଚାହିଁ କହି ପକାଇଲା, ‘ଗଣେଶଘାଟ ଯିବା ? ସେ’ଠି ମୋର ଦି’ଜଣ ଚିହ୍ନା ଅଛନ୍ତି ।” ଶୁଭଙ୍କର ସିଗାରେଟ ଟୁକୁରା ଜୋତାରେ ମକଚି ଦେଇ କହିଲା : ସେମାନେ କ’ଣ ଏବେ ଥିବେ ବୋଲି ତମେ ଭାବୁଚ ? ଶୁଭଦା ଛିଡ଼ା ହେଉ ହେଉ କହିଲା : ଚେଷ୍ଟା କରିବା ।

 

ସାଙ୍ଗ ଦି’ଟା ପ୍ରଥମେ ଆଶ୍ଚର୍ଯ୍ୟ ହେଇଗଲେ ବି ଖୁସିରେ ପ୍ରସ୍ତାବଟି ଗ୍ରହଣ କରି ନେଇଥିଲେ । ସେମାନେ ନିଜ ତରଫରୁ ଗୋଟେ ୱେିଟନେସ୍‌ ଯୋଗାଡ଼ କରିନେଲେ,

 

ଯୋଉ ଲୋକଟିକୁ ନାଁ ଶୁଭଦା ଜାଣେ ନାଁ ଶୁଭଙ୍କର । କିନ୍ତୁ ସବୁଠୁ ଦୁଃଖ ହେଉଚି ସେମାନେ ଶୁଭଙ୍କରକୁ ଏମିତି ବିସ୍ମୟଭରା ଆଖିରେ ଚାହିଁ ନିଜ ଭିତରେ ଦୃଷ୍ଟି ବିନିମୟ କଲେ ଯେ, ଜୀବନରେ ଏମିତି ଅଭୁତ ଜୀବଟିଏ କେବେ ଦେଖି ନାହାନ୍ତି ଯେମିତି । ଶୁଭଦା ହଡ଼ବଡ଼େଇଗଲା । କ’ଣ ହେଇଚି ଶୁଭଙ୍କରର ? ନଜର ଫେରେଇଲା ଶୁଭଙ୍କର ଆଡ଼େ । ଲମ୍ବା ଚଉଡ଼ା ଚେହେରାର ପିଲାଟେ, ବେକ ତଳଯାଏ ବଢ଼ି ଆସିଛି ଲମ୍ବା ଲମ୍ବା ବାଳ । ମୁହଁ ଭର୍ତ୍ତି ଛୋଟ ଛୋଟ ଦାଢ଼ୀର ଜଙ୍ଗଲ, ଆଙ୍ଗୁଠିର ନଖ ସବୁ ବଡ଼ ବଡ଼ ବ୍ଲେଡ୍‌ ପରି ତା’ରି ସନ୍ଧିରେ ନୀଳ ନୀଳ ମଳି, କାଖ ପାଖରୁ ଛାତି ଯାଏ ସାର୍ଟରେ ସିଲେଇ ଖୋଲି ଯାଇଥିବାରୁ, ଚାଲିଲାବେଳେ ଲୋମଶ ଛାତିଟା ଦିଶୁଚି ତା’ର-। ଶୁଭଙ୍କର ନିଜକୁ କେବେ ସଜେଇ ପାରେ ନା । ତାଙ୍କର ସମ୍ପର୍କର ଆରମ୍ଭ ଦିନରୁ ବି ଶୁଭଦା ତାକୁ ଦେଖି ଆସିଚି ଏମିତି ଅସଜଡ଼ା ବେଶରେ ।

 

ଶୁଭଦା ହତବାକ୍‌ ହେଇଗଲା । ସେଇ ଚେହେରାଟା ଭିତରେ କୋଉଠି ଟିକେ ନିଆଁ ବିନ୍ଦୁଭଳି ଶୁଭଙ୍କରର ପୌରୁଷ ଦାଉ ଦାଉ କରି ଉଠିଲା ଯେମିତି । ଶିହରୀ ଉଠୁ, ଉଠୁ, ଲାଜେଇ ଯାଇ ଦୃଷ୍ଟି ଫେରେଇ ନେଲା । ଶୁଭଦା ଭବିଲା ସାଙ୍ଗ ଦି’ଟା ଭାବୁଥିବେ ଗୋଟେ ଭେଗାକୁ ପାଇ ବିଚାରୀ ଶୁଭଦା ଉଚ୍ଛନ୍ନ ହେଇଗଲା ।

 

ଅଫିସରେ ପହଞ୍ଚିବାକ୍ଷଣି, ଶୁଭଦାକୁ ଗୋଟେ ଅଜବ୍‌ ଭୟ ମାଡ଼ି ବସିଲା । ଏଇ ଆସିଗଲେ ସାମନାଆଡୁ, ପଛଆଡୁ, ଶାଢ଼ୀ ଚିହ୍ନି ଆସି ପହଞ୍ଚିଗଲେ । ଏତେ ଡେରି କ’ଣ ହଉଚି ଯେ ? ଶୁଭଦା ଘଣ୍ଟା ଦେଖି ବ୍ୟସ୍ତ ହେଇ ପଡ଼ୁଥିଲା । ଅଫିସ ବାରଣ୍ଡାରେ ସପ, ଉପରେ ବସିଥିବା ଲୋକଗୁଡ଼ା ତାକୁ ଚାହିଁଲେ, ପାନ ଦୋକାନୀଟେ, ବୁଲେଇ ବିକୁଥିବା ଶିଝାଅଣ୍ଡ। ବାଲାଟେ, ଝରକା ଭିତରୁ କ୍ଲର୍କଟା, ସ୍କୁଟରରେ ଯାଉଥିବା ଓକିଲଟା ସମସ୍ତେ ତାକୁ ଚାହିଁଲେ ।

 

ଦସ୍ତଖତ କଲାବେଳେ ଶୁଭଦାର ହାତ ଥରି ଉଠିଲା, ଅକ୍ଷର ସବୁ ବଙ୍କାତେଢ଼ା ହେଇଗଲା । ସେଇ ଥରିଲା ହାତକୁ ଗୋଟେ ତୃପ୍ତିର ଚାହାଣୀ ଦେଇ ଶୁଭଙ୍କର ମୁଠେଇ ଧରିଲା ହାତଟାକୁ ଲୁଚେଇକି ।’ ଶୁଭଦା ଶିହରୀ ଉଠି ହାତଟା ଖସେଇ ନେଲା !

 

ଲାଗିପଡ଼ି, ଦୁଇଟି ସିଟ୍‌ ରିଜର୍ଭେସନ କରି ବସରେ ଫେରିବାବେଳେ ଶୁଭଙ୍କର କହିଲା : ଏଇ ଦେଖ୍‌ ଆମ ଘରେ ପହଞ୍ଚି ତମେ ସମସ୍ତଙ୍କୁ ପାଦଛୁଇଁ ପ୍ରଣାମ କରିବ । ଆମ ଘରେ ନାଁ ଏସବୁ ଉପରେ ଖୁବ୍‌ ଗୁରୁତ୍ଵ ଦିଅନ୍ତି ।

 

ଶୁଭଦା ହସିଦେଇ ମୁଣ୍ଡ ହଲେଇ ‘ହଁ’ କଲା ।

 

ଶୁଭଙ୍କର କହିଲା, “ମା ଆଶ୍ଚର୍ଯ୍ୟ ହେଇଯିବେ, କିନ୍ତୁ ଖୁସି ହେଇ ଯିବେ ଯେ । ସତରେ ତମେ ଗୋଟେ ଲକୀ ଝିଅ, ଜାଣ ତମେ ଗୋଟେ ପର୍‌ମିସିଭ୍‌ ଫାମିଲିକୁ ଯାଉଚ ।” ଚଳନ୍ତା ବସ୍‌ ଭିତରୁ କିଛି ସମୟ ପଛକୁ ଫେରୁଥିବା ଗଛମାନଙ୍କୁ ଚାହିଁବା ପରେ ଶୁଭଙ୍କର କହିଲା, ଅତି ଧୀର ଗଳାରେ ମୁହଁ ପାଖାପାଖି ମୁହଁ ଆଣି, ଏଇ ଆମେ କୋଉଠିକୁ ହନିମୁନ୍‌ରେ ଯିବା ? ଦାର୍ଜିଲିଂ ନା କାଶ୍ମୀର ?

 

ଶୁଭଦା ଲାଜେଇଗଲା, ଧୀରେ ବସର ସବୁ ସିଟ୍‌ରେ ଆଖି ବୁଲେଇ ନେଲା ଓ ମୁହଁ ପୋତି କହିଲା, ଛି, ଗନ୍ଧିଆ କଥା । ଶୁଭଦା ମନେ ମନେ ଭବିଲା ସେ କୁଲୁ ଉପତ୍ୟକାକୁ ହିଁ ବୁଲିଯିବ ।

 

ଶୁଭଙ୍କର ଶୁଭଦାର ହାତକୁ ଚିମୁଟି ଦେଲା : ବୋକିଟେ ।

 

ଅନ୍ଧାର ଓହ୍ଲାଉଥିବା ଆକାଶକୁ ଚାହିଁଲା ଶୁଭଦା । ଷ୍ଟପେଜ୍‌ ପରେ ଷ୍ଟପେଜ୍‌ ଅଟକି ବସଟା ଚାଲିଚି । ଶୁଭଙ୍କର ଷ୍ଟେରିଓର ଗୀତ ସଙ୍ଗେ ଗୁଣୁଗୁଣୁ ହଉଥିଲା । କେତେ ଦିନୁ କେଜାଣି ଶୁଭଙ୍କରକୁ ଏମିତି ଖୁସି ଖୁସି ମଣିଷ ଭାବେ ଦେଖି ନଥିଲା ଶୁଭଦା । ତା’ର ମନେହେଲା ଅନେକଦିନୁ ଦନ୍ଥଡି ହେଇ ଯାଉଥିବା ଅନୁଭୂତି ତା’ର ଜୀଇଁ ଉଠୁଚି । ପୃଥିବୀଟା ଫୁଲ ଫଳରେ ଭରିଯାଉଚି, ଆକାଶରୁ ପାଣି ଝରୁଚି, ସମୁଦ୍ରରେ ଜହ୍ନ ଭାସୁଚି, ପବନରେ ବାସ୍ନା ଆସୁଚି, କି ବାସ୍ନା-?

 

ଆକାଶରେ ଗହଳି ଲାଗି ଆସୁଥିଲାବେଳେ ଶୁଭଙ୍କର କହିଲା : ଏଇ ଆଉ ଦି’ଟା ଷ୍ଟପେଜ୍‌ ପରେ ତମ ସହର ଆସିଯିବ । ଆମେ ଆଉ କୋଡିଏ ମିନିଟ୍‌ପରେ ତମ ସହର ପାରହେଇ ଚାଲିଯିବା ।

 

ଅନ୍ୟମନସ୍କଭାବେ ଶୁଭଦା କହିଲା, ହଁ, ତା’ପରେ ତ ମୁଁ ମୁକ୍ତ ହେଇଯିବି ।

 

କେତେ ସମୟ ପରେ ଗୋଟେ ଷ୍ଟପେଜ୍‌ରେ ଗାଡିଟା ଅଟକିଗଲା । ଶୁଭଙ୍କର ଉଠି ଛିଡ଼ାହେଲା : ମତେ ଶୋଷ ଲାଗୁଚି, ପାଣି ପି’ ଆସୁଚି ।

 

ଶୁଭଦା ସିଧାହେଇ ବସି କହିଲା : ନାଁ, ଯାଅନି, ପ୍ଲିଜ୍‍ । ଆମେ ପାର୍ ହେଇଗଲା ପରେ ତମେ ଅନ୍ୟ କୋଉଠି ପିଇନେବ ।

 

: ମତେ ବହୁତ ଶୋଷ ଲାଗୁଚି ।

 

: ଲାଗୁ ।

 

ଶୁଭଙ୍କର ବସିପଡ଼ି କହିଲା : ତମେ ଅଯଥାଟାରେ ଡରୁଚ । ପକେଟରୁ ରେଜିଷ୍ଟ୍ରୀ କାଗଜ ଖୋଲି, ଦେଖେଇ, କହିଲା : ୟା’ ପରେ, ତମକୁ ମୋ ପାଖରୁ କିଏ ଛଡ଼େଇନେବ ବୋଲି ଭାବୁଚ ?

 

ବସ୍‌ ଛାଡ଼ିଦେଲା । ଶୁଭଙ୍କର ଆଙ୍ଗୁଠି ଫୁଟେଇଲା ହାଇମାରିଲା କହିଲା : ଆମେ ଭୋର୍‌ ବେଳେ ଘରେ ପହଞ୍ଚିଯିବା ଭୋର୍‌ରେ ? ଶୁଭଙ୍କର ଢୋଳେଇବା ଆରମ୍ଭ କରିଥିଲେ । ବସ୍‌ଟା ଶବ୍ଦ ଫିଙ୍ଗି ଆଗେଇ ଯାଉଥିଲା ଗୋଟେ ଦୈତ୍ୟପରି । ଶୁଭଦା ସ୍ଵପ୍ନରେ ମଜିଗଲା..... ଦି’ଜଣ ସ୍ତ୍ରୀ ପୁରୁଷ ଘର ସଜଡ଼ାରେ ଲାଗି ଯାଇଚନ୍ତି, ଯେତେ ସଜାଡ଼ିଲେ ବି ମନପାଉନି, ଆହୁରି ସୁନ୍ଦର ଆହୁରି ସୁନ୍ଦର କରିବାକୁ ମନ ଚାହୁଁଚି ।

 

କିନ୍ତୁ ହଠାତ୍‍ ଏ କ’ଣ ହେଲା ଯେ ? ବସ୍‌ ଟା ଅଟକିଯିବା ସଙ୍ଗେ ସଙ୍ଗେ ଶୁଭଦା ଶିହିରୀ ଉଠିଲା । ବେକ କାଢ଼ି ବାହାରକୁ ଚାହିଁଲା । କିଏ ଯେମିତି ଆଦରରେ ହାତ ପ୍ରସାରୀ ଦେଇଚି । ଶୁଭଦା କୁଆଡ଼େ ଯାଉଚି ଗୋଟେ ଅଜଣା ପୃଥିବୀକୁ ? ସେ ଶୁଭଙ୍କରକୁ ଚାହିଁଲା-ଲମ୍ବା ଚଉଡ଼ା ମଣିଷଟା କୁଆଡ଼େ ତାକୁ ନେଇଯାଉଚି ଯେ ? ଘର ବାହାରେ କ’ଣ ଗୋଟେ ପୃଥିବୀ ଅଛି-? ସେ ପୃଥିବୀ କେମିତି ? ଶୁଭଦା ଶୁଭଙ୍କରକୁ ଆବାକ୍‌ କରିଦେଇ ଉଠି ଛିଡ଼ାହେଇ ପଡ଼ିଲା । କହିଲା : ମୁଁ ଘରକୁ ଯାଉଚି ଶୁଭଙ୍କର, ତମେ ସେଠି ପହଞ୍ଚି ଚିଠି ଦବ ।

 

ଶୁଭଦା ଓ ଶୁଭଙ୍କର ଗୋଟେ ତିନିଜଣିଆ ସିଟ୍‌ରେ ବସିଥିଲେ । ଶୁଭଙ୍କର ପାଖରେ ବସିଥିବା ବୁଢ଼ାଲୋକ ଜଣକ ଆଶ୍ଚର୍ଯ୍ୟ ହେଇଗଲା ଭଳି କହିଲେ : ମା ତମେ ଏଠି ଓହ୍ଲେଇବ ? ଶୁଭଦା ଲୋକମାନଙ୍କୁ ଆଡ଼େଇ, ବ୍ୟାଗ୍‌ ବାକ୍‌ସ ଡେଇଁ ବସ୍‌ର ଦରଜା ଆଡକୁ ଆଗେଇଗଲା । ଶୁଭଙ୍କର ନିଜ ସିଟ୍‌ରୁ ଉଠିଆସି, ଶୁଭଦାର ହାତଟା ଧରିନେଇ କହିଲା : ଶୁଭଦା କ’ଣ ପାଗଳାମୀ କରୁଚ ?

 

: ପାଗଳାମୀ ନୁହେଁ ଶୁଭଙ୍କର ଏ ମାଟିକୁ ଏ ଜୀବନକୁ ଛାଡ଼ିଦେଲେ ମୁଁ ବଞ୍ଚି ପାରିବିନି । ଶୁଭଙ୍କର ମୁଠାରୁ ହାତ ଖସେଇ ନେଲା ଶୁଭଦା ।

 

ଏଇ ସମୟରେ ହିଁ କ୍ଲିନର୍‌ଟା ବସ୍‌ ଛାଡ଼ିବାର ବେଲ୍‌ ଦେଲା । ଶୁଭଦା ଅନ୍ୟମନସ୍କ ଭାବେ ପାଟିକରି ଉଠିଲା, ଗାଡ଼ି ରଖ । ଗାଡ଼ି ରଖ । ଶୁଭଙ୍କରଙ୍କୁ କିଛି କହିବାକୁ ଫୁର୍‌ସତ୍‌ ନ ଦେଇ ଓହ୍ଲେଇ ପଡ଼ିଲା । ଉଃ କି ସୁନ୍ଦର ମାଟିର ବାସ୍ନା । ଏତେ ସମୟ ତେବେ ପୃଥିବୀରେ ଏ ମାଟିର ବାସ୍ନା ହଜିଯାଇଥିଲା କିଆଁ ?

 

ବସ୍‌ଟା ଛାଡ଼ିଦେଲା । ଶୁଭଦା ଠିଆହେଇ ଥିବା ଜାଗାରୁ ଦୌଡ଼ିଗଲା ବସ୍‌ର ଝରକା ପାଖକୁ ଶୁଭଙ୍କରର ମୁହଁ ଦିଶିଲାନି । ଶୁଭଦା ଚଳନ୍ତା ବସ୍‌ର ପଛେ ପଛେ କିଛି ବାଟ ଆଗେଇ ଯାଉ ଯାଉ ଅନ୍ଧାରରେ ଛିଡ଼ା ହେଇଗଲା । ଅଭୁତ ଶୂନ୍ୟତାରେ ଛାତି ଭିତରଟା ଖାଁ ଖାଁ ହେଇଗଲା-। ଜୋର୍‌ ଜୋର୍‌ରେ କୋହ ଉଠିଲା ତାର : କେତେ ଫର୍ଲଙ୍ଗ ଦୂରରେ ତମେ ଶୁଭଙ୍କର ନିଅ । ମତେ ନିଅ । ଏକ୍‌ଲା ଛାଡ଼ି ଯାଅନା ।

Image

 

ସ୍ଵପ୍ନ ପରାହତ

 

ମୁଁ ନିଦ୍ରତା ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା । ଏତ ମୋର ପ୍ରିୟତମଙ୍କ ରବ, ସେ ଦ୍ଵାର ଆଘାତକରି କହୁଛନ୍ତି : ଆଗେ ମୋହର ଭଗିନି, ମୋହର ପ୍ରିୟେ, ମୋହର କପୋତୀ, ମୋହର ଶୁଦ୍ଧ ମତେ, ମୋ ପାଇଁ ଦ୍ଵାର ଫିଟାଅ; କାରଣ ମୋହର ମସ୍ତକ ଶିଶିରରେ, ମୋହର କେଶର ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ, ମୁଁ ଆପଣ ଜାମା କାଢ଼ି ପକାଇ ଅଛି, କେମନ୍ତ କରି ତାହା ପିନ୍ଧିବି ? ମୁଁ ଆପଣା ପାଦଧୋଇ ଅଛି, କେମନ୍ତ କରି ତାହା ମଳିନ କରିବି ?

 

ମୋ ପ୍ରିୟତମ ଦ୍ଵାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ହୃଦୟ ତାହାଙ୍କ ପାଇଁ ଉଚ୍ଚାଟ ହେଲା । ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ଵାର ଫିଟାଇବାକୁ ଉଠିଲି, କିଳିଣୀର ବେଣ୍ଟ ଉପରେ, ମୋ ହସ୍ତରୁ ଗନ୍ଧରସ, ମୋ ଅଙ୍ଗୁଳିରୁ ଦ୍ରବଗନ୍ଧ ରସ ଝରିଲା ।

 

ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ଵାର ଫିଟାଇଲି, ମାତ୍ର ମୋହର ପ୍ରିୟତମ ସ୍ଥାନାନ୍ତରରେ ଚାଲିଯାଇ ଥିଲେ । ସେ କଥା କହିବାବେଳେ ମୋହର ପ୍ରାଣ ଉଡ଼ିଗଲା, ମୁଁ ତାହାଙ୍କୁ ଖୋଜିଲି ମାତ୍ର ପାଇପାରିଲି ନାହିଁ । ମୁଁ ତାହାଙ୍କୁ ଡାକିଲି, ମାତ୍ର ସେ ମୋତେ କୌଣସି ଉତ୍ତର ଦେଲେ ନାହିଁ ।

 

(୨-୬:୮ ପରମଗୀତ : ପୁରାତନ ନ୍ନିୟମ ବାଇବେଲ)

 

ପପି ଚାକୁଣ୍ଡା ବଣ ଭିତରୁ ବାହାରି, ହସ୍ପିଟାଲ କମ୍ପାଉଣ୍ଡ ଭିତରେ ବୁଲୁଥିଲା । ଝରକାର ପର୍ଦ୍ଦାଟା, ଲୁହାରଡ଼ରେ ନେସିହେଇ, ଉଡ଼ୁଥିଲା ଏବଂ ଲଟକି ଯାଉଥିଲା । କେତେବେଳେ ଦେଖାଯାଉଛନ୍ତି, ରାସ୍ତା ଉପରକୁ ଗଡ଼ିଆସିଥିବା ଲୋକମାନେ କେତେବେଳେ ବା ପର୍ଦ୍ଦାରେ ପ୍ରିଣ୍ଟ୍‌ ହେଇଥିବା ଫୁଲ-ପତ୍ର-କଢ଼ ସବୁ । ପପି, ମୋ ଦୃଷ୍ଟିର ସୀମାପାର ହୋଇଯିବା ପରେ, ଗୋତାଏ ସ୍ଥିତିହୀନ ଯନ୍ତ୍ରଣାର, ଘନତ୍ଵ ବଢ଼ୁଥିଲା, ମୋର ସମସ୍ତ ପ୍ରତିକ୍ରିୟାକୁ କେନ୍ଦ୍ରକରି । କାରଣ ଏଇ ପର୍ଯ୍ୟନ୍ତ ମୁଁ ପପିକୁ ଲକ୍ଷ୍ୟ କରୁଥିଲି ଏବଂ ଦେଖିଥିବା ଛିଣ୍ଡା ଛିଣ୍ଡା ସ୍ଵପ୍ନ ଗୁଡା, ଚିହ୍ନି ଚିହ୍ନି ପଡ଼ୁଥିବା ଅର୍ଥହୀନ ଅଥଚ କ୍ଳାନ୍ତିକର ଗଳ୍ପପରି, ମନ ଭିତରେ ଦୋହରାଉଥିଲା ।

 

କିଶୋର ଚା’ ଥୋଇଦେଇ, ଛିଡ଼ାହେଇ, ଛେପ ଢୋକିଲା ।

 

: କ’ଣ କହିବୁ ?

 

: ନାଇଁ ଚା’ଟା ଥଣ୍ଡା ହେଇଯିବ ।

 

: ମୁଁ ତ ଦେଖିପାରୁଚି । ମୋର ଏଇ ପ୍ରକାର ଉତ୍ତରରେ ସେ ଚୁପ୍‌ ହୋଇଗଲା । ମୋର ତା’ ପ୍ରତି ଏ କର୍କଶ ବ୍ୟବହାର ଅନ୍ୟାୟ ହେଲା ନିଶ୍ଚୟ ।

 

ଟିକିଏ ନରମ ଗଳାରେ ପଚାରିଲି : କ’ଣ କହିବୁ ?

 

କିଶୋର କହିଲା : ଦିଦି, ଆମ ପପି ଦେହଟା ଭାରି ଗରମ । ତା’ ପାଇଁ ଅଣ୍ଡିରିଟିଏ ଆଣିବା ।

 

: ଚୁପ୍‌ । ମୋ ଧମକରେ ସେ ଡରିଗଲା । ମୁଣ୍ଡ ତଳକୁ ପୋତି ଚାଲିଗଲା ।

 

କିଶୋର କହୁଚି ପପି ପାଇଁ ଅଣ୍ଡିରିଟିଏ ଆଣିବା । ଛି, କେଡ଼େ ଅଶ୍ଳୀଳ କଥା କିଶୋର ଡରି ପଳେଇଲା । ମୁଁ ଟେବୁଲ ଉପରେ ଥୁଆ ଯାଇଥିବା ଘଡିକୁ ଚାହିଁଲି । ଦୁଇଟି ଗାର ଅତିକ୍ରମକରି ମିନଟ୍‌ କଣ୍ଟାଟା ତୃତୀୟ ଗାରର ପିଠି ଉପରେ ଚଳୁଥିଲା । କିଶୋର କଥା ଭୁଲିଯାଇ ପୁଣି ଫେରିଗଲି ପୂର୍ବ ଚିନ୍ତାକୁ । କ୍ରମେ ଶିଥିଳ ହୋଇ ଆସୁଥିବା ଅହର୍ନିଷ ସାଙ୍ଗରେ, ମୋର ଶ୍ରାବଣ ଆଉ ପୌଷର ସମ୍ପର୍କଗୁଡ଼ାକୁ । ତାଙ୍କ ସହ କେମିତି ଯେ ମୋର ଘନିଷ୍ଠତା ହୋଇଥିଲା, ଆଜି ଆଉ ଠିକ୍‌ ମୋର ମନେ ନାଇଁ । କିନ୍ତୁ ଘନିଷ୍ଠତା ହେଇଯିବା ପରର କିଛି କିଛି ସ୍ମୃତିର ରଙ୍ଗ ଛାଡ଼ି ଯାଇନାହିଁ ଏବେ ବି । ସୁଯୋଗ ପାଇଲେ, କେବେ କେବେ, ମନକୋଠରୀର ଝରକା ଖୋଲି ଭିତରକୁ ଉଡ଼ିଆସେ ।

 

କେବେ ଥରେ ପ୍ରାକ୍ଟିକାଲ୍‌ କ୍ଲାସ୍‌ ଶେଷକରି, ଚାଲି ଚାଲି ଘରକୁ ଫେରିବାବେଳେ ସେ ୟାଡୁ ସ୍ୟାଡୁ ଅନେକ କଥା ପଚାରିବା ଆଳରେ ପ୍ରଶ୍ନ କରିଥିଲେ : ପ୍ରେମଟାକୁ ତମେ....

 

ଉତ୍ତର ଦେଇଥିଲି : ମୋତେ ନିହାତି ଅଦରକାରୀ ମନେ ହୁଏ ।

 

ଦ୍ରାବିଡ଼ମାନେ ବୋଧହୁଏ, ପ୍ରଥମେ ସ୍ଥାୟୀ ବାସ କରି, ପରସ୍ପର ଭିତରେ ଗୋଷ୍ଠୀ ବିବାହ କରିଥିଲେ ? ସେ ମୁଣ୍ଡ ହଲେଇ କହିଲେ : ହେଇଥିବ । ହୁଏତ ସେମାନଙ୍କର ପ୍ରଥମ ଗୃହପାଳିତ ପଶୁ, ମୋ ମତରେ, କୁକୁରହିଁ ଥିଲା ।

 

ତା’ପରେ କିଛି ସମୟ ଚୁପ୍‌ଚାପ୍‌ ଚାଲିବା ପରେ, ସେ ସାଇକେଲ୍‌ରେ ଉଠି ଚାଲିଗଲେ-। ତା’ର କିଛିଦିନ ପରେ, ତାଙ୍କ ପାଖରୁ ଛୋଟ ଗୋଟେ ଚିଠି ପାଇଲି, ଲେଖିଥିଲେ : ଆଶ୍ଚର୍ଯ୍ୟ ! ତମେ କେବେ ତମ ମନତଳ ଅନ୍ଧାର ଭିତରୁ ଆଉ ଗୋଟେ ମନ ଅଣ୍ଡାଳି ବୁଲିନ ?

 

ମୋ ମୁହଁ, ସେତେବେଳେ ତାତି ଲାଲ୍‌ ହୋଇ ଯାଇଥିଲା । ଛିଃ, କେଡ଼େ ଅଶ୍ଳୀଳ । ସେଦିନର ତାଙ୍କର ସେ କଥାଟା ସଙ୍ଗେ କିଶୋର କଥା ସାମଞ୍ଜସ୍ୟ ଦେଖୁଥିଲି । ସତରେ ଅନେକଟା ତ ସାମଞ୍ଜସ୍ୟ ଅଛି । ଅହର୍ନିଷ କେବେ ମୋ ଭଳି ପାଇବାର ପରିସୀମା ଭିତରକୁ ଆସିଥିଲେ ମନେ ନାଇଁ । କିନ୍ତୁ ମନେ ଅଛି, ମୁଁ ସେତେବେଳେ ପୂର୍ବଦିନଗୁଡ଼ା ଭଳି, ନିର୍ଦ୍ୱନ୍ଦରେ ପଢ଼ିପାରୁ ନ ଥିଲି । କେମିତି ଗୋଟାଏ ଯନ୍ତ୍ରଣା ଅନୁଭବ କରୁଥିଲି । ମୁଁ ଯାହା କରୁଚି କ’ଣ ଠିକ୍‌ କରୁଚି ? ନା ଭୁଲ୍‌ କରୁଚି ? ଦିନେ କିନ୍ତୁ ଯନ୍ତ୍ରଣା ସବୁକୁ, ଛାତି ଭିତରର ଅନ୍ଧାର ଭିତରୁ, ଖୋଜି ଟାଣି ଆଣିଲି ।

 

ଯନ୍ତ୍ରଣା କିନ୍ତୁ ଚାଲିଗଲାନି । ଠିକ୍‌ ନିଦଟା ଆଖି ଉପରେ ପହରାଦେବା ପୂର୍ବରୁ ଏବଂ ମୋ ନାକର ନିଃଶ୍ଵାସ ସବୁ ବନ୍ଦ କୋଠରୀ ଭିତରେ, ଘୂରି ଘୂରି ଫେରି ଆସିବାବେଳେ ଅହର୍ନିଷ ମନେ ପଡ଼ନ୍ତି । ଏକ ସଙ୍ଗେ ପି. ପି, ପାଶ୍‌ କରିବାପରେ, ଅହର୍ନିଷ ବି. ଏସ୍‌. ସି ପଢ଼ିଲେ । ମୁଁ କିନ୍ତୁ ମେଡ଼ିକାଲ୍‌ କଲେଜରେ ନା ଲେଖାଇଲି । ଆମ ଭିତରେ ଅବଶ୍ୟ ରାସ୍ତାର ଦୂରତା ବଢ଼ିଗଲା । ସେତେବେଳେ କିନ୍ତୁ ଆମେ ବେଶୀ ନିବିଡ଼ ହେଇ ପଡ଼ିଥିଲୁ । ଅହର୍ନିଷ ବି ସେତେବେଳେ ମୋ ପାଖକୁ ପ୍ରତି ସପ୍ତାହରେ ଚିଠି ଦେଉଥିଲେ । ତାଙ୍କର ପ୍ରତିଟି ଚିଠିରେ ଯେତିକି ମଧୁର ସ୍ଵପ୍ନ ଥିଲା, ତାଠୁଁ ବେଶି ଭରି ରହିଥିଲା, ଗୋଟାଏ ନିଷ୍କ୍ରିୟତା; ଗୋଟାଏ ଅସହାୟ ମଣିଷର ବେଦନା ସେ ଲେଖୁଥିଲେ । ଏଇ ମେଡ଼ିକାଲ ଷ୍ଟୁଡ଼େଣ୍ଟ୍‌ମାନେ କାଳେ ଖୁବ୍‌ ଭଲ ରୋମାନ୍‌ସ କରନ୍ତି । ମୋର କଣ ଭୟ ହେଉଚି ଜାଣ ? ମୁଁ ମୋ ପସନ୍ଦର ପୃଥିବୀକୁ ଆକର୍ଷିତ ହେଇ ଆସୁଥିବାବେଳେ, କୌଣସି ଏକ ଅଚାନକ ବିକର୍ଷଣ ଦ୍ଵାରା ତମଠାରୁ ଦୂରକୁ ଛିଟିକି ଯିବିନି ତ ?

 

ସେତେବେଳେ କିନ୍ତୁ ତାଙ୍କ ବୋକାମୀପାଇଁ ମୋତେ ହସ ଲାଗୁଥିଲା ଏବଂ ତାଙ୍କର ମୋ ପ୍ରତି ସନ୍ଦେହପାଇଁ ମୁଁ ଗୋଟେ ଯନ୍ତ୍ରଣା ବି ଅନୁଭବ କରୁଥିଲି । ଚିଠି ଦେଲାବେଳେ କେତେ କ’ଣ ଲେଖୁଥିଲି । ଏମିତି ବି କେତେକ ଉଦାହରଣ ଦେଇଥିଲି, ମଞ୍ଜୁ ଅପା ତ ବିଟୁଭାଇଙ୍କୁ ବାହାହେଇ ସୁଖୀ ଅଛନ୍ତି । ମଞ୍ଜୁ ଅପା ଶୈଳବାଳାରେ ଆଡ଼ହକ୍‌ ଭିତ୍ତିରେ ଚାକିରୀ କଲାବେଳେ ବିଟୁଭାଇ, ଥର ଥର କରି ଦୁଇଥର ଆଇ.ଏ. ଏସ୍‌. ପରୀକ୍ଷା ଦେଇ, ଶେଷରେ ଗୋଟେ ପ୍ରାଇଭେଟ୍‍ ସ୍କୁଲରେ ମାଷ୍ଟରଟିଏ ହୋଇଗଲେ । ମୋ ପ୍ରସ୍ତାବରେ, ତାଙ୍କ ପାଦ ଦି’ଟା ଭୂମି ଉପରେ ସ୍ଥିରହେଇ ଯାଇଥିଲା ବୋଧହୁଏ ।

 

କିନ୍ତୁ ଏମିତି କହିବାଟା, ମୋର କ’ଣ ତାଙ୍କ ପ୍ରତି ଏକପ୍ରକାର ସାନ୍ତ୍ୱନା ନ ଥିଲା ? ନ ହେଇଥିଲେ, ସେଦିନ ତାଙ୍କ କଥାରେ, ମୋ ଛାତି ଭିତରକୁ ଆକାଶଯାକର ଶୂନ୍ୟତା ସଙ୍ଗେ ସଙ୍ଗେ ଜହ୍ନଟାର ମିଛ ଆଲୁଅଯାକ ଓହ୍ଲେଇ ଆସିଲା କାହିଁକି ? ଅହର୍ନିଷ ସେଦିନ ମୋତେ ଛାଡ଼ିବାପାଇଁ ଷ୍ଟେସନ ପର୍ଯ୍ୟନ୍ତ ଆସିଥିଲେ । ପ୍ଲାଟଫର୍ମରେ ଏମିତି ବୁଲୁ ବୁଲୁ କହିଲେ : ମୁଁ ବୋଧହୁଏ ଆଉ ପଢ଼ିବିନି ।

 

ଆଶ୍ଚର୍ଯ୍ୟ ହେଇ ଯାଇଥିଲି ମୁଁ ପଚାରିଲି : କାହିଁକି ? ଅସୁବିଧା କ’ଣ ଅଛି ପଢ଼ିବାରେ-? ସେ ସିଗାରେଟ୍‌ଟା ଶୋଷୁ, ଶୋଷୁ, କହିଲେ : ବାପା ରିଟାୟାର୍ଡ଼ କଲାପରେ, ତାଙ୍କର ତ ଆଉ ଶକ୍ତି ନାଇଁ ସେ ତାଙ୍କ ପୁଅକୁ ମନଇଚ୍ଛା ପଢ଼େଇ ପାରିବେ । ତା’ ବ୍ୟତୀତ ମୁଁ ଚାହୁଁନି ଆଉ ଭାଇମାନଙ୍କ ଉପରେ ବୋଝହେଇ ରହିବାକୁ ।

 

: ୟା ପରେ କ’ଣ କରି ଭାବିଛ ?

 

ମୁଁ ଗୋଟେ ଲାବୋରେଟାରୀ ଆସିଷ୍ଟାଣ୍ଟ ଚାକିରୀପାଇଁ ଆପ୍ଲାଇ କରିଚି ।

ତା’ପରେ ସେ କେମିତି ଅସମ୍ଭବଭାବେ ଗମ୍ଭୀରହେଇ କହିଲେ : ମୁଁ ପ୍ରକୃତରେ ହାରିଗଲି । ହାରିଗଲି କେବଳ ମଣିଷଟିଏ ବୋଲି । ମୁଁ ହେଲେ ପ୍ରାଣୀଟିଏ ହେଇଥାନ୍ତି, ଯାହାର କେବଳ ପ୍ରାଣ ଥିବ, ହୃତ୍‌ସ୍ପନ୍ଦନ ଥିବ, ପାଇବାର ଆଙ୍‌କାକ୍ଷା ନ ଥିବ, ହାରିଯିବାର ଗ୍ଲାନି ନ ଥିବ ।

କିନ୍ତୁ ଏହା କି ସମ୍ଭବ ହେଇପାରେ ?

ମୁଁ ଚୁପ୍‌ଚାପ୍‌ ଛିଡ଼ା ହେଇଥିଲି । ମୋର ମନେହେଲା, ମୁଁ ଅନ୍ଧାରରୁ ବାହାରି, ଅନ୍ଧାରରେ ହିଁ ପ୍ରବେଶ କରୁଚି । ଶେଷ ସିଗାରେଟ୍‍ ଘର ଧୂଆଁ ସାଙ୍ଗରେ ସମସ୍ତ ଗ୍ଳାନି ଫିଙ୍ଗିଦେଇ ସାରିଥିଲେ ଅହର୍ନିଷ । ହୁଏତ ସେତେବେଳେ ମହାବିଶ୍ଵରୁ ନିର୍ଗତ ଆଣବିକ ତେଜସ୍କ୍ରିୟ କଣାମାନେ ନେଗେଟିଭ୍‌ ଚାର୍ଯରୁ, ପଜେଟିଭ ଚାର୍ଯଡ଼ ହେଇ ସାରିଥିଲେ । ନ ହେଇଥିଲେ, ସେ ନିଜକୁ ଏତେଟା ସହଜକରି ପାରିଥାନ୍ତେ କିପରି ?

ମୋତେ ଏକ ପ୍ରକାର ଟାଣି ଟାଣି ନେଇ, ସେ ଓେଟ୍‌ ମେସିନ୍‌ ଉପରେ ଛିଡ଼ା କରେଇଦେଲେ । ପ୍ରକୃତରେ ମୋତେ ଖୁବ୍‌ ହସ ଲାଗୁଥିଲା, ତାଙ୍କର ଏ ପିଲାଳିଆମୀ ଦେଖି ସେ ଛୋଟ କାର୍ଡଟା ଏପଟ ସେପଟ କରି ଭାଙ୍ଗୁ ଭାଙ୍ଗୁ କହିଲେ : ତମେ ଜମା ତମ ଦେହର ଯତ୍ନ ନେଉନ !

କିଏ କହିଲା ?

କହିବ କିଏ ? ଏଇ ଦେଖୁନ ତମେ ଜମା ୭୮ ପାଉଣ୍ଡ ।

ମୁଁ ସେ ପର୍ଯ୍ୟନ୍ତ ଅନ୍ଧାର ଭିତରୁ ବାହାରି ପାରି ନ ଥିଲି । ମଞ୍ଜୁ ଅପା ବିଟୁଭାଇ ମନେ ପଡ଼ୁଥିଲେ । ମଝିରେ ବହୁତ ଦିନ ତାଙ୍କ ଖବର ମୁଁ ରଖିପାରି ନଥିଲି । ଏବେ କେବେ ଥରେ ଶୁଣିଲି କାଳେ ତାଙ୍କ ପରିବାରରେ କେମିତି ଗୋଟାଏ ଅଶାନ୍ତି କୁହେଳିକା ଆରମ୍ଭ କରିଦେଇଛି । ବିଟୁଭାଇ ଚାକିରୀ ଛାଡ଼ିଦେଇ, କଂଟ୍ରାକ୍ଟ୍ରି ଆରମ୍ଭ କରି ଦେଇଥିଲେ । କିନ୍ତୁ ଫେଲ୍‌ ମାରିଗଲେ । ପୁଞ୍ଜି ଯୋଗାଡ଼ କରି ପାରିଲେନି । ଗୋଟାଏ ଫଳନ୍ତି ଗଛର ଜରାୟକୁ ଶୁଖେଇ ଦେଇ, ମଞ୍ଜି ଅପା ବାପି ଜନ୍ମ ପରେ ଅପରେସନ୍ ହୋଇ ପଡ଼ିଲେ । କାହିଁକି କେଜାଣି, ବିଟୁ ଭାଇଙ୍କ ଉପରେ ଅଭିମାନ କରି ନିଜ ଉପରେ ପ୍ରତିଶୋଧ ନେଇଗଲେ ? ବାପି କ’ଣ ପାରିବ ଜରା-ମୃତ୍ୟୁର ପାଚେରୀ ଡେଇଁ ?

ଅଥଚ ମୁଁ କେତେ ସାହସୀ ନଥିଲି ! ଦିନେ ଜୋର କରିହିଁ, ହଁ ଜୋର କରିହିଁ ଅର୍ହନିଷକୁ ବାହାହୋଇ ପଡ଼ିଲି । ମୁଁ ସେତେବେଳେ ଡାକ୍ତରଟିଏ ଏବଂ ଅର୍ହନିଷ ସେଇ ଲାବୋରେଟାରି ଆସିଷ୍ଟାଣ୍ଟ । ଦିନେ ଦିନେ ଅର୍ହନିଷ ରାତିସାରା ଜାଗି ରହୁଥିଲେ ବିଛଣାରେ, ବିବାହ ପରେ ! ଦିନେ ମୁଁ ତାଙ୍କୁ ପଚାରିଲି : ତମେ ମୋତେ ବାହା ହୋଇ ସୁଖୀ ନୁହଁ ?

ମୁହଁ ଉଠାଇ ଚାହିଁଲେ ସେ : କିଏ କହିଲା ?

କହିବ କିଏ ସେ ? ତୁମ୍ଭକୁ ଦେଖିଲେ ଜଣାପଡ଼ୁଛି । ପ୍ରତି ମୁହୂର୍ତ୍ତରେ, ତମେ ତମ ମନ ଭିତରେ ମୋ ପାଖରୁ ପଳାଇ ବୁଲୁଛ । ମୁଁ କ’ଣ ନିଜେ ଅନୁଭବ କରିପାରୁନି, ଭାବୁଛ ? ସେ ଶାନ୍ତ, ଗଳାରେ ଜବାବ ଦେଲେ । ସେ ଗଳାରେ ଉତ୍ତେଜନା ନଥିଲା । ଦୁଃଖଭିଜା ଅସହାୟ ସ୍ଵରରେ ସେ କହିଲେ : ମୋର ପ୍ରତି ମୁହୂର୍ତ୍ତରେ ମନେ ହେଉଛି, ଆମ ଦି’ଜଣଙ୍କୁ ଠିକ୍‌ ମାନିଲାନି । ତମେ ପ୍ରତି ମୁହୂର୍ତ୍ତରେ ତମର ଅସ୍ତିତ୍ଵ ବଡ଼କରି ଚାଲିଛି, ଆଉ ମୁଁ ତମ ତୁଳନାରେ ଛୋଟରୁ ଛୋଟ ହୋଇ ଯାଉଛି । ଜାଣେନା, କାହିଁକି, ମୋର ଏ କଂପ୍ଲେକ୍‌ସ ।

ମୁଁ ହତବାକ୍‌ ହୋଇ ଯାଇଥିଲି । କ’ଣ କହିବି ? କେମିତି ତାଙ୍କୁ ବୁଝେଇବି ? ମୋତେ କେହି ଭାଷା ଯୋଗାଇ ଦିଅ, ଅର୍ହନିଷଙ୍କର ଆଖିର ଅସହାୟତା ଲିଭେଇ ଦେବାକୁ ଶକ୍ତି ଦିଅ । ମୋତେ ବାଟ କହିଦିଅ ମୁଁ କ’ଣ କରିପାରେ ?

ଅନେଇଲି ତାଙ୍କ ମୁହଁକୁ । ଗୋଟାଏ ଦୁଃଖ ସମବେଦନାରେ ଉଛୁଳି ଉଠିଲା ଛାତିରୁ, ଅର୍ହନିଷଙ୍କ ପାଇଁ । ତାଙ୍କୁ କୁଣ୍ଢେଇ ପକେଇଲି । ଚୁମା ଦେଲି ଏବଂ ଅନ୍ଧାର ଭିତରେ ଦିହେ ବୁଡ଼ିଗଲୁ-ସବୁ ଦୁଃଖକୁ ପଛରେ ପକେଇ । ଆଉ ଠିକ୍‌ ସେଇ ମୁହୂର୍ତ୍ତରେ ଆମ ଦି’ଜଣଙ୍କର ସମ୍ପର୍କର ଅଗଣାରେ, ପିଣ୍ଟୁ, ଆସି ଠିଆ ହେଲା । କବାଟରେ ଆଘାତ କରି ଡାକି ଉଠିଲା ସେତେବେଳେ ନ ହେଲେ ବି ପରେ ମୁଁ ଜାଣି ପାରିଲି ।

ପିଣ୍ଟୁ, ଆସିଲା ମୋ କୋଳକୁ, ଆମ ଦି’ଜଣଙ୍କ ସାଙ୍ଗରେ, ଆମରି ଘରକୁ । କିନ୍ତୁ ହଠାତ୍‍ ଆମେ ସବୁ ଛିନ୍‌ଛତ୍ର ହୋଇଗଲୁ । ମୁଁ ଆସିଲି ଏ ସହରକୁ ଚାକିରୀ ପାଇଁ । ଅର୍ହନିଷ ରହିଗଲେ ସମ୍ବଲପୁରରେ ଓ ପିଣ୍ଟୁ ଚାଲିଗଲା ନର୍ସରୀକୁ । ଆମେ ତିନିହେଁ ପୁଣି ଏକଲା ହୋଇଗଲୁ ।

ହୋ ଛାତି ଭିତରକୁ ଓହ୍ଳେଇ ଆସିଲା, ଲେଉଟି ଯାଉଥିବା ସୂର୍ଯ୍ୟ । ବାହାରେ ସକାଳଟା ଖରା ସଙ୍ଗେ ମିଶିଗଲାଣି । ଘଡିରେ ମିନିଟ୍‌ କଣ୍ଟାଟା ଗାରର ପିଠି ଉପରେ ଚଢ଼ୁଛି । ପିଣ୍ଟୁ ମନେ ପଡ଼ିଲା ।

ପ୍ରାୟ କେତେ ଦିନ ହେଲା ପିଣ୍ଟୁକୁ ଦେଖିପାରିନି । କେବେ ତ ସମୟ ହୁଏନି । ତେଣୁ ଫିଟି ଫଟି ଆସୁଥିବା ଉତ୍‌କଣ୍ଠାକୁ ଗୁଡ଼େଇ ଦେବାକୁ ହେଉଚି । ପିଣ୍ଟୁକୁ ନର୍ସରୀରେ ଛାଡ଼ିବାବେଳେ ଅର୍ହନିଷ ଆପତ୍ତି କରିଥିଲେ : ମୋ ପାଖରୁ ଏତେ ଦୂରରେ ରହି ପିଣ୍ଟୁକୁ ଛାଡ଼ି ରହିପାରିବ ତମେ ? ମୋ ଗଳା ଭିତରେ ଛେପସବୁ ଅଠା ଧରି ଯାଇଥିଲେ । ସତରେ ପିଣ୍ଟୁକୁ ଛାଡ଼ି ମୁଁ ରହି ପାରିବି ତ-? ହଠାତ୍‌ ମୁଁ କହିଲି : କିଛି ପାଇବାକୁ ହେଲେ କିଛି ତ୍ୟାଗ କରିବାକୁ ହୁଏ ଅର୍ହନିଷ । ଖୁବ୍‌ ବିରକ୍ତ ହୋଇ ଉଠିଥିଲେ ସେ : ତ୍ୟାଗ ? ତ୍ୟାଗ କହିଲେ ତମେ କ’ଣ ବୁଝ ? ପୁଅ ପାଇଁ ମାର ତ୍ୟାଗ ? ଦେଶପାଇଁ ଦେଶପ୍ରେମୀର ତ୍ୟାଗ ? ଆଉ ପ୍ରେମିକ ପାଇଁ ପ୍ରେମିକାର ? ହଁ, ୟୁ ଫୁଲ ! ତ୍ୟାଗ କେହି କାହାପାଇଁ କରେନା । ଦାଟସ୍‌ ଓ ଓନଲି ୱାନ୍‌ସ ଡିଉଟି । ମୁଁ ରାଗି ଯାଇଥିଲି । ମୋର ତାତିଲା ମୁହଁକୁ ଚାହିଁ ସେ କହିଲେ, ଏଇ, ରାଗିଲ ? ମୋ ତମ ଉପରେ ବିଶ୍ଵାସ ଅଛି ଯେ ତମେ ତାକୁ ପାଖରେ ରଖିଲେ ବି ସେ ନିଜେ ନିଜକୁ ଠିକ୍‌ ତିଆରି କରିନେବ ।

 

ମୁଁ ରାଜି ହୋଇ ପାରିଲିନି । ପିଣ୍ଟୁକୁ ନର୍ସରୀରେ ଭର୍ତ୍ତି କରେଇ ଦେଲି । କିନ୍ତୁ କ’ଣ ଭାବି ପାରିଥିଲି ଯେ ଏମିତି ଏକା ହୋଇଯିବି ବୋଲି ? ମୋ ଗ୍ଲାବର ପୃଥିବୀରେ ମୁଁ ଏକା ହୋଇଗଲି । କାହିଁକି, ଗତଥର ପିଣ୍ଟୁ ପାଖରୁ ଫେରି ଆସିବା ପରଠାରୁ, ଏଇ ନିଃସଙ୍ଗତାର ଯନ୍ତ୍ରଣାଟା ମତେ ବେଶୀ ଆଛନ୍ନ କରି ରଖିଲା ? ଯେମିତି ମୁଁ ବିଛିନ୍ନ ହୋଇ ଯାଉଛି ମୋର ଆପଣାର ଲୋକମାନଙ୍କ ପାଖରୁ-ଅର୍ହନିଷ ପାଖରୁ-ପିଣ୍ଟୁ ପାଖରୁ । ପ୍ରତି ମୁହୂର୍ତ୍ତରେ ଏଇ ଦୂରେଇ ଯିବାର ଯନ୍ତ୍ରଣା, ମୋ ରକ୍ତର ସମାନ୍ତରାଳ ରେଖା କରି ପକାଉଛି ।

 

ପିଣ୍ଟୁ ମୋ ପୁଅ, ମୋ ରକ୍ତର ଉପଗ୍ରହ, ଅଥଚ ପିଣ୍ଟୁ, ସେଦିନ ମୋତେ ଦେଖି ସୁଦ୍ଧା କୌଣସି ଆଗ୍ରହ ପ୍ରକାଶ କଲାନି । ବରଂ ସେ ଆଂଗ୍ଲୋଇଣ୍ଡିଆନ୍‌ ମିସଟାର ହାତ ଧରି ଦୌଡ଼ି ପଳାଉଥିଲା । ମୁଁ ଡାକିଲି : ପିଣ୍ଟୁ ଶୁଣ୍‌ ମୋ ବାବାଟା, ସୁନାଟା ମୋ’ର ।

 

ପିଣ୍ଟୁ ସେ ମିସ୍‌ଟା ଦେହରେ ଯାକି ହେଇପଡ଼ିଲା ।

 

ଲୋଭ ଦେଖେଇବାକୁ ଯାଇ, ଛୋଟ ଗୋଟେ ପ୍ୟାକେଟରୁ ଅଙ୍ଗୁର କାଢ଼ି ତା ଆଡ଼କୁ ବଢ଼େଇଲି ।

 

ସେ ଆସିଲାନି ।

 

ୟା’ପରେ ସେ ମିସଟା ତାକୁ ମୋରାଲ୍‌ ସାଇନ୍‌ସ ବୁଝେଇବା ଆରମ୍ଭ କରି ଦେଇଥିଲା-। ପିଣ୍ଟୁ, ମୋତେ ଚାହିଁ ହସିଦେଲା ଏବଂ ତା’ର ଅନ୍ୟ ବନ୍ଧୁମାନଙ୍କ ସଙ୍ଗେ ଦୌଡ଼ି ପଳେଇଲା । ଏମିତି ଭାବେ କାହିଁକି ସେ ପଳେଇଲା ? ୟା’ପରେ ମୁଁ କେମିତି ସେ ଆଂଗ୍ଲାଇଣ୍ଡିଆନ୍‌ ମିସ୍‌ଟାକୁ ଦୋଷ ନ ଦେଇ ରୁହନ୍ତି ? ମୋର ଏତେ ଆକାଂକ୍ଷିତ ମାତୃତ୍ଵକୁ ସେ ଆଂଗ୍ଲାଇଣ୍ଡିଆନ୍‌ ମିସ୍‌ଟା ଯେତେବେଳେ ଛଡ଼େଇ ନେଉଥିଲା, ସେତେବେଳେ ମୁଁ କେମିତି ଯନ୍ତ୍ରଣାରେ ଛଟପଟ ହେଇ ନ ଥାନ୍ତି ?

 

ଏମିତି ଦୂରତାଟା ମାପୁ ମାପୁ, ସ୍ମୃତିଭଜା ସକାଳର ଶବଟା ସୀମାବଦ୍ଧ ସମୟର କଫିନ୍‌ ନିକଟକୁ ଆସି ସାରିଥିଲା ଏବଂ କେତେବେଳେ ମିନଟ୍‌ କଣ୍ଟାଟା ଗୋଟାଏ ଗୋଟାଏ ଗାରର ପିଠି ଉପରେ ଚଢ଼ି ଦଶ ପାଖରେ ପହଞ୍ଚି ଯାଇଛି, ମୁଁ ଲକ୍ଷ୍ୟ କରି ପାରିନି, ଯଦିଓ ୟା’ ପୂର୍ବରୁ ମୁଁ ପପିକୁ ଲକ୍ଷ୍ୟ କରୁଥିଲି ଏବଂ ଭାବି ପାରୁଥିଲି ।

 

ଅଳସ ଭାଙ୍ଗିଲି, ଆଙ୍ଗୁଠି ଉପରେ ଭରାଦେଇ ଉଠିଲି । ଆଙ୍ଗୁଠିଗୁଡ଼ା ସବୁ ଟକ୍‌ଟାକ୍‌ ଫୁଟିଲା । ପପି ବସି ବାସୀ ପାଉଁରୁଟି ଖାଉଥିଲା । ମୋତେ ଦେଖି ଦୁଇଗୋଡ଼ ଟେକି ଚଢ଼ି ଯିବାର ଚେଷ୍ଟା କଲା । ମୁଁ କିନ୍ତୁ ନିରୁତ୍ତର ହୋଇ ବାଥ୍‌ରୁମ୍‌ରେ ପଶିଲି ।

 

ବାଥ୍‌ରୁମ୍‌ରୁ ବାହାରିବା ବେଳକୁ, କିଶୋର ପପି ପାଇଁ ଜଗ୍‌ରେ ପାଣି ଦେଉଥିଲା । ମୋତେ ଦେଖି ତରତର ହୋଇ ରୋଷେଇ ଘରକୁ ଚାଲିଗଲା । ପପି ତା’ର ଆଗ ବାଁ ଗୋଡ଼ରେ ବେଳେବେଳେ ଟୁକୁରା ପାଉଁରୁଟିଟାକୁ ଗଡ଼େଇ ଖେଳୁଥିଲା । ତା’ର ଗୋଲାପୀ ଲମ୍ବା ଜିଭଟା ଝୁଲି ପଡ଼ିଥିଲା । ପପି ମୋ ଆଡ଼େ ଚାହିଁଲା । ମୁଁ କିଶୋରକୁ ରାନ୍ଧିବାର ବରାଦ୍‌ ଦେଲି । ଅନ୍ୟାନ୍ୟ କେଇଟା କାମସାରି ହସ୍‌ପିଟାଲ ଚାଲିଆସିଲି । କିଶୋର ମୋତେ ଜଳଖିଆ ଖାଇବାକୁ ବାଧ୍ୟ କଲାନି । ସେ ତା’ର ଚାକିରୀକାଳ ଭିତରେ, ତା’ ଅଭିଜ୍ଞତାରୁ ହୁଏତ ବୁଝିପାରିଥିଲା ଯେ, ମୁଁ ବେଳେବେଳେ ଏମିତି ଗମ୍ଭୀର ହୋଇଉଠେ ଏବଂ ହସ୍‌ପିଟାଲ ଚାଲିଯାଏ ଏବଂ ଏଇଭଳି ମୁହୂର୍ତ୍ତରେ ମୋତେ ବିରକ୍ତ କରିବା ଆଦୌ ଉଚିତ ନୁହଁ ।

 

ଡାକ୍ତର ପରିଜା ସେତେବେଳକୁ ତାଙ୍କ ଚେମ୍ବରକୁ ଆସି ସାରିଥିଲେ । ଗୋଟାଏ ନୀଳପର୍ଦ୍ଦାରେ ପାର୍ଟିସନ କରାଯାଇଥିବା ମୋ ଚେମ୍ବରରେ ମୁଁ ପଶିଲି । ଖୁବ୍‌ କମ୍‌ ପେସେଣ୍ଟ ଥିଲେ-। ତେଣୁ ଅଳ୍ପ ସମୟ ପରେ ମୁଁ ପୁଣି ଏକ୍‍ଲା ହେଇଗଲି ।

 

ପୂର୍ବର ସେଇ ଚିନ୍ତାମାନେ ପୁଣି ଏତେ ଶୀଘ୍ର ମୋତେ ଆଚ୍ଛନ୍ନକରି ପକାଇବେ ବୋଲି ମୁଁ ଭାବିପାରି ନ ଥିଲି । ସେଇଥିପାଇଁ କେତେଥର ଭାବିଛି, ଏ ନିରୋଳା ସହରଟାକୁ ଛାଡ଼ି ଚାଲିଯିବାକୁ । ଭୁବନେଶ୍ୱର ଯାଇ ଟ୍ରାନ୍‌ସଫର୍‌ କରେଇ ନେବାର କଥା ବି ଭାବିଚି । ଗତଥର ଭାବିଥିଲି ଅହର୍ନିଷଙ୍କୁ କହିବି ମୋ ଟ୍ରାନ୍‌ସଫର୍‌ ପାଇଁ ଟିକେ ଚେଷ୍ଟା କରିବାକୁ କିମ୍ବା ମୁଁ ରିଜାଇନଦେଇ ତାଙ୍କ ପାଖକୁ ଚାଲିଯିବି ଏବଂ କହିବି : କି ଆବଶ୍ୟକ ଅଛି ତିନି ତିନିଟା ସ୍ଵତନ୍ତ୍ର କୋଠରୀ ସୃଷ୍ଟି କରିବାରେ ? ଆମେ ଗୋଟେ କୋଠରୀରେ ରହିବା । ଆମ ପିଣ୍ଟୁ, ବି କିନ୍ତୁ କହିପାରିଲିନି । ଯାହା ଭାବି ହୁଏ, ସବୁ କ’ଣ ମନେ ରୁହେ ? ସବୁ କ’ଣ କହି ହୁଏ ?

 

ଅହର୍ନିଷଙ୍କ ପାଖକୁ ଚିଠିଟିଏ ଲେଖିବାକୁ ଖୁବ୍‌ ଇଚ୍ଛା ହେଲା । କ’ଣ ଏଇସବୁ କଥା ଲେଖିବି ? ଇନ୍‌ଲ୍ୟାଣ୍ଡଟିଏ ବାହାର କଲି । କ’ଣ ଲେଖିବି ? ଝରକାବାଟେ ବାହାରକୁ ଅନେଇଲି, ହସ୍ପିଟାଲ କମ୍ପାଉଣ୍ଡ ଭିତରେ, ତିନିଟା ଚୂଲି ଉପରେ ଆଟେଣ୍ଡାଣ୍ଟ୍‌ମାନଙ୍କର ହାତ ଫୁଟୁଥିଲା । ପର୍ଦ୍ଦାଟା ଉଡ଼ୁଥିଲା । ସେପଟ କ୍ୱାଟସ ବାହାରେ ଛିଡ଼ାହୋଇ କିଶୋର ହାତ ହଲେଇ ଡାକୁଥିଲା : ଆ, ଆ ପପି, ଚୁ ଚୁ, ଚାଲି । କିନ୍ତୁ ଅହର୍ନିଷଙ୍କ ପାଖକୁ କେମିତି ଏ ଚିଠି ଲେଖିବି ? କେମିତି ଜଣେଇବି ତାଙ୍କୁ ମୋର ଅସହାୟତାକୁ ? ସେ କ’ଣ ବୁଝି ପାରିବେ ? ସ୍ଵୀକାର କରିନେବେ ମୋର ଯନ୍ତ୍ରଣାକୁ ?

 

ବାହାରେ, ପପି କିନ୍ତୁ ଦଉଡ଼ୁଚି । ତା’ ପଛେ ପଛେ ଏସ୍‌. ଡି. ଓ.ଙ୍କ ଟାଇଗର୍‌ ବି । ମୁଁ ବାହାରକୁ ଆସି ଛିଡ଼ାହେଲି । ପପି କିନ୍ତୁ ମୋତେ ଦେଖି ଛିଡ଼ାହେଇ ପଡ଼ିଲାନି କି ଦଉଡ଼ିଆସି ଦୁଇଗୋଡ଼ ଟେକି ଉପରକୁ ଚଢ଼ିଯିବାର ଚେଷ୍ଟା କଲାନି ।

 

ସେମାନେ ଅମାନିଆ ଭାବେ ଦଉଡ଼ୁଥିଲେ ଏବଂ ସେଇ ଚାକୁଣ୍ଡା ବଣ ଭିତରେ ପଶିଲେ-। ମୋ ଭିତରେ ଗୋଟେ ଅପମାନବୋଧ ଜାଗି ଉଠିଲା । ଏବେ ସେଇ ଚାକୁଣ୍ଡାପତ୍ର ସବୁ ହଲିବାରେ ଲାଗିଚି । ମୋର ପପି ଉପରେ ଭୀଷଣ ରାଗହେଲା । ମୁଁ ସେ ଆଡ଼େ ଚାହିଁଲି । ସବୁସ୍ଥିର ହୋଇଯାଇଥିଲା । ଚାକୁଣ୍ଡାପତ୍ର ହଲୁ ନ ଥିଲା । ପପି ଟାଇଗର୍‌, ମୋତେ ଦେଖାଯାଉ ନ ଥିଲେ । କିଶୋର କିନ୍ତୁ ଛୋଟ ଛୋଟ ଟୋକା ସବୁ ଫିଙ୍ଗୁଥିଲା । ଆଉ ନିହାତି ଅଶ୍ଳୀଳ ଭାଷାରେ ଗାଳି ଦେଉଥିଲା ଶଳା ବାହାନ୍‌ଚୋତ୍‌ । ଶଳା ଏଇଥିପାଇଁ ଏଗୁଡ଼ାଙ୍କୁ କୁକୁର କୁହାଯାଏ ।

 

ମୁଁ ରାସ୍ତାକୁ ଚାହିଁଲି । ଏବେ ସେମାନେ ପ-ଟା-ପି-ଇଗର ହେଇ ଯାଇଛନ୍ତି । ଦୁଇମୁଣ୍ଡ ବିଶିଷ୍ଠ ଗୋଟାଏ ଅଦ୍ଭୁତ ଜୀବ । କିଶୋର ପପିର ଗୋଡ଼କୁ ଲକ୍ଷ୍ୟକରି ଢେଲାଟିଏ ଫିଙ୍ଗିଲା । ଆଶ୍ଚର୍ଯ୍ୟ ଲାଗୁଚି, ସକାଳେ ପପି ସାଙ୍ଗକୁ ଅଣ୍ଡିରିଟିଏ ରଖିବାର ପ୍ରସ୍ତାବ ଦେଇଥିବା କିଶୋରର ପରିବର୍ତ୍ତନ ଦେଖି । ଅହର୍ନିଷ ମନେ ପଡ଼ିଲେ । ଗୋଟାଏ ଆତ୍ମ ନିର୍ବାସନର ଜ୍ଵାଳାରେ, ମୁଁ ମୁହଁ ଉପରେ ହାତ ଢାଙ୍କିଲି ।

Image

 

Unknown

ଦର୍ପଣର ଅଚିହ୍ନା ମୁହଁ

 

ନିଜ ଅଜଣାତରେ ଚମକି ପଡ଼ିଲା ମାଇକେଲ । ଆରେ କି ଅଦ୍ଭୁତ, ସେ ଅଛି ଅଥଚ ରେଡ଼ିଓ କହୁଛି ସେ ନରୁଦ୍ଦିଷ୍ଟ । ତା’ପରେ ଘୁଞ୍ଚି ଆସି ଛିଡ଼ାହେଲା ପାନ ଦୋକାନ ଅଇନା ସାମନାରେ । ବହୁତ ସାମଞ୍ଜସ୍ୟ ଅଛି ସତରେ ! ମାଇକେଲ ଆଇନାକୁ ଚାହିଁ ଆଶ୍ଚର୍ଯ୍ୟ ହୁଏ । ଫିସ୍‌ ଫିସ୍‌ ହୋଇ ପଚାରେ (ଯେମିତି ଅନ୍ୟମାନେ ପଚାରିଥାନ୍ତି) : ବାବୁ ତୁମ ନାଁ କ’ଣ ?

 

ମାଇକେଲ ସେଇ କଣ୍ଠରେ ଉତ୍ତର ଦିଏ, ମାଇକେଲ । ମାଇକେଲ ଡେଭିଡ଼୍‍ ।

 

ପୁଣି ମାଇକେଲ ପଚାରେ : ତମର ଘର ଦ୍ଵାର ? ବାପ, ମାଆ ?

 

ଆଇନାରେ ମଣିଷ ଉତ୍ତର ଦିଏ : ଘର, ହଁ ଘରଟେ ଅଛି । ମାଆ ଅଛନ୍ତି । ଲିଲି ଅଛି । ଆଉ, ଆଉ ଗୋଟେ ପେଇଁଗେଷ୍ଟ ରହିଛି ।

 

ମାଇକେଲ କୁହେ : ବାପାଙ୍କ କଥା କହିଲନି ଯେ ।

 

ପେଟ ଭିତରୁ ବାମ୍ଫ ଉଠିଆସିଲା ପରି, ଆଇନାର ମଣିଷଟିର କଥା ବାହାରି ଆସେ, ସେ କହେ : ବାପାଙ୍କ ବିଷୟରେ ମୁଁ କିଛି ଜାଣେ ନାଁ । ଶୁଣିଛି ସେ ଭଦ୍ରଲୋକ ମୁଁ ଛୋଟ ଥିଲାବେଳେ, ଲିଲି ପେଟରେ ଥିଲାବେଳେ, ମା’ଙ୍କ ଡିଭୋର୍ସ କରିଥିଲେ । ତା’ପରେ ଦିନେ ମା’ଙ୍କ ପାଖରେ ଖବର ପହଞ୍ଚିଲା, ମଦ ଖାଇ ରାସ୍ତାରେ ଯାଉଥିବାବେଳେ ଗୋଟେ ଆକ୍‌ସିଡ଼େଣ୍ଟ୍‌ରେ ସ୍ପଟଡେଥ୍‌ ହେଇଛି । ବାପା ନାମକ ବ୍ୟକ୍ତିଟି ପ୍ରତି ମୋର ଶ୍ରଦ୍ଧା କି ବିରକ୍ତି ନାଇଁ । ତେବେ ମୋ ବାପାଙ୍କ ନାଁ ଡେଭିଡ଼୍‍, ଡେଭିଡ଼୍‍ ଥମ୍ପସନ ଥିଲା ଶୁଣିଛି ।

 

ମାଇକେଲ ସିଗାରେଟ୍‍ ଧରଉ ଧରଉ ରେଡ଼ିଓରୁ ଘୋଷଣାଟି ଶୁଣିଥିଲା : ମାଇକେଲ ଡେଭିଡ଼୍‍ ଘରୁ କେଉଁଆଡ଼େ ଚାଲି ଯାଇଛନ୍ତି । ତାଙ୍କ ବୟସ ତେଇଶ ଚବିଶ ବର୍ଷ ହେବ । ବର୍ଣ୍ଣ ଶ୍ୟାମଳ । ଉଚ୍ଚତା ପାଞ୍ଚ ଫୁଟ ଦଶଇଞ୍ଚ । ଓଠ ତଳେ ଗୋଟେ କଟା ଦାଗ ଅଛି । କେଡ଼େ ସହୃଦୟ ବ୍ୟକ୍ତି ଯଦି ତାଙ୍କ ସନ୍ଧାନ ପାଆନ୍ତି ତେବେ ଲାଲବାଗ ପୋଲିସ ଷ୍ଟେସନରେ ଜଣେଇବାକୁ ଅନୁରୋଧ ।

 

ନିଜ ଅଜାଣତରେ ଚମକି ପଡ଼ିଥିଲା ମାଇକେଲ, ବଢ଼ିଲା ଦାଢ଼ୀ କୁଣ୍ଡଉ କୁଣ୍ଡଉ ପାନ ଦୋକାନୀ ସତିଆକୁ ଚାହିଁ ପଚାରିଥିଲା : ମାଇକେଲ୍‍କୁ ଦେଖିଥିଲ କି ? ହେ, ପିଲାଟା କୁଆଡ଼େ ପଳେଇଚି ବୋଲି ରେଡ଼ିଓ କହିଲା ଯେ ? ସତିଆ ପାନରେ ମସଲା ଦଉ ଦଉ କହିଲା : କୁଆଡ଼େ ପଳେଇଛନ୍ତି ? ତାଙ୍କୁ ତ ମୁଁ ଆଉ ଦେଖୁନାଇଁ । ଦି’ମାସ ତଳେ କହୁଥିଲେ ପାଠ ସରିଗଲାଣି ଘରକୁ ଚାଲିଯିବେ ।

 

ମାଇକେଲ ହସିଦେଲା ସି’ନା ହେଲେ କୋଉଠି ଗୋଟେ ବ୍ୟାକୁଳତାର କଅଁଳା ବାଛୁରୀ ଡେଇଁ ବୁଲିଲା ତା ଦେହ ପଡ଼ିଆରେ । ଦୁଃଖ କଲା, ଧୀରେ ଧୀରେ ଦୁନିଆ ତା’କୁ ଭୁଲିବା ପାଇଁ ଆରମ୍ଭ କରିଛି । ତାପରେ ମାଇକେଲ ମନକୁ ବୁଝେଇ ନେଲା । ହେ, ପାନ ଦୋକାନୀଟାର କଥାରେ ଗୁରୁତ୍ଵ ଦିଆଯାଇ ନପାରେ । ହେଲେ ଅନୁଭବ ମହାନ୍ତି ? ଓଃ ଛାଡ଼ ସେତ ଏବେ ଭିନ୍ନ ସ୍ଵପ୍ନରେ ।

 

ଅନ୍ୟମନସ୍କ ଭାବରେ ତା’ର ପାଦ ଦି’ଟା ଆଗକୁ ବଢ଼େଇ ଦେଲା ମାଇକେଲ । ଷ୍ଟେସନରେ ଟ୍ରେନଟିଏ ଲାଗିଥିଲା । ଟି. ଟି. ସି. ଛିଡା ହୋଇଥିଲା ଗେଟକୁ ଆଉଜି । ମାଇକେଲ ଟି. ଟି. ସି ପାଖରେ ଘସିହୋଇ ଆଗେଇ ଗଲା । ଏଇ ପ୍ଲାଟଫର୍ମ, ଯେଉଁଠି ଅନେକ ରାତିଯାଏ ବସି ସେ ମସ୍ତି କରିଛି ସାଙ୍ଗମାନଙ୍କ ସଙ୍ଗରେ । ସେ ଗୀତ ଗାଇଚି ଜାଣେନା ତଥାପି ଗୀତ ଗାଇଚି ଉଚ୍ଚ ଗଳାରେ । ଷ୍ଟେସନର କ୍ୟାଣ୍ଟିନଟିଏ, ଆଗକୁ ଆଗେଇ ଗଲା ମାଇକେଲ । ଦେଖିଲା ସେଇ ପୁରୁଣା ଲୋକ ଯା’ଠୁ ସେମାନେ ସ୍ପେଶାଲ ଚା’ ନାଁରେ ଚାଲୁ ଚା’ ଖା’ନ୍ତି ଓ ବସି ରୁହନ୍ତି ସାମନା ସିମେଣ୍ଟ ବେଞ୍ଚରେ । ଏଇ ଲୋକଟା ପାଖରୁ ମାଇକେଲ ବହୁବାର ମାଣ୍ଡ୍ରେକ୍‌ସ ନେଇଛି । ମାଇକେଲ୍‍ର ମନେଅଛି ଥରେ ମାଣ୍ଡ୍ରେକ୍‌ସ ଖାଇ ନିଶାରେ ବୁଜି ବୁଜି ଆସୁଥିବା ବେଳେ ମାଡ୍ରାସ ମେଲରେ ଗୋଟେ ସୁନ୍ଦରୀ ଝିଅକୁ ଦେଖି ଝରକା ରେଲିଂକୁ ଧରି ଛିଡ଼ା ହେଇଯାଇଥିଲା ସେ ।

 

ସାଙ୍ଗମାନଙ୍କ କଥାକୁ ଖାତିର ନକରି ଧୀରେ ଧୀରେ ଆଗେଇ ଯାଇଥିଲା ଡୋର ବାଟେ ଓ ଝିଅଟା ସାମନାରେ ଛିଡ଼ା ହେଇ ତା ମୁଁହକୁ ଚାହିଁ ରହିଲା ଏକଲୟରେ । ସେଇଦିନ ସେଇ କ୍ୟାଣ୍ଟିନ ବାଲାଟା ଟ୍ରେନରେ ଚଢ଼ିଯାଇ ତାକୁ ଟାଣି ଆଣିଥିଲା, ଗାଳି ଦେଇଥିଲା ।

 

ମାଇକେଲ କ୍ୟାଣ୍ଟିନଟାର ସାମନାରେ ଛିଡ଼ାହେଇ ମାଲିକଟାର ମୁହଁକୁ ଚାହିଁ ହସିଦେଲା-। ଲୋକଟା ହସିଲାନି ବରଂ ଓଲଟା ପଚାରିଲା କ’ଣ ଦେବି ବାବୁ ? ମାଇକେଲ ଅନ୍ୟଥରଗୁଡ଼ିକ ପରି କହିଲା : କିଛିତ ହେଲେ ଦିଅ । ସବୁଥର ଏମିତି କୁହେ ମାଇକେଲ, ଦୋକାନୀଟା ହସିଦେଇ କହେ, ପାଗଳା ବାବୁ, ରୁଚି ଅରୁଚି ନାହିଁ । ତା’ପରେ ସ୍ପେଶାଲ ଚା’ ନାଁରେ ଚାଲୁ ଚା’ ବଢ଼େଇ ଦିଏ-। ଏଥର କିନ୍ତୁ ଦୋକାନୀଟା କହିଲା କ’ଣ ଦେବି ଆଜ୍ଞା ମିଠା ଗୋଲାପଜାମୁ, ଇଟ୍‌ଲି, ସିଙ୍ଗଡ଼ା, ସଜିଥା କେକ ? ହେ ଖାଇବାକୁ ତା’ର ଇଚ୍ଛା ନାହିଁ । ଲୋକଟା ତା’ ମୁହଁକୁ ଚାହିଁ ରହିଥିଲା ବୋଲି ମାଇକେଲ ବୁଲିପଡ଼ି ଫେରି ଆସିଲା । ହ୍ଵିଲର ବହି ଦେଖୁ ଦେଖୁ ଗୋଟେ ସମୟରେ ପୁଣି ବାହାରି ଆସିଲା ପ୍ଲାଟଫର୍ମରୁ ।

 

କିଛି ବାଟ ଚାଲି ଆସିଲା ପରେ, ହଠାତ୍‌ ଟାଉନ ବସକୁ ଦେଖି ଉଠିଗଲା ଓ ବସ ଛାତର ଲୁହାରଡ଼କୁ ଧରି ଛିଡ଼ା ହେଲା । ପକେଟରେ ହାତ ପୁରେଇ କଣ୍ଡକ୍‌ଟରକୁ ପଇସା ବଢ଼େଇ ଦେଲା । କଣ୍ଡକ୍‌ଟର କୌଣସି ଗୋଟେ ଜାଗାର ନାଁ ବୋଧେ ପଚାରିଲା । ମାଇକେଲ ମୁଣ୍ଡ ହଲେଇ ହଁ କଲା ଓ ଛାତର ଲୁହା ରଡ଼କୁ ଧରି ସେମିତି ଛିଡ଼ା ହେଇ ରହିଲା । ବସ୍‍ଟା ଗୋଟେ ଜାଗାରେ ଏତେ ଜୋରରେ ଧକ୍‌କା ଖାଇଲା ପରି ରହିଗଲା ଯେ, ବସ୍‍ ଯାକର ଲୋକେ ଆଗକୁ ଝୁଙ୍କି, ପଛକୁ ଠେଲେଇ ହୋଇ ପଡ଼ିଲେ । ଆଗରେ ଛିଡ଼ା ହୋଇଥିବା ଗୋଟିଏ ପିଲାର ମୁଣ୍ଡ ଢାଏକରି ବାଜିଗଲା ମାଇକେଲ୍‍ର ନାକରେ । ପିଲାଟା ହଠାତ୍‌ ବୁଲିପଡ଼ି କହିଲା : ସରି ଡୋଣ୍ଟ ମାଇଁଣ୍ଡ ।

 

ମାଇକେଲ ପାଟିରୁ ଅକସ୍ମାତ ବାହାରି ଆସିଲା, ରମଣ ? ରମଣ ବୁଲିକି ତା’ ସମଗ୍ର ଦେହ ଉପରେ ଆଖି ବୁଲେଇ ନେଇ ପୁଣି ସିଧା ହେଇ ଛିଡ଼ା ହେଲା ।

 

ମାଇକେଲ ଫିସ୍‌ଫିସ୍‌ କଣ୍ଠରେ କହିଲା : ଚିହ୍ନିପାରୁନୁ ? ତୋ ରୁମ୍‌ମେଟ ସଙ୍ଗେ ତୋର ରିଲେସନ ଥିଲାବୋଲି ହଷ୍ଟେଲରେ ଗୁଜବ ଥିଲା, ତୁ ମତେ ଚିହ୍ନି ନ ପାରିଲେ ବି ମୁଁ ତତେ ଚିହ୍ନି ପାରିବି । ମାଇକେଲ ଦେଖିଲା ଭିଡ଼ ପାଇଁ ବସଟା ଆଗକୁ ଯାଇ ପାରୁନି । ମାଇକେଲ୍‍ର ଗୋଟେ ନିଶ୍ଵାସ ରୁଦ୍ଧି ହେବାଭଳି ଅନୁଭୂତି ଆସୁଥିଲା । ସେ ବସରୁ ଡେଇଁପଡ଼ି ଛିଡ଼ା ହେଲା ରାସ୍ତାରେ । ଗୋଟେ ରକମ ମୁକ୍ତି ସେ ଯୁଆଡ଼େ ଇଚ୍ଛା କରିବ ସିଆଡ଼େ ଯିବ । ଠିଆ ହେଇ କୁଆଡ଼େ ଯିବ ଚିନ୍ତା କରୁ କରୁ ମାଇକେଲ୍‍ର ଛାତି ଭିତରେ ବିଛେଇ ହେଇ ପଡ଼ିଲା ବ୍ୟାକୁଳତାର ମେଘ । ମାଇକେଲ ଦେଖିଲା ସମସ୍ତଙ୍କ ହୃଦୟରୁ ସ୍ମୃତିର ଅଳିଆ ସବୁ ଭାସି ଯାଉଚି ପ୍ରଥମ ବର୍ଷାର ସୁଅରେ । ତା ହୃଦୟର କାଚକେନ୍ଦୁ, ପୋଖରୀରେ ଚକା ଦେଇ ହଜି ବୁଲୁଚି ନିରାଶାର ମାଟିଆ ଚିଲ । ମାଇକେଲ ନାଁରେ ଯୁବକଟି ନିରୁଦ୍ଦିଷ୍ଟ ? କୁଆଡ଼େ ଗଲା ଯେ ?

 

ତା’ପରେ ଧୀରେ ଧୀରେ ପାଦ ବଢ଼େଇ ଦେଲା, ପୁର୍ବରୁ ରାତି ଖାଇବା ଖାଉଥିବା ହୋଟେଲ ଆଡ଼େ ମାଇକେଲ କିଛି ବାଟ ଯାଇଛି କି ନାହିଁ ଏତିକି ବେଳକୁ ତା’ର ବାଁ ପାଦର ଚପଲଟା ଛିଣ୍ଡି ଗଲା । ସେଇ ଛିଣ୍ଡା ଚପଲରେ ମାଇକେଲ କିଛି ବାଟ ଚାଲିଗଲା । ହେଲେ ତା ମନଟା ଯାଇ ସେଇ ଛିଣ୍ଡା ଚପଲ ଆଉ ପାଦ ଚିନ୍ତାରେ ଅଟକି ଯାଉଥିଲା । ନା ଚପଲ ଦି’ଟା ପାଇଁ ତା କାମ ଅଟକିଯିବ ନାଇଁ । ସେ ଚପଲ ଦି’ଟା କାଢ଼ି ଫିଙ୍ଗି ଦେଲା ଖାଲି ପାଦରେ ଚାଲିବାପରେ ଗୋଟେ ଫୁଟ-ପାଥ ଦୋକାନ ଦେଖି ଛ’ ଟଙ୍କା ପଚାଶ ଦେଇ ଦି’ଟା ଶସ୍ତା ସ୍ଳିପର କିଣିଲା ଓ ଆଗକୁ ମୁହେଁଇଲା ।

 

ହୋଟେଲରେ ପହଞ୍ଚି ଦେଖିଲା ମାଲିକଟା କାଠି ଖଣ୍ଡେ ଧରି ତା’ର ହଳଦିଆ ଦାନ୍ତ ଖୋଳୁଚି । ମାଇକେଲ ସିଧା ପଶିଗଲା ଭିତରକୁ ବୟଟାକୁ ଉଦ୍ଦେଶ୍ୟ କରି କହିଲା : ପାଣିଗ୍ଲାସ ଆଣିଲୁ । ତାପରେ ଚୌକିଟିରେ ସେ ବସିପଡ଼ିଲା ।

 

ପିଲାଟି ପାଣି ଆଣି ଦେବାବେଳେ ମାଇକେଲ ପଚାରିଲା : ମାଇକେଲ ଆସିଥିଲା କି ଖାଇବାକୁ ? କେତେବେଳେ ଆସିଥିଲା ?

 

ବୟଟା କହିଲା : ଜାଣି ନାହାନ୍ତି କି ବାବୁ ସେତ ଆଉ କେତେ ଦିନ ହେଲା ଆମ ହୋଟେଲକୁ ଖାଇବାକୁ ଆସୁ ନାହାନ୍ତି । ଆଜି ରେଡ଼ିଓରୁ ଶୁଣିଲି, ସେ କୁଆଡ଼େ ପଳେଇଚନ୍ତି ପରା-

 

କୁଆଡ଼େ ପଳେଇଲା ? ମାଇକେଲ ଦୀର୍ଘ ଶ୍ଵାସଟିଏ ପକେଇ ଛିଡ଼ା ହେଇପଡ଼ିଲା । ତାପରେ ବୟଟାକୁ ପାଖକୁ ଡାକି କହିଲା : ଏ ପିଲା ଟାବ୍‌ଲେଟ ରଖିଚୁ ? ଆରେ ଦେ ଅଧିକ ପଇସା ଦେବି ।

 

ପ୍ରଥମେ ବୟଟା ତା କଥାକୁ ଆଡ଼େଇଗଲା : ନାଁ ବାବୁ ସେ ସବୁ ଆମେ ଦୋକାନରେ ରଖୁନୁ ।

 

ମାଇକେଲ ହସିଦେଲା : ମିଛ କହନା । ମୁଁ ପରା ତୋ ପାଖରୁ କେତେଥର ନେଇଚି ଦେ ଶୀଘ୍ର ଦେ ମୋ ସମୟ ନାଇଁ ।

 

ବୟଟା ଭିତରକୁ ଗଲା ଓ ବଡ଼ କୁଣ୍ଠିତ ଭାବରେ ବଢ଼େଇ ଦେଲା ଟାବ୍‌ଲେଟ ତା ହାତକୁ-। ମାଇକେଲ ପଇସା ଚୁକ୍ତି କରି, ସେଇଠି ଟାବ୍‌ଲେଟ ଗିଳିଦେଇ, ହୋଟେଲରୁ ବାହାରି ଆସି ରାସ୍ତାରେ ଛିଡ଼ା ହେଲା । ଛିଡ଼ାହୋଇ ସିଗାରେଟଟିଏ ଲଗେଇଲା ଓ ଧୀରେ ଧୀରେ ଚାଲିବା ଆରମ୍ଭ କଲା । ଗୋଟେ ଅନ୍ଧାରିଆ କେବିନ ପାଖରେ ଭିକାରୀଟିଏ ବସିଥିଲା । ମାଇକେଲ୍‍କୁ ଦେଖିପକେଇ ପଇସା ମାଗିଲା । ମାଇକେଲ ପକେଟରେ ହାତ ଭର୍ତ୍ତିକଲା ଓ ପଇସାଟିଏ ପକେଇ ଦେଲା । ତାପରେ ପଚାରିଲା ୟେ ମାଇକେଲ୍‍କୁ ଦେଖିଚୁ ?

 

ଭିକାରୀ ମୁଣ୍ଡଟେକି ଚାହିଁଲା : ବାବୁ କିଏ ?

 

: ଆବେ ସେଇ ଲୋକ, ଦି ବାଷ୍ଟାର୍ଡ଼ୱାନ ।

 

ଭିକାରୀଟା କାଶି କାଶି କହିଲା : ଆଜ୍ଞା ଏଇ ଟିକିଏ ପୂର୍ବରୁ ସେ ଦୋକାନ ବନ୍ଦ କରି ଚାଲିଗଲା ।

 

: ଚାଲିଗଲା ? ମାଇକେଲ ହସିବ କି ବ୍ୟସ୍ତହେବ ? କିନ୍ତୁ ସେ ଯେ ଧୀରେ ଧୀରେ କ୍ଲାନ୍ତ ହୋଇ ପଡ଼ିଥିଲା । ସେଇ କ୍ଳାନ୍ତି ଭିତରେ ପାଦ ବଢ଼େଇ ଦେଲା । ଟାବ୍‌ଲେଟର ରିଆକ୍‌ସନ ଆରମ୍ଭ ହେଇଯାଇଥିଲା ବୋଧହୁଏ । ଅଳ୍ପ ସମୟ ପରେ ମାଇକେଲ୍‍ର ମନେ ହେଲା ସେ ପବନରେ ଚାଲିଚି । ବେଲୁନ ପରି ଝୁଲି ଝୁଲି । ପବନ ତା ଗୋଡ଼ ଦି’ଟାକୁ ଭସେଇ ନଉଚି । ମାଇକେଲ ଭାସି ଭାସି ପହଞ୍ଚିଲା । ହିନ୍ଦସିନେମା ପାଖରେ । ହିନ୍ଦସିନେମା ପାଖରେ ଛିଡ଼ା ହେଇ ପିଲାଟେ ଫୁଲ ବିକୁଥିଲା । ମାଇକେଲ ପିଲାଟାକୁ ପାଖକୁ ଡାକି ତିନିଟା ମଲ୍ଲି ମାଳ କିଣିଲା । ମାଳ ତିନିଟା ହାତରେ ଗୁଡ଼େଇ ଗୋଟେ ରିକ୍‌ସା ଡାକିଲା ।

 

ରିକ୍‌ସାବାଲା ପଚାରିଲା ଆଜ୍ଞା କୋଉଠିକୁ ଯିବା ?

 

କୋଉଠିକୁ ଯିବି ଚିନ୍ତାକଲା ମାଇକେଲ । ହଠାତ୍‌ ମନେପଡ଼ିଗଲା ତା’ର ମାଇକେଲ ନାଁରେ ଯୁବକ ନିରୁଦ୍ଦିଷ୍ଟ । ମାଇକେଲ୍‍ର ଖବର ନେବାକୁ କଟକରେ ଆହୁରି ଜାଗା ବାକି ଅଛି । ଏତିକିବେଳେ ତା’ର ମନେପଡ଼ିଗଲା ରେଭେନ୍‌ସା ହଷ୍ଟେଲର ପଚିଶ ନମ୍ବର ରୁମରେ ଗୋଟେ ପିଲା ରୁହେ, ଯା ନାଁ ମାଇକେଲ ।

 

ରିକ୍‌ସାକୁ କହିଲା : ନେ ରେଭେନ୍‌ସା କଲେଜ ଭିତରକୁ ।

କଲେଜ କ୍ୟାମ୍ପସର ଚିହ୍ନାଗନ୍ଧ ବାରି ବାରି ସେ ଯାଇଁ ଉଠିଲା ପୂର୍ବରୁ ରହୁଥିବା ହଷ୍ଟେଲରେ । ପକେଟରେ ହାତ ପୁରେଇ ମୁଠେ ଖୁଚୁରା ପଇସା ବାହାର କରି ରିକ୍‌ସା ହାତରେ ଧରେଇଦେଲା ।

ଟାବ୍‌ଲେଟର ରିଆକ୍‌ସନ ପାଇଁ ମୁଣ୍ଡଟା ଟିକେ ଝିମଝିମ ହୋଇଯାଇଥିଲ ତା’ର । ପାଦ ଦି’ଟା ଅସ୍ଥିର ଲାଗୁଥିଲା । ତଳେ ଛିଡ଼ା ହୋଇ ଦେଖିଲା ମାଇକେଲ ଅସଂଖ୍ୟ ପାହାଚ ଉପରକୁ । ଯାଉଁ ଯାଉଁ ଦେଖିଲା ସୁପରିଟେଣ୍ଡେଣ୍ଟ ଆସୁଛନ୍ତି । ହାତ ଉଠେଇ ଗୋଟେ ନମସ୍କାର ପକେଇଲା, କହିଲା : ସାର୍‌ ଆସୁଛି ଟିକିଏ ବ୍ୟସ୍ତ ଅଛି । ସେ ତାକୁ ଚିହ୍ନିଲେ କି ନାହିଁ କେଜାଣି, ଉପରକୁ ଉଠୁ ଉଠୁ ଫେରି ଆସିଲା ମାଇକେଲ । ଫେରି ଆସିଲା ପଚାରିବାକୁ : ସାର୍‌ ମନେଅଛି ଗୋଟେ ପିଲାକୁ ଆପଣ ବେଳେବେଳେ ରାତି ତିନିଟାରୁ ବି ଉଠାଇ ନେଉଥିଲେ ଆପଣଙ୍କ ରୁମକୁ । ଆପଣଙ୍କ ବୋତଲରେ ସେୟାର ହେବାକୁ । ପିଇ ପିଇ ଆପଣ ପ୍ଲେଟୋଙ୍କ ରିପବ୍ଲିକ୍‌ଠୁ ଡିପାର୍ଟମେଣ୍ଟର ପ୍ରେମ କଥା ଗପି ଯାଉଥିଲେ । ପାଖରେ ବସି ଗୋଟେ ପିଲା ଆପଣଙ୍କ ପରି ପିଇ ପିଇ ଆପଣ କଥା ଶୁଣୁ ଶୁଣୁ କଥା ବଦଳାଉଥିଲା । ସେଇ ପିଲାଟା ମାଇକେଲ, ସେ କୁଆଡେ ନିରୁଦ୍ଦିଷ୍ଟ ହୋଇଯାଇଛି ।

ମାଇକେଲ ଫେରିଆସି ଦେଖିଲା ସାର୍‌ ତା ଆଖି ସାମ୍‌ନାରେ ନାହାନ୍ତି, ଅଗତ୍ୟା ସେ ଉପରକୁ ଉଠିଲା । ଚଢ଼ୁ ଚଢ଼ୁ ହଠାତ୍‌ ପାଦ ଖସିଗଲା, ପଡ଼ିଗଲା ସେ । କେଉଁଠି ଥିଲା ଗୋଟେ ପିଲା ଦୌଡ଼ଆସି ତାକୁ ଉଠେଇବାରେ ସାହାଯ୍ୟ କଲା ।

ରୁମ୍‍ ପରେ ରୁମ୍‍ ଅତିକ୍ରମ କରି ଯାଉଯାଉ ଗୋଟେ ଜାଗାରେ ତା ପାଦ ଅଟକିଗଲା, ‘‘ରୁମ ନମ୍ବର ୨୫, ମାଇକେଲ ଡେଭିଡ’’ କବାଟ ଦେହରେ ବ୍ଲେଡ୍‌ରେ ଖୋଳା ହୋଇ ଲେଖାଯାଇଛି । କେତେ ଚିହ୍ନା ନାଁଟା । ସତରେ, କେତେ ଆପଣାର । ଭିତରୁ କବାଟଟା ବନ୍ଦ ଥିଲା-। ମାଇକେଲ ସମ୍ଭାଳି ନ ପାରି ଖୁବ୍‌ ଜୋରରେ ଖଡ଼ଖଡ଼ କଲା । କିଛି ସମୟ ପରେ ନିରଞ୍ଜନ ଲୁଙ୍ଗି ପିନ୍ଧିପିନ୍ଧି ବାହାରିଆସିଲା । ଦୁଆର ମୁହଁରେ ଛିଡ଼ା ହୋଇ ପଚାରିଲା : କାହାକୁ ଖୋଜୁଛନ୍ତି ?

ମାଇକେଲ ଦୁଃଖ କଲା । ଏଇ ପିଲାଟା କିଛି ମାସ ପୂର୍ବରୁ ଏଇ ରୁମରେ ରହିବ ବୋଲି କେତେଥର ତାକୁ କହିଯାଇଥିଲା ଅଥଚ ଚିହ୍ନୁନି । ମାଇକେଲ ମୁହଁ ଖୋଲିଲା ।

: ଏଇଟାତ ମାଇକେଲ୍‍ର ରୁମ ! ମାଇକେଲ ଅଛି କି ?

ନିରଞ୍ଜନ ଖୋଲା ହିନ୍ଦୀ ଗପ ବହଟିକୁ ବନ୍ଦକରି ଦେଇ କହିଲା : ନାଁ ଆଜ୍ଞା ସେ ପୂର୍ବରୁ ଏଇ ରୁମରେ ରହୁଥିଲେ, ଏବେତ ହଷ୍ଟେଲ ଛାଡ଼ି ଦେଇଛନ୍ତି । କିଛିଦିନ ପୂର୍ବରୁ ଚିଠି ଦେଇଥିଲେ, କେବେ ଦିନେ ଆସିବେ ବୋଲି, କାହିଁ ଆସିଲେନି ? ବରଂ ଆଜି ରେଡିଓରୁ ଶୁଣିଲି ସେ କାଳେ ଘର ଛାଡ଼ି କୁଆଡ଼େ ପଳେଇଛନ୍ତି । ଆପଣ କ’ଣ ତାଙ୍କର ଭାଇ ହୁଅନ୍ତି ।

ମାଇକେଲ ହସିବ କି ଦୁଃଖ କରିବ ଭାବିପାରିଲାନି । ଦେଖିଲା ତା’ ମନ ପୋଖରୀର ପାଣି ସ୍ଥିର ହୋଇଯାଇଛି । ଅଗତ୍ୟା କ୍ଳାନ୍ତିରେ ଗୋଟେ ପୂର୍ଣ୍ଣାଙ୍ଗ ଅସହାୟତାକୁ ମୁଣ୍ଡରେ ଲଦି ସେ ଫେରିଆସିଲା । ଫେରି ଆସୁ ଆସୁ ଅଟକିଗଲା । ବୁଲିପଡ଼ି ପଚାରିଲା ସିଗାରେଟ୍‍ ଅଛି ? ପିଲାଟା ମୁଣ୍ଡ ହଲାଇ ନା କଲା । ମାଇକେଲ ଉପାୟ ଶୂନ୍ୟ ହୋଇ ବାହାରି ଆସିଲା ହଷ୍ଟେଲରୁ ।

ଗୋଟେ ଅଜବ ନିଶା ଘାରି ଦେଇଛି ତାକୁ । ମାଇକେଲ୍‍କୁ ଖୋଜି ବାହାର କରିବାର ନିଶା । ତା ଚାରିପାଖରେ ଦୁନିଆ କେତେ ଚିହ୍ନା ଦେଖ, କେତେ ଚିହ୍ନା, ଏଇତ ଫିଲ୍‌ଡ, ଏଇତ ଲେଡ଼ିଜ୍‌ ହଷ୍ଟେଲ । ଲେଡ଼ିଜ୍‌ ହଷ୍ଟେଲ ପାଖରେ ତା ପାଦ ଦି’ଟା ଦୃଢ଼ ହୋଇଗଲା ।

 

ସେ ଛିଡ଼ା ହୋଇ ଝରକା ଗଣିନେଲା । ମିତା ରୁମ୍‍କୁ ଚିହ୍ନିବାରେ ତା’ର ଅସୁବିଧା ହେଲାନି । ତା ରୁମ୍‍ଟା ଅନ୍ଧାର ହେଇଛି । ଏତେ ଶୀଘ୍ର କଣ ସେମାନେ ଶୋଇପଡ଼ିଲେଣି ନା ମିତା ନାହିଁ ?

 

ତା’ର ଇଚ୍ଛା ହେଲା ମିତାକୁ ଡକେଇ ଗପନ୍ତା । ହେଲେ ମିତା ରାତିରେ ବାହାରକୁ ଆସି ଗପି ପାରିବନି । ତା’ର ଇଚ୍ଛା ହେଲା, ତଳେ ଛିଡ଼ା ହୋଇ ଚିତ୍କାର କରନ୍ତା ମିତା, ମିତା । ସେ ପାଟି ଆଁ କଲା, ହେଲେ ଶବ୍ଦ ବାହାରିଲାନି ।

 

ମାଇକେଲ ଆଗକୁ ପାଦ ଉଠାଉ ଉଠାଉ ଭାବିଲା- ସନ୍ଧ୍ୟାରେ ରେଡ଼ିଓ ଖୋଲି ମିତା ଶୁଣୁଥିବ, ମାଇକେଲ କୁଆଡ଼େ ପଳାଇଛି । କଣ ଚିନ୍ତା କରିଥିବ ସେ । ହଠାତ୍‌ ତାର ମନେ ପଡ଼ିଗଲା ମିତା ପାଖରେ ତାର ପକେଟ୍‌ ରେଡ଼ିଓଟା ରହିଯାଇଛି । ଧୂର୍ତ୍ତ ହେଲେ ବି ଝିଅଟାକୁ ଫ୍ରାଙ୍କ କହିବାକୁ ହେବ । ତାର ମାଇକେଲ ସାଙ୍ଗରେ ପ୍ରେମ ଫ୍ରେମର ସମ୍ପର୍କ କିଛି ନ ଥିଲା । ତଳ କ୍ଳାସ ଝିଅଟା ଡିପାର୍ଟମେଣ୍ଟ ପିକ୍‌ନିକ୍‌ରେ ଭଲ ଗୀତ ଗାଉଥିଲା । ଝିଅଟା ସଙ୍ଗେ କେମିତି ଗୋଟେ ତାର ପରିଚୟ ହୋଇଥିଲା ଘନିଷ୍ଠତା ବି । ତା ପରଠୁଁ ପରସ୍ପରକୁ ବନ୍ଧୁ ହିସାବରେ ପାଇଛନ୍ତି । କ୍ୟାମ୍ପସରେ ଛିଡ଼ା ହୋଇ ଘଣ୍ଟା ଘଣ୍ଟା ଗପିଛନ୍ତି । କ୍ୟାଣ୍ଟିନ୍‌ ରେସ୍ତୋରାଁ ଯାଇଛନ୍ତି ।

 

ମାଇକେଲ ଜାଣେ ମିତାର ଜଣେ ପରମାନେଣ୍ଟ ପ୍ରେମିକ ଅଛି । ପିଲାଟାର ଆଡ଼ୁଆଳରେ ମିତା ବାହାରେ ମାଇକେଲ ସଙ୍ଗେ ଘୂରି ବୁଲେ । ପିଲାଟା ଷ୍ଟେଟ ବାହାରେ କେଉଁଠି ଚାକିରୀ କରେ । ମାଇକେଲ କେବେ ପଚାରେ ନାହିଁ ସେ ଭଦ୍ରଲୋକଟି କଥା ବି ସେ କେବେ ମୁହଁ ଖୋଲି କହିନି । ବରଂ ଅନେକ ଥର କଥା ପ୍ରସଙ୍ଗରେ କୁହେ -ଲଭ ଇଜ୍‌ ୱାନ୍‌ କାଇଣ୍ଡ ଅଫ୍‌ ଗିଭ୍‌ ଏଣ୍ଡ ଟେକ ଟ୍ରାଞ୍ଜାକ୍‌ସନ୍‌ ।

 

ମିତା କଥା ମନେ ପଡ଼ିଗଲେ ତାକୁ ଏତେ ଦୁଃଖ ଲାଗେ କାହିଁକି ? ମାଇକେଲ ଭାବି ଦେଖିଲା, କୋଉ କୋଣରେ ବିନ୍ଦୁଏ ଝାଳ ଭଳି ମିତା ପ୍ରତି କରିଥିବା ଅବିଚାରଟା ତାକୁ ବିଷନ୍ନ କରି ପକାଉଛି ଅଥଚ ଦେଖ, ଆଜିଯାଏ ତା ବିଷନ୍ନତାର କାରଣ ଏଇ ଝାଳଟିକକୁ ଅବିଷ୍କାର କରିପାରି ନ ଥିଲା । ମିତାକୁ ନେଇ ମାଇକେଲ ସେଦିନ ଖାନ୍‌ନଗର ମଶାଣି ପାଖକୁ ଯାଇଥିଲା । ମିତାର ସେଦିନ ସେ ଜାଗାଟା ଖୁବ୍‌ ପସନ୍ଦ ହୋଇଥିଲା । ମାଇକେଲ୍‍ର ପସନ୍ଦକୁ ତାରିଫ କରୁ କରୁ କହିଥିଲା : ହେଲେ ତମେ ଏମିତି ଗୋଟେ ନିରୋଳା ଜାଗାକୁ ବା କାହିଁକି ଆସିଲ ?

 

ମାଇକେଲ ହସିଥିଲା : ଏମିତି ମନ ଯୁଆଡ଼େ ଚାହିଁଲା । ତୁମକୁ କ’ଣ ଖରାପ ଲାଗୁଛି-?

 

ଗପୁ ଗପୁ ମାଇକେଲ ଦେଖିଲା, ସୂର୍ଯ୍ୟରୁ ଟିକେ ଲାଲ ଖରା ଆସି ମିତାର ଫାଳେ ଗାଲରେ ପଡ଼ିଛି । ଚମତ୍‌କାର ଦିଶୁଛି ମିତା । ମାଇକେଲ ମିତା ପାଖକୁ ଘୁଞ୍ଚିଗଲା । ତାର ସେଇ ସୁନ୍ଦର ଆପେଲ ପରି ଦିଶୁଥିବା ଗାଲରେ ଚୁମାଟେ ଖାଇଦେଲା ।

 

ସମ୍ଭବତଃ ରାଗରେ ଲାଜରେ ମିତାର ମୁହଁ ଅସ୍ୱାଭାବିକ ଭାବେ ପରିବର୍ତ୍ତନ ହୋଇଗଲା-। ତା ଓଠଟା ବାରମ୍ବାର ଥରି ଉଠୁଥିଲା ।

 

ମାଇକେଲ ଜାଣେ ଅନେକ ଝିଅ ବାହାରକୁ ଏକ ପ୍ରକାର ଫ୍ରାଙ୍କ ଆଡ଼ଭାନ୍‌ସ ମନେହେଲେ ବି ସବୁ ଝିଅଙ୍କ ଭିତରେ ଗୋଟେ ସଚେତନ ସତୀ ନାରୀ ଶୋଇଛି । ସେ ସତୀନାରୀ ସେମାନଙ୍କୁ ବେଳେବେଳେ ହୁସିଆର କରିଦିଏ । କିନ୍ତୁ ବେଳେବେଳେ ବି ଅଜାଣତରେ ଅନେକ କିଛି ଘଟିଯାଏ ।

 

ଆଉ ସେତେବେଳେ ସତୀନାରୀଟା ଝିଅମାନଙ୍କ ମନ କାନ୍ଥରେ ଧଳାଚୂନ ଧଉଳେଇ ଆଣେ ଯାହା । ମାଇକେଲ ବୁଝେ ନାହିଁ ସବୁ ଝିଅ କିଆଁ ଧଳାକାନ୍ଥ ପରି ପବିତ୍ର ରହିବାକୁ ଚାହାନ୍ତି-

 

ମିତାର ଫିକା ପଡ଼ିଯାଇଥିବା ମୁହଁକୁ ଚାହିଁ ମାଇକେଲ କହିଥିଲା : କଲିକତା ଦେଖିଚ ମିତା ?

 

: ମିତା ମୁଣ୍ଡ ହଲେଇ ନାଁ କରିଥିଲା ।

 

: କଲିକତାର ଇଡେନ୍‌ଗାର୍ଡ଼େନ ନାଁ ଶୁଣିଛ ? କଲିକତାର ଇଡେନ୍‌ଗାର୍ଡ଼େନ ପ୍ରେମିକ ପ୍ରେମିକାମାନଙ୍କ ମିଳନସ୍ଥଳୀ । ସେଇଠି ସବୁକିଛି ଖୋଲାଖୋଲି ଭାବରେ ଚାଲେ। କଲିକତାର ଝିଅଙ୍କୁ ସାହସୀ କହିବାକୁ ହବ । ସେମାନେ ତମ ପରି ଭୀରୁ ନୁହନ୍ତି । ମିତା ତଳକୁ ମୁହଁ ପୋତି ବସିଥିଲା ସେମିତି । ମାଇକେଲ ହଠାତ୍‌ ମିତାର ଦୁଇହାତ ଧରି କ୍ଷମା ମାଗିନେଲା ।

 

ମିତା କିନ୍ତୁ ମାଇକେଲ ହାତ ଦି’ଟାକୁ ମୁଠେଇ ଧରିଲା । ତା’ପରେ ଥରି ଥରି ହାତଟାକୁ ଉଠେଇ ଚୁମା ଖାଇଦେଲା ।

 

ମାଇକେଲ ଏବେ ଭାବୁଚି ସେଦିନ କାହିଁକି ସେ ମିତାକୁ ମିଛ କହିଦେଇଥିଲା ବୋଲି । କାରଣ ଖୋଜି ପାଉନି କାହିଁକି ସେ କହିଥିଲା ? କହିଲା : ମିତା ମୁଁ ତମକୁ ଚାହେଁ । ଯେମିତି ଫିଲ୍ମରେ ହିରୋ ହିରୋଇନକୁ ପ୍ରଥମ ସ୍ପର୍ଶରେ କହିଥାଏ ।

 

କ’ଣ କହିବ ହେଇ ଚୁପ୍‌ ହେଇ, ରହିଲା ମିତା ।

 

ମାଇକେଲ ଜାଣେ, ପ୍ରେମ କରିଲେ ଝିଅମାନେ ବାହାଘର ଚିନ୍ତା କରିପକାନ୍ତି, ଯୋଉଟା କି ଗୋଟେ ପୁଅ ଏତେ ଶୀଘ୍ର କରିପାରେନି ।

 

ମାଇକେଲ ଏବେ ଭାବିଲା, ହୁଏତ ସେଦିନ ମିତାର ମନ ବୁଝେଇବା ପାଇଁ ସେମିତି କହି ପକେଇଥିଲା ।

 

ସେଦିନ ଅନେକ ସମୟ ସେ ଦୁହେଁ ବସି ରହିଥଲେ ଖାନ୍‌ନଗର ମଶାଣିରେ । କେତେବେଳେ ଗୋଟେ ଚମକିପଡ଼ି ଛିଡ଼ା ହେଇଥିଲା ମିତା । ଫେରିଯିବା ପାଇଁ ରିକ୍‌ସା ନାଇଁ । ଗୁଡ଼ାଏ ବାଟ ଚାଲି ଆସିଥିଲେ ସେମାନେ । ବାଟସାରା ବ୍ୟସ୍ତ ହେଇ ପଡ଼ିଥିଲା ମିତା ବାରମ୍ବାର କହୁଥିଲା, ରାତିରେ ହଷ୍ଟେଲ ଭିତରକୁ ଯିବାକୁ ଦେବେନି । ଏବେ କିଛି ଦିନ ହେଲା କଡ଼ା ନିୟମ ହେଇଯାଇଛି ।

 

ମାଇକେଲ କିନ୍ତୁ କିଛି ଗୁରୁତ୍ଵ ଦେଲାନି ମିତା କଥାରେ ।

 

ମିତା କିନ୍ତୁ ଭୟ ପାଇ ଯାଇଥିଲା । ଶେଷରେ ମାଇକେଲ କଥାରେ ରାଜି ହୋଇ ଲାଜରେ ଉଠିଥିଲା ସେଦିନ । ଅନେକ ରାତିଯାଏ ସେମାନେ ଗପି ଥିଲେ । କେତେବେଳେ ଗୋଟେ ଉଠିଯାଇ ମାଇକେଲ ଲାଇଟ୍‌ଅଫ୍‌ କରିଥିଲା, ପର୍ଦାଟାଣି ଠିକ୍‌ କରିଥିଲା, ତାପରେ ବିଛଣାରେ ଗଡ଼ି ପଡ଼ିଥିଲା ।

 

ମିତା ଚୁପ୍‌ଚାପ୍‌ ବିଛଣାର ଗୋଟେ କୋଣରେ ବସିରହିଲା ଅନ୍ଧାରରେ । କେତେବେଳେ ପୁଣି ଅଣ୍ଟା ସଳଖିବାକୁ ଯାଇ ଦେହ ଲମ୍ବେଇ ଦେଇଥିଲା ଖଟ ଧାରରେ । ମାଇକେଲ ଆଖି ବୁଜି ବୁଜି ସିଗାରେଟ୍‍ ଟାଣିଥିଲା । ଦୁଇଟି ଦେହ ଖଟର ଦୁଇ ଧାରରେ ପଡ଼ି ରହିଥିଲା ଚୁପ୍‌ ଚାପ୍‌ ।

 

ତା’ପରେ ଦୃଶ୍ୟ ଗୁଡ଼ା ଯେତିକି ଏକାନ୍ତ ସେତିକି ବ୍ୟକ୍ତିଗତ । ଦୃଶ୍ୟଗୁଡ଼ା ଥିଲା ଠିକ୍‌ ଏଇଭଳି ।

 

ଝିଅଟି ଆଖିକୁ ବୋଧହୁଏ ନିଦ ଆସେନି, ଉଠିବସେ ସେ ହଠାତ୍‌ ହାତଟିଏ ଲମ୍ବି ଆସି ଶୁଏଇ ଦିଏ ।

 

ପୁଅଟିଏ କହେ ଶୋଇପଡ଼ ।

 

ଝିଅଟି କହେ : ନିଦ ଆସୁନି ।

 

ହାତଟି ଲମ୍ବି ଆସେ ଝିଅଟିର ମୁଣ୍ଡ ପାଖକୁ । ଆଉଁଷି ପିଲାଟି କହେ ରାତି ଅନିଦ୍ରା ହେଲେ ଦେହ ଖରାପ ଲାଗିବ ।

 

ଏଥର କିନ୍ତୁ ହାତଟି ଖସି ଯାଇନି, ଝିଅଟି ବି ହାତଟିକୁ ମୁଣ୍ଡ ପାଖରୁ ଘୂଞ୍ଚେଇ ଦିଏନି । ବରଂ ଝିଅଟି ସେହି ହାତଟିକୁ ଆଉଁଷି ଦିଏ ଆସ୍ତେ କରି । କେତେବେଳେ ସେ ପୁଣି ଟାଣି ହେଇଯାଏ । ଗୋଟେ ସମୟରେ ପୁଣି ଝିଅଟା ଦି’ଟା ଶକ୍ତ ହାତ ଭିତରେ ବନ୍ଦୀ ହୋଇଯାଏ । ଅନେକ କିଛି ଘଟିଯାଏ । କେତେ ସମୟ ପରେ ଝିଅଟା ବିଛଣାରୁ ଉଠିପଡ଼େ । ବସି ବସି ମୁହଁ ଉପରେ ହାତ ଘୋଡ଼େଇ କାନ୍ଦେ ।

 

ମାଇକେଲ ବୁଝାଇବାକୁ ଯାଇ କଥା ପାଏନି । ବସି ବସି ସିଗାରେଟ୍‍ ଟାଣେ । କେତେ ସମୟ ପରେ ମାଇକେଲ କିଛି ପଚାରେ । ମିତା ଉତ୍ତର ଦିଏନା ।

 

କେତେବେଳେ ମାଇକେଲ ଫେରିଆସିଲାଣି ତାର ସେଇ ରହୁଥିବା ମେସ୍‌କୁ ଜାଣିପାରିନି । ଭିତରକୁ ପଶିଗଲା ବେଳେ ଦି’ଟା ପିଲା ପଢ଼ୁଥିବା ବେଳେ, ତାକୁ ଚାହିଁଲେ ଓ ପୁଣି ସିଧା ହୋଇ ବସିଲେ । ଗୋଟେ ପିଲା ଖଟ ଉପରେ ପେଟେଇ ପଡ଼ି ଚିଠି, ଲେଖୁଥିଲା । କେହି ଗୋଟିଏ ପିଲା ଖାଇଥିବା ବାସନସବୁ ସଜାଡ଼ି ଥୋଉଥିଲା । ମାଇକେଲ ଯାଇ ଜଣଙ୍କ ଖଟ ଉପରେ ବସି ପଡ଼ିଲା ଓ କାହାକୁ କିଛି ନ କହି ଧୀରେ ଦେହ ଲମ୍ବେଇ ଦେଲା ।

 

କେତେଟା ବାଜିଥିବ କେଜାଣି, ସମୟ ଦେଖିବାକୁ ଯାଇ ମଣିବନ୍ଧକୁ ଚାହିଁ ମାଇକେଲ ହସି ପକେଇଲା । କିଛିଦିନ ଆଗରୁ ମାଇକେଲ ଘଡ଼ିଟାକୁ ଅଧାଦାମରେ ବିକି ଦେଇଛି । ତାପରେ ପଇସା ଧରି ଘୂରି ବୁଲିଛି । ଦୋକାନ ଦୋକାନ ବୁଲି ଅନେକ ଜିନିଷର ଦାମ ପଚାରିଛି ଓ ଫେରି ଆସିଛି । ସକାଳ କଥା ମନେ ପଡ଼ି ତାକୁ ହସ ଲାଗିଲା । ପକେଟ୍‌ରେ ମାତ୍ର କେତେଟା ଟଙ୍କା ସେ ଗୋଟେ ସ୍କୁଟର ଦୋକାନରେ ପଶିଯାଇଥିଲା । ଗୋଟେ ସେକେଣ୍ଡ ହାଣ୍ଡ ସ୍କୁଟର ଉପରେ ଦାମ କଷିଥିଲା ।

 

ଦୋକାନୀଟା ପଚାରିଥିଲା ଆପଣଙ୍କର କ’ଣ ଏବେ ନିହାତି ସ୍କୁଟରଟିଏ ଦରକାର ? ସପ୍ତାହେ ଛାଡ଼ି ଆସିଲେ ଗୋଟେ ବେଟର କଣ୍ଡିସ୍‌ନର ମିଳିଯାନ୍ତା ।

 

ମାଇକେଲ କହିଲା : ଦରକାର ଥିଲା ତ ।

 

ଦୋକାନୀଟି ତା’ର ବ୍ୟବସାୟୀ ହସ ହସି କହିଲା ଆଜ୍ଞା କ’ଣ ବ୍ୟାଙ୍କରେ କାମ କରନ୍ତି-?

 

ମାଇକେଲ ମୁଣ୍ଡ ହଲେଇ ହଁ କଲା ।

 

: ମ୍ୟାରେଜ ?

 

: ନିଉଲି ।

 

ହଠାତ୍‌ ଦୋକାନରୁ ବାହାରି ଆସିବା ବେଳେ କହିଥିଲା ସ୍କୁଟରଟା ଥାଉ, ସନ୍ଧ୍ୟା ବେଳକୁ ଆସିବି ।

 

ମାଇକେଲ୍‍କୁ ଏବେ ଏସବୁ ମନେ ପଡ଼ି ହସ ଲାଗିଲା ଖୁବ୍‌ । ଶୋଇକି ହସିଦେଲା ଟିକେ । ମେସ୍‍ଟାର ପିଲା ଚାରିଟା ହଠାତ୍‌ କୌତୁହଳୀ ହୋଇ ଚାହିଁ ପକେଇଲେ ମାଇକେଲ୍‍ର ମନେ ହେଲା ପିଲାଗୁଡ଼ା ତା ଅନୁପସ୍ଥିତିରେ ତା ବିଷୟରେ ଖୁବ୍‌ ଗପିଛନ୍ତି ।

 

ମାଇକେଲ୍‍ଏଇ ପିଲାଗୁଡାଙ୍କୁ ଚିହ୍ନେନା । ଅବଶ୍ୟ ନାଁ ପଚାରିଥିଲା ଏବେ କିନ୍ତୁ ଭୁଲି ଯାଇଛି ନାଁ ସବୁ ମାଇକେଲ୍‌ କଟକରେ ପହଞ୍ଚି- ବଜ୍ରକବାଟିରେ ଥିବା ଅନୁଭବ ମହାନ୍ତି ଘରେ ଓହ୍ଲେଇ ପଡ଼ିଥିଲେ । ଅନୁଭବ ମହାନ୍ତି ଘରେ ଓହ୍ଲେଇବ ବୋଲିତ ଭାବି ନଥିଲା । ହଠାତ୍‌ ଘରଟା ନଜରରେ ଆସିଯିବାରୁ, ପ୍ରଥମରୁ ସେଇଠି ଓହ୍ଲେଇ ପଡ଼ିଲା ।

 

କବାଟ ଠକ୍‌ଠକ୍‌ କରିବାରୁ ଅନୁଭବ ମହାନ୍ତି ବାହାରି ଆସିଲେ । ଖୁବ୍‌ ଭଲ ସ୍ତ୍ରୀଲୋକ ଜଣେ । ଅନେକଥର ଅନୁଭବ ସଙ୍ଗେ ଆସିଚି ସେ, ତାଙ୍କ ଘରକୁ, ମାଇକେଲ୍‌କୁ ଦେଖି ପଚାରିଲେ : କାହାକୁ ଖୋଜୁଛନ୍ତି ।

 

ମାଇକେଲ୍‌ ଆଶ୍ଚର୍ଯ୍ୟ ହେଇ ଯାଇଥିଲା । ତାପରେ କହିଲା : ଚିହ୍ନିପାରୁ ନାହାନ୍ତି ମାଉସୀ, ମୁଁ ମାଇକେଲ । ଅନୁଭବ ନାଇଁ ? ମାଉସୀ ଗୋଟେ ଶୁଖିଲା ହସ ଦେଇ କହିଥିଲେ : ନାଇଁ ବାପା, ତାପରେ କେମିତି ଗୋଟେ ଥରିଲା ଗଳାରେ କହିଥିଲେ ଅନୁଭବ, ଘରଛାଡ଼ି, ଅନ୍ୟ ଜାଗାରେ ରହୁଚି ।

 

: ଅନ୍ୟ ଜାଗାରେ ?

 

: ହଁ ସେ ନର୍ସଟାକୁ ବାହା ହବାପରେ ବାପ ପୁଅରେ ମନାନ୍ତର ହୋଇଗଲା । ଏବେ ଥୋରିଆ ସାହିରେ ଘରନେଇ ରହିଚି ।

 

ମାଇକେଲ ଫେରିଆସିଲା ସେଇଠୁ । ତାପରେ ଥୋରିଆସାହି ଆଡ଼େ ମୁହେଁଇଥିଲା । ଅନୁଭବ ମହାନ୍ତି ଘରେ ଥିଲା । ମାଇକେଲ୍‍କୁ ଦେଖି ପଚାରିଲା : କାହାକୁ ଖୋଜୁଛନ୍ତି ।

 

ମାଇକେଲ ସତରେ ଆଶ୍ଚର୍ଯ୍ୟ ହେଇଯାଇଥିଲା । ଗୋଟେ ଦୁଃଖରେ ଗୋଟେ କ୍ଷୋଭରେ କି ଗୋଟେ ମଜା ଖେଳିବା ପାଇଁ, କେଜାଣି କାହିଁକି ମାଇକେଲ କହିଥିଲା ଆପଣ ଅନୁଭବ ମହାନ୍ତି ତ ? ମୁଁ ମାଇକେଲ୍‍ର ଭାଇ । ମାଇକେଲ କୁଆଡ଼େ ପଳେଇଚି ମୁଁ ତା’ର ଖବର ନେବି । କଟକରେ ଦଶଦିନ ରହିବି । ଅନୁଭବ ବାରଣ୍ଡା ଉପରେ ସେମିତି ଛିଡ଼ାହେଇ କହିଲା ନାଁ ମାଇକେଲ ମୋ ପାଖକୁ ତ ଆସିନି ।

 

ମାଇକେଲ କହିଥିଲା : ଆପଣଙ୍କ ଘରେ ରହିବା ସୁବିଧା ହେବ ?

 

ଅନୁଭବ ଚଟାପଟ୍‌ କହିଦେଲା : ନା ଦେଖନ୍ତୁ ମୋର ଗୋଟିଏ ମାତ୍ର ବଖରା ଘର । ତା’ପରେ ମୁଁ ମ୍ୟାରେଡ଼ । କିଛି ସମୟ ଭାବିଲା ଅନୁଭବ । ତା’ପରେ କହିଲା ଅପେକ୍ଷା କରନ୍ତୁ । ଭିତରକୁ ଚାଲିଗଲା ଓ ଗୋଟେ ଚିଠି ଧରେଇଦେଇ କହିଲା : ଟିକେ ଆଗକୁ ଯାଇ ବାଁ ପାଖ ଗଳିରେ ବୁଲିଯିବେ ବ୍ଲୁ ହେଭେନ୍‌ ମେସ୍‌ ଅଛି । କାନ୍ଥରେ ବି ଚକ୍‌ରେ ଲେଖାଅଛି । ଚିଠିଟି ଯେ କୌଣସି ପିଲାକୁ ଦେବେ । ମାଇକେଲ ଚିଠିକୁ ଧରି ବୁଲିପଡ଼ିଲା ପଛକୁ ଥରେ ବି ଫେରି ଚାହିଁଲାନି ଅନୁଭବ କି ତା’ର ନର୍ସ ସ୍ତ୍ରୀ ଆଡ଼େ, ଧୀରେ ଧୀରେ ଆଗେଇ ଯାଇଥିଲା, ହୃଦୟର ଶୁଖିଲା ପତ୍ରର ପାଦ ଶବ୍ଦ ଶୁଣି ଶୁଣି । ତାପରେ ତ ଏଇ ମେସ୍‌ରେ ପହଞ୍ଚିଥିଲା ଓ କଟକ ଟାଉନଟାରେ ଏକା ଏକା ଘୂରି ବୁଲିଥିଲା । ମନେ ମନେ ଖୋଜି ବୁଲୁଥିଲା ପୁରୁଣା ସାଙ୍ଗମାନଙ୍କୁ । ଯେତେବେଳେ ସେ ନିଜ ସହର ଛାଡ଼ି, ଆସିଲା କଟକକୁ ଭାବିଥିଲା, ପୁରୁଣା ଦିନଗୁଡା ଭଳି ସାଙ୍ଗମାନଙ୍କ ଭିତରେ ସମୟ କେତେବେଳେ ଖସିଯିବ ହାତମୁଠାରୁ ଜଣାପଡ଼ିବନି, ଯେମିତି ଖସିଯାଇଚି ଦୁଇ ତିନି ବର୍ଷ ।

 

ମିତା ପାଖକୁ ବି ଯାଇଥିଲା ତିନିଥର, ହେଲେ ହଷ୍ଟେଲରେ ମିତାକୁ ନ ପାଇ ଫେରି ଆସିଥିଲା ଲେଡ଼ିଜ୍‌ ହଷ୍ଟେଲ ପାଖରୁ । ସେ କ’ଣ ଜାଣିଥିଲା ଏତେ ବଡ ସହରଟାରେ, ସେ ଜ୍ଞାତିହୀନ ଉଦ୍ଦେଶ୍ୟହୀନ ହେଇ ବୁଲିବ ବୋଲି । ମାଇକେଲ ଯେତେବେଳେ ସାଙ୍ଗମାନଙ୍କୁ ଖୋଜି ପାଇଲାନି, ଯେତେବେଳେ ମାଇକେଲ୍‌, ମାଇକେଲ୍‍କୁ ଖୋଜି ପାଇନି, ତା’ ପରେ ଦିନେ ବାଧ୍ୟହେଇ ରେଡ଼ିଓ ଷ୍ଟେସନରେ ଘୋଷଣାଟିଏ, ପୋଲିସ ଷ୍ଟେସନରେ ଏତଲାଟିଏ ଦେଇ ଆସିଥିଲା ।

 

ମାଇକେଲ ଦେଖିଲା, ପିଲାଗୁଡ଼ା ଲାଇଟି ଅଫ୍‌ କରିଦେଲେ ଓ ଗୋଟିଏ ପିଲା ମାଇକେଲ୍‍କୁ ନିର୍ବିଘ୍ନରେ ନିଜର ଖଟ ଉପରେ ଶୋଇବାକୁ ଦେଇ, ସାଙ୍ଗଟିଏର ଖଟରେ ଆଡ୍‌ଜଷ୍ଟ କରି ଶୋଇବାକୁ ଗଲା ।

 

ମାଇକେଲ ଭାବିଲା ହଷ୍ଟେଲ୍‌ରୁ ଗଲା ପରେ ଘରର ଜୀବନଟା ପଙ୍ଗୁହେଇ ଯାଇଥିଲେ ବି ଚଳିଯାଉଥିଲା । ସକାଳୁ ମା’ଙ୍କ ପାଖରୁ ପଇସା ମାଗିନେଇ, ସାଇକେଲ ଧରି ଆରିଷ୍ଟୋ ଟେଲର୍ସ ଆଡ଼କୁ ବାହାରି ଯାଉଥିଲା । କିଛି ସମୟ ଜମି ଯାଇଥିଲା ଏଇ ଦର୍ଜୀ ଦୋକାନଟାରେ । ଦି’ଚାରିଟା ସାଙ୍ଗ ବି ଜମି ଯାଉଥିଲେ । କେତେବେଳେ ଦର୍ଜୀ ଅନନ୍ତ ରାଜନୀତି-କଥା ପକାଉଥିଲା, କେତେବେଳେ ସେମାନେ ଇଲିୟଟଠୁ ଆଲେରବ ଗ୍ରିଲେ କଥା ପକାଉଥିଲେ । କେତେବେଳେ ବି ଦୋକାନରେ କାମ କରୁଥିବା ବଗୁଲିଆ ଟୋକାଗୁଡ଼ା ଓମେନସ୍‌ କଲେଜର ଝିଅଗୁଡ଼ାଙ୍କୁ କମେଣ୍ଟ୍‌ ଦେଉଥିଲେ । ମାଇକେଲ୍‌ ହାପ୍‌ ଚା ମଗେଇ ପିଉଥିଲା ଓ ସମୟକୁ ଖର୍ଚ୍ଚ କରୁଥିଲା । ସେଥିପାଇଁ ସେ ଶଶାଙ୍କ ଟେଲର୍ସଟାର ନା ଦେଇଥିଲା, ଇଣ୍ଟର୍‌ନ୍ୟାସ୍‌ନାଲ୍‌ କଲ୍‌ଚରାଲ୍‌ ସେଣ୍ଟର ।

 

ମାଇକେଲ୍‌ ଭାବିଲା ରେଡିଓରୁ ହୁଏତ ଘୋଷଣାଟି ଶୁଣି କ’ଣ ଭାବୁଥିବେ, ସତ୍ୟଆଉ ଶଶାଙ୍କ ତା’ ବିଷୟରେ ? ଶଶାଙ୍କ କହିଥିବା, ଶାଳା, ମାଷ୍ଟ୍ରାଣୀ ମା’ଠୁ ଥୋଡ଼େ ପଇସା ମାରିନେଇ ଫୁର୍ତ୍ତି କରିବାକୁ କଲିକତା ପଳେଇଛି । ମାଇକେଲ ଚିନ୍ତା କଲା , ସତ୍ୟ କଣ ଭାବୁଥବ । ସତ୍ୟ ତା କ୍ଳାସମେଣ୍ଟ, ଏକା ସବଜେକ୍ଟର ପିଲା । ସେ ବି ଏଇ କେତେ ମାସ ହେଲା ଘରକୁ ଆସିଛି । ସେ ଭାବୁଥିବ ଓ କହିଥିବ : ଆବେ କଲିକତା କିଆଁ ଯିବ ? ସେ ଯା ତା ପଛରେ ଯାଇଚି । ମାଇକେଲ ଭାବିଲା ୟା’ବି କହିଥିବ ଯେ ବୁଝିଲୁ, ସେଇ ଯୋଉ ଝିଅ ସଙ୍ଗେ ଖୁବ୍‌ ମାତିଥିଲା, ତା’କୁ ଧରି କୁଆଡ଼େ ପଳେଇଛି ।

 

ମାଇକେଲ ମୁହଁ ବୁଲେଇ ଶୋଇଲା । ଫିସ୍‌ଫିସ୍‌ କଲା : ସମୟ ଅଛି ମାଇକେଲ, ତମେ ଖୋଜ ନିଶ୍ଚୟ ପାଇଯିବ ନିରୁଦ୍ଦିଷ୍ଟ ବାଳକକୁ । ତମେ ଏଯାଏଁ ମିତାକୁ ଦେଖା କରିନ ଆଉ ଥରେ ଚେଷ୍ଟା କରି ଦେଖ । କେମିତି କରିବ ଯେ ? ସେ ଯେ ସେଇଦିନ ଲଜ୍‌ରୁ ଫେରିବା ପରଠୁ ମିତାକୁ ଆଭୋଏଡ୍‌ କରି ଆସିଛି । ମାଇକେଲ୍‍ର ମନେ ପଡ଼ିଗଲା, ସେଇ ଲେଡ଼ିଜ ହଷ୍ଟେଲ ବାଟଦେଇ ଚାଲିଯାଏ ମାଇକେଲ ସିଗାରେଟ୍‍ ଟାଣି ଟାଣି । ମିତା ଝରକା ସେପାଖୁ ଚାହିଁ ବସିଥାଏ, ହସିଦିଏ, ହେଲେ ମାଇକେଲ ଆଗେଇ ଯାଏ ଝରକାକୁ ପଛରେ ପକେଇ, ହସଟା ମିତାର, ଅସହାୟ ଭାବେ କଚାଡ଼ି ହେଇ ପଡ଼େ ତଳେ । ଏମିତି ଭାବୁ ଭାବୁ ମାଇକେଲ ଶୋଇପଡ଼ିଲା କେତେବେଳେ ।

 

ସକାଳେ ତା’ର ଯେତେବେଳେ ନିଦ ଭାଙ୍ଗିଲା, ସେତେବେଳେ ପିଲାଗୁଡ଼ା ଉଠି ସାରିଥିଲେ । ଗୋଟେ ପିଲା ଝରକା ପାଖରେ ବସି ଆସନ ବୈଠକ ଚଳେଇଥିଲା, ପିଲାଟିଏ ବହିଟିଏ ଉପରେ ମୁଣ୍ଡ ଗୁଞ୍ଜି ଦେଇଥିଲା । ଆଉ ଗୋଟେ ପିଲା କାଳୀଙ୍କ ଫଟ ପାଖରେ ଧୂପ ଦେଉଥିଲା । ମାଇକେଲ ଦେଖିଲା ପିଲାଟିଏ କୁଆଡ଼େ ସକାଳୁ ବାହାରି ଯାଇଛି । ଶୋଇ ଶୋଇ ସକାଳୁ, ମାଇକେଲ୍‍ର ମା’ଙ୍କ କଥା ମନେ ପଡ଼ିଗଲା । ଏତେ ବେଶି ମନେ ପଡ଼ିଲା ଯେ, ଇଚ୍ଛାହେଲା ଏଇ ମୁହୂର୍ତ୍ତରେ ଦୌଡ଼ି ଯାଆନ୍ତା ମା’ଙ୍କ ପାଖକୁ, ଆଉ ମା’ଙ୍କୁ ପଚାରନ୍ତା : ତମେ ମତେ ଚିହ୍ନି ପାରୁଚ ମା ?

 

ମା’, କୁହନ୍ତେ ତୁ ପରା ମୋ ମାଇକେଲ, ମୋ ମାଇକ ।

 

ମାଇକେଲ ବିଛଣାରୁ ଉଠି ପଡ଼ିଲା, ମୁହଁ ନଧୋଇ ବାହାରକୁ ବାହାରି ଗଲା, ତା’ର କିଛି ଖାଇବା ଦରକାର । କିଛିବାଟ ଚାଲି ଆସିବା ପରେ ଗୋଟେ ଦୋକାନରେ ପଶିଗଲା । ପକୋଡ଼ି ଓ ଚା ଖାଇବା ବେଳେ ତା’ର ମନେ ପଡ଼ିଗଲା ଆରେ, ସେ ତ କେତେଦିନ ଧରି ଦାନ୍ତ ଘସିନି । ଗାଧୋଇନି ବି ।

 

ତା’ପରେ ଚା ପିଉ ପିଉ ମା’ଙ୍କ କଥା ଭାବିଲା । ଏଇ ମୁହୂର୍ତ୍ତରେ ତା’ର ଦୌଡି ଯିବାକୁ ଇଚ୍ଛା ହେଲା ମା’ଙ୍କ ପାଖକୁ। ରିକ୍‌ସାଟିଏ ଧରିଲା, ବାଦାମବାଡ଼ିକୁ । ହଠାତ୍‌ ସନ୍ଧ୍ୟାର ରଜନୀଗନ୍ଧା ବାସ୍ନା ପରି ଘୂରି ବୁଲୁଚି ଗୋଟେ ଇଚ୍ଛା ତା ଭିତରେ । ଆଗକୁ ଯାଉ ଯାଉ ରିକ୍‌ସାକୁ କହିଲା ନେ, ରେଭେନ୍‌ସା କଲେଜ ଭିତରକୁ ନେ ।

 

ରାସ୍ତାସାରା ଭାବୁଥିଲା ମିତାକୁ ଚମକେଇ ଦେବ । କିନ୍ତୁ ହଷ୍ଟେଲରେ ପହଞ୍ଚି ଦେଖେ, ଗେଟ୍‌ ପାଖରେ କେହି ନାହାନ୍ତି, ବାଧ୍ୟ ହୋଇ ଛିଡ଼ା ହେଇ ରୁହେ କେତେ ସମୟ । ରିକ୍‌ସାବାଲାଟା ଡେରି ହେଇଯିବା ଦେଖି ବ୍ୟସ୍ତ ହୁଏ ଫେରିଯିବା ଲାଗି । ଅଗତ୍ୟା ଫେରି ଆସେ, ମାଇକେଲ । ଶେଷ ସମୟ ପର୍ଯ୍ୟନ୍ତ ମିତା ସଙ୍ଗରେ ଦେଖାହେଇ ପାରିଲାନି ବୋଲି ମନରେ ଦୁଃଖ ହୁଏ ତାର ।

 

କିନ୍ତୁ ରାସ୍ତାରେ ତା’ର ସେ ଦୁଃଖର ମେଘକୁ ଘୁଞ୍ଚେଇ ଦେଇ କୋଉଠି ଟିକେ ଖରା ଚକ୍‌ ଚକ୍‌ କରି ଉଠେ । ଦେଖେ ଦୂରରୁ ମିତା କା’ସଙ୍ଗେ ଗପି ଗପି ଫେରୁଚି । ରିକ୍‌ସା ରଖେଇ ଦେଇ ସେ ଅପେକ୍ଷା କରେ । ଭାବେ ପୁରୁଣା ଘଟଣା ପାଇଁ ମିତା ପାଖରୁ କ୍ଷମା ମାଗି ନେବ । କିନ୍ତୁ ପୁଣି ସେ ଖରା ଟିକକ ଘୋଡ଼େଇ ହୋଇଯାଏ ମେଘ ସନ୍ଦିରେ । ମାଇକେଲ ଦେଖେ ମିତା ପୁଅଟିଏ ସଙ୍ଗେ ଗପି ଗପି ଚାଲିଯାଏ, ନଚିହ୍ନିଲା ପରି, ଅଥଚ ସେ ପର୍ଯ୍ୟନ୍ତ ମାଇକେଲ ଭାବୁଥାଏ, ସେ ଏଇ ମୁହୂର୍ତ୍ତିରେ ମିତା ସଙ୍ଗେ ଗପିବା ଠିକ୍‌ ହୋଇଥାନ୍ତା । କି ଭୁଲ୍‌ । ରିକ୍‌ସାରୁ ଡେଇଁପଡ଼ି ଆଗେଇ ଯାଏ ମାଇକେଲ । ମିତା ଆଉ ସେ ପିଲା, ଦୁହିଁଙ୍କ କଡ଼େ କଡ଼େ ଚାଲେ । ମିତା ନିର୍ବିକାରରେ ପିଲା ସଙ୍ଗେ ଗପି ଚାଲିଥାଏ । ମାଇକେଲ ଆଗେଇ ଯାଇ ହଷ୍ଟେଲ ଆଗରେ ଛିଡ଼ା ହୁଏ । ମିତା ସେ ପିଲା ସଙ୍ଗରେ ଗପୁଗପୁ ଯାଇ ହଷ୍ଟେଲ୍‌ ଆଗରେ ଛିଡ଼ା ହୁଏ ଓ ଗପେ । ମାଇକେଲ ଉପରେ ଅଖିପଡ଼େ, ମାଇକେଲ ହସିଦିଏ, ମିତା କିନ୍ତୁ ଗପୁଥାଏ । ଆଉଥରେ ମାଇକେଲ ଉପରେ ଅଖିପଡ଼େ, ମାଇକେଲ ଏଥର ବି ହସିଦିଏ । ମିତା ଗପୁ ଗପୁ ତା ସଙ୍ଗେ ଗପୁଥିବା ପିଲା ବୁଲିପଡ଼େ ଓ କଟମଟ କରି ଚାହେଁ ମାଇକେଲ୍‍କୁ ତା’ପରେ ପଚାରେ : କ’ଣ କିହୋ ?

 

ମାଇକେଲ ମୁଣ୍ଡ ହଲେଇ ନାହିଁ କରେ । ତାକୁ ବଡ଼ ଅସହାୟ ଲାଗେ, ପଛକୁ ଫେରି ଆଗେଇ ଯାଏ, ଅସହାୟତାକୁ ନେଇ ପହଞ୍ଚିଯାଏ ନିଜ ସହରକୁ ।

 

ମାଇକେଲ ଶେଷରେ ଫେରେ ନିଜ ସହରକୁ । ବସରୁ ଓହ୍ଲେଇବା ମାତ୍ରେ ତା’ର ମନେହୁଏ, ତାକୁ ପୁଣି ଗୋଟେ ଅସ୍ଥିରତା କାବୁ କରି ପକାଉଚି । ଘରକୁ ଯିବାକୁ ମନ ହୁଏ ନାହିଁ । କ’ଣ କରିବ କଣ ନାଇଁ ଚିନ୍ତା କରୁ କରୁ ଧୀରେ ଧୀରେ ଆଗେଇ ଯାଏ ଚର୍ଚ୍ଚ ଆଡ଼େ । ଚର୍ଚ୍ଚର ଗେଟ ପାଖରେ ଛିଡ଼ାହୁଏ । ତାକୁ ହସ ଲାଗେ, ଅନେକ ଦିନପରେ ସେ ଚର୍ଚ୍ଚକୁ ଆସେ ସ୍ଵଇଚ୍ଛାରେ ବୋଲି । ତାକୁ ହସଲାଗେ ପିଲାବେଳ କଥା ମନେପଡ଼େ । ପିଲାବେଳେ ମା ସେମାନଙ୍କୁ ରବିବାର ଦିନ ସାଙ୍ଗରେ ଧରି ଚର୍ଚ୍ଚକୁ ଆସନ୍ତି । ମାଇକେଲ୍‍ର ଏତେବଡ଼ ଗମ୍ଭୁଜାକୃତି ହଲଟା ଭିତରେ ପଶିବାକ୍ଷଣି ହାଇଆସେ, ନିଦମାଡ଼େ । ପ୍ରକୃତରେ ସେ ଅଧିକାଂଶ ଥର ଘୁମେଇ ଘୁମେଇ ଶୋଇ ପଡ଼ିଥାଏ । କେତେବେଳେ ଗୋଟେ ମା’ ତା କାନ ପାଖରେ ଫିସ୍‌ଫିସ୍‌ କଣ୍ଠରେ ବିରକ୍ତି ହୁଅନ୍ତି । ମା’ ଙ୍କ ଫିସ୍‌ଫିସ୍‌ରେ ତା ନିଦ ଭାଙ୍ଗିଯାଏ । ଧଡ଼ପଡ଼ ହେଇ ଉଠି ଦେଖେ ସେମାନଙ୍କର ଘରକୁ ଫେରିବାର ସମୟ ହୋଇଯାଇଛି । ମାଇକେଲ ଗେଟ ସେପଟୁ ଗମ୍ବୁଜାକୃତି ହଲଟାକୁ ଦେଖିଲା, ଯେମିତି ତା’ର ମନେହେଲା ଗୋଟେ ଲମ୍ବା ହାଇ ମାଡ଼ି ଆସୁଛି ।

 

ମାଇକେଲ ଫେରି ଆସିଲା ଗେଟ ପାଖରୁ ତାକୁ କିଛି ଭଲ ଲାଗୁ ନଥିଲା ।ଗୋଟେ ଅସ୍ତିରତାର ଖରା ବିଞ୍ଚି ହୋଇ ପଡ଼ିଥିଲା ତା ଦେହରେ, ଘୂରି ବୁଲିଲା ସେ ଖୁବ୍‌ । ଯେତେବେଳେ କ୍ଳାନ୍ତ ହେଇପଡ଼ିଲା, ସନ୍ଧ୍ୟାରେ, ଘରେ ପହଞ୍ଚି ମାଇକେଲ ଭାବିଲା ମା’ ହୁଏତ ବ୍ୟସ୍ତ ହେଇ ପଡ଼ିବେ କୁଆଡ଼େ ପଳେଇ ଥିଲା ବୋଲି । ରେଡ଼ିଓରୁ ଘୋଷଣା ଶୁଣି ଆଶ୍ଚର୍ଯ୍ୟ ହେଇ ଯାଇଥିଲେ ବୋଲି କହିବେ । କିନ୍ତୁ ଦେଖ, ମାଇକେଲ୍‌କୁ ଦେଖି ମା’ ସେ ସବୁ ପଚାରିଲେନି । ଚଟାଣରେ ସଉପ ପାରି ଦି’ପାଖରେ ଗୁଡ଼ାଏଖାତା ଜମେଇ ବସିଥିଲେ । ମୁଣ୍ଡ -ଉଠେଇ ଚାହିଁଲେ, କହିଲେ ଏଇନା ଫେରିଲୁ ? ଘରୁ କୁଆଡ଼େ ଗଲାବେଳେ କଣ କହିକରି ଯାଆନ୍ତିନି ?

 

ମାଇକେଲ ଦାଢ଼ୀ କୁଣ୍ଡେଇ କୁଣ୍ଡେଇ ଡ୍ରଇଁରୁମକୁ ଗଲା । ଯେଉଁଠିକି ତାଙ୍କ ପେଇଂଗେଷ୍ଟଟା ରହେ ।

 

ମାଇକେଲ୍‍କୁ କିଛି ଭଲଲାଗୁ ନ ଥିଲାବେଳେ ମା ପରୀକ୍ଷା ଖାତାସବୁ ବାନ୍ଧି ଦେଇ ଉଠିଗଲେ ରୋଷେଇ ଘରକୁ ।

 

ମାଇକେଲ୍‍କୁ କିଛି ଭଲଲାଗୁ ନ ଥିଲାବେଳେ, ମା ଚା’ ତିଆରି କଲେ ଓ ମାଇକେଲ୍‍କୁ କପ୍‌ଟିଏ ଧରେଇ ନିଜେ କପଟିଏ ଧରିଲେ ।

 

ମାଇକେଲ୍‍କୁ କିଛି ଭଲଲାଗୁ ନ ଥିବାବେଳେ, ମା ଲିଲିର ବାହାଘର ପ୍ରସ୍ତାବ ଆସିଥିବା କଥା ପକାଇଲେ ।

 

ମାଇକେଲ୍‍କୁ କିଛି ଭଲଲାଗୁ ନ ଥିବାବେଳେ, ମା ଚାକିରୀ ବିଷୟରେ, ରେଜଲ୍ଟ ବିଷୟରେ ପଚାରିଲେ ।

 

ମାଇକେଲ୍‍କୁ କିଛି ଭଲଲାଗୁ ନ ଥିବାବେଳେ, ମା କେଉଁଠୁ ଟଙ୍କା ଯୋଗାଡ଼ କରିହେବ ବୋଲି ପଚାରିଲେ ।

 

ମାଇକେଲ୍‍କୁ କିଛି ଭଲଲାଗୁ ନ ଥିବାବେଳେ, ମା ମାଇକେଲ୍‍କୁ ତାଙ୍କ ପେଇଂଗେଷ୍ଟଟା ଆଜି ଆଣିଥିବା ଅଢ଼େଇକିଲିଆ, ମାଛ କଥା କହିଲେ ।

 

ତା’ପରେ ମା’ ଗୋଟେ ସମୟରେ ଚାଲିଗଲେ । ମାଇକେଲ ପେଇଂଗେଷ୍ଟଟାର ଖଟରେ ସେମିତି ମୁହଁ ମାଡ଼ି ଶୋଇଥିଲା । କେତେ ସମୟ ପରେ ମା ଆସିଲେ ଓ ପଚାରିଲେ, ତୋ ଦେହ ବୋଧହୁଏ ଭଲ ନାହିଁ ? କଣ ଖାଇବୁ ଆଜି ?

 

ମାଇକେଲ କିଛି କହିଲାନି । ଉଠି ଭିତରକୁ ଗଲା । ଦେଖିଲା, ଲିଲି ଷ୍ଟୋର ରୁମରେ ଯେଉଁଠିକି ଗୋଟିଏ ଗୋଟିଏ ଟେବୁଲ ପକାଇ ସନ୍ଧ୍ୟାରେ ପଢ଼େ ଓ ରାତିରେ କାନ୍‌ଭାସ୍‌ ଖଟଟିରେ ମାଇକେଲ୍‌ ଶୁଏ, ବସିଛି ବହିପତ୍ର ମେଲେଇ । ହରିଶଙ୍କର, ତାଙ୍କର ପେଇଁଗେଷ୍ଟଟା ତାକୁ ଇଂରାଜୀ କବିତାଟିଏ ବୁଝାଉ ବୁଝାଉ ରବି ଠାକୁରଙ୍କୁ ଉଦ୍ଧାର କରୁଛି । ଲିଲି ଗାଲରେ ହାତଦେଇ ହରିଶଙ୍କରକୁ ଚାହିଁ ହସୁଛି । ମାଇକେଲ୍‍ର ଇଚ୍ଛା ହେଲା, କାଚ ଗ୍ଲାସଟା ଫିଙ୍ଗି ସେମାନଙ୍କ ଆବେଗକୁ ନଷ୍ଟକରି ଦିଅନ୍ତା କିନ୍ତୁ ପାରିଲାନି ଫେରି ଆସିଲା ।

 

ଫେରି ଆସି ଦେଖେ, ମା ରୋଷେଇ ଘରେ କିଛି ଖୁଟଖାଟ ଲଗେଇଛନ୍ତି । ମାଇକେଲ୍‍କୁ କିଛି ଭଲ ଲାଗେନା । ସେ ମାଙ୍କ ବଖରାରେ ପଶିଯାଏ । ଦେଖେ, ସଉପ ଉପରେ ପରୀକ୍ଷା ଖାତା ବିଛାଡ଼ି ହୋଇ ପଡ଼ିଛି । ସଉପ ଉପରେ ବସିପଡ଼େ । ଖାତାଟିଏ ଖୋଲି ପଢ଼େ । ପୁଣି ଖାତାଟି ପକେଇଦିଏ ଓ ଦେଖା ସରିଥିବା ଦିଟା ଖାତାରେ ଅଧିକ ଅଧିକ ନମ୍ବର ଚଢ଼େଇଯାଏ । ଫିସ୍‌ଫିସ୍‌ କରି କୁହେ–ପିଲାମାନେ ଖୁସି ହୁଅ, ଖୁସି ହୁଅରେ ପିଲେ ।

 

ଘର ଭିତରୁ ବାହାରି ଯାଉ ଯାଉ ମା ଆସି ତାକୁ ହରଲିକ୍‌ସ ଗ୍ଲାସ ଧରେଇଦେଇ କୁହନ୍ତି–ବୁଲାବୁଲି କରନି, ଟିକେ ହର୍‌ଲିକ୍‌ସ ପିଇଦେ । ମାଇକେଲ ଉତ୍ତର ଦିଏନା । ହର୍‌ଲିକ୍‌ସ ଗ୍ଲାସ ଧରିନିଏ । ଅପେକ୍ଷା କରେ ଲିଲିର ପାଠପଢ଼ା କେତେବେଳେ ସରିବ । ଏତିକିବେଳେ ହରିଶଙ୍କର ଆଗେଇ ଆସି ତା କାନ୍ଧରେ ହାତ ପକେଇ ହସେ । ତାକୁ ଭଲ ଲାଗେନା । ହାତଟାକୁ ଖସେଇଦେଇ ତା ବିଛଣାକୁ ଚାଲିଯାଏ ।

 

ମାଇକେଲ୍‌ ବିଛଣାରେ ଶୋଇ ରହେ । ତାକୁ କିଛି ଭଲ ଲାଗେ ନା । ଶୋଇ ଶୋଇ ଦେଖେ ହରିଶଙ୍କର ବାରଣ୍ଡାରେ ଭାତ ଥାଳି ଧରି ବସିଚି । ମା ମାଛ ଦିଖଣ୍ଡ ଦେଉ ଦେଉ କିଛି ମନ୍ତବ୍ୟ କରୁଛନ୍ତି । ଲିଲି ତାକୁ ଥଟ୍ଟା କରୁ କରୁ ହସି ହସି ଝୁଲିଯାଉଛି । ଲିଲିର ଶାଢୀ ଖସି ଆସି ବେକ ତଳ ଦିଶୁଛି । ତାକୁ କିଛି ଭଲ ଲାଗେ ନା, ମୁହଁ ବୁଲାଇ ଶୁଏ । ହଠାତ୍‌ ଏଇ ସମୟରେ ତା’ର ମନେ ପଡ଼ିଯାଏ ମାଇକେଲ ନାଁରେ ପିଲାଟେ ନିରୁଦ୍ଦିଷ୍ଟ । ସଙ୍ଗେ ସଙ୍ଗେ ଉଠି ପଡ଼େ ଖଟ ଉପରୁ । ଘର ଭିତରୁ ବାହାରି ଆସେ ।

 

‘ମା’ଙ୍କୁ ପଚାରିଦିଏ, ମା ତମେ ମତେ ଚିହ୍ନି ପାରୁଚ ?

 

ତିନିଜଣ ଯାକ ଏକ ସଙ୍ଗରେ ହସି ଉଠନ୍ତି । ମାଇକେଲ ପ୍ରଥମେ ଆଶ୍ଚର୍ଯ୍ୟ ହେଇଯାଏ-। ଗୋଟେ ଅପମାନବୋଧ ଜାଗି ଉଠେ ତା ଭିତରେ ମୁଣ୍ଡ ଝିମ୍‌ଝିମ୍‌ ହୋଇଯାଏ, ଦେଖେ ମା’ଙ୍କ ମୁଁହଟା ଗୋଟେ ଗ୍ଲେମର ସ୍ତ୍ରୀ ଲୋକର ମୁଁହ ପରି ଚିକ୍‌ଚିକ୍‌ କରୁଚି, ଅକସ୍ମାତସେ ଘର ଭିତରକୁ ପଶିଯାଇ ଧଡ୍‌କରି କବାଟଟା ଦେଇଦିଏ ।

 

ଖଟ ପାଖକୁ ଯାଉ ଯାଉ, ଦେଖେ କାନ୍ଥ ଦେହରେ ମଣିଷଟିଏ ଦେଖାଯାଏ । ମାଇକେଲ ଅଟକି ଯାଏ । ମୁହଁଟା ଚିହ୍ନା ଚିହ୍ନା ତା’ର ମନେ ହୁଏ । ପିଲଟାକୁ କୋଉଠି ଦେଖିଚି ତ, ଭାବିପାରେ ନାଁ କୋଉଠି ଦେଖିଚି ।

 

ଏଥର ଆଇନ।ଟାକୁ କାନ୍ଥରୁ ଆଣି ହାତରେ ଧରେ, କହେ : ତମକୁ କୋଉଠି ଦେଖିଲା ପରି ମନେ ହଉଚି ? କେଉଁଠିତ ମନେ ପଡ଼ୁନି । ପ୍ରଶ୍ନର ଉତ୍ତର ଫେରିଆସେ ନାଁ । କାନ୍ଥରେ ଟାଙ୍ଗିଦିଏ ଦର୍ପଣଟାକୁ । ପିଲାଟା ତା ପାଖରୁ ଟିକେ ଦୂରେଇ ଛିଡ଼ା ହୁଏ ।

 

ମାଇକେଲ ପଚାରେ : ତମେ ମତେ ଚିହ୍ନିଚ ? ଦେଖ କି ଆଶ୍ଚର୍ଯ୍ୟ, ମୁଁ ଅଛି, ଅଥଚ ମୁଁ ନିରୁଦ୍ଦିଷ୍ଟ ହେଇଯାଇଚି ବୋଲି ସମସ୍ତେ କେମିତି ଭାବୁଛନ୍ତି । ତମେ ମତେ ଚିହ୍ନିଚ ? ଥରେ ହେଲେ କୁହ ଚିହ୍ନିଚ ବୋଲି ।

 

ଉତ୍ତର ଫେରିଆସେ ନାଁ । ମାଇକେଲ ହସିଦିଏ । କାନ୍ଥର ମଣିଷ ହସିଦିଏ । ମାଇକେଲ କୁହେ : ଥରେ କୁହ ମତେ ଚିହ୍ନିଚ ବୋଲି । ଉତ୍ତର ଫେରେନା । ମାଇକେଲ ଛାତିରେ ଶୋକର ଲହଡ଼ି ଭାଙ୍ଗେ କାନ୍ଥ ପାଖରୁ ଫେରିଆସି ବିଛଣାକୁ ଯାଏ ମାଇକେଲ, କାନ୍ଥପଟକୁ ଚାହିଁ ଭାବେ, ମାଇକେଲ୍‍ର ମୁହଁଟା କେମିତି ଥିଲା, କେମିତି ଥିଲା ସତରେ ?

Image

 

ସୂର୍ଯ୍ୟଦଗ୍‌ଧ ଅପରାହ୍ନର ଇମେଜ୍‌

 

ସଞ୍ଚିତା ଝରକା ବାହାରର ପୃଥିବୀକୁ ଚାହିଁଲା । ଅନ୍ଧାର ଭିତରେ ଜହ୍ନର ବେଡ଼ ଲ୍ୟାମ୍ପ ଜଳୁଚି । ବାହାରର ଥଣ୍ଡା ପବନ ଝରକା ବାଟ ଦେଇ ତା’ର ଗାଲ, ହାତ, ପେଟ ଭିଜେଇ ଦେଇଗଲା । ଆଖିପତା ତଳେ ସୌମେନ୍‌ର ନିଦ ଜମିଜାଇଥିବାର ଅବସ୍ଥାରେ ସଞ୍ଚିତା ଚାହିଁଲା ତାକୁ ।

 

ଅଥଚ ଆଜହିଁ ତାକୁ ତାପସ କଥା କହିଦେବ ବୋଲି ଭାବିଥିଲା । ଅପେକ୍ଷା କରି ରହିଲା ସଞ୍ଜବେଳକୁ ସୌମେନକୁ । କିନ୍ତୁ ଠିକ୍‌ ମୁହୂର୍ତ୍ତରେ ଦେଖେ ହାତମୁଠାରୁ ସମୟ ପିଛିଳିଗଲା-। ସୌମେନ୍‌ର ଅପେକ୍ଷାରେ, ଉପନ୍ୟାସ ପଢ଼ୁ ପଢ଼ୁ, କେତେବେଳେ ସେ ଶୋଇ ପଡ଼ିଥିଲା ନିଜ ଅଜାଣତରେ, ଆଉ ନିଦ ଭାଙ୍ଗିଲାବେଳକୁ ସୌମେନ୍‌ ତା’ ପାଖରେ ଜୀଅନ୍ତା ଶବ ।

 

ଏ ଭିତରେ କେତେବେଳେ ଆସିଥିବ କେଜାଣି, ମୁହଁରେ ବିଅର୍‌ର ଦୁର୍ଗନ୍ଧ ପାଇଁ ହେଉ କିମ୍ବା ସଞ୍ଚିତାକୁ ଅଯଥା ଡିଷ୍ଟର୍ବ ନକରିବା ପାଇଁ ହେଉ, ଚୁପ୍‌ ଚାପ୍‌ କବାଟ ଖୋଲି ଘରକୁ ପଶିଥିବ, ସାର୍ଟପେଣ୍ଟ ବଦଳାଇ ସ୍ଳିପିଂ ଗାଉନ ପିନ୍ଧିଥିବ ଓ ବାଥ୍‌ରୁମ୍‌କୁ ଯାଇଥିବ । ସେଠାରୁ ଫେରିଆସି ଚୁପ୍‌ଚାପ୍‌ ଶୋଇପଡ଼ି ଥିବ ।

 

ଉଠି ବସିଲା ସଞ୍ଚିତା; ଧୀରେ ଓହ୍ଲେଇଲା ଖଟରୁ । ସୌମେନଟା ସବୁଦିନେ ନିଜ ଜିନିଷ ନିଜେ ସଜେଇ ରଖିପାରେ । ସଞ୍ଚିତା ନ ଥିଲେ ବି ତା’ର କିଛି ଅସୁବିଧା ହେବନି । ଟାଇ ନଟ୍‌ଟା ଢିଲା ହେବନି, କେବେ କୋଟ୍‌-ଛାଡ଼ିଦେଇ ଯିବନି–ଜୋତାରେ ବ୍ରଶ ଦେବାରେ ବି କମ୍‌ ହେବନି, ଅଥଚ ତାପସଟା ଠିକ୍ ଅଲଗା ଧରଣର । ନିଜେ ନିଜକୁ ସମ୍ଭାଳି ନେଇପାରେନା । ସାର୍ଟଟା ମଇଳା ହେଇଗଲେ କାଚି ପାରେନା, ଘର ସଫା ରଖିପାରେନା କିମ୍ବା ବିଛଣା ଚାଦର ପ୍ରତି ବି ନଜର ନଥାଏ ତା’ର ।

 

ଦିନେ ସଞ୍ଚିତା ଭାବୁଥିଲା, ତାକୁ ନପାଇଲେ ତାପସ ବଞ୍ଚିପାରିବନି-ନଷ୍ଟ ହେଇଯିବ । କିଏ ତା’ର ଯତ୍ନ ନେବ ? କିଏ ତାକୁ ଛୋଟ ପିଲା ଭଳି ସଜେଇ ରଖିବ ? ଦେଖ ସଞ୍ଚିତାଟା କେତେ ନିର୍ବୋଧ ଥିଲା ! ତାପସ ଠିକ୍‌ ବଞ୍ଚି ରହିଲା । କାହାରି ବିନା କିଛି ଅଟକି ରହେନା । ଜୀବନଟା ଠିକ୍ ଗଡ଼ି ଚାଲେ । ଗଡ଼ି ଚାଲୁ ଚାଲୁ ଅଚାନକ ପୁରୁଣା ସ୍ଥିତି ସଙ୍ଗରେ ଦେଖା ହୋଇଯାଏ । ହଁ, ଏତେଦିନ ପରେ ଠିକ୍‌ ସେଇଭଳି ତାପସ ସାଙ୍ଗରେ ଦେଖା ହେଇଗଲା ।

 

ଦାଢ଼ି ବଢ଼ି ଯାଇଛି ତା’ର । ସାର୍ଟର ବୋତାମ ଛିଡ଼ି ଯାଇଛି ମଇଳା ବି । ଗୋଟେ ନିଃସଙ୍ଗ ଥୁଣ୍ଟା ଗଛ ତଳେ ମୁହଁ ଉପରେ ହାତ ଘୋଡ଼େଇ ଛିଡ଼ା ହେଇଥିବା ବାଟୋଇର କ୍ଳାନ୍ତି ଭରି ରହିଥିଲା ତା’ ଆଖିରେ ।

 

ଗୋଟାଏ ଅସହାୟ ମଣିଷର ଛବି ଭାସି ଉଠିଥିଲା ତା ଆଖି ଆଗରେ- ତାପସକୁ ଦେଖିଲା ପରେ । ତା’ର ଆଖି ଦି’ ଟା ଯେମିତି ମଲାମାଛର ଆଖି ପରି ନିଷ୍ପ୍ରଭ । ଆଉ ସେଇ ନିଷ୍ପ୍ରଭତା ଭିତରେ ହିଁ ସଞ୍ଚିତାକୁ ହଜେଇ ଦେଇ ଆସିଛି ଦି’ବର୍ଷ ତଳେ ।

 

ଦି’ବର୍ଷ ଭିତରେ କେତେ କବିତା ଲେଖିଥିବ ତାପସ । ଓଡ଼ିଆ ମ୍ୟାଗାଜିନ୍‌ ବହୁତ ଦିନ ହେଲା ପଢ଼େନି ସଞ୍ଚିତା । ଡ୍ରଇଂରୁମ୍‌ର ସୋଫାସେଟ୍‌ମାନଙ୍କ ମଝିରେ ସେଣ୍ଟର ଟେବୁଲଟା ଗୁଡ଼େ ଇଂରାଜୀ ମ୍ୟାଗାଜିନ୍ ମୁଣ୍ଡେଇ ବସିଥାଏ । କିନ୍ତୁ କେବେ ପୃଷ୍ଠା ଓଲଟାଏନି ସଞ୍ଚିତା । ସଞ୍ଚିତା ତ ଜାଣେନା- କେବେ ମ୍ୟାଗାଜିନ୍‌ ଆସେ, କେବେ ଚାଲିଯାଏ ସେଣ୍ଟର୍‌ ଟେବୁଲରୁ-କେବେ ଫୁଲ ବଦଳା ହୁଏ ଫୁଲଦାନୀରେ । ବିଛଣା-ଚାଦର କେତେବେଳେ ବଦଳିଯାଏ ସଞ୍ଚିତାକୁ ଅଜଣା |

 

ଦି’ବର୍ଷ ଭିତରେ ସଞ୍ଚିତା, ସବୁ କିଛି ଭୁଲି ଯାଇଛି । ଦିନେ ଦିନେ ଇଚ୍ଛା ହୁଏ, ସୌମେନ୍‌କୁ ରୋଷେଇ କରି ଖୁଏଇବ । କିନ୍ତୁ ଚାକର-ପୁଝାରୀଙ୍କ ସଙ୍ଗେ କେମିତି ସେ କିଚିନ୍‌ରେ ପଶିବ ? ସଞ୍ଚିତାର ଅନେକଥର ଇଚ୍ଛା ହୁଏ, ଫୁଲ ବଗିଚାରୁ ଫୁଲ ଆଣି, ଫଲଦାନୀରେ ରଖିବ- କିନ୍ତୁ ମାଳିଟା କ’ଣ ଭାବିବ ସତରେ !

 

ଦି’ ବର୍ଷ ଭିତରେ ବହୁତ୍‌ କିଛି ଭୁଲିବାକୁ ପଡ଼ିଛି । କିନ୍ତୁ ସେ ଭୁଲି ପାରିନି, ତାପସ୍‍କୁ । ବାହାଘର ପରେ, ପ୍ରଥମେ ପ୍ରଥମେ କବିତା ଲେଖିବାର ଅଭ୍ୟାସଟା ଛାଡ଼ି ନ ଥିଲାବେଳେ, କବିତାର ଚିତ୍ରକଳ୍ପରେ ଭାସି ଉଠୁଥିଲା, ସୂର୍ଯ୍ୟଦଗ୍‌ଧ ଅପରାହ୍ନରେ ଥୁଣ୍ଟାଗଛମୂଳେ ଠିଆ ହୋଇଥିବା ଅସହାୟ ବାଟୋଇର ମୁହଁ । ସେଇ ମୁହଁଟା ଯେମିତି ତାପସର । ସଞ୍ଚିତା କ’ଣ କେବଳ ତାପସକୁ ଦେଇ ଆସିଛି ସ୍ମୃତିର ଥୁଣ୍ଟାଗଛ ? ସେଇ ଚିତ୍ରକଳ୍ପକୁ ବାଦ୍‌ ଦେବାକୁ ଚେଷ୍ଟା କରି ମଧ୍ୟ ପାରି ନ ଥିଲା ସଞ୍ଚିତା ଓ ସେଇଦିନରୁ କବିତା ଲେଖିବା ବନ୍ଦ କରି ଦେଇଥିଲା ।

 

ଅଥଚ ଆଜି ସେ ଅପେକ୍ଷା କରି ରହିଥିଲା ସବୁ କହିଦେବା ପାଇଁ ସୌମେନ୍‌କୁ I କିନ୍ତୁ ପାରିଲା ନାହିଁ । ଏତେବଡ଼ ଘରେ କାହାକୁ ଖୋଜି ପାଇବା ଅସମ୍ଭବ । ନିଜ ପାଖରେ ଶୋଇଥିବା ମଣିଷକୁ ବି ନୁହେଁ । କାଲି ସକାଳରୁ ନିଦ ଭାଙ୍ଗିଲା ବେଳକୁ, ସବୁ ଦିନ ଭଳି, ସଞ୍ଚିତା ଅନୁଭବ କରିବ ତା ବିଛଣା ଖାଲି କରି ଉଠି ଯାଇଛି ସୌମେନ୍‌ । ଛୋଟ ଟେବୁଲ ଉପରେ ଥୁଆ ହୋଇଥିବା ଖାଲି ଚା’ କପ୍‌ । ସୌମେନ୍‌ ଅଫିସ ଚାଲି ଯାଇଥିବ ଅନେକ ବେଳୁ ।

 

ଶୋଇ ଶୋଇ ଆୱାଜ୍‌ ଦେବାକୁ ହେବ ମହନି ମା’କୁ । ମହନି ମା ଆସିବ ବେଡ଼୍‌ ଟି ନେଇ । ତା’ପରେ କ’ଣ କରାଯାଇ ପାରେ ? ଉଠି ବସି ଅଳସ ଭାଙ୍ଗି ପାରେ । ଖରା କେମିତି ବିଲେଇ ଛୁଆ ପରି ଝରକା କାଚରେ ଦେହ ଘଷି ହେଉଛି ତାକୁ ଦେଖିପାର । ତା ପରେ ଉଠ ଓ ସ୍ଳିପି୍‌ ଗାଉନ୍‌ ବଦଳାଇ ପାର । ନ ହେଲେ ବାଥ୍‌ରୁମ୍‌କୁ ଯାଇ ବ୍ରଶ-ପେଷ୍ଟ୍‌ ନେଇ ଆଇନା ଆଗରେ ଠିଆ ହେଇ ଏଣୁ ତେଣୁ ଭାବୁ ଭାବୁ ଦାନ୍ତ ଘଷି ପାର କିମ୍ବା କମୋଡ଼ ଉପରେ ବସି ଅତୀତକୁ ଘାଣ୍ଟି ପାର ।

ପ୍ରାୟ ସେମିତି ହିଁ ହୁଏ । ବାଥ୍‌ରୁମ୍‌ରେ ସଞ୍ଚିତାର ବହୁତ୍‌ ସମୟ ଲାଗିଯାଏ । ମୁହଁ ଧୋଇ ସାରିଲା ପରେ ସଞ୍ଚିତା ବାଥ୍‌ ଟବ୍‌ର କଳ ଖୋଲିଦିଏ । କଳର ମୁହଁରେ ହାତ ଦେଇ ଅନୁଭବ କରୁ କରୁ ପଛକୁ ଚାଲିଯାଏ ଓ ଭୁଲିଯାଏ ଯେ ବାଥ୍‌ ଟବ୍‌ରୁ ପାଣି ଉଛୁଳି ଯାଉଛି । କ’ଣ ସେ ଏତେ ସବୁ ଭାବେ ? ତାପସ କଥା ? ଛାଡ଼ି ଆସିଥିବା ଗୋଧୂଳି କଥା ?

ନିଜ ଅଜାଣତରେ ସେ କେତେବେଳେ ଯେ ମୁହଁରେ ସାବୁନ ଲଗାଏ ଓ ଧୋଇ ହୁଏ, ମୁଣ୍ଡ ଓଦା କରେ ଓ ଶାମ୍ପୋ ଲଗାଏ ! ଘଷୁ ଘଷୁ ଚୁପ୍‌ ଚାପ୍‌ ବସିରୁହେ । ମୁହଁ ବୁଲାଇ ଅନାଏ ଲମ୍ବା ଆଇନାକୁ । ଅନେଇ ରହେ ନିସ୍ପୃହ ଭାବରେ । ଅନ୍ୟଦିନ ହେଇଥିଲେ ନିଜର ଛବିକୁ ଦେଖି ଲାଜେଇ ଯା’ନ୍ତା, ଯେମିତି ଏ ଦେହଟା ସଞ୍ଚିତାର ଅଜଣା । ଏ ଦେହଟି ଯେମିତି ଦେହ ନୁହେଁ, ଗୋଟିଏ ଅର୍ଦ୍ଧ ନଗ୍ନ ମୂର୍ତ୍ତିଟିଏ–ଯେମିତି ପାଷାଣ ପାଲଟିଥିବା ନାରୀର ମୂର୍ତ୍ତିଟିଏ ।

ଚୁପ୍‌ ଚାପ୍‌ ବସି ରହୁ ରହୁ, ତା’ର ଖିଆଲ ହୁଏ ମୁଣ୍ଡରେ ଶାମ୍ପୋର ଫେଣ ଶୁଖି ଗଲାଣି, ଆଉ ଯେତେ ଘଷିଲେ ବି ଫେଣ ବାହାରିବନି । ସେ ଗରମ ପାଣିର ଟାପ୍‌ ଖୋଲି ମୁଣ୍ଡ ଧୋଇନିଏ ଓ ବାଥ୍ ଟପ୍‌ର ମୁଲାଏମ୍‌ ସାବୁନ୍‌ ଫେଣ ଭିତରେ ପଶିଯାଏ । ଭିତରେ ବସି ରହି ଭୁଲିଯାଏ ତା’ର ଫୁଙ୍ଗୁଳା ଦେହରେ ସାବୁନ୍‌ ଫେଣର ସ୍ପର୍ଶ, ଭୁଲିଯାଏ ଏହି ସମୟରେ ଦେହ ହାତ ଘସିବା କଥା । ଚୁପ୍‌ ଚାପ୍‌ ବସି ରହି ସମୟଗୁଡ଼ାକୁ ପାକୁଳି କରୁ କରୁ ସେ ପିଛିଲା ଦିନର ସ୍ଵପ୍ନ ଦେଖେ ।

ବୋଉ, ମାନି ଅପା, ମାନି ଅପାର ପୁଅଠୁ ଆରମ୍ଭ କରି ତାପସ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ଵପ୍ନ ଦେଖେ । ବୋଉ ମାନିଅପା ତା ସାଙ୍ଗରେ ସ୍ଵାଭାବିକ୍ ଭାବରେ କଥା କୁହନ୍ତି । ବୋଉ ତା ମୁଣ୍ଡ ସାଉଁଳି ଆଦର କରେ । ତା ପରେ ଚଟ୍‌କିନା ସ୍ଵପ୍ନଟା ଛିଣ୍ଡି ଯାଇ ତାପସ-ସହ ସଂପୃକ୍ତ ହୋଇଯାଏ-। ସେତେବେଳେ ତାପସକୁ ସହ୍ୟ କରି ନ ପାରି ସଞ୍ଚିତା ମୁହଁ ଉପରେ ହାତ ଘୋଡ଼ାଏ ଓ କାନ୍ଦ କାନ୍ଦ ହୋଇ ଖସିଯିବାକୁ ଚେଷ୍ଟା କରେ । ସ୍ଵପ୍ନର ଏ ଅସହାୟତା ଟିକକ ତା’ ସଚେତନ ମନରେ ଆକାଶ ସୃଷ୍ଟି କରେ ।

କବିତା ପାଠୋତ୍ସବରେ ତାପସକୁ ମୁହଁ ଉପରେ ହାତ ଘୋଡ଼େଇ, ଗଛମୂଳରେ ଏକା ଠିଆ ହୋଇଥିବାର ଦେଖେ । ସେତେବେଳେ ସଞ୍ଚିତାର ଇଚ୍ଛାହୁଏ ତାପସକୁ ପାଖକୁ ଡାକି କହନ୍ତା : ମୁଁ ଗୋଟେ ନୂଆ କବିତା ଲେଖିଚି । ପଢ଼ି ଦେଖନା କେମିତି ହେଇଚି । ସେଇଠୁ କଥାର ମୋଡ଼ ବୁଲେଇ କହନ୍ତା : ତମେ ଆମ ଘରଆଡ଼େ ଆସୁନ ? ତମକୁ ତ ଆମ ଘର ମନା ନାଇଁ ! ତମେ ଜାଣି ପାରିନ ମୁଁ ଏକା କେତେ ବିରକ୍ତ ହେଇଯାଉଛି ।

ସଞ୍ଚିତା କିନ୍ତୁ କହିପାରେ ନାହିଁ । ସ୍ଵପ୍ନରେ କ’ଣ ଏତେ କଥା ଗପିହୁଏ ? ଦିନ ଥିଲା ଯେଉଁଦିନ ତାପସ ଆଉ ସେ ଘଣ୍ଟା ଘଣ୍ଟା ଧରି ଗପୁଥିଲେ । ଗପୁଗପୁ ସାହିତ୍ୟରୁ ରାଜନୀତି ପର୍ଯ୍ୟନ୍ତ ଆଲୋଚନା ଚାଲିଯାଉଥିଲା । କେତେବେଳେ ପୁଣି ପରସ୍ପରଠୁ ମୁକ୍ତ କରି ନେଉଥିଲେ ସେମାନେ ।

ହଠାତ୍‌.ଦିନେ, କୌଣସି ଦୁର୍ବଳ ମୂହର୍ତ୍ତରେ, ସେମାନେ କ୍ଷଣିକର ଆନନ୍ଦ ପାଇଁ ଜହ୍ନ ଆଲୁଅର ସ୍ଵପ୍ନ ଦେଖିଲେ । ସେମାନେ ବି ଜାଣି ପାରୁଥିଲେ ଯେ ସେମାନଙ୍କ ସ୍ଵପ୍ନ କେବେ ସଫଳ ହେବ ନାହିଁ । ସ୍ଵପ୍ନ ଦେଖୁଥିଲେ ଅନ୍ଧାର ଆଲୁଅର ସ୍ଵପ୍ନ । କିଛି ସ୍ପଷ୍ଟ କିଛି ଅସ୍ପଷ୍ଟ । ସ୍ଵପ୍ନଗୁଡ଼ାକୁ ତ ଅସ୍ପଷ୍ଟ କରି ତୋଳୁଥିଲା ସଞ୍ଚିତା ନିଜେ । ସେଇଦିନୁ ଜୀବନର ରଙ୍ଗ ସବୁ ଫିକାହେଇ ଆସିଲା, ଯେଉଁଦିନ ସଞ୍ଚିତା କହିଲା : ବିଶ୍ଵାସ କର ତାପସ ମୋର ସାମାନ୍ୟ ଟିକିଏ ବି ସାହସ ନାଇଁ, ମୋ ଛାତି ତଳର ଏତେଗୁଡ଼ିଏ ଶବ୍ଦ ଫିଟେଇ ଦେବାକୁ ବାପା-ମା’ଙ୍କ ଆଗରେ । ତାପସର ପୁଅକୁ କୋଳରେ ବସେଇ ଜହ୍ନ ଦେଖାଇବା ପୂର୍ବରୁ ମୁହଁ ଉପରେ ବାଦଲ ଢାଙ୍କି ହୋଇଗଲା !

 

ମନେ ଅଛି ସେତେବେଳେ ସେ ଭୟ କରୁଥିଲା ବହୁତ । ଆଗଭଳି ମାନିଅପା ସଙ୍ଗେ ମନଖୋଲି ଗପି ପାରୁ ନ ଥିଲା । କାଳେ ଗପୁ ଗପୁ ତାପସ କଥା କହି ପକେଇବ, ଏଇ ଭୟରେ । ଅଥଚ ନିଜ ଅଜାଣତରେ ବେଳେ ବେଳେ ତାପସର କବିତାକୁ ପ୍ରଶଂସା କରେ ସେ । ମାନିଅପା ବାହା ହେଇ ଗଲା ପରେ ତାର ଭୟ ବଢ଼ି ଯାଇଥିଲା ଆହୁରି । ବାପା ବୋଉଙ୍କୁ ଆଡ଼େଇ ଚଳିବାକୁ ସେ ଚେଷ୍ଟା କରୁଥିଲା । ତା ମନ ଭିତରେ ଯେ ଏତେବଡ଼ ଭୟର ଭୂତ ଗ୍ରାସ କରି ବସିଛି କିଏ କେମିତି ଜାଣିବ ସେ କଥା ?

 

ଯେତେବେଳେ, ଜହ୍ନ ଆଲୁଅରୁ ସୂର୍ଯ୍ୟ ଆଲୁଅକୁ, ତା’କୁ ଯୋର୍‌ କରି ଠେଲି ଦିଆଗଲା, ସେତେବେଳେ ସେ ପାଟି ଖୋଲିଥିଲା । ମୁହଁରେ ପାପୁଲି ଘୋଡ଼େଇ କାନ୍ଦୁ କାନ୍ଦୁ କହିଲା- ମୁଁ ତାପସକୁ ବାହା ହେବି ଲୋ ବୋଉ ।

 

ସେଇ ପ୍ରଥମ ଓ ଶେଷଥରପାଇଁ ସେ ତାପସ କଥା ପାଟି ଫିଟାଇ କହିଥିଲା ଓ ବୋଉର ନାଲି ଆଖିର ଚାପା ଧମକରେ ଚୁପ୍‌ ହୋଇଯାଇଥିଲା । ପରେ ବୋଉ ବୁଝେଇଥିଲା- ତାପସର କ’ଣ ଆଉ ଅଛି ? ସୌମେନ୍‌ ଏତେବଡ଼ କାରଖାନାର ପର୍ସନେଲ ଅଫିସର । ତା’ କମ୍ପାନୀର ମ୍ୟାନେଜିଂ ବୋର୍ଡ଼ର ବି ମେମ୍ବର ଅଛି । ଟଙ୍କା, ପଇସା, ସମ୍ମାନ କ’ଣ ନାହଁ ତା’ର ? ଆଉ ତାପସର କ’ଣ ବା ଅଛି ? ଖାଲି କବିତା ଲେଖେ ଓ ପେପରରୁ ଚାକିରୀ ଖୋଜେ । ତାପସକୁ ବାଛିବା ପାଇଁ ସଞ୍ଚିତାକୁ କହି ଏତେବଡ଼ ଭୁଲ ସେ କେମିତି କରିବାକୁ ଦେଇଥାନ୍ତେ ?

 

ବୋଉ ବଡ଼ ଚାଲାକ୍‌ । ସଞ୍ଚିତା ଯେ ଭଲପାଏ ତାପସକୁ, ଜାଣି ପାରିଲେ ସୁଦ୍ଧା କହିଲେନି କାହାକୁ । ଏମିତି କି ବାପାଙ୍କୁ ବି ନୁହେଁ । ଶେଷରେ ଦିନେ ବାହା ହେଇ ଏଇ ଉଆସକୁ ଚାଲିଆସିଥିଲା ସେ, ଠିକ୍‌ ଯେପରି ଗଳ୍ପର ରାଜକୁମାରୀକୁ ନେଇ ଆସି ଅସୁର ତା’ର ଉଆସରେ ବନ୍ଦକରି ରଖେ, ଦିନରେ କଳା ଫୁଲ ଶୁଙ୍ଘେଇ ଅଚେତ୍ କରିଦିଏ ଓ ରାତିରେ ଧଳା ଫୁଲ ଶୁଙ୍ଘେଇ ବଞ୍ଚେଇ ଦିଏ । ଠିକ୍‌ ସେଇଭଳି ଭାବରେ ସୌମେନ୍‌ ସକାଳରୁ ଚାଲିଯାଆନ୍ତି । ଖୁବ୍ କମ୍‌ ଲଞ୍ଚ୍‌ ଟାଇମରେ ଘରକୁ ଆସନ୍ତି । ରାତିରେ ଆସନ୍ତି ଓ ପ୍ରମାଣ କରି ଦିଅନ୍ତି ବିଛଣାରେ ଯେ ସେ ସ୍ଵାମୀ ଓ ସଞ୍ଚିତାର ସମସ୍ତ ଦେହଟାକୁ ନେଇ ଖେଳିବାର ପୁରା ହକ୍ କେବଳ ତାଙ୍କର ଅଛି ।

 

ଏସବୁ ହୁଏତ ସେ ସହିପାରିଥାନ୍ତା: କିନ୍ତୁ ତାପସ ଆସି ପହଞ୍ଚି ସବୁକିଛି ଚୁର୍‌ମାର୍‌ କରିଦେଲା । ତା’ର ସବୁ ବିଶ୍ଵାସ ଓ ଆସ୍ଥା, ସମୁଦ୍ରର ଲହରି ଭଳି ବେଳାଭୂମିରେ ଧକ୍‌କା ଖାଇଲା ଓ ଭାଙ୍ଗି ଟୁକୁରା ଟୁକୁରା ହେଇଗଲା । ସେ ବୁଝିପାରିଲା ଯେ ସମୁଦ୍ର ମଝିରେ ତା’ ନାଆ ଭିତରେ ପାଣି ପଶିଯାଉଛି ।

 

ତାପସ ଆଜି-ଆସିଥିଲା । ସେତେବେଳେ ସଞ୍ଚିତାର ହେୟାର ଡେସିଂ ସରିନି । ଶାମ୍ପୋ କରିଥିବା ବାଳଗୁଡ଼କ ଶୁଖିବା ପାଇଁ ଅପେକ୍ଷା କରି ରହିଚି ସେ । ୟା’ପରେ ପୋଷାକ ବାଛିବା ପାଇଁ ସମୟ ନେବ । ତା’ପରେ ଶାଢ଼ୀରଙ୍ଗ ସହ ମ୍ୟାଚ୍‌ କରି ବିନ୍ଦି, ପାଦରେ ଚପଲ, ନଖର ରଙ୍ଗ ସବୁ ସଜେଇବ । ତା’ ପରେ ଲଞ୍ଚ୍‌ ପାଇଁଯିବ । ସଞ୍ଚିତା ଆଜିକାଲି ବ୍ରେକ୍‌ଫାଷ୍ଟ ଛାଡ଼ି ଦେଇଚି । ଡାଏଟିଂ କରିବାକୁ ପଡ଼ିବ ତ । ତେଣୁ ଡାଇନିଂ କରିବାକୁ ପଡ଼ିବ ତ । ତେଣୁ ଡାଇନି ଟେବୁଲ ପାଖକୁ ଯାଇ, ଦି’ପିସ୍‌ ପାଉଁରୁଟି, ଗୋଟେ ଆପଲ୍‌, କପେ କଫି ହିଁ ଯଥେଷ୍ଟ, ତାପରେ ପୁଣିଆଇନା ଆଗରେ ଠିଆ ହେବ । ଲିପିଷ୍ଟିକ୍‌, ପାଉଡ଼ର ଘଷିବ, ଯେତେବେଳେଯାଏ ‘ମହନିମା ନ କହିଛି ଯେ, ଡ୍ରାଇଭର ଗାଡ଼ି ବାହାର କରିଛି ବୋଲି ।

 

ସଞ୍ଚିତାର ଏଇଭଳି ବ୍ୟସ୍ତ ମୁହୂର୍ତ୍ତରେ ତାପସ ଆସିଥିଲା । ପ୍ରଥମେ ମହନି ମା' ସ୍ଳିପ୍‌ଟିଏ ଆଣି ଦେଇଥିଲା ସଞ୍ଚିତା ହାତରେ- ତାପସ । ତାପସ ଦାସ ତମକୁ ଦେଖା କରି- କରିବାକୁ ଚାହାଁନ୍ତି-। ଆଶ୍ଚର୍ଯ୍ୟ ହେଇ ଯାଇଥିଲା ସଞ୍ଚିତା ପ୍ରଥମେ । ବିଶ୍ଵାସ କରି ପାରି ନଥିଲା ଯେ, ଦି’ବର୍ଷ ପରେ ତାପସ ଆସି ତା’ ଦୁଆର ମୁହଁରେ ଠିଆ ହେଇଥିବ । ଖୁସିରେ, 'ଉତ୍ତେଜନାରେ, ମହନିମାକୁ ଆଶ୍ଚର୍ଯ୍ୟ ଆବାକ୍‌ କରିଦେଇ ସେ ଧାଇଁ ଯାଇଥିଲା ତାପସ ପାଖକୁ ।

 

ତାପସ ଡ୍ରଇଁ ରୁମ୍‌କୁ ଆସିଲା, ବସିଲା ସୋଫା ଉପରେ ଓ କୈଫିୟତ୍‌ ଦେଲାଭଳି କହିଲା-ଗୋଟେ ସାହିତ୍ୟ ସମ୍ମିଳନୀ ପାଇଁ ଆସିଥିଲି ଏ ସହରକୁ; ଭାବିଲି ଦେଖା କରିଯାଏ ।

 

କିନ୍ତୁ ସଞ୍ଚିତା ସେମିତି ଭାବିଥିଲା ଯେ, ତାପସ ଅଭିମାନରେ ଘୃଣାରେ, କ୍ରୋଧରେ, ଦୁଃଖରେ ଭାଙ୍ଗିପଡ଼ି, ସଞ୍ଚିତା ଉପରେ ଅଭିଯୋଗ କରିବ, ହଂସା କରିବ, ସଞ୍ଚିତାର ଭାଗ୍ୟ-ଉପରେ, ଦୁଃଖ କରିବ, ନିଜର ଭାଗ୍ୟପାଇଁ, ସେମିତି କିଛି ସେ କହିଲାନି । ସଞ୍ଚିତାର ଦାମୀ ପୋଷାକ ଉପରେ ମନ୍ତବ୍ୟ ଦେଲାନି । ଚଟାଣର ଦାମୀ କାର୍ପେଟ, ଦାମୀ ସୋଫା ବା ଅନ୍ୟ ଆସବାବ ପତ୍ର କି ସୌମେନ୍‌- ‘‘କାହାରି ଉପରେ ମନ୍ତବ୍ୟ କଲାନି । ଖାଲି ପଚାରିଲା : 'କବିତା ଲେଖିବା ଛାଡ଼ିଦେଲ ତେବେ ?’’

 

‘ସଞ୍ଚିତା ଲାଜରେ ଥରି ଉଠିଲା । କେମିତି କହିବ ସେ ଥୁଣ୍ଟାଗଛ ମୂଳରେ ‘ତାପସ ଠିଆ ହୋଇଥିବାର ଇମେଜକୁ ଭୁଲିବାକୁ ଯାଇ ସେ କବିତା ଲେଖିବା ଛାଡ଼ିଛି । ‘କେମିତି ବା କହନ୍ତା ?

 

ଏ ଭିତରେ କେତେ ବଦଳି ଯାଇଛି ସବୁ । ଦିନେଶ୍ ସୁଚିତ୍ରାକୁ ବାହା ହେଲାପରେ ସାହିତ୍ୟ 'ଚର୍ଚ୍ଚା ଛାଡ଼ି ଦେଇଛି । ସୁଭାଷର ନୂଆ କବିତା ବହି ବାହାରିଛି । ଇତ୍ୟାଦି ଇତ୍ୟାଦି' ।

 

ସବୁକଥା କେତେ ବଦଳି ଯାଇଚି ସତରେ ! ଅଥଚ ସଞ୍ଚିତା ଟିକେ ବି ଖବର ପାଇନି । ସଞ୍ଚିତା ଯେ ଏତେ ବଡ଼ ସ୍ଵାମୀ ପାଇଛି–ଏତେ ଧନ ସମ୍ପତ୍ତି, ମାନ-ମର୍ଯ୍ୟାଦା–ଏ ସବୁର କି କାଣିଚାଏ ଦାମ୍‌ ନାହିଁ ତାପସ, ସୁଭାଷ, ଦିନେଶ, ଜିତେନ୍ଦ୍ର, ସଂଯୁକ୍ତା, ସୂଚିତ୍ରାଙ୍କ ପାଖରେ ? ଉଃ ତାପସ । ତମର ତ କିଛି ନାହିଁ, ମୋ ଆଗରେ ଠିଆ ହେବା ପାଇଁ ! ତଥାପି ଠିଆ ହୋଇ ରହିଚ-ଏ ବୋଧେ ତମର ଗୋଟେ ପ୍ରକାର ଅଂହକାର, ତା ପାଖରେ ମୁଁ ଜଳିପୋଡ଼ି ପାଉଁଶ ହେଇ ଯାଉଛି ।

 

ତଥାପି ତାପସ ଅଭିଯୋଗ କଲାନି, ସଞ୍ଚିତା କାହିଁକି ତା’କୁ କଥା ଦେଇ ବି, ବାହା ହେଲାନି, ସୌମେନ୍‌କୁ ବାହା ହେଲା । ସଞ୍ଚିତା ଚାହୁଁ ଥିଲା, ତାପସ ଅସହାୟ ହେଇ କହୁ, ଅନ୍ତତଃ ତା’ର ଅହଂକାରର ଦୁର୍ଗ ଭାଙ୍ଗି ପଡୁ ଓ ତାକୁ ସାନ୍ତ୍ଵନା ଦେବାକୁ ଯାଇ ତାପସକୁ ବାହା ହେଇଯିବା ଲାଗି, ଅନୁରୋଧ କରି, ସଞ୍ଚିତା ଏକ ପ୍ରକାର ଦୁଃଖବେଳା ଆନନ୍ଦ ଅନୁଭବ କରୁ । କିନ୍ତୁ ତାପସ ଏଡ଼େ ନିର୍ଦ୍ଦୟ , ତାପସ କିଛି କହିଲାନି ।

 

ସଞ୍ଚିତା କହିଲା : କଣ କରୁଛ ତାପସ ? ଚାକିରୀ ବାକିରୀ କ’ଣ କରୁଛ ?

 

ତାପସ ଶୁଖିଲା ହସଟିଏ ଓଠର ବେଳାଭୂମିରେ କଚାଡ଼ି ଦେଲା ; କିଛି କରିନି ଏ ଯାଏଁ-

 

ତାପସର ସମସ୍ତ ଅହଂକାର ଭାଙ୍ଗି ଦେବା ପାଇଁ ସଞ୍ଚିତା କହିଲା : ସେ ତ ଏଠି ପର୍ସନେଲ ଅଫିସର । ଏଇ ପ୍ଳାଣ୍ଟର ସବୁ ଚାକିରୀ ବାକିରୀ ତାଙ୍କ ହାତରେ । ତମେ ଯଦି ଚାହଁ ମୁଁ ତାଙ୍କୁ ରିକ୍ଵେଷ୍ଟ କରିପାରେ ।

 

କିନ୍ତୁ ତାପସ, ଅହଂକାରୀ ତାପସ, ହସିଦେଇ ଉଡ଼େଇ ଦେଲା କଥାଟିକୁ : ଧୁତ, ଚାକିରୀ ଫାକିରୀ ମୁଁ ଆଉ କରିପାରିବିନି । ତାପସ ଯେମିତି ବଂଚି ରହିଚି ନିଜର ଅଂହକାର ନେଇ-। କେତେବେଳେ ବି ମାନିବା ପାଇଁ ରାଜି ନୁହେଁ, ସଞ୍ଚିତାଠାରୁ ସେ କୌଣସି ଗୁଣରେ କମ୍‌ ନୁହଁ । ତା’ ହାତରେ ଗୋଟେ କଲମ ଅଛି- ଆଉ କ’ଣ ଅଛି ? ସେଇ କଲମ ପାଇଁ ତା’ର ଏତେ ଗର୍ବ ଯେ ସଞ୍ଚିତାର ସମସ୍ତ ସମ୍ପଦ ତା ପାଖରେ ତୁଚ୍ଛ ?

 

ସଞ୍ଚିତା ତ ବେଶ୍‌ ଭଲ ଥିଲା । ଅସୁରର ଉଆସରେ କଳାଫୁଲ ଶୁଙ୍ଘି ଶୋଇ ପଡ଼ୁଥିଲା-। ଧଳାଫୁଲ ଶୁଙ୍ଘି ଉଠି ପଡ଼ୁଥିଲା । କିନ୍ତୁ ହେ ତପସ୍ଵୀ, ତମେ କିଆଁ ଧଳା ଫୁଲ ଶୁଙ୍ଘେଇ ରାଜକୁମାରୀକୁ ଅସୁରର ଉପସ୍ଥିତିରେ ନିଦରୁ ଉଠେଇ ଦେଲ, ମନେ ପକେଇ ଦେଲ ଅତୀତକୁ-ଖୋଲା ପାଣି ପବନକୁ ? ଉଠେଇ ଦେଲ ଯଦି; ଗଳ୍ପର ରାଜକୁମାର ଭଳି ରାଜକୁମାରୀକୁ ଉଦ୍ଧାର କଲନି କାହିଁକି, ଅସୁରକୁ ମାରି ? ତମେ ତ ତପସ୍ଵୀ, ରାଜକୁମାରୀ ପାଖରେ ଆଉ ଯଦି ପ୍ରୟୋଜନ ନାହିଁ, ଆସିଥିଲ କାହିଁକି ଅସୁର ଉଆସକୁ ଧଳାଫୁଲ ନେଇ ?

 

ସଞ୍ଚିତାକୁ ଅସହାୟ କରିଦେଇ ହିଁ ତାପସ ଚାଲିଗଲା, ଅଭିଯୋଗବିହୀନ ମନରେ । ସେଇ ସମୟରୁ ସଞ୍ଚିତା ଅନୁଭବ କଲା ଯେ ଏ ଘରଟା ଖୁବ୍‌ ବଡ଼ । ଏତେ ବଡ଼ ଯେ ସଞ୍ଚିତା ଦି’ ବର୍ଷ ଭିତରେ ତା’ ଭିତରେ କେବେଠୁ, ହଜିଗଲାଣି । ଏବେ ନିଜକୁ ଖୋଜି ପାଉନି । କେଉଁଠି ଅଛି ସେ ସଞ୍ଚିତା, ଯିଏ କବିତା ଲେଖୁଥିଲା, ତାପସକୁ ପ୍ରେମ କରୁଥିଲା, କଲେଜର ଏକସ୍‌କର୍ସନରେ କାଶ୍ମୀର ବୁଲିବାକୁ ଯାଇ ତାପସ ପାଇଁ କୋର୍ଟ ନେଇ ଆସିଥିଲା ? କେଉଁଠି କେଉଁଠି, ସେ ହଜିଗଲା ?

 

ବଡ଼ ଘର । ଖୁବ୍‌ ବଡ଼ ଘର ୟେ, । ମଣିଷକୁ ଭାଙ୍ଗି ଟୁକୁରା କରିଦିଏ-ଏକଦମ ଏକଲା କରିଦିଏ । ଆଜି ଯଦି ତାପସ ଆସି ନଥାନ୍ତା-ସଞ୍ଚିତା ତ ଅନୁଭବ ହିଁ କରିପାରି ନଥାନ୍ତା ଯେ, ଦି’ବର୍ଷ ଭିତରେ ସିଏ ନିଜେ ନିଜକୁ ଗିଳି ଦେଇଛି ବୋଲି ।

 

ଆଜିହିଁ ସେ ଠିକ୍‌ କରି ସାରିଥିଲା । ସୌମେନ୍‌କୁ କହିଦେବ ସବୁକଥା । କହିବ । କହିବ : ସୌମେନ୍‌ ! ତମେ ମୋତେ ମୋର ଅଂହକାର ଫେରାଇ ଦିଅ । ଅତୀତକୁ ଫେରାଇ ଦିଅ । ଦି’ ବର୍ଷ ଭିତରେ ତମେ ମତେ ନିଃଶେଷ କରି ଦେଇଛ, ମୋର ଅସ୍ତିତ୍ଵକୁ ଫେରାଇ ଦିଅ । ମୁଁ ଚାହେଁନା ତମର ଉଆସ । ମୋତେ ମୋ ସ୍ଵପ୍ନର ଉଆସ ଫେରାଇ ଦିଅ |

 

କିନ୍ତୁ ସୁଯୋଗଟା ହାତ ମୁଠାରୁ ଖସିଗଲା । ସୌମେନ୍‌ କେତେବେଳେ ଆସିଲେ ଓ ଶୋଇପଡ଼ିଲେ । ସଞ୍ଚିତା ପାଖକୁ ଯାଇ ହାତ ଦେଲା ସୌମେନ୍‌ର ପିଠିରେ । ଟିକିଏ ହଲାଇଲା । ସୌମେନ୍‌ କଡ଼ ମୋଡ଼ିଲେ; ସେ ପୁଣି ଟିକେ ଜୋର୍‌ରେ ଠେଲିଲା । ସୌମେନ୍‌ ଅଳସୁଆ ପ୍ରଶ୍ନ ପଚାରିଲେ; କିଏ ?

 

: ମୁଁ ସଞ୍ଚିତା ।

 

ହାତ ବଢ଼ି ଆସିଲା ସୌମେନ୍‌ଙ୍କର । ସଞ୍ଚିତା ସେ ହାତ ଭିତରେ ବନ୍ଦୀ । ସୌମେନ୍‌ଙ୍କ ଆଖିରୁ ନିଦ ଯାଇନି : ଓ ଡାର୍ଲିଂ ଶୋଇ ପଡ଼ ।

 

: ଆଜି ତାପସ ଆସିଥିଲା ।

 

: କିଏ ? ସୌମେନ୍‌ ନିରୁତ୍ସାହିତ ଗଳାରେ ପଚାରିଲେ, କିଏ ଆସିଥିଲା ?

 

: ତାପସ । ଆମ କଲେଜରେ ପଢ଼ୁଥିଲା । କବିତା ଲେଖେ ।

 

: ଓ ! ସୌମେନ ଗୁରୁତ୍ଵହୀନ ଉତ୍ତର ଦେଲେ । ୟା’ପରେ କେମିତି ଆରମ୍ଭ କରିବ ସଞ୍ଚିତା ? କେମିତି କହିବ ଏତେ କଥା ? ହାୟ ! ଏତେଗୁଡ଼େ କଥା ତାକୁ କହିବା ପାଇଁ ପଡ଼ିବ ସୌମେନକୁ । ସୌମେନର ଛାତିରେ ମୁହଁ ଗୁଞ୍ଜି କହିଲା : ତାପସ...

 

: ଓଃ ନୋ ଡାର୍ଲିଂ । ସୌମେନ ତା’ର ମୁହଁ ଉପରକୁ ତୋଳିନେଲେ ଓ କହିଲେ, ତାପସ ଫାପସ କଥା ନାହିଁ । ଇଟ୍‌ ଇଜ୍‌ ଟାଇମ୍‌ ଫର ଲଭ ଏଣ୍ଡ ରିଲାକ୍‌ସନ୍‌ ।

 

ସଞ୍ଚିତା ଅନୁଭବ କଲା ସୌମେନର ମୁହଁରେ ବିଅରର ଉତ୍କଟ ଗନ୍ଧ । ବିଅର ନିଶା କରେନି ସତ, ମୁହଁକୁ କିନ୍ତୁ ଦୁର୍ଗନ୍ଧରେ ଭରିଦିଏ । ସୌମେନ କିଛି ହାନି କରନ୍ତିନି ସଞ୍ଚିତାର, ମାତ୍ର ଦେହ ଭିତରେ ଭରି ଦିଅନ୍ତି ଦୁର୍ଗନ୍ଧ । ସେ ଦୁର୍ଗନ୍ଧରେ ସଞ୍ଚିତା ନିଃଶ୍ଵାସ ବନ୍ଦ କରି ଯନ୍ତ୍ରଣାରେ ଛଟପଟ ହୁଏ ।

 

ସଞ୍ଚିତା ବୁଝିଲା, ଅସୁରଟା ପୁଣି ଧଳାଫୁଲ ଶୁଙ୍ଘେଇ ରାଜକୁମାରୀକୁ ନିଦରୁ ଉଠେଇଚି-

Image

 

ସୁଖର ମୁହାଁମୁହିଁ

 

ସ୍ଵପ୍ନଟା ଠିକ୍ ଏମିତି ଥିଲା ହାତ-ଗୋଡ଼, ପାଦ-ମୁହଁ, ଦେହଯାକର ସବୁ ପାଣି ଆସି ଜମି ଯାଇଚି, ଜମି ସାଇଛି ତା ତଳି ପେଟରେ । ଆସ୍ତେ ଆସ୍ତେ ଦରଜ ହେଉଛି ପେଟ, ଓଜନ ବି ଲାଗୁଛି, ଧୀରେ ଧୀରେ ତା’ ଅଣ୍ଟା ଚାରିପଟେ ଘୂରି ବୁଲୁଛି ଗୋଟେ ଅଦୃଶ୍ୟ ହାତ, ‘ସେ ଖଲାସ କରି ଦେବାକୁ ଚାହୁଁଛି ପାଣି ସବୁ । ବିଛଣାରୁ ଉଠିଯାଇ ଲାଇଟ ଜଳଉଚି, କବାଟ ଖୋଲି ମାଡ଼ି ଯାଇଛି ବାଥ୍‌ରୁମ୍ ଆଡ଼େ, ଓଜନିଆ ବ୍ୟସ୍ତ ପାଦରେ ।

 

ଅସମ୍ଭବ, କଥାଟିଏ ଘଟିଗଲା ଏତିକିବେଳେ । ସେ ରୁମ୍ ପରେ ରୁମ୍ କ୍ରସ୍ କରି ଚାଲିଛି, ଅଥଚ ବାଥ୍‌ରୁମ୍‌ରେ ପହଞ୍ଚି ପାରୁନି । ବାଥ୍‌ରୁମ୍ ଘୁଞ୍ଚି ଯାଉଛି, ସେ ବାଥ୍‌ରୁମ୍‌ରେ ପହଞ୍ଚି ପାରୁନି । ପେଟ ଓଜନ ହେଇ ଯାଉଚି, ସେ ବାଥ୍‌ରୁମ୍‍ରେ ପହଞ୍ଚି ପାରୁନି ।

 

ଚନ୍ଦନ ଭାବିଲା, ବାଥ୍‌ରୁମ୍ ଘୁଞ୍ଚିଯାଉ, ଯାଉ ଶଳା ନର୍କକୁ ଯାଉ । ସେ କିଆଁ ତା’ ପଛରେ ଗୋଡ଼େଇବ ? ସେ ଏଇଠି, ଏଇ ରୁମ୍ ସାମନାରେ ହିଁ..

 

ଧୀରେ ଧୀରେ ପେଟ ଖଲାସ ହେଇଗଲା ବେଳେ, ଗୋଟେ ଅଦ୍ଭୁତ ସୁଖରେ, ଏକାନ୍ତ ଆରାମରେ ଦେହଟା ହାଲୁକା ହୋଇ ଯାଇଥିଲା ବେଳେ ସେ ଅନୁଭବ କଲା କାହାର ଓଦାଳିଆ ସ୍ପର୍ଶ ତା’କୁ ନିଦରୁ ଉଠେଇ ଦେଲା ।

 

ନିଦରୁ ଉଠି ବିଛଣାରେ ବସି ପଡ଼ିଲା ଚନ୍ଦନ । ପ୍ରଥମେ ନ ବୁଝିଲେ ବି ପରେ ପରେ ସେ ଠିକ୍ ବୁଝିନେଲା, ଘଟଣା କ’ଣ । ବିଛଣା ଓଦା ହୋଇଯାଇଛି- ତା’ ଟ୍ରାଉଜର ବି । ସେଇ ଓଦା ବିଛଣା ଆଉ ଟ୍ରାଉଜର ଗନ୍ଧରୁ ସେ ଜାଣିନେଲା ଯେ ଗୋଟେ ରୁମ୍ ସାମନାରେ ନୁହେ, ବିଛଣାରେ ହିଁ ସେ ପରିଶ୍ରା କରି ଦେଇଛି ।

 

ସେଇ ଓଦା ବିଛଣାରେ, ରାତି ଅଧରେ ହିଁ ସେ ବସି ରହିଲା । ତାକୁ ହସ ଲାଗୁ ନ ଥିଲା, ରାଗ ଲାଗୁ ନ ଥିଲା, ଦୁଃଖ ଲାଗୁ ନ ଥିଲା, ଲାଜ ବି ଲାଗୁ ନ ଥିଲା । ସେ କେବଳ ବସି ରହିଲା, ଯେମିତି ତା’ର କିଛି ହେଇନି- ଏମିତି ସମସ୍ତଙ୍କର ହୁଏ ।

 

କେତେବେଳେ ପୁଣି ଟ୍ରାଉଜର ବଦଳେଇ ଲୁଙ୍ଗି ପିନ୍ଧଛି । ସେମିତି ସେଇ ଓଦା ବିଛଣାର ଗୋଟେ ପାଖକୁ, ସେ ବସି ରହିଲା । ରାତିସାରା ଆଉ ନିଦ ହେଲାନି ତା’ର । ମମି କଥା ମନେ ପଡ଼ିଗଲା । ଖୁବ୍‌ ଛୋଟବେଳେ ମମି କୋଳରେ ସେ ଏମିତି ଥରେ ଚାହିଁଥିଲେ ବି ମୁତି ପକେଇ ଥିଲା । ସେଦିନ ତାକୁ ଲାଜ ଲାଗିଥିଲା, ଭୟ ବି ଲାଗୁଥିଲା । କିନ୍ତୁ ଆଜି ତାକୁ କିଛି ଲାଗୁନି ।

 

ଅନେକ ସମୟରେ ସାଦା ସାଦା କଟେଇବା ପରେ ମମିଙ୍କର କଥା ମନେ ପଡ଼ିଲା, ଆଷାଢ଼ର ଦମକା ଦମକା ବର୍ଷା ପରି, ରହି ରହି–

 

ମମି କହିଲେ, ‘‘ସ୍କୁଲରୁ ଫେରି ପିଲାମାନେ କ’ଣ କରନ୍ତି ?

 

‘‘କ’ଣ କରନ୍ତି ?’’ ପିଲା ତିନୋଟି ଏକା ସାଙ୍ଗରେ ପଚାରିଲେ ।

 

ମମି କହିଲେ, ‘‘ସ୍କୁଲରୁ ଫେରି ପିଲାମାନେ ମୁହଁ ହାତ ଧୋଇ ଖାଇବାକୁ ବସି ଯାଆନ୍ତି-।’’ ମମି କହିଲେ, ସନ୍ଧ୍ୟା ହେଲେ ପିଲାମାନେ କ’ଣ କରନ୍ତି ?

 

‘‘କ’ଣ କରନ୍ତି ?’’

 

‘‘ସଂଧ୍ୟା ହେଲେ ପିଲାମାନେ ପରିଷ୍କାର ହୋଇ ପାଠ ପଢ଼ିବାକୁ ବସନ୍ତି ।’’ ମମି ଏମିତି ଅନେକ କଥା କୁହନ୍ତି । ପିଲା ତିନିଟି ବି ମାନି ନିଅନ୍ତି ମମିକୁ ।

 

ସଂଧ୍ୟା-ଘଣ୍ଟା ଶବ୍ଦ କରିବା ମାତ୍ରେ, ଖେଳ ଅଧା ଥିଲେ ବି ରହିଯାଏ । ପିଲା ତିନିଟି ଘରମୁହାଁ ଦୌଡ଼ନ୍ତି । ମୁହଁ ହାତ ଧୋଇ ନେଇ ପଢ଼ିବା ପାଇଁ ବସିଯାନ୍ତି । ମମି ଆସି ବର୍ଣ୍ଣଭିଟା ଦେଇଯାନ୍ତି-ପିଲା ତିନିଟି ବହି ଉପରେ ଆଖି ରଖି ପିଇନିଅନ୍ତି । ପ୍ରତି ସନ୍ଧ୍ୟାରେ, ପ୍ରାୟ ପ୍ରତି ସନ୍ଧ୍ୟାରେ, ମମି, ଡାଡି ବୁଲିବାକୁ ବାହାରି ଯାନ୍ତି । ଗଲାବେଳେ ମମି କହିଯାନ୍ତି, ପିଲାମାନେ, ବାହାରକୁ ବାହାରିବ ନି । ଚୁପ୍‌ଚାପ୍‌ ବସି ପାଠ ପଢ଼ିବ । ପଢ଼ିବ ତ ? ମାଷ୍ଟର ସିଂ ଆଜି ଡାକିଛନ୍ତି, ଶୀଘ୍ର ଫେରି ଆସିବୁ ଯେ ! ଦୁଷ୍ଟାମି କରିବ ନି, ବୁଝିଲ ? ପିଲା ତିନୋଟି ମୁଣ୍ଡ ହଲେଇ ‘ହଁ’ କରନ୍ତି-

 

ବେଳେବେଳେ ଏମିତି ବି ହୁଏ, କେହି ନା କେହି ସନ୍ଧ୍ୟାରେ ଘରକୁ ବୁଲି ଆସନ୍ତି, ମମି, ଡାଡି ବସି ବସି ଗପ କରନ୍ତି ସେମାନଙ୍କ ସଙ୍ଗରେ । ସେଇ ସମୟତକ ମୁରବୀ ବନିଯାଏ ଚନ୍ଦନ । ନିଜର ସବ୍‌ଜାନତାପଣିଆ ଦେଖାଇ ଗପ କରେ । ହେଲେ ସେତେବେଳେ ସାନ ପିଲା ଦି’ଟା ତାଙ୍କର ଏଇ ସବ୍‌ଜାନତା ଭାଇଟିକୁ ଗୋଟିଏ ଅଦ୍ଭୁତ ପ୍ରଶ୍ନ ପଚାରି ବସନ୍ତି–

 

‘‘ସବୁଦିନ ମମି ଡାଡ଼ି ବାହାରକୁ ଯା’ନ୍ତି କିଆଁ ?’’

 

‘‘ଏତିକି ଜାଣିନ ? ସେମାନଙ୍କର ଫ୍ରେଣ୍ଡ ସେମାନେ ଡାକିଥାନ୍ତି ।’’

 

‘‘ମିଛକଥା’’–ମଝିପିଲାଟି କହି ପକାଏ, ‘‘କାହିଁ ସବୁଦିନ ତ ଫୋନରେ ଡାକି ନ ଥାନ୍ତି !’’

 

ଚନ୍ଦନ ମନରେ ବି ସେଇ ପ୍ରଶ୍ନ ଥାଏ । ବେଳେବେଳେ ତାର ଭୀଷଣ ରାଗ ହୁଏ ସେମାନଙ୍କ ଉପରେ । ତା’ର ମନେହୁଏ ମମି ତାକୁ ଜମା ଭଲ ପାଆନ୍ତି ନି । ଅଥଚ କେତେ ଶୀଘ୍ର ବଦଳିଯାଏ ତା’ର ଏ ଧାରଣାଟା ସକାଳ ହେଲେ । ମମି ଯେତେବେଳେ ପାଣି ଟବ୍‌ ପାଖକୁ ଟାଣି ଆଣି ଓଦା କରି ପକାନ୍ତି, ତାର ମୁଣ୍ଡ କୁଣ୍ଡେଇ ବାକ୍‌ସ ଧରେଇ ଦିଅନ୍ତି, ସ୍କୁଲ ଯିବା ପାଇଁ, ଚନ୍ଦନ ଭାବେ ‘ସତରେ ମୋ ମମିଠୁ କେହି ଭଲ ମମି ନାଇଁ । ଆଉ ସବୁ ସମୟରେ କିନ୍ତୁ ସନ୍ଧ୍ୟାଟା ଅସହ୍ୟ ହେଇଯାଏ ଚନ୍ଦନ ପାଇଁ ।

 

ପ୍ରତି ସନ୍ଧ୍ୟାରେ ଚନ୍ଦନର ଦେହରେ ଗୋଟେ କରେଣ୍ଟ୍‌ ଘୂରି ଆସେ, ନର୍ସରୀ ରାଇମ୍‌ ପରି ମମି କଥା ମନେପଡ଼େ । ଚନ୍ଦନ କଥା ଅଧା ରଖି, ସୀମାନିକୁ ଆଶ୍ଚର୍ଯ୍ୟ କରି ଦେଇ, ଆକସ୍ମିକ ଭାବେ ଫେରିଆସେ ଲେଡିଜ୍‌ ହଷ୍ଟେଲ୍‌ ସାମନାରୁ । ସୀମାନି ଅବଶ୍ୟ ଥରେ ତାକୁ କହିଥିଲେ, ତୁଟା ଗୋଟାଏ ଯାନ୍ତ୍ରୀକ, ଆଉ ଅସମ୍ଭବ ଭାବେ ଆକସ୍ମିକ । ଅଯଥା ବୋରିଂ ପିଲାଟା । କୃତ୍ରିମ ଖୁସ୍‌ ମିଜାଜୀ ଗୁଣ ତୋର । ବୋକାରୋର ପିଲାମାନେ କ’ଣ ଏମିତି ?

 

ଚନ୍ଦନର ମୁଣ୍ଡରେ ପ୍ରତ୍ୟେକଟି ଶବ୍ଦ ଛନ୍ଦି ହୋଇ ଯାଇଥିଲା । ସେଇଥିପାଇଁ ତ ସେ ସୀମାନିକୁ ଭଲପାଏ । ଚମତ୍‌କାର କଥା କହି ଜାଣେ ସେ ।

 

ରାତିସାରା ଭାରି ଅନିଦ୍ରା, ଦିନରାତି ବିଛଣାର ଗନ୍ଧ ତାକୁ ବ୍ୟସ୍ତ କରୁନି । ଅନେକ ବେଳୁ କ୍ଳାସରୁ ଫେରି ଚନ୍ଦନ ବସିଛି ଯେ ବସିଛି । କିଛି ଖାଇବାକୁ ହବ, ଏ କଥାଟି ସେ ଭାବିଲେ ବି ଉଠିଯାଇ ପାରୁନି । ତାକୁ ଲାଗୁନି, ତା’ର କୋଉଠି ଗୋଟେ କଷ୍ଟ ହଉଛି, ହେଲେ ନିର୍ଦ୍ଦିଷ୍ଟ ଜାଗାଟା ଠଉରାଇ ପାରୁଚି । କେବଳ ଆଜି ନୁହେଁ, ଏଇ କେତେଦିନ ହେଲା ତା’ର ଏମିତି ହଉଚି । କେମିତି ଦିନ ହଉଚି, କେମିତି ରାତି ଆସୁଚି ସେ ଜାଣୁନି । ୟା ଭିତରେ ତା’ ନଖ ବଢ଼ି ଯାଇ ମଳି ପଶି କଳା ଦେଖାଯାଉଛି, ପ୍ୟାଣ୍ଟ ସାର୍ଟ ବି ମଇଳା ହେଇଗଲାଣି, ସେଭ୍‌ କରିବା କଥା ତ ସେ ପୁରା ଭୁଲିଯାଇଚି କେଇଦିନ ହେଲା । ଏବେ ଚନ୍ଦନ ଜୋରକରି ମନେ ପକାଉଛି ମମିର କଥାକୁ । ବୋକାରୋର ସନ୍ଧ୍ୟା ଆଉ ସକାଳକୁ ଟାଣି ଆଣି ବସାଉଚି ରୁମରେ । ସୀମାନିର ଫଟକୁ ବାହାର କରି ଦେଖୁଚି ବାରମ୍ବାର ଦେଖ ! ଏତେ ସତ୍ତ୍ୱେ ବି ତ ତା ଭିତରେ ଗୋଟେ ମସୃଣ ନିଷ୍କ୍ରିୟତା ହାଇ ମାରୁଛି ରହି ରହି । ଏ କେମିତି କଥା ଯେ !

 

ଚନ୍ଦନ ଚାହିଁଲା ବାହାରେ ଟିପ୍‌ଟିପ୍‌ ବର୍ଷା ଆରମ୍ଭ ହେଇ ଯାଇଚି । ଏ ବର୍ଷାରେ ବି ସେ ଯାଇପାରନ୍ତା ସୀମାନି ପାଖକୁ ହେଲେ ସୀମାନି ତା ଘରକୁ ଚାଲି ଯାଇଚି । ତା’ର କିନ୍ତୁ ଆଜି ନିହାତି ଦରାକର ସୀମାନିକୁ, ନିହାତି ଭାବରେ ଦରକାର । ସୀମାନିକୁ ସେ ପଚାରିବ ତା’ର ଇଏ କ’ଣ ହେଉଚି ? ତା’ର କିଛି ସେନ୍‌ସେସନ୍‌ ନାଇଁ, ଫିଲଙ୍ଗସ୍‌ ବି ନାଇଁ । ତା’ ରକ୍ତ ଏତେ ଥଣ୍ଡା ପଡ଼ି ଯାଇଛି କିଆଁ ? ତା’ର କିଛି ପ୍ରତିକ୍ରିୟା ହେଉନି ଯେ ! କ’ଣ ପାଇଁ ତାକୁ ରୋଗିଣା ଲାଗୁଚି ? କଥା କହିବାକୁ ଇଚ୍ଛା ହେଉନି ତା’ର ! କୌଣସି ଝିଅର ଉଲଗ୍ନ ଛବି ଦେଖି ସେ ରୋମାଞ୍ଚିତ ହେଇ ଯାଉନି । ଶୋଇ ଶୋଇ ରହିବାକୁ ଭଲ ଲାଗୁନି । ଘୂରି ବୁଲିବାକୁ ବି ନୁହେଁ । କ୍ଲାସରେ ଝିଅମାନଙ୍କୁ ଦେଖିଲେ ବାନ୍ତି ଆସୁଚି କେମିତି । ସେ କ’ଣ ଫ୍ରିଜିଡ଼୍‌ ହେଇ ଯାଉଚି କି ଆଉ ?

 

ଚନ୍ଦନ ନିର୍ବାକ ପରି ଚାହିଁଛି–ଧୀରେ ଧୀରେ ସନ୍ଧ୍ୟା ତା’ର ଦେହ ପାହାଚରେ ଓହ୍ଲେଇଗଲା । ଅଦ୍ଭୁତ ! ତା’ ଦେହରେ ସେଇ ପ୍ରତି ସନ୍ଧ୍ୟାର କରେଣ୍ଟ୍‌ ବି ଆସୁନି ଆଉ ।

 

ଚନ୍ଦନ ଅନୁଭବ କଲା ତା’ ପିଠିରେ ଅନ୍ଧାରର ଓଦା ହାତ, ମୁହଁ ଉପରେ ବର୍ଷାର ଛୋଟ ଛୋଟ କଥା, ଏଇ ତ ସେ ଜୀଉଁଚି । ନିଃଶ୍ଵାସକୁ ବାରି ପାରୁଛି । ଉଠିପଡ଼ି ରୁମର ଲାଇଟ୍‌ ଜଳେଇ ଦେଲା ସେ । ସତରେ ସେ ଜୀଉଁଛି କି ? ଦର୍ପଣ ଆଣି ମୁହଁ ଦେଖିଲା, ନାଁ, ତା ମୁହଁଟା ବରଂ ଧଳା ଦିଶୁଛି, ଅସମ୍ଭବ ସେଇ ଲାଗୁଚି । ସେ ରୋଗିଣା ହେଇ ପଡ଼ିଚି କି ? ଚନ୍ଦନ ଦର୍ପଣରେ ହସିଲା । ନାଁ ଭଲ ଦିଶୁନି । ଆଁ କରିଲା । ଜିଭ କାଢ଼ିଲା । ଆଖି ବଡ଼ କଲା । ପାଟିରେ ପବନ ରଖି ଦି’ଗାଲ ଫୁଲେଇଲା । ନାଁ, ସେ ଭଲ ଦିଶୁନି । କାହିଁ ଜୀଅଁନ୍ତା ମଣିଷ ଭଳି ତ ଦିଶୁନି ! ତେବେ ସେ ଜୀଇଁଲା ଆଉ କୋଉଠି ? ପ୍ରକୃତରେ ସେ ରୋଗିଣା ହେଇ ଯାଇଛି ।

 

ଚଟାପଟ୍‌ ଟ୍ରାଉଜର ଓହ୍ଲେଇ, ଚନ୍ଦନ ପ୍ୟାଣ୍ଟ୍‌ ସାର୍ଟ ପିନ୍ଧିନେଲା । ତା’ର ସେ କୌଣସି ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର । ବର୍ଷା ଅଳ୍ପ ହଉଥିଲା । ସେ ବାହାରିଗଲା ରୁମ୍‌ରୁ । ହେଲେ କୋଉଠିକୁ ଯିବ ? ଅସଲକଥା, କଟକ ସହରରେ ତା’ର କୌଣସି ଡାକ୍ତର ଚିହ୍ନା ନାହାନ୍ତି । କଟକ ଆସିବା ଦିନୁ କେବେ ତା’ର ଦେହ ଖରାପ ହେଇ ନ ଥିଲା । ଏଇତ ପ୍ରଥମ । ତା’ ରୁମ୍‌ମେଟ୍‌ର ବି କେବେ ଦେହ ଖରାପ ହୁଏନା, ହେଲେ ସେ କଲେଜ ବନ୍ଦକରି ସିଧା ହସ୍‌ପିଟାଲରେ ଭର୍ତ୍ତି ହେଇଯାଏ । ତା ରୁମମେଟ ଗୋଟେ ଅଦ୍ଭୁତ ପିଲା, ଯା ସଙ୍ଗେ ସେ ପ୍ରଥମେ ମିଶିପାରୁନ ଥିଲା । ବଡ଼ ଅସହ୍ୟ ହେଉଥିଲା ପିଲାଟି ତାର ।

 

ଆଶ୍ଚର୍ଯ୍ୟ ପିଲା ହଷ୍ଟେଲରେ ରୁହେ, ଅଥଚ ହୋଟେଲରେ ଖାଏ । କ୍ଳାସ ସାରି, ହଷ୍ଟେଲ ନ ଫେରି ଘୂରି ଘୂରି ଫେରେ ଅନେକ ଡେରିରେ । ସବୁଠୁ ମଜା କଥା, ମୁଁହରେ ତା’ର ଯୋଡ଼ିଏ ଶବ୍ଦ ସଦା ବସା ବାନ୍ଧିଥାଏ । କଥା କଥାରେ ସେ କୁହେ, ‘ଶଳା ସୁଆର୍‌କା ବଚା’ । ଚନ୍ଦନ ଭଲଭାବେ ଜାଣେ ସେ କା’ ପାଖକୁ ଚିଠି ଲେଖେନି କି ତା’ ପାଖକୁ କେହି ଚିଠି ଦିଅନ୍ତିନି, ତେବେ ବି ମନେହୁଏ ତା’ ଭିତରେ ଗୋଟେ ସିକ୍ରେଟ ଝିଅ ରହିଚି । ଅନେକ ସମୟରେ ତା’ର ବାପା ଦେଖା କରିବାକୁ ଆସନ୍ତି, ଅଥଚ ଶହେଥରରେ ଅତି ବେଶି ହେଲେ ଚାରି ପାଞ୍ଚଥର ଦେଖାହୁଏ । ପିଲାଟା ଚନ୍ଦନର ସିନୟର ବ୍ୟାଚ । ଚନ୍ଦନ ଫ୍ରି ହୋଇପାରେନା ତା’ ପାଖରେ । ଘୂରି ଘୂରି ଫେରେ, ଟିକେ ବେଶି ରାତି ହେଇଯାଇଥାଏ । ଚନ୍ଦନ ସେଇଥିପାଇଁ କେବେ କବାଟ ବୋଲ୍‌ଟ କରି ଶୁଏନା-

 

ପ୍ରଥମେ ପ୍ରଥମେ, ରହିବାବେଳେ ସେ ମମି ପାଖକୁ ଏଇ ଅଦ୍ଭୁତ ପିଲାଟି କଥା ଲେଖିଥିଲା, ଆଉ ସେତେବେଳେ, ମମି ଆସି, ଏଇଠି ଫୋର୍ଥଇୟର୍‌ରେ ପଢ଼ୁଥିବା ତାଙ୍କର ଦୂର ସମ୍ପର୍କୀୟା ଭଉଣୀର ଝିଅ ସୀମା’ନିକୁ ପରିଚୟ କରିଦେଇ ଯାଇଥିଲେ, ଯିଏ ଚନ୍ଦନର ଭଲ ମନ୍ଦ ବୁଝିବ, ତାକୁ ସଙ୍ଗ ଦେବ । ଅଥଚ ଦେଖ ସୀମା’ନି ତା’ର ଦେହ ଖରାପବେଳେ ହିଁ ଘରକୁ ଚାଲିଯାଇଚି !

 

ଚନ୍ଦନ କଲେଜ ଛକରେ ପହଞ୍ଚି ଛିଡ଼ା ହୋଇଗଲା । ନାଁ, କଲେଜ ଛକରେ କେହି ଡାକ୍ତର ନାହାନ୍ତି, କିମ୍ବା ତା’ର କେହି ଚିହ୍ନା ଡାକ୍ତର ନାହାନ୍ତି । ଚାଲିଲା ସେ । ଯାହା ହେଉ ତା’ର କିନ୍ତୁ ଡାକ୍ତର ସଙ୍ଗେ କଥାବାର୍ତ୍ତା କରିବା ଉଚିତ୍‌ । ସବୁଠୁ ଭଲ ହେବ ହସ୍‌ପିଟାଲ ଚାଲିଯିବା । ଯେ କୌଣସି ଡାକ୍ତରଙ୍କୁ ସେ ତା’ର ରୋଗ ସଂପର୍କରେ ପଚାରିବ । ରାତି ସାଢ଼େ ସାତଟାରେ ସେ କଟକ ହସ୍‌ପିଟାଲରେ ଘୂରି ବୁଲିଲା, ଏତେ ମଣିଷ, ଏତେ ରୋଗୀ, ଏତେ ଡାକ୍ତର ଭିତରୁ ଜଣେ ଡାକ୍ତର ଖୋଜିବାପାଇଁ ।

 

ଗାଇନୋକୋଲଜି ଓ ସର୍ଜିକାଲ୍‌ ୱାର୍ଡ଼ର ମଝି ରାସ୍ତାଟାରେ ସେ ଭେଟିଲା, ଗୋଟେ ସତେଇଶ ଅଠେଇଶ ବର୍ଷର ପିଲାକୁ । ବେକରେ ଷ୍ଟେଥୋ । ତା’ ଦେହର ପବନ ବଜେଇ ତାକୁ ପାସ୍‌ କରି ଚାଲିଗଲା ସେ । ହଠାତ୍‌ ଚନ୍ଦନ ଡାକିଲା, ‘‘ଟିକେ ଶୁଣିବେ ?’’

 

ପିଲାଟି ଟିକେ ରହିଯାଇ, ପୁଣି ଚାଲିଲା, ଅଚିହ୍ନା ପିଲା ଦେଖି । ଚନ୍ଦନ ଏଥର ବଡ଼ ପାଟିରେ ଡାକିଲା, ‘‘ହଁ, ମୋର ଆପଣଙ୍କ ପାଖରେ ଟିକେ କାମ ଥିଲା ।’’

 

ପିଲାଟା ଏଥର ରହିଗଲା ଓ ବୁଲି ଚାହିଁଲା ଚନ୍ଦନକୁ । ଚନ୍ଦନ ଦେଖିଲା ପିଲାଟା ଗୋଟେ ଡାକ୍ତର କେବେ ହୋଇ ନ ଥିବ, ହାଉସ୍‌ ମ୍ୟାନ-ସିପ୍‌ କରୁଥିବ କିମ୍ବା ଗୋଟେ ପୋଷ୍ଟ୍‌ ଗ୍ରାଜୁଏଟ୍‌ ଷ୍ଟୁଡେଣ୍ଟ ହୋଇଥିବ ।

 

ଚନ୍ଦନ କହିଲା, ‘‘କିଛି ମନେ କରିବେନି । ମୋ ଦେହ ହଠାତ୍‌ ଏମିତି ଗୁଡ଼ିଏ ଲକ୍ଷଣ ଅଛି, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।’ ପିଲାଟା କିଛି ସମୟ ଚୁପ୍‌ଚାପ୍‌ ଠିଆହେଲା, ତା’ପରେ ପଚାରିଲା: ତମ ନାଁ କ’ଣ ?

 

: ଚନ୍ଦନ, ଚନ୍ଦନ ଦାସ ।

 

: ପାଠ ପଢ଼ୁଚ ?

 

: ହଁ

 

: କ’ଣ ଏଇ ମେଡ଼ିକାଲ କଲେଜରେ ?

 

: ନାଁ, ରେଭେନ୍‌ସାରେ- ସେକେଣ୍ଡ ଇୟର୍‌ ।

 

: ହଷ୍ଟେଲରେ ବୋଧହୁଏ ରହୁଚ ?

 

ଚନ୍ଦନ କିଛି ସମୟ ଚୁପ୍‌ ରହିଯାଇ କହିଲା: ହେଲେ ଆପଣ ଏ ସବୁରୁ କ’ଣ ପାଇବେ-? ଜାଣନ୍ତି ମୋ ରୋଗର ଲକ୍ଷଣ କ’ଣ ?

 

ପିଲାଟି କହିଲା, ଡାକ୍ତରକୁ ଦେଖାକଲେ କହିଦେବେ । ତେବେ ତମର କିଛି ହେଲାପରି ତ ମନେ ହେଉନି ।

 

ଚନ୍ଦନ କହିଲା : ଆପଣ ଷ୍ଟେଥୋ ପକାଇଲେ ହିଁ ଜାଣିପାରବେ, ମୁଁ ଅସୁସ୍ଥ ବୋଲି ମୋର ଯେମିତି ମନେ ହେଉଚି, ମୋର ସେନ୍‌ସେସନ୍ ନାଇଁ, ଫିଲଙ୍ଗସ୍‌ ବି । ମୁଁ ଯେମିତି ଫ୍ରିଜିଡ଼୍‌ ହେଇଯାଉଚି, ପୂରା କୁଲ । ମୋତେ ରୋଗିଣା ଲାଗୁଚି । ଭୀଷଣ ଅଳସୁଆ ବି, ଶୋଇବାକୁ ଭଲଲାଗୁନି । ଘୂରି ବୁଲିବାକୁ ନୁହେଁ । କ୍ଳାସରେ ଝିଅମାନଙ୍କୁ ଦେଖିଲେ ବାନ୍ତି ଆସୁଚି କିଆଁ ? ଉଲଗ୍ନ ଝିଅର ଛବି ଦେଖିଲେ ବି ମୁଁ ବିଚଳିତ ହେଇ ପଡ଼ୁନି । ଜାଣନ୍ତି, ମତେ ଗୋଟେ ପିମ୍ପୁଡ଼ି ଅନେକ ବେଳଧରି କାମୁଡ଼ିଲା, ଅଥଚ ମୁଁ ଚାହିଁ ରହିଚି କିଛି ବି ପ୍ରତିକ୍ରିୟା ହେଲାନି ମୋର ।

 

ପିଲାଟି ତା କଥା ଶୁଣି ହସିଦେଲା । ଏତେ ହସିଲା ଯେ ସତେ ଯେମିତି ଫାଟିପଡ଼ିବ ଏଇ ମୁହୂର୍ତ୍ତରେ, ତାପରେ ରହିଯାଇ କହିଲା : ‘‘କାହାକୁ ଲଭ୍‌ ଫଭ୍‌ କରୁଥିଲ ? ହଉ ଆସ । ଆସ ମୋ ସଙ୍ଗରେ ।’’

 

ପିଲାଟି ସଙ୍ଗରେ ଚନ୍ଦନ ତା’ ରୁମ୍‌କୁ ଗଲା । ଚନ୍ଦନକୁ ବସିବାକୁ କହି ଷ୍ଟେଥୋଟା ବେକରୁ କାଢ଼ି ଥୋଇଦେଲା ଓ ବାଥ୍‌ରୁମ୍‌ ଚାଲିଗଲା । ପିଲାଟା ଫେରିଆସିବା ପରେ ଚନ୍ଦନ ଟିକେ ସାହସ ସଞ୍ଚୟ କରି କହିଲା : ମୋ ମୁହଁଟା ବିକୃତ ଦିଶୁଚି କି ? ଧଳା ଧଳା ହୋଇ ଯାଇଚି କି ?

 

ପିଲାଟା ଚେୟାର ବୁଲେଇନେଇ ବସିପଡ଼ିଲା ଓ କହିଲା :ତମେ ଠିକ୍‌ ଦିଶୁଚ ! ଫ୍ରେସ୍‌ ତ ଲାଗୁଚ ବେଶ୍‌ । ଆଚ୍ଛା ତମେ କଫି ଖାଇବ ? ଚନ୍ଦନ କିଛି ନ ଭାବି ହଁ କରିଦେଲା ।

 

ପିଲାଟା ରୁମ୍‌ରେ ରଖିଥିବା ହିଟରରେ, ଅଳ୍ପ ସମୟରେ ଦି’ କପ୍‌ କଫି ବନେଇ ଦେଲା-। କଫି ପିଇବାବେଳେ, ଚନ୍ଦନକୁ ସେ ପଚାରିଲା : ତମେ କାହାକୁ ଲଭ୍‌ କରୁଥିଲ ?

 

ଚନ୍ଦନ ରହିଗଲା : ଏ, ଲଭ୍‌ ? ହୁଏତ କରିଥିବି, ହୁଏତ ନାଇଁ । ମୁଁ କେମିତି ଜାଣିବି ଯେ ମୁଁ ଲଭ୍ କରୁଚି ବୋଲି ?

 

ତମର କେହି ବି ଗାର୍ଲ ଫ୍ରେଣ୍ଡ୍‌ ନାହାନ୍ତି ?

 

ହଁ ଅଛନ୍ତି, କାହିଁକି ? ସୀମା’ନି

 

ସୀମା’ନି କିଏ ?

 

ଏଇଠି ପାଠ ପଢ଼େ, ଫୋର୍ଥଇୟର୍‌ । ଖୁବ୍‌ ଭଲ ଲାଗେ । ସେ ଏଗାର ଦିନ ହେବ ଘରକୁ ଚାଲିଯାଇଛି-କାଲି ଆସିପାରେ, ପଅରଦିନ ବି, ପିଲାଟା ହସିଦେଲା ଆରେ ସେ ତ ତମର ନାନୀ, ତା ବ୍ୟତୀତ ଆଉ କେହି ଗାର୍ଲ-ଫ୍ରେଣ୍ଡ୍‌ ଅଛି ?

 

‘‘ସେ ମୋ ନାନୀ କିଏ କହିଲା ? ନାନୀ କହିଲେ କ’ଣ ? ଗାର୍ଲଫ୍ରେଣ୍ଡ୍‌ କହିଲେ କ’ଣ-? ମୁଁ ବୁଝେନା । ତେବେ ସୀମା’ନି ବ୍ୟତୀତ ମୋର କେହି ଝିଅ ଚିହ୍ନା ନାହିଁ ଏଇଠି । କିନ୍ତୁ ଆପଣ ଟିକେ ଷ୍ଟେଥୋ ପକେଇ ଦେଖନ୍ତୁ ନା । ମୋର ମନେ ହେଉଚି ମୋର ଶ୍ଵାସକ୍ରିୟା ଯଥାରୀତି ହେଉନି ଯେମିତି ।

 

ଏଥର ପିଲାଟା ହସିଦେଲା ଓ କହିଲା : ଠିକ୍‌ ଅଛି ଏବଂ ଷ୍ଟେଥୋ ତା’ର ଛାତି ଓ ପିଠି ଉପରେ ଚରିବୁଲିଲା କିଛି ସମୟ ।

 

: ତମେ ସଂପୂର୍ଣ୍ଣ ସୁସ୍ଥ ଅଛ । ତମର କିଛି ବି ରୋଗ ହେଇନି । କିନ୍ତୁ ତମର ହେଇଚି କ’ଣ ଜାଣ ?

 

କ’ଣ ହେଇଚି ? ଚନ୍ଦନ ଡରିଗଲା । ଓଦା ହେଇଗଲା ତା ସ୍ଵର ।

 

: ତମର ଗୋଟେ ଅଦ୍ଭୁତ ରୋଗ ହେଇଚି, ଯା ନାଁ କି ଡିପ୍ରେସନ । ଆଉ ଜାଣ ଏଇ ରୋଗଟାକୁ ମୁଁ ଗୋଟେ ଫ୍ରେଞ୍ଚ୍‌ବହିରେ ନାୟକ ପାଖରେ ହିଁ ଦେଖିଥିଲି, ଆଉ ତା’ପରେ ମୁଁ ତମେ ତ ହେଉଚ ସେକେଣ୍ଡ, ଯାହାକୁ ମୁଁ ଆଖିରେ ଦେଖୁଚି । ୟା’ ପାଇଁ କିଛି ଔଷଧ ନାଇଁ । ବରଂ ଯାଅ ଫୁର୍ତ୍ତିକର । ତମର ତ ଏବେ ଟିନ୍‌ ଏଜ୍‌ । ତମର ଫୁର୍ତ୍ତି ଦରକାର । ଯାଅ ଫିଲ୍ମ ଦେଖ । ଗପବହି ପଢ଼, ଦଶ ପଚାଶ ପିଲାଙ୍କ ସଙ୍ଗେ ମିଶ, ଝିଅମାନଙ୍କ ସଙ୍ଗେ କଥା କହିବାକୁ ଚେଷ୍ଟାକର । ତା’ପରେ ଦେଖିବ, ତମେ ଅଳ୍ପଦିନରେ ଠିକ୍‌ ହେଇଯିବ । ତମର କିଛି ବି ରୋଗ ନ ଥିବ ।

 

ରାତି ନଅଟା / ସାଢ଼େ ନଅଟା ହେଇଥିବ, ଚନ୍ଦନ ଫେରିଆସିଲା ହଷ୍ଟେଲକୁ ଫେରିବାବେଳେ ଲେଡ଼ିଜ ହଷ୍ଟେଲ ପାଖରେ ସୀମା’ନି କଥା ମନେ ପଡ଼ିଗଲା । ସୀମା’ନି ତାକୁ ମନା କରିଥିଲା, ରାତିରେ ଲେଡିଜ ହଷ୍ଟେଲ ସାମନା ଦେଇ ଯିବାପାଇଁ । ହଠାତ୍‌ ତା’ ପାଦ ଅଟକିଗଲା ସେଇଠି । ତା’ ପରେ ପାଚେରୀ କାନ୍ଥର କଡ଼େ କଡ଼େ ସେ ଲେଡ଼ିଜ ହଷ୍ଟେଲ ପାସ୍‌ କରି ଚାଲିଗଲା ।

 

ଆଗ୍ରହ ନ ଥିଲେ ବି ଡାଇନିଂ ହଲ୍‌ରେ ଖାଇନେଇ, ରୁମ୍‌କୁ ଫେରିଲା ଚନ୍ଦନ । ତା’ ରୁମ୍‌ମେଟ୍‌ ଏ ଯାଏ ବି ଫେରିନି । ହୁଏତ କୋଉଠି ଗଞ୍ଜେଇ ଟାଣି ଢୋଳାଉଥିବ । ଚନ୍ଦନ କବାଟଟାକୁ ବୋଲ୍‌ଟ କରିଦେଲା ଭିତରୁ । ବିଛଣାରେ ପଟାପରି ପଡ଼ିଗଲା । ତା’ ରୋଗର ନାଆଁ ଡିପ୍ରେସନ୍‌ । ତା’ ରୋଗ ପାଇଁ ଔଷଧ ନାଇଁ । ସତରେ ଗୋଟେ ୟୁନିକ୍‌ ରୋଗ ! ହସ ଲାଗିଲା ତାକୁ-ସତରେ ଅଦ୍ଭୁତ ରୋଗ ।

 

ଅନ୍ଧାରର ବହଳିଆ ଭାଷା ତା’କୁ ଉଠେଇଦେଲା ଲାଇଟ୍‌ ଜଳେଇବା ପାଇଁ । ସେ ଫୁର୍ତ୍ତି ହେବ; ହେବା ଦରକାର-ଚନ୍ଦନ ଭାବିଲା, ଏଇ ଦେଖୁଚ ତା’ ଦେହରେ କେତେ ବଡ଼ ରୋଗଟେ, ଅଥଚ ତା’ ରୁମ୍‌ମେଟ୍‌ କି ଆଜାଦରେ ବଞ୍ଚୁଛି ! କ’ଣ ପାଇଁ ତା’ ରୁମ୍‌-ମେଟ୍‌ ଏତେ ସୁଖ ଅଛି, ଆଉ ତା’ର ନାଇଁ ? ତା ରୁମ୍‌-ମେଟ୍‌ ଜୀଅନ୍ତା ଲାଗେ, ସେ କାହିଁକି ଲାଗୁନି ?

 

ହଠାତ୍ ରୁମ୍ ମେଟ୍‌ ସମ୍ପର୍କରେ କୌତୁହଳ ବଢ଼ିଗଲା ତା’ର । ଇଚ୍ଛା ହେଲା ତା ଟ୍ରଙ୍କ-ବାକ୍‌ସ ଖୋଜନ୍ତା । ଆବିଷ୍କାର କରନ୍ତି ଗୋଟେ ଝିଅର ଫଟ, ଚିଠି ଆଉ ରୁମାଲ୍‌ । ସେ ଉଠି ଠିଆହୋଇ ପଡ଼ିଲା । ତା’ ପରେ ତା’ ରୁମ୍‌-ମେଟ୍‌ର ବେଡ଼ ତଳ ଟେକି ଦେଖିଲା । ତଳୁ ବାହାରିଲା ଗୋଟେ କଳା ପ୍ଲାଷ୍ଟିକ କଭର ଥିବା ଡାଏରୀ । ମନ ଭିତରେ ଧାଇଁ ବୁଲିଲା କୌତୁହଳ । ଡାଏରୀଟା ଖୋଲି ପଢ଼ିବାକୁ ବସିଗଲା ଚନ୍ଦନ...

 

‘‘ଜୀବନର ଅର୍ଥ କ’ଣ ଏମିତି ବଞ୍ଚିବା ? ଖାଅ, ପିଅ, ବଞ୍ଚିଥାଅ, କଲେଜ ଯାଅ ଘଡ଼ି ଅନୁସାରେ, ଦେହ ଘଷା ପ୍ରେମକର-କିଛି କିଛି ସମୟ ବି ଦେଉଥାଅ କଫି ପିଆଲାରେ-ବଞ୍ଚିରୁହ, ଯେଉଁଭଳି ବଞ୍ଚି ରହେ ଗୋଟିଏ ପିମ୍ପୁଡ଼ି । ଜୀବନର ଆଉ କିଛି ଲକ୍ଷ୍ୟ ନାଇଁ ?

 

ଦିନେ ତମେ ଚଢ଼ିଯିବ ତମରି କାନ୍ଥରେ । ଆଗରେ ଝୁଲିବ ଏକ କାଚର ପରଦା । ଚାରିଆଡ଼େ ବନ୍ଧା ହେବ କାଠର ଫ୍ରେମ୍‍ରେ । ଧୀରେ ଧୀରେ ଭୁଲିଯିବ ତୁମକୁ ଦୁନିଆ । କାଚରେ ଜମିବ କେତେ ରାଜ୍ୟର ମଇଳା । ତମ ଦେହ ହଳଦିଆ ହେବ, ଯେଉଁଭଳି ପାଣିଚିଆ ହୋଇଯାଏ ସ୍ମୃତି ସବୁ, ସମୟ ସ୍ରୋତରେ । ଦିନେ ତମେ ଭାଙ୍ଗିରୁଜି କେଉଁଠି ହଜିବ । କିଏ ସେ ପ୍ରମାଣ ଦେବ ତମେ ବଞ୍ଚିଥିଲ ବୋଲି ଏଇ ଦୁନିଆରେ ?

 

କ’ଣ ପାଇଚ ତମେ ? ଅତୃପ୍ତିର ଫାଇଲରେ ଭର୍ତ୍ତି ତମ ଜୀବନର କଥା । ନାହିଁ, ନାହିଁ, କିଛି ନାହିଁ । ବିରାଟ ଜୀବନ । ହଜିଗଲ କେଉଁଭଳି ‘ନାହିଁ’ ର ସମୁଦ୍ରରେ । ହଜିଗଲ, ଯେଉଁଭଳି ହଜିଯାଏ ପଇସା ଗୋଟିଏ ଘାସର ଜଙ୍ଗଲରେ, ହଜିଗଲ ତମ ନିଜଠାରେ । (ତା ୮।୧।୭୮ : ରାତି ୩ଟା ୧୫ ମିନିଟ), ଚନ୍ଦନଗୁଡ଼ାଏ ପୃଷ୍ଠା ଲେଉଟେଇ ଦେଇଗଲା, ପୁଣି ପଢ଼ିଲା...

 

‘‘ପ୍ରେମ ଏକ କ୍ଳାନ୍ତ ଗୀତି- ବିଷାଦ ସଙ୍ଗୀତ । ପ୍ରେମ ଏକ ଅର୍ଥହୀନ ସଂଳାପର ଗାର । ପ୍ରେମ ନୁହେଁ ସବୁକିଛି ଏଇ ମୁହୂର୍ତ୍ତରେ । ଭୁଲିବାକୁ ଦିଅ ଏବେ ବ୍ୟଥା ନାଇଁ ଦେହଟା ଭିତରେ ।

 

ପ୍ରେମର ଉଦ୍ଦେଶ୍ୟ ଅଛି । ଉଠିଯାଅ ଦେହ ପାହାଚରେ, କ୍ଳାନ୍ତହେଇ ଓହ୍ଲେଇବା ପାଇଁ, ଛାତିରେ ଜୁଆର ତୋଳି ବସିରହ ଶବ୍ଦର ଜାଲରେ । ପାହାଚରୁ ଖସିଗଲେ ସବୁ କିଛି ମୂଲ୍ୟହୀନ, ଚିରା ଲଫାପାର ଖୋଳ, ଅର୍ଥହୀନ କଟାକ୍ଷ ଓ ହସ ଏବଂ ପ୍ରେମିକାର ସ୍ତନ ଓ ହୃଦୟ ।

 

ପ୍ରେମ ଏକ ଖେଳ, ଉଠ ଓ ଓହ୍ଲାଅ । କେତେ ବା ଖେଳିବ, କୁହ ? କ୍ଳାନ୍ତ ସିଏ, ବନ୍ଦକର ପ୍ରେମର ସଙ୍ଗୀତ । ତେବେ ଏତେ ବ୍ୟର୍ଥ କିଆଁ ମନେହୁଏ ତାହା ଜୀବନ ? କିଆଁ ? (ତା ୨୧ । ୪ । ୭୮: ଦିନ ୧ଟା ୫)’’

 

‘‘ନିଶାଟା ଧରିଯାଏ ପାଦ ତଳିପାରୁ କେଶ ମୂଳଯାଏ...

 

ଚନ୍ଦନ ଚମକି ପଡ଼ିଲା, କବାଟର ଧଡ଼୍‌ ଧଡ୍‌ ଶବ୍ଦରେ । ଡ଼ାଏରୀ ବେଡ଼ ତଳେ ରଖିଦେଇ କବାଟ ଖୋଲିଲା । ତା’ ରୁମ୍‌ମେଟ୍‌ ପ୍ରକାଶ, କେମିତି କ୍ଲାନ୍ତ ଦିଶୁଥିଲା । ସେ ଚନ୍ଦନକୁ କିଛି କହିଲାନି । ଚୁପ୍‌ଚାପ୍‌ ଗୋଟେ ପରେ ଗୋଟେ ଡ୍ରେସ ଖୋଲି ଫିଙ୍ଗିଦେଲା ଓ ଟିକେ ବି ସଙ୍କୋଚ ନ କରି ବେୟାର ବଡ଼ିରେ ବିଛଣାରେ ଗଡ଼ି ପଡ଼ିଲା । ଚନ୍ଦନର ଖୁବ୍‌ଇଚ୍ଛା ଥିଲା ପ୍ରକାଶ ସଙ୍ଗରେ ଗପିଥାନ୍ତା । ତା ରୋଗ ସମ୍ପର୍କରେ କହିଥାନ୍ତା, ହେଲେ କହିପାରିଲାନି । ଲାଇଟ୍‌ ଅଫ୍‌ କରି ଦେଇ ଝରକା ପାଖରେ ବସିଲା .ଏବଂ ବସି ବସି ଚେୟାର ବାଡ଼ରେ ମୁଣ୍ଡ ଥୋଇ ଶୋଇ ପଡ଼ିଲା ।

 

ଅନେକ ଦିନ ପରେ ହେଇଥିବା ଗୋଟେ ନିଶ୍ଚିନ୍ତ ନିଦରୁ ସକାଳେ ତାକୁ ଯିଏ ପ୍ରଥମେ ଉଠେଇ ଥିଲା, ସେ ହେଉଛି ଖରା । ସକାଳୁ ଉଠି ଦେଖିଲା, ଗୋଟେ ଝିଟିପିଟି ପରି ସେ ଗୋଡ଼ ହାତ ମେଲେଇ ପଡ଼ଚି ଚେୟାରରେ, ତା ଚାରିପଟେ ପିମ୍ପୁଡି ପରି ଘେରି ରହିଛି ଖରା । ଅଳସ ଭାଙ୍ଗି ଉଠି ପଡ଼ିଲା ଚନ୍ଦନ ଓ ପ୍ରକାଶ ଦେହରେ ଗୋଟେ ଚଦର ଘୋଡ଼ାଇ ଦେଲା ।

 

ଚନ୍ଦନ ସିଧା ଭାବରେ ଛିଡ଼ା ହେବାବେଳେ ତା’କୁ ଭୀଷଣ କଷ୍ଟ ହେଲା । ଦେହରେ ହାତରେ ଅନେକ ଜାଗାରେ ଦରଜ ହେଇ ଯାଇଥିଲା ତା’ର । ଚାହିଁ ଦେଖିଲା ଅଧିକାଂଶ ସମୟ ଫୁର୍ତ୍ତିରେ କାଟୁଥିବା ପ୍ରକାଶକୁ । କେତେ ଓଜନ ତା ମୁହଁରେ । ତା ଡାଏରୀ କହେ ସତେ ଯେମିତି ସେ ଫୁର୍ତ୍ତି କରି କରି କ୍ଳାନ୍ତ- ଆଉ ନାଇଁ, ଦରକାର ନାଇଁ । ତା’ର ଇଚ୍ଛା ହେଲା ଆଜି ଯାଇ ସେ ମେଡିକାଲ କଲେଜର ପିଲାଟାକୁ ପ୍ରକାଶର ରୋଗ ସଂପର୍କରେ ପଚାରିବ ସେ ରୋଗର ନାଁ କ’ଣ, ଅତ୍ୟଧିକ ଖୁସି, ପ୍ରଚୁର ଫୁର୍ତ୍ତିରେ ଯଦି କ୍ଳାନ୍ତି ଆସିଯାଏ ? ପ୍ରାଚୁର୍ଯ୍ୟ ଭିତରେ ଯଦି ବୋର୍‌ଡ଼ମ୍‌ ଆସିଯିବ, ସେ ରୋଗର ନାଆଁ କ’ଣ ହେବ ? କ’ଣ ହୋଇପାରେ, କ’ଣ ହୋଇପାରେ ପ୍ରକାଶକୁ ହେଇଥିବା ରୋଗର ନାଆଁ ? ଦର୍ପଣରେ ମୁହଁ ଦେଖିଲା ଚନ୍ଦନ । ତା ରୋଗର ନା ଡିପ୍ରେସନ । ତା’ର ଫୁର୍ତ୍ତି କରିବା ଦରକାର । ସକାଳକୁ ଅଳସ ହାତରେ ଦେଇ ଚନ୍ଦନ ସବୁଦିନିଆ କାମସାରି କଲେଜ ବାହାରିଗଲା ।

 

କଲେଜରୁ ଫେରି ସିଧାଗଲା ସୀମା’ନି ପାଖକୁ । ଚନ୍ଦନକୁ ଆଶ୍ଚର୍ଯ୍ୟ ଖୁସିରେ ବୁଡ଼େଇ ସୀମା’ନି ପାହାଚରୁ, ଓହ୍ଲେଇ ଆସିଲେ । ଚନ୍ଦନ ପଚାରିଲା, କେବେ ଆସିଲ ତମେ, ଆଜି ନାଁ । ? ସୀମା’ନି କହିଲା : ନାଁ ତ ଦୁଇଦିନ ହେଲା ଆସିଲିଣି, ହେଲେ ତୋ’ର ଦେଖା ନ ଥିଲା ଯେ ?

 

: ଦୁଇଦିନ ହେଲା, ଅଥଚ ଦେଖ, ମୁଁ ଗୋଟେ ଅଦ୍ଭୁତ ରୋଗରେ, ସଢ଼ିଲେ ବି ତମକୁ ଅନ୍ତତଃ ଥରେ କହିବାକୁ ଆସିପାରିନି ।

 

: ଅଦ୍ଭୁତ ରୋଗ ?

 

: ହଁ, ମୋ’ ରୋଗର ନାଆଁ ଡିପ୍ରେସନ୍‌ । ଜାଣ, ରୋଗଟା ପ୍ରଭାବରେ, ବିଛଣାରେ ମୁଁ ମୁତି ପକେଇଚି ।

 

ସୀମା’ନି ହସି ହସି ବେଦମ୍‌ ହେଇଗଲା । ହଠାତ୍‌ ଏ ରୋଗ ତୋର କାହିଁକି କିରେ? ଲୁଚି ଲୁଚି ପ୍ରେମ କରୁ କରୁ ଖସିପଡ଼ିଲୁ କି ? ଧରାପଡ଼ିଯିବାର ଭୟ ତୋତେ ଖାଇ ଯାଉଚି କି ? ହଠାତ୍‌ ଡିପ୍ରେସନ୍‌ କାହିଁକି ?

 

ଚନ୍ଦନ ଦେଖୁଥିଲା, ହସି ହସି ବେଲୁନ ପରି ଝୁଲୁଥିବା ସୀମାନିକୁ ।

 

: ସୀମାନି, ହଁ, ମୁଁ ପ୍ରେମ କରେ । ତମକୁ, ତମକୁ ।

 

ସୀମାନି ଗମ୍ଭୀର ହେଇପଡ଼ିଲେ । କିଛି କହିଲେନି । ଚନ୍ଦନ କହିଲା; ସୀମା’ନି, ପ୍ରେମ ଶବ୍‌ଦଟା କ’ଣ ମୁଁ ଜାଣେନା; ମତେ କିନ୍ତୁ ତମେ ଖୁବ୍‌ ଭଲ ଲାଗ । ତମକୁ ନେଇ ଅନେକ କଥା ଭାବିବାକୁ ଭଲ ଲାଗେ ମତେ ।

 

ସୀମାନିଙ୍କ ଆଖି ଛଳ ଛଳ ହେଇଗଲା । ସେ କିଛି କହିପାରିଲେ ନି । ଚନ୍ଦନ କହିଲା: ‘ଜାଣିଚ ସୀମାନି, ମୋ ରୋଗର ଗୁଡ଼ାଏ ଚମତ୍‌କାର ଲକ୍ଷଣ ଅଛି । ଦୁଃଖ ଲାଗୁଛି, ମୋ’ ରୋଗ ପାଇଁ ଦୋକାନରେ ଔଷଧ ନାହିଁ । କେବଳ ଫୁର୍ତ୍ତି, ଫୁର୍ତ୍ତି ଦରକାର । ମୋର ତ ବିଶ୍ଵାସ ହଉନି ମୋ’ ରୋଗଟା ଭଲ ହୋଇଯିବ ବୋଲି ।

 

ସୀମାନି ଚନ୍ଦନକୁ ହଲେଇ ଦେଲେ : ‘‘ତୁ ପାଗଳ ହୋଇଯାଇନୁ ତ ? ନା, ନା, ସତରେ ତତେ କିଛି ଗୋଟେ ରୋଗ ହେଇଛି । ଡାକ୍ତର ପାଖକୁ ଯାଇଥିଲୁ ? କ’ଣ ହେଇଛି ତୋର କହିଲୁ-?’’

 

: ‘‘ସୀମା’ନି, ମୋର ଫୁର୍ତ୍ତି କରିବା ଦରକାର । ତମେ ଚାହିଁଲେ ମୋ’ ରୋଗ ଭଲ କରିଦେଇ ପାରିବ, ପାରିବ ସୀମା’ନି ? ଚାଲନା ମୋ’ ସଙ୍ଗରେ । କୋଉଠି ଗୋଟେ ଘୂରି ଆସିବା-।’’

 

ସୀମା’ନି କହିଲା : ଚନ୍ଦନ, ତୋ ଦେହ ଭଲନାଇଁ; ଯା’ ଶୋଇବୁ ଯା’ । ଘୂରା ଘୂରି କରନା । ଯା’ ଚନ୍ଦନ, ଯା କହୁଛି ।

 

ଚନ୍ଦନ ଗମ୍ଭୀର ହୋଇଗଲା : ‘‘କେମିତି ବୁଝେଇବି ତମକୁ କେମିତି, କୁହ ? ମୁଁ ଯେ ଶୋଇ ପାରୁନି, ବସିପାରୁନି । ତମେ କେମିତି ବୁଝିବ ରାସ୍ତାର ଅସଂଖ୍ୟ ଧୂଳି ଭିତରୁ ମୁଁ ଗୋଟେ ଧୂଳି, ଯା’ର ସେନ୍‌ସେସନ୍‌ ନାଇଁ, ଫିଲିଙ୍ଗସ୍‌ ନାଇଁ । କେବଳ ଗୋଟିଏ କଥା ମୁଁ ଜାଣୁଚି, ମୋ ଭିତରେ ନିଷ୍କ୍ରିୟତା ଦେହ ବସ୍ତାରି ପଡ଼ିବି ଏବଂ ଜାଣୁଚି ଫୁର୍ତ୍ତି ହିଁ ତଡ଼ିଦେଇ ପାରିବ ଏ ନିଷ୍କ୍ରିୟତା । ତମେ କ’ଣ ଏତେ ଅସମର୍ଥ ସୀମା’ନି, ମତେ ଟିକେ ବଞ୍ଚେଇବାରେ ସାହାଯ୍ୟ କରିବାକୁ ?’’ ଚନ୍ଦନର ପତ୍ର ଝରା କଣ୍ଠ ସୀମା’ନିକୁ ବ୍ୟସ୍ତ କରି ପକେଇଲା । ସେ କହିଲେ, ‘‘ଚନ୍ଦନ ଯା, ଶୋଇପଡ଼ିବୁ । ତୋ ମନ ଭଲ ନାଇଁ ।’’

ଚନ୍ଦନ ଗମ୍ଭୀର ହେଇ କହିଲା : ନା, ମୁଁ ଯିବନି । ତମକୁ ମୋ ସଙ୍ଗରେ ଯିବାକୁ ହିଁ ହବ-

କୋଉଠିକୁ ଯିବୁ ?

ଚନ୍ଦନ କିଛି କହିଲାନି, ସୀମା’ନିର ହାତଟା ଧରିନେଇ ଚାଲିଲା ।

ସୀମାନି ଚନ୍ଦନ ଉପରେ ବିରକ୍ତ ହେଇ ପଡ଼ିଲେ : ଚନ୍ଦନ ହାତ ଛାଡ଼, ଏଇଟା କଲେଜ କ୍ୟାମ୍ପସ୍‌ । ଲୋକେ ଦେଖିବେ । ଚନ୍ଦନ ରାଗକଲା : ‘‘ଲୋକେ କିଏ ? ସମାଜ ତ ? ସମାଜଟା ଗୋଟେ ଲୋକ ହୋଇଥିଲେ ଆଗ ମୁଁ ତାକୁ ମର୍ଡ଼ର କରନ୍ତି ।’’ କଲେଜ ଛକରେ ଗାଟେ ରିକ୍‌ସାରେ ଉଠିଲେ ସେମାନେ ।

କୁଆଡ଼େ ଯିବା ? ପଚାରିଲେ ସୀମା’ନି ।

ଚନ୍ଦନ ଗୋଟେ ଓଜନିଆ ସ୍ଵରରେ କହିଲା : ଡରୁଚ କାହିଁକି ? ଷ୍ଟାଡ଼ିୟମ ପଟେ ରାଉଣ୍ଡ ଦେଇ ଆସିବା ।

ବୁଲିବା ଭିତରେ ଚନ୍ଦନ ସୀମା’ନିର ହାତଟା ନେଇ ଖେଳୁଥିଲା । ଫେରିବା ବେଳକୁ ଅନ୍ଧାର ଅଳ୍ପ ଅଳ୍ପ ଆସି ସାରିଥିଲା ।

 

ଚନ୍ଦନ ପଚାରିଲା : ସୀମା’ନି ପିକ୍‌ଚର ଯିବା ?

 

‘‘ନା, ରାତି ହେଇ ଗଲାଣି ।’’

 

‘‘ରାତି ହଉ, କ’ଣ ହେଇଗଲା ସେଇଠୁ ?’’

 

‘‘ସେ ଯା’ ହେଉ, ମୁଁ ଯିବିନି ।’’ ସୀମା’ନି ବିରକ୍ତ ହେଇ ପଡ଼ିଲେ ।

 

‘‘ତମେ ଯିବ, ଯିବାକୁ ବାଧ୍ୟ ।

 

ସୀମାନି ଏଥର ରାଗିଗଲେ: ‘‘ତୁ କାହାକୁ ଧମକ ଦଉଛୁ ଚନ୍ଦନ ? ତୁ କ’ଣ ଭୁଲିଯାଉଛୁ, ମୁଁ ତୋଠୁ ବୟସରେ ବଡ଼, ତୋର ବଡ଼ ଭଉଣୀ ପରି’’ ।

 

ଚନ୍ଦନ ମୁହଁ ଲାଲ୍‌ ହେଇଗଲା । କାନ୍ଦ କାନ୍ଦ ହେଇଗଲା ସେ : ସୀମା’ନି ମତେ ତମକୁ ଭଲଲାଗେ । ସତ କହୁଛି, ଭଲଲାଗେ । ମତେ ଶୁଣିବାକୁ କିଏ ଅଛି ? ମତେ ବୁଝିବାକୁ କିଏ ଅଛି-?

 

ସୀମା’ନି ତା’ ମୁହଁକୁ ସିଧା ଚାହିଁପାରୁ ନ ଥିଲା । ଦେହ ଝାଳେଇ ଯାଉଥିଲା ତାର । ମନେ ପଡ଼ିଗଲା ଚନ୍ଦନ ତା’ ସଙ୍ଗେ ଗପିବାକୁ ପ୍ରଥମ ପ୍ରଥମ ଆସିବାବେଳେ ସାଙ୍ଗମାନଙ୍କୁ ଅନେକ କୈଫିୟତ୍‌ ଦେବାକୁ ହେଉଥିଲା ତାକୁ । ଚନ୍ଦନ ଯଥେଷ୍ଟ ଉଚ୍ଚ, ଭଲ ସ୍ଵାସ୍ଥ୍ୟ, ଗମ୍ଭୀର ଚେହେରା । ବୋଧହୁଏ ସେଇଥିପାଇଁ ପ୍ରଥମଦିନ ତାକୁ କେହି ବୟସରେ ସୀମା’ନିଠୁଁ ସାନ ବୋଲି ଭାବିପାରୁ ନ ଥିଲେ । କିନ୍ତୁ ସୀମା’ନି ଚନ୍ଦନକୁ କୈଫିୟତ୍‌ ଦେବ ଭାବିପାରୁ ନ ଥିଲା ।

 

ଚନ୍ଦନ ଦିନେ ନ ଆସିଲେ ତାକୁ ଭଲ ଲାଗେନି, ହଁ ହଁ, ଭଲଲାଗେନି । ୟା ଅର୍ଥ କ’ଣ ସେ ଚନ୍ଦନକୁ ଭଲ ପାଏ ?

 

ସବୁଦିନ ଚନ୍ଦନର ରାସ୍ତାକୁ ଝରକା ବାଟେ ଚାହିଁ ରହିଥାଏ । ୟା’ର ଅର୍ଥ କ’ଣ ସେ ଚନ୍ଦନକୁ ଭଲ ପାଏ ? କେଜାଣି ! ନାଁ, ନାଁ, ମିଛକଥା ।

 

ଫେରିବାବେଳେ ଚନ୍ଦନ ରିକ୍‌ସାକୁ ଗୋଟିଏ ସୌଖିନ ହୋଟେଲ ପାଖରେ ରଖିବାକୁ କହିଲା । ସୀମା’ନି ପଚାରିଲା : ଏଠି କ’ଣ କରିବୁ ?

 

: ଗପ କରିବା ।

 

: ଏଇ ହୋଟେଲରେ ?

 

: ହଁ ସୀମାନି, ହଁ ଏଇଠି । ସାଧାରଣ ହୋଟେଲଗୁଡ଼ାକରେ ନା ଅସମ୍ଭବ ଲୋକ ଭିଡ଼ । ଅସ୍ଵସ୍ତି ଲାଗିବ ।

 

ସେମାନେ ସେଇ ହୋଟେଲର ଗୋଟିଏ କ୍ୟାବିନରେ ଉଠିଲେ । ‘ମେନୁ’ ଦେଖି ନେଇ, ଚନ୍ଦନ ଗମ୍ଭୀର ହୋଇ ବସି ପଡ଼ିଲା । ତା’ର ସେଇ ଓଜନିଆ ମୁହଁକୁ ଚାହିଁଲା ସୀମାନି । ତା’ର ମନେହେଲ ସେ ଯେମିତି ଚନ୍ଦନଠୁ ବୟସରେ ଅନେକ ସାନ ହେଇଯାଇଛି ଓ ଚନ୍ଦନର ବିରାଟ କର୍ତ୍ତୃତ୍ୱ ଭିତରେ ସେ ବନ୍ଦୀ ସୀମାନି ଚନ୍ଦନର ମୁହଁକୁ ସିଧା ଚାହିଁପାରୁ ନ ଥିଲା । ପାଦ ତା’ର ଥରୁଥିଲା । କାନମୂଳ ତାତି ଯାଉଥିଲା । ସେ ଝାଳେଇ ଯାଇଥିଲା ।

 

‘‘ତମ ଛଡ଼ା କିଏ ମତେ ବୁଝିବ ? କିଏ, କିଏ ତେବେ ମତେ ଭଲ ପାଇବ ? ଦୁଃଖ ଲାଗେ ସୀମା’ନି, ମୋ ପାଇଁ କିଛି ସମୟ ଦେବାକୁ ଆଜିଯାଏ କେହି ବି ଚାହିଁନି । ମୁଁ ତ ଗୋଟେ ମଣିଷ । ମୋର ତ ଗୋଟେ ସେଣ୍ଟି ମେଣ୍ଟ ଅଛି । କ’ଣ କେବଳ ଖାଇବା ପିଇବା କଲେଜ ଯିବା ? ସବୁ କିଛି ? ସୀମା’ନି ମୁଁ ତୁମକୁ ଭଲପାଏ– ହେଲେ, ତମ ମୋ’ ଭିତରେ କିଛି ସମ୍ବନ୍ଧ ଯୋଡ଼ି ପାରେନି ।’’

 

ଚନ୍ଦନ ସୀମା’ନିର ହାତଟାକୁ ଉଠେଇ ନେଇ ନିଜ ମୁହଁରେ ଲଗେଇଲା । ଗୋଟେ କରେଣ୍ଟ୍‌ ଖେଳିଗଲା ସୀମାନି ଦେହରେ ।

 

ଚନ୍ଦନ କହିଲା : ସୀମାନି ତମେ ଭୀଷଣ ନର୍ଭସ ଝିଅ ନାଁ ?

 

ସୀମା’ନି ମୁଣ୍ଡ ହଲେଇ ‘ହଁ’ କଲା ।

 

ଚନ୍ଦନ ଘୁଞ୍ଚିଗଲା ସୀମା’ନି ପାଖରୁ : ତମେ ମତେ ଟିକିଏ କୋଳରେ ମୁଣ୍ଡ ରଖିବାକୁ ଦେବ ସୀମା’ନି ?

 

ସୀମା’ନି ଯେମିତି ଡରିଗଲା : ନାଁ, ଏଇଠି ନୁହେଁ ।

 

ଚନନ୍ଦ କହିଲା : ଏ, ସୀମା’ନି ! ୟା ଛଡ଼ା ଆଉ କୋଉଠି ବି ଏମିତି ସ୍ଥାନ ନାହିଁ ଯୋଉଠି କି ମୁଁ ତମକୁ ଏକାନ୍ତରେ ପାଇବି ।

 

ସୀମା’ନି କିଛି କହି ପାରିଲାନି । ସେ ଯେମିତି ଦୁର୍ବଳ ହୋଇ ପଡ଼ୁଥିଲା, ସେମିତି ମନେ ହେଉଥିଲା ତାକୁ । ମୁହଁ ଉପରେ ହାତ ଘୋଡ଼େଇ ବସିଲା ସେ । ଚନ୍ଦନ ଆଉଜି ପଡ଼ିଲା ସୀମାନି ଉପରେ । ସୀମା’ନିର ଛାତି ଉପରେ ମୁହଁଟା ତା’ର ଘଷି ହୋଇଗଲା ।

 

ହଠାତ୍‌ ଚନ୍ଦନ ଦେହରେ ଗୋଟେ କରେଣ୍ଟ ଖେଳିଗଲା, ପ୍ରତି ସନ୍ଧ୍ୟାର କରେଣ୍ଟ୍‌ । ଚମକି ପଡ଼ି ଅଲଗା ହେଇ ବସି ପଡ଼ିଲା ସେ । ଜୋର୍‌ କରି ସୀମା’ନିକୁ ହଲେଇ ଦେଇ ମୁହଁ ଉପରୁ ହାତ ଖସେଇ ଦେଲା ଚନ୍ଦନ ।

 

ସୀମା’ନି ତାକୁ ବଡ଼ ବଡ଼ ଆଖିକରି ଚାହିଁଲା : କ’ଣ ହେଲା ?

 

‘‘ସୀମା’ନି ତମ ଦେହରେ ଗୋଟେ ଚିହ୍ନା ଚିହ୍ନା ଗନ୍ଧ ।’’

 

‘‘କ’ଣ କହୁଚୁ ତୁ ?’’

 

‘‘ହଁ ସୀମା’ନି, ତମ ଦେହରେ ନା ଗୋଟେ ଚିହ୍ନା ଚିହ୍ନା ଗନ୍ଧ । ତମ ଦେହରେ ନା, ମୁଁ ମୋ’ର ପାଞ୍ଚବର୍ଷ ବୟସରୁ ହଜେଇ ଦେଇଥିବା ମମି-କୋଳର ଗନ୍ଧ । ଏ ସୀମା’ନି ! ତମ ଦେହ ପରି କ’ଣ ସବୁ ଝିଅଙ୍କ ଦେହରେ ଗୋଟେ ଗନ୍ଧ ଅଛି ? ଏ ଦେହର ଗନ୍ଧ ବୋହିଥିବା ସବୁ ଝିଅମାନେ ମୋ ମମି ?’’

 

ଚନ୍ଦନ ହଲେଇ ପକେଇଲା ସୀମାନିକୁ : ‘‘ମମି, ମମି, ମମି, ଏ ମୋ ମମି !’’

 

ସୀମା’ନି ଆବାକ୍‌ ହେଇ ଚାହିଁ ରହିଲା, ଯେମିତି ଚାହିଁଥିଲେ ଟେବୁଲ୍‌ ଉପରର ଖାଦ୍ୟଗୁଡ଼ା ସୀମା’ନି ଆଡ଼କୁ ।

 

ହେଲେ, ଗୋଟେ ସୁଖ-ସନ୍ଧାନୀ ଚନ୍ଦନ ହଲେଇ ଚାଲିଥିଲା ତା’ ମମିକୁ....

Image

 

Unknown

ଶୂନ୍ୟ ଇଲାକାର ଶୋକ

 

ଏଇଭଳି ଦିନେ ଦିନେ ବେଦବ୍ୟାସର ମୁଡ୍‌ଅଫ୍‌ ହୋଇଯାଏ । ବିନା କାରଣରେ ସେ ଚିଡ଼୍‌ ଚିଡ଼୍‌ ହୁଏ ମା’ ଉପରେ, ଭାଇ ଭଉଣୀଙ୍କ ଉପରେ । କ’ଣ ଯେ କେମିତି ହେଉଥିଲା ଜାଣିପାରେନା ସେ, ହେଲେ, ଏତିକି ଜାଣିପାରେ ସେ ଏଇଭଳି ରୋଗଟା ତାକୁ ଗ୍ରାସ କରି ଦେଉଥିଲା । ବଡ଼ କଷ୍ଟରେ, ବଡ଼ କଷ୍ଟରେ ଖସୁଥିଲା ଏ ଦିନଟା ହାତରୁ ତା’ର । ନିଦରୁ ଉଠିବା ପୂର୍ବରୁ ସରୁକିଛି ଠିକ୍‌ ଥାଏ । କିନ୍ତୁ ନିଦ ଭାଙ୍ଗିଗଲେ, ବିଛଣାରେ ପଡ଼ି ରହେ ସେ । ତା’ର ମନେହୁଏ କ’ଣ କିଛି ଗୋଟେ ଗୋଳମାଳ ହେଇଯାଉଛି ତା’ ଭିତରେ, କିମ୍ବା ମସ୍ତିଷ୍କରେ ଏବଂ ସେ ଶୁଣେ ପ୍ରପାତର ଶବ୍ଦ ଝରିଯାଏ ସ୍ନାୟୁରେ ଆଉ ତା’ ଛାତି ଉପରେ ଚଢ଼ି ଟହଲ ମାରେ ହାମ୍‌ଲେଟ-ବାଧ୍ୟ ହୋଇ ସେ ଲାଙ୍ଗୁଡ଼ା ପୋକ ପରି ପିଠିରେ ଭରାଦେଇ, ତକିଆ ଉପରୁ ମୁଣ୍ଡ ଉଠେଇ, ଅଳସ ଭାଙ୍ଗେ ଓ ଉଠିପଡ଼େ ।

 

ସେତିକିବେଳେ ତା’ ମୁଡ୍‌ଅଫ୍‌ ହେଇଯାଏ, ଯେତେବେଳେ ସେ ଏଫ.ସି.ଆଇ,ରୁ ସବିତା ଅପା ଘରକୁ ନ ଯାଇ ସିଧା ସେଇ ସହରରେ ଥିବା ତା’ ନିଜ ଘରେ ପହଞ୍ଚିଯାଏ । ଏତେଦିନ ପରେ ଘରକୁ ଆସି ଘର ଭିତରେ ଚଳପ୍ରଚଳ ହେଉଥିଲେ ବି ମା’ କିଛି କହନ୍ତି ନାଇଁ, ଚୁପ୍‌ଚାପ୍‌ ଖାଇବାକୁ ଆଣି ଦେଇଯାନ୍ତି । ଆଉ ସାନ ଭାଇ ଭଉଣୀଗୁଡ଼ା ଆଗପରି ତାକୁ ଭୟ କରନ୍ତି ନାହିଁ । ସେ ତାଙ୍କ ଉପରେ ଚିଡ଼୍‌ଚିଡ୍‌ ହେଇଉଠେ । ତା ଅଭାବ ଯେ ଏ ଘରେ ଅନ୍ୟମାନେ ଅନୁଭବ କରନ୍ତି ନାଇଁ । ଏବଂ ଶେଷରେ ସେ ଘରୁ ଖସି ବାହାରିଯିବା ପାଇଁ ଚାହେଁ । ହେଲେ, ସେତିକିବେଳେ ବାପା ପହଞ୍ଚିଯାଇ ୟାଡ଼ୁ ସ୍ୟାଡୁ କାମ ବରାଦ ଦେଇଯାନ୍ତି । ଗପନ୍ତି ବସି ମେସିନ୍‌ ଭଳି । ପ୍ରତି କଥାରେ ନିଜ ଜୀବନର ଉଦାହରଣ ଆଣି ଥୁଅନ୍ତି । କୁନା–ତା’ ସାନ ଭାଇ-କଥା ଗପିବାବେଳେ ଗର୍ବରେ ତାଙ୍କ ଛାତି ଫୁଲିଉଠେ । ବ୍ୟାସ ସହ୍ୟ କରିପାରେ ନାଇଁ । ତାକୁ ଭଲଲାଗେ ନାହିଁ ବାପାଙ୍କର ତା’ ଆଗରେ ବନ୍ଧୁପରି ଗପିବାର ଢଙ୍ଗଟା । ଇଚ୍ଛାହୁଏ ଖସିଯିବାକୁ । କିଛି କହିପାରେ ନାହିଁ ସେ । ମନ ଭିତରେ ଧାଇଁବୁଲେ ମେଘ, ପଲେ ବାଦୁଡ଼ି ଡେଣା ଝାଡି ଉଡ଼ିଗଲା ପରି । ତା’ ନିଃଶ୍ଵାସ ଚାରିପଟେ ସେ ଦେଖେ ନୀଳ ମାଛିର ଭିଡ଼ । ସେ ବୁଝେ ତା’ର ମୁଡ୍‌ଅଫ୍‌ ହେଇଯାଉଛି । ସେ ଅତିଷ୍ଠ ହୋଇ ଉଠୁଛି ।

 

ଠିକ୍‌ ସେତିକିବେଳେ ତା’ର ମୁଡ୍‌ ଅଫ୍ ହୁଏ, ଯେତେବେଳେ ରାସ୍ତାଘାଟରେ ସଲୀଳାକୁ ଦେଖି ସେ ହସିଦିଏ ଓ ତା ଆଡ଼କୁ ଆଗେଇଯାଏ, ଅଥଚ ସଲୀଳା ତାକୁ ଦେଖି ନ ଦେଖିଲା ପରି ଚାଲିଯାଏ ଆଗକୁ, ତା ସାଙ୍ଗମାନଙ୍କ ସଙ୍ଗରେ ଗପି ଗପି ।

 

ହଠାତ୍‌ ଗମ୍ଭୀର ହୋଇଯାଏ ବ୍ୟାସ । ତା ନିଜ ଚାରିପଟେ ଟିକିଏ ଆଖି ବୁଲେଇ କାହିଁକି କେଜାଣି ନିଜ ଉପରେ ତା’ର ଦୟା ହୁଏ । ନିଜକୁ ବଡ଼ ଅପଦାର୍ଥ ମନେହୁଏ । ସେତେବେଳେ ଖୁବ୍‌ ଇଚ୍ଛା ହୁଏ ନିଜକୁ ଥରେ ଚାହିଁନେବାକୁ, ନିଜ ସାଙ୍ଗରେ ଥରେ କହିବାକୁ, ନିଜକୁ ଥରେ ପଚାରି ବସିବାକୁ : ଏ ମଣିଷ ! ତମେ କ’ଣ ଚାହଁ ? ଏ ବ୍ୟାସ ! ତମେ କ’ଣ ଚାହଁ-?

 

ବ୍ୟାସ ଭଲଭାବରେ ଜାଣେ, ଏ ପ୍ରଶ୍ନର ଉତ୍ତର ନାହିଁ ତା’ ପାଖରେ । ମୁଣ୍ଡ ଭାରି ହୋଇଯାଏ ରାସ୍ତାରେ, ପ୍ରଚଣ୍ଡ ଶବ୍ଦ କରି ଟ୍ରେନ୍‌ ଚାଲିଯାଏ ତା’ ଦେହ ଉପରେ । ଷ୍ଟେସନ ନାଇଁ, ପ୍ଳାଟଫର୍ମ ନାଇଁ, ଟ୍ରେନ୍‌ ଚାଲିଯାଏ ।

 

ଅବଶ୍ୟ ବେଳେବେଳେ ସେ ଖୁସି ଥାଏ, ଯେତେବେଳେ ସେ ଯେ ଘର ଭିତରେ ଶୋଇ ରହିଛି, ଏକଥା ଅନ୍ୟମାନେ ଭୁଲିଯାନ୍ତି ଏବଂ ସେତିକି ସମୟ ସେ ବିଛଣାରେ ପଡ଼ି ରହି ସମୟର ପିଠି ଆଉଁଷୁଥାଏ, ସକାଳର ପାଖୁଡ଼ାରେ ଭ୍ରମଣ କରୁଥାଏ । ହେଲେ ସମୟଟା ବଞ୍ଚି ରହେନା ବେଶୀ ସମୟ-ଖୁଚୁରା ପଇସା ପରି ସରିଯାଏ । କେତେବେଳେ ସୁଖର ମୁହୂର୍ତ୍ତ ସବୁ ଶବ ହୁଏ ହାତରେ, କେତେବେଳେ ପୁଣି ଖସିଯାଏ ହାତରୁ ସ୍ଵର୍ଗଦ୍ଵାର ଆଡ଼େ-ସେକଥା ସେ ଜାଣିପାରେ ନାହିଁ । କିନ୍ତୁ ଏଇଭଳି ମୁହୂର୍ତ୍ତରେ ତାର ମୁଡ୍‌ଅଫ୍‌ ହୁଏ, ଯେତେବେଳେ ଶୋଇ ଶୋଇ କିଛି ଅଜବ ଚିନ୍ତା କରିବାକୁ ତା’ର ଇଚ୍ଛା ହେଉଥାଏ, ଅଥଚ ମା’ ଆସି ବିଛଣା ଛାଡ଼ିବା ପାଇଁ ଡାକ ଦିଅନ୍ତି, ରୁମ୍‌ଟାରେ ଏପଟ ସେପଟ ହୁଅନ୍ତି, କି ଝାଡୁଟାଏ ଧରି ଘର ଓଳେଇ ବସନ୍ତି ।

 

ଗୋଟେ ଭଙ୍ଗାରୁଜା ମଇଳା ଚକ୍‌ ପରି କିଛି ସମୟ ସେ ପଡ଼ି ରହୁଥିଲା ଆଗେ । ମା’ଙ୍କର ଡାକ, ଭାଇ-ଭଉଣୀଙ୍କ ପାଟିଗୋଳ, ପଡ଼ିଶା ଘର ରେଡ଼ିଓର ସଙ୍ଗୀତ ସବୁ ପରେ ବି ସେ ବିଛଣାରେ ପଡ଼ି ରହୁଥିଲା । ସେତେବେଳେ ତା’ ହାତରେ କିଛି କାମ ନ ଥିଲା ।

 

କିନ୍ତୁ ହଠାତ୍‌ ଦିନେ, ଗୋଟେ ପାନଦୋକାନର ଛାତତଳେ ଛିଡ଼ାହେଇ ସେ ଜୀବନର ସବୁକିଛି ନିଷ୍ପତ୍ତି ନେଇଗଲା । ପୁରୁଣା ସାଙ୍ଗର ପଇସାରେ ସିଗାରେଟ୍‌ ଖାଇ, ସେ ଠିକ୍‌ କରିନେଲା, ତା’ ସାଙ୍ଗଟି ସଙ୍ଗରେ ସେ ବି ଟ୍ରେନିଂ ନେବ ଏବଂ ନେଲା ମଧ୍ୟ । ଏଫ୍‌.ସି.ଆଇ. ସହ ସମ୍ପର୍କିତ ହେଇ ପଡ଼ିବା ପରଠାରୁ ତରବରରେ ସେ ଉଠି ପଡ଼ୁଥିଲା ବିଛଣାରୁ । କାମ ସାରିଦେଇ ଘର ଭିତରେ ଏପଟ ସେପଟ ହେଉଥିଲା । ହେଲେ ମା’ ତାଙ୍କ କାମ ନେଇ ଏତେ ବ୍ୟସ୍ତ ରହୁଥିଲେ ଯେ କିଛି ବି କହୁ ନ ଥିଲେ । କହୁ ବି ନଥିଲେ ଗଣ୍ଡେ ଖାଇକି ଯା ବୋଲି । ସେ ଯେମିତି କୋଉଠି ହଜି ଯାଉଥିଲା, ନିଖୋଜ ହୋଇ ଯାଉଥିଲା ଆହୁରି ସାତ ଭାଇଭଉଣୀଙ୍କ ଭିତରେ । ଶେଷରେ ସେ ନିଜେ ଉଠି ଯାଉଥିଲା ରୋଷେଇ ଘରକୁ ଓ ତା’ପରେ ସାଇକେଲ୍‌ ଧରି ବାହାରି ଯାଉଥିଲା । ଘରେ ସେ ଖୁବ୍‌ କମ୍‌ ସମୟ ରହୁଥିଲା । ଆଜିକାଲି ତ ସେ ଘରକୁ ଯାଏନା, ସବିତା ଅପା ଘରେ ରହିଯାଏ । ସବିତା ଅପା ଏ ସହରକୁ ବଦଳି ହେଇ ଆସିବା ଦିନଠୁ, ଘରକୁ ଯିବା ତା’ର କମିଯାଇଚି । ତାଙ୍କର ତ ଚିହ୍ନାଜଣା ଖୁବ୍‌ କମ୍ ଏ ସହରରେ । ବାହା ହେଇନାହାନ୍ତି । ଏକା ରହିବାକୁ ନିରାପଦ ଭାବନ୍ତିନି । ସେଇଥିପାଇଁ ତାକୁ ରହିଯିବାକୁ କୁହନ୍ତି ଅନେକ ସମୟରେ । ପ୍ରଥମେ ପ୍ରଥମେ ସେ ଦୁଇଦିନରେ ଘରକୁ ଯାଉଥିଲା । ହେଲେ, ଏବେ ପ୍ରାୟ ସେ ଜମା ଯାଏନା ଘରକୁ ।

 

ଏଇଠି ରହିବା ପରେ ତା’ର ଖୁବ୍‌କମ ମୁଡ୍‌ଅଫ୍ ହେଇଚି । ଯାହା ବି ହେଇଚି, ସେସବୁ ତା’ର ବ୍ୟକ୍ତିଗତ ପ୍ରେମ ସମ୍ପକୀୟ ଘଟଣା ନେଇ । ସବିତା ଅପାର ଆଦର ଭିତରେ, ଭାଇଭଉଣୀଙ୍କ ଗୋଳମାଳଠୁ ଦୂରରେ, ବେଶ୍‌ ଆରମ୍‌ରେ ଚାଲିଯାଏ ସମୟ, ହୃଦୟକୁ ଆଖିମାରି-

 

ସବୁଦିନ ସକାଳୁ ବେଡ-ଟି ମିଳିଯାଏ-ସବିତା ଅପାର ଚାକର ଆଣି ଦେଇଯାଏ ତାକୁ । ବେଡ଼୍‌ ଟି ଖାଇସାରି କିଛି ସମୟ ବିଛଣାରେ ପଡ଼ି ରହିବା ସବିତା ଅପାର ଗୋଟେ ଅଭ୍ୟାସ । ସକାଳର କାମ ସରିଲା ବେଳକୁ ସବିତା ଅପା ଉଠି ପଡ଼ିଥାନ୍ତି । କିଛି ଖାଇଦେଇ ଯିବାପାଇଁ ବାଧ୍ୟ କରନ୍ତି ତାକୁ । ଚାକର ଟୋକା ଖାଇବାକୁ ଅଣି ଦେଇଯାଏ . ସାଇକେଲ ଧରି ବାହାରିଯାଏ ବ୍ୟାସ-ଏଫ୍‌. ସି. ଆଇ.କୁ । ସବୁଦିନ ତାକୁ ବାର କିଲୋମିଟର ରାସ୍ତା ସାଇକ୍‌ଲିଂ କରିବାକୁ ହୁଏ । ଗଳି ରାସ୍ତାରୁ ମୁଖ୍ୟ ରାସ୍ତାକୁ ଆସିବା ବେଳେ ସେ ସାଇକେଲଟାକୁ ପବନ ଭଳି ଉଡ଼େଇ ଦିଏ; କିନ୍ତୁ ଯେତେବେଳେ ଖୁବ୍‌ ଗୁଡ଼ିଏ ବାଟ ଚାଲିଆସେ, ଥର୍ମାଲ୍‌ରେ ଚିମିନୀ ଧୂଆଁ ଯୋଉଠୁ ଦିଶୁଥାଏ, ସେଇଠୁ ହିଁ ତାକୁ ବଡ଼ କଷ୍ଟ ଲାଗେ ସାଇକେଲ ଠେଲିବାକୁ । ପାଡ଼େଲ ଉପରେ ପାଦଥୋଇ, ଅଣ୍ଟା ନୁଆଁଇ କଷ୍ଟ କରିବାକୁ ହୁଏ । କାହିଁକି କେଜାଣି ବ୍ୟାସର ସେତେବେଳେ ମନେପଡ଼େ ସର୍କସର କୁକୁର କଥା, କୁକୁର ସାଇକେଲ ଚଳାଇବା କଥା । ଏକଦା ମଜା ଲାଗୁଥିବା ଦୃଶ୍ୟଟା ବଡ଼ କରୁଣ ହୋଇଉଠେ ତା’ ଆଗରେ । ପକେଟରୁ ରୁମାଲ କାଢ଼ି ଭଲ କରି ବେକ ମୁଁହ ପୋଛିନିଏ ବ୍ୟାସ । ସବୁଦିନର ଏ ପରିଶ୍ରମରେ ବି ତାର ମୁଡ୍‌ ଅଫ୍‌ ହୁଏନା ।

 

ସେ ଜାଣେ ଟ୍ରେନିଂ ପିରିୟଡ଼ଟା ସରିଗଲେ ତାକୁ ସେଇଠି ଗୋଟେ ସର୍ଭିସ ମିଳିଯିବ । ଏଇଥିପାଇଁ ସେ ଗୋଟେ ବଡ଼ ଆଶା ବୋହି, ସ୍ରୋତମୁଖୀ ବୟସଟାକୁ ଆଞ୍ଜୁଳା ପାଣିରେ ବାନ୍ଧିବାକୁ ନ ଦେଇ, ଧାଇଁଆସେ ସକାଳେ ଏବଂ ଫେରିଆସେ ସନ୍ଧ୍ୟାରେ । ଚାକିରୀ ପ୍ରତି ଖୁବ୍‌ ବେଶି ଗୋଟେ ଆକର୍ଷଣ ନଥିଲା କେବେ ଏବଂ ରାତାରାତି ଗୋଟେ ବଡ଼ଲୋକ ହେଇଯିବାର ଇଚ୍ଛା ବି ନ ଥିଲା ମନରେ ।

 

କେବଳ ସେ ଗୋଟେ ଚାକିରୀ ଖୋଜି ବୁଲୁଥିଲା, ତା ସମ୍ପର୍କରେ ଅନ୍ୟମାନଙ୍କର ଆସ୍ଥା ଜମେଇ ନେବା ପାଇଁ । ଚାକିରୀ ହୋଇଗଲେ, ବିଶେଷ କରି ସଲୀଳା । ହାତରେ ହାତ ପକେଇ ସେ ଅନ୍ତତଃ ଜୋର୍‌ରେ ତ କହି ପାରିବ, ଗୋଟିଏ ପରିବାରକୁ ଚଳାଇ ନେବାର ଭରସା ତା’ ଉପରେ ରଖାଯାଇ ପାରେ ବୋଲି ।

 

ତାକୁ ଭଲ ଲାଗେନା ଏଫ୍‌.ସି. ଆଇ,ର ଏ ପୃଥିବୀ । ଇଚ୍ଛା ହୁଏ, ଆଗଦିନଗୁଡ଼ା ପରି ଦଶ ପନ୍ଦର ସାଙ୍ଗଙ୍କୁ ଧରି ମସ୍ତି କରନ୍ତା, ଆଡ଼୍‍ଡା ଦିଅନ୍ତା-ପ୍ଲାଟଫର୍ମରେ, ବସ୍‌ ଷ୍ଟାଣ୍ଡରେ । ଇଚ୍ଛା କଲେ ବି ହୋଇପାରେନା । ଏବେ ପୃଥିବୀର ବାୟୁମଣ୍ଡଳରେ, ଚିମିନୀର ଧୂଆଁ ତା’ ଛାତି ଭିତରେ ଡେଣା ଝାଡ଼େ । ପ୍ରପାତ ଝରିଯିବାର ଶବ୍ଦ ଶୁଣେ ସେ ମସ୍ତିଷ୍କରେ । ଅଧ ରାତିର ଟ୍ରେନ ଚାଲିଯାଏ ତା’ ଦେହ ଉପରେ ଚଢ଼ି, ଅପରିଚିତ ଯାତ୍ରୀଟିଏ ଧଳା ରୁମାଲ ଧରି ହାତ ହଲାଏ ।

 

କିନ୍ତୁ ଏସବୁ ବେଶୀ ସମୟ ତାକୁ ଆଚ୍ଛନ୍ନ କରି ରଖେନା । ସବିତା ଅପାର ଗେଟ୍‌ ଭିତରେ ପଶିଗଲେ, କୁଆଡ଼େ ଏ ସବୁ ଭୁଲିଯାଏ, ଭୁଲିଯାଏ ଯେ ରାସ୍ତାସାରା ତା’ ଦେହରୁ ଅନେକ ଝାଳ ବାହାରିଚି-ଯାହାକୁ ସେ ଲିଭେଇ ଦେଇଛି ତା’ ଓଦା ରୁମାଲ୍‌ରେ । ସେ ଭୁଲିଯାଏ ଯେ ସଲୀଳା ସଙ୍ଗେ ତା’ର କେବେ ମତାନ୍ତର ହୁଏ ବୋଲି । ତା’ର ମନେହୁଏ, ଏ ପୃଥିବୀରେ ତଥାପି ସ୍ଥାନଟିଏ ଏବେ ବି ରହିଛି, ଯେଉଁଠି ଟିକେ ମିଠା ପବନ ମିଳିବ ।

 

ସନ୍ଧ୍ୟାରେ ଫେରି ଆସି ଦେଖେ, ସବିତା ଅପା ହସପିଟାଲ୍‌ରୁ ଫେରି ବାରଣ୍ଡାରେ ରେଡ଼ିଓ ଧରି ବସି ଯାଇଥାନ୍ତି । ପାଖରେ ଜମେଇଥାନ୍ତି ୟାଡ଼ୁ ସ୍ୟାଡ଼ୁ ଗୁଡ଼ିଏ ମାଗାଜିନ୍‌ ଓ ଖାଲି କପ୍‌ । ସବିତା ଅପା ତାକୁ ପାଖକୁ ଡାକି ବସାନ୍ତି, ଚାକର ଟୋକାକୁ ଦି’ଜଣଙ୍କ ପାଇଁ ଜଳଖିଆ ଆଣିବାକୁ ବରାଦ କରି, ପଚାରି ବସନ୍ତି ୟାଡ଼ୁ, ସ୍ୟାଡ଼ୁ କେତେ କଥା ଏବଂ ସଲୀଳା କି ଅନ୍ୟ କେହି ଚିରି ଦେଇଥିବା ତା’ ମନର ସାର୍ଟଟାକୁ ସିଲେଇ କରିଦିଅନ୍ତି । ସେ ଆଘାତ ଭୁଲିଯାଏ, ଦୁଃଖ ଭୁଲିଯାଏ ।

 

ସନ୍ଧ୍ୟାରୁ ରାତି ନଅ ଦଶ ଯାଏ ଚେସ୍‌ ଖୁବ୍‌ ଜମିଯାଏ । ବେଳେ ବେଳେ ଅବଶ୍ୟ ସେମାନେ ନଦୀଆଡ଼େ କିମ୍ବା ପମ୍ପ ହାଉସ ଆଡ଼େ ବୁଲିବାକୁ ଚାଲିଯାଆନ୍ତି । ଫେରିଆସି, ରାତି ଖାଇବା ଶେଷ କରି, ସବିତା ଅପା ତାଙ୍କ ବେଡ୍‌ରୁମ୍‌ କବାଟ ଦିଅନ୍ତି । ବ୍ୟାସ ଡ୍ରଇଂ ରୁମ୍‌ରେ ତା’ର ବିଛଣା ଝାଡ଼ି ଶୋଇଯାଏ । ବ୍ୟାସର ବନ୍ଦ ଆଖି ଭାବେ, ଏ ପୃଥିବୀରେ ତଥାପି ସ୍ଥାନଟିଏ ଏବେ ବି ରହିଛି, ଯେଉଁଠି ଟିକେ ମିଠା ପବନ ମିଳିବ ।

 

କିଛି ଦିନ ଧରି ଗୋଟାଏ ସୁବିଧାବାଦର କିରଣରେ ଏଇ ନିରୀହ ମଣିଷ- ବ୍ୟାସ-ହଠାତ୍‌ ଦିନେ ଏକ ଦୁଃଖର ପ୍ରାଚୁର୍ଯ୍ୟମୟ ସକାଳରେ, ନିଜକୁ ସୋଫା ଉପରେ ଆବିଷ୍କାର କରି ଦେଖେ ଯେ ତା’ର ମୁଡ଼ ଅଫ୍‌ ହୋଇ ଯାଇଛି ।

 

ସେଦିନ ସୋଫା ଉପରେ ନିଜକୁ ଶୋଇଥିବାର ଦେଖି ଗତ ରାତିର କଥା ତା’ର ମନେ ପଡ଼ିଗଲା ତାର ସବୁଦିନିଆ ବିଛଣାଟାରେ ସବିତା ଅପାର ସେଇ ଲୋକଟାକୁ ଦେଖି ଚିଡ଼ିଗଲା ବ୍ୟାସ । ତଥାପି ସେଇ ସୋଫା ଉପରେ ଶୋଇ ସେ ଅପେକ୍ଷା କରୁଥିଲା ଗୋଟେ ବାଷ୍ପମୟ କପ୍‌କୁ । ନିଦ ଭାଙ୍ଗି ଯାଇଥିଲେ ବି ବାରମ୍ବାର କଡ଼ ଲେଉଟାଇ ଶୋଉଥିଲା ଓ ମନେ ମନେ ଚିଡ଼୍‌ଚିଡ୍‌ ହେଇ ଉଠୁଥିଲା-ଏତେବେଳେ ଯାଏ’ ଚା’ଟା କାହିଁକି ଯେ ତା ପାଖରେ ପହଞ୍ଚି ପାରୁନି !

 

ଦଶ ପନ୍ଦର ମିନିଟ୍ ପ୍ରାୟ ସେମିତି ସୋଫାଟା ଉପରେ ପଡ଼ିରହିବା ପରେ ଆଉ ରହି ପାରିଲାନି ବ୍ୟାସ । ସୋଫା ଛାଡ଼ି ବାହାରକୁ ଆସିଲା । ଅଗଣାକୁ ଖରା ଓହ୍ଲେଇ ଆସିଥିଲା ସେତେବେଳକୁ । ଖୋଲା ଟ୍ୟାପ୍‌ରୁ ପାଣିସବୁ ନଳାବାଟେ ବୋହି ଯାଉଥିଲା ବାହାରକୁ । ବାରିପଟ ଦୁଆରଟା ପୁରା ମେଲା । ସେଇ ବାଟଦେଇ ବୁଲା-କୁକୁରଟେ ପଶିଆସି ଅଗଣାରେ ଭୂଇଁ ଶୁଘୁଂ ଥିଲା । ବ୍ୟାସ ବୁଝି ପାରିଲାନି ପ୍ରଥମେ କଥାଟା କ’ଣ ? ଘରସାରା ବୁଲି ଆସି ସେ ଦେଖିଲା ଯେ ଚାକର ଟୋକାଟାର ସେଇ ଛୋଟ ସୁଟକେଶ୍‌ ଖଣ୍ଡକ ବି ନାହିଁ । ଏଥର ତାକୁ ଠିକ୍‌ ଭାବରେ ମାଲୁମ୍‌ ହେଇଗଲା କଥାଟା । ଚାକର ଟୋକାଟା ଲୁଚି କରି ଭୋରରୁ ପଳେଇଥିଲା ସେ ବାହାର କବାଟ ଖୋଲି ସେଇ ହସ୍‌ପିଟାଲ୍‌ କ୍ୟାମ୍ପସ୍‌ ଆଡ଼େ ଟିକେ ବୁଲି ଆସିଲା ଏବଂ ଫେରି ଆସି ବାରିପଟ କବାଟ ଦେଇଦେଲା ।

 

ସେ ଜାଣି ପାରୁଥିଲା ତା ଅପା ବି ତା’ପରି ଚା’କପ୍‌ର ଅପେକ୍ଷାରେ ବିଛଣାରେ ପଡ଼ିରହି କଡ଼ ଲେଉଟାଇଥିବେ । ବ୍ୟାସ ଆଉ ନ ବସି ଉଠିଗଲା ରୋଷେଇ ଘରକୁ- ଗୁଡ଼ାଏ ଅଳିଆ କାଗଜ ଆଣି ପୁରେଇ ଦେଲା ଚୂଲୀରେ ଏବଂ ଦିଆସିଲି ମାରି ବସିଗଲା ଚା’ କରିବାକୁ । ଆଖିରେ ନାକରେ ଧୂଆଁ ପଶି ଅଣନିଃଶ୍ଵାସୀ କରି ପକାଇଲା ତାକୁ । କେବଳ ଚା’ଟା କରିବା ପାଇଁ ଗୁଡ଼ାଏ ସମୟ ନେଇଗଲା । ଝାଳନାଳ ହୋଇ, ଚା’ କପ୍‌ଧରି, ସେ ଆଗେଇଗଲା ସବିତା ଅପାଙ୍କ ରୁମ୍‌ ପାଖକୁ । କବାଟ ବାଡ଼େଇଲା ବ୍ୟାସ । ସବିତା ଅପା କବାଟ ଖୋଲିଲେ ଓ ହାତରୁ ଚା’ କପ୍‌ଟି ନେଲେ, କିନ୍ତୁ କିଛି ବି କହିଲେ ନାଇ ତାକୁ, ଏମିତି କି ଆଶ୍ଚର୍ଯ୍ୟ ହେଲେନି ଅଦିନିଆ ତା’ ହାତରେ ଚା’ କପ୍‌ ଦେଖି । ତା’ ଝାଳୁଆ ମୁହଁ ଦେଖି, ‘ଏତେ ପରିଶ୍ରମ କଲୁ କିଆଁ’ ବୋଲି ଆହା ପଦଟିଏ ବି କହିଲେ ନାହିଁ । ବରଂ, ଚା’ କପ୍‌ଟା ଥୋଇ ଦେଇ, କଡ଼ ଲେଉଟାଇ ଶୋଇ ରହିଲେ ।

 

ଗୋଟେ ବିଷର୍ଣ୍ଣ ବିଳାସରେ ଗାଧୋଇ ଫେରି ଆସିଲା ବ୍ୟାସ । ନିଜ ଅଜାଣତରେ କେତେବେଳେ ସେ ପାଣି ଗରମ କରି ବସିଲା ସବିତା ଅପା ପାଇଁ, କେତେବେଳେ ପୁଣି ସବିତା ଅପାକୁ ବିଛଣା ଛାଡ଼ିବା ପାଇଁ ଆହ୍ଵାଜ ଦେଲା ଓ କେତେବେଳେ ନିଜ କାମ ସାରିଦେଇ ସାଇକେଲ ଧରି ବାହାରିଗଲା ସେ କଥା ନିଜେ ବି ଜାଣି ପାରିଲା ନାହିଁ ବ୍ୟାସ । ଘରୁ ବାହାରିବା ବେଳକୁ ଖରା କାନ୍ଥ ଉପରେ ଖେଳିବା ଆରମ୍ଭ କରି ଦେଇ ସାରିଥିଲା ।

 

ଏଫ୍‌ ସି. ଆଇ.ରେ ପହଞ୍ଚିବା ବେଳକୁ କେଜାଣି କେତେ ସମୟ ହେଇଥିବ, ହେଲେ ଜାଣିଥିଲା ଯେ ଠିକ୍‌ ସମୟରେ ସେ କେବେ ପହଞ୍ଚି ପାରବନି ଓ ପହଞ୍ଚିଲା ବେଳକୁ ଗେଟ୍‌ ବନ୍ଦ ହୋଇ ଯାଇଥିବ । ତଥାପି ସେ ଗେଟ୍‌ ପାଖକୁ ଗଲା । ଗେଟ୍‌ ବାହାରୁ ଭିତରକୁ ଚାହିଁ ଫେରି ଆସିଲା । ଲେଟ୍‌ରେ ଯାଇଥିଲେ ବି ଚଳିଥାନ୍ତା, କିନ୍ତୁ କାହିଁକି କେଜାଣି, ଗଲାନି ସେ ।

 

ବାହାରେ ଠିଆ ହେଇ ଭାବିଲା ବର୍ତ୍ତମାନ ସେ କ’ଣ କରିବ ? କିଛି ତ ହେଲେ ଗୋଟେ କରିବା ଦରକାର । ବର୍ତ୍ତମାନ ସେ କୋଉଠିକି ଯିବ ? ଘରକୁ ଫେରିଯା’ନ୍ତା, କିନ୍ତୁ ଘରେ ଯାଇ କରିବ କ’ଣ ? କାହା ସଙ୍ଗେ ଗପିବ ? ହୁଏ ତ ସବିତା ଅପାଙ୍କ ଘରକୁ ଫେରିଯା’ନ୍ତା । ମାତ୍ର ସବିତା ଅପା ତ ଏବେ ହସ୍‌ପିଟାଲ୍‌ରେ ଥିବ, ଆଉ ସେ କ’ଣ ଗପି ପାରିବ ସେଇ ଲୋକଟା ସାଙ୍ଗରେ, ଯାହାକୁ ସେ ଜମା ଭଲ ପାଇ ପାରୁନି !

 

ହଠାତ୍‌’ ତା ମୁଣ୍ଡରେ ଗୋଟେ ଆଇଡ଼ିଆ ଢୁକିଗଲା । ସାଇକେଲ୍‌ ବୁଲେଇ ସେ ପହଞ୍ଚିଗଲା ସଲୀଳାର ଘର ଆଗରେ । ସେ ଜାଣିଥିଲା ସଲୀଳା ଏବେ ଘରେ ଥିବ । ଆଗରେ ପରୀକ୍ଷା ଅଛି, ଘରେ ବସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବ ।

 

ବ୍ୟାସ କଲିଂ ବେଲ୍‌ରେ ହାତ ଦେଲା । ଏଇ ତ ପ୍ରଥମର ଥର ସେ ତାଙ୍କ ଘରକୁ ସାହସ କରି ଆସିଛି । ଯଦି ସଲୀଳା ନ ଥିବ ଏବଂ ଅନ୍ୟ କେହି ଥିବ, ତେବେ କ’ଣ ସେ କହିବ ? କିଛି ଭାବିବା ପୁର୍ବରୁ ହିଁ ଦରଜା ଖୋଲିଦେଲା ତାଙ୍କ ଚାକର ।

 

ବ୍ୟାସ ପଚାରିଲା, ସଲୀଳା ଅଛି ?

 

: ହଁ ଅଛନ୍ତି । ଡାକି ଦେବି ? କ’ଣ ବୋଲି କହିବି ?

 

: କହିବ……..କହିବ; ବ୍ୟାସ ଡାକୁଚି ବ୍ୟାସ ।

 

ଚାକରଟି ଚାଲିଗଲା । ସଙ୍ଗେ ସଙ୍ଗେ ସଲୀଳା ବାହାରି ଆସିଲା ଘର ଭିତରୁ । ବଡ଼ ବ୍ୟସ୍ତ ବିବ୍ରତ ଜଣା ଯାଉଥିଲା ସେ । ମୁହଁ ଟା ତା’ର ରକ୍ତଶୂନ୍ୟ ହୋଇ ପଡ଼ିଥିଲା । ବାହାରକୁ ଚାଲି ଆସି କବାଟଟାକୁ ଆଉଜାଇ ଆଣିଲା ବାହାରୁ, ସତେ ଯେମିତି ସେ ଖୁବ୍‌ ଡରି ଯାଇଛି ।

 

: କାହିଁକି ଆସିଲ ?

 

: ଆସିବା ପାଇଁ କ’ଣ ମନା ?

 

ସଲୀଳା ଏଥର ବେଶି ବ୍ୟସ୍ତ ହେଇପଡ଼ିଲା : ମୁଁ ସେ କଥା କହୁନି । ହେଲେ, ହଠାତ୍‌ କ’ଣ ଏମିତି ଦରକାର ପଡ଼ିଲା ? ଜା’ଣ, ମା’ ଏବେ ଘରେ ଅଛି ?

 

ବ୍ୟାସ ଆଉ ରହିପାରିଲାନି । କହିଲା : ବିଶ୍ଵାସା କର ସଲୀଳା ! ମୁଁ ଆଜି ଚାଲିଯିବାପାଇଁ ଆସି ନ ଥିଲି । ଗପିବାପାଇଁ, ଖୁବ୍‌ ବେଶି ଗପିବା ପାଇଁ, ଆସିଥିଲି । ଆମ ବର୍ତ୍ତମାନର କଥା, ଆମ ଭବିଷ୍ୟତ କଥା ।

 

ଏଥର ସଲୀଳା ଗମ୍ଭୀର ହେଇଗଲା, କହିଲା : ତମେ ବଡ଼ ଇମୋସନାଲ୍‌ ।

 

ସଲୀଳାର ସେଇ ଗମ୍ଭୀର ମୁହଁକୁ ଚାହିଁ ବ୍ୟାସ ଶୁଣି ପାରୁଥିଲା ତା’ ମସ୍ତିଷ୍କରେ ଝରି ପଡ଼ୁଥିବା ପ୍ରପାତର ଶବ୍ଦ, ଦେଖି ପାରୁଥିଲା ତା’ ଛାତି ଉପରେ ଚଢ଼ି ଟହଲ ମାରୁଥିବା ହାମ୍‌ଲେଟକୁ, ଜାଣି ପାରୁଥିଲା ରାତିଅଧର ଟ୍ରେନ ପ୍ରଚଣ୍ଡ ଶବ୍ଦ କରି ଚାଲିଯାଉଛି ତା’ ଦେହରେ ଆଉ ଅପରିଚିତ ଯାତ୍ରୀଟିଏ ଧଳା ରୁମାଲ ଧରି ହାତ ହଲାଉଚି ।

 

ସଲୀଳା କେବଳ ଏତିକି କହିଲା : ବାପା-ମାଙ୍କୁ ମୋର ଖବ୍‌ ଭୟ । ମୁଁ କେମିତ ବାପାଙ୍କ ଆଗରେ କହି ପାରିବି ଏ କଥା ? ଆମର ପ୍ରଥମରୁ ବଡ଼ ଭୁଲ ହେଲା । ଆମେ କାହାକୁ କେହି ନ ଦେଖିଥାନ୍ତେ ଯଦି, କେତେ ଭଲ ହେଇଥାନ୍ତା ।

 

ବ୍ୟାସର ଆଖି ପତା ତଳେ ଚାଲିଗଲା ଡେଣାଝଡ଼ା ବାଦୁଡ଼ିର ଆକାଶ । ତା’ ମୁହଁକୁ ଚାହିଁ ସଲୀଳା କ’ଣ ଭାବିଲା କେଜାଣି, ତା ହାତଟାକୁ ଉଠେଇ ନେଇ ମୁଠାରେ ରଖିଲା । କହିଲା : ବିଶ୍ଵାସ କର, ମତେ ତମକୁ ଭଲ ଲାଗେ-ଏବେ ବି ।

 

ଏବେ ବି !

 

ବ୍ୟାସ ଇଚ୍ଛାକରି ବି ହସିପାରିଲାନି ଏବଂ ଭାବି ପାରିଲାନି ୟାପରେ ସେ କ’ଣ କହିବ । ତା ମୁଣ୍ଡ ଭିତରେ ‘‘ଏବେ ବି ’’ର ହାତୁଡ଼ି ପିଟା ଶବ୍ଦ । ସେ ସଲୀଳାର ମୁଠା ଭିତରୁ ହାତ ଖସେଇ ନେଇ କହିଲା : ମୁଁ ତେବେ ଯାଉଚି ସଲୀଳା ।

 

ବ୍ୟାସ ଚାଲି ଆସିଲା । କ’ଣ ପାଇଁ ସେ ଦଉଡ଼ି ଯାଇଥିଲା ସଲୀଳା ଘରକୁ ? ସେ କ’ଣ ଜାଣେନା ଗୋଟେ ଇଞ୍ଜିନିୟର୍‌ର ଝିଅକୁ ଚଳେଇ ନେବା ପାଇଁ ତା’ ପାଖରେ କିଛି ନାଇଁ ! ସଲୀଳା ସମ୍ପର୍କରେ ତା’ ସାଙ୍ଗମାନଙ୍କ ପାଖରୁ ସେ ଯାହା ଶୁଣିଛି, ତା’ କ’ଣ ମିଛ ? ଚିଫ୍‌ ଇଞ୍ଜିନିୟର୍‌ର ପୁଅକୁ ଚାହିଁ ଏ କଥାରୁ କ’ଣ ଅବିଶ୍ଵାସ କରାଯାଇ ପାରେ ? ତଥାପି ବ୍ୟାସ ଦୌଡ଼ି ଯାଉଥିଲା । କାହିଁକି ? କୋଉ ଭରସାରେ ? ଆଉ କୋଉ ଭରସାରେ ସଲୀଳା କହିପାରେ, ‘ମୁଁ ତୁମକୁ ଭଲପାଏ, ଏବେ ବି’ !

 

କେବଳ ଏଇ ପଦକ ଶୁଣିବାପାଇଁ ସେ ଦୌଡ଼ି ଯାଇଥିଲା ? ନିଜ ଉପରେ ଦୟା ହେଲା ତା’ର । ସେ ନିଜକୁ ପଚାରିବାକୁ ଚାହିଁଲା : ଏ ମଣିଷ, ତମେ କ’ଣ ଚାହଁ ? ଏ ବ୍ୟାସ, ତମେ କ’ଣ ଚାହଁ ?

 

ମୁହଁ ଉପରେ ହାତ ବୁଲେଇ ବ୍ୟାସ ବିଡ଼୍‌ ବିଡ୍‌ ହେଲା : ଅଧିକାର, ଅଧିକାର ।

 

ବ୍ୟାସକୁ ଖବ୍‌ ଭୋକ ଲାଗୁଥିଲା । ଖାଇବା କଥା ଭାବିବାକ୍ଷଣି ସେ ଚମକି ପଡ଼ିଲା । ସବୁଦିନ ତା’ ପକେଟ୍‌ରେ କିଛି ନା କିଛି ପଇସା ଥାଏ । ସବିତା ଅପାଠୁ କିଛି କିଛି ପଇସା ରଖିଥାଏ, ଲଞ୍ଚ ଆୱାରରେ କିଛି ଖାଇବାପାଇଁ । ପକେଟ୍‌ରେ ହାତ ପୁରେଇଲା ବ୍ୟାସ ମୁଠା ଭିତରେ ଅନୁଭବ କଲା କିଛି ଖୁଚୁରା ପଇସା ।

 

କ୍ୟାଣ୍ଟିନରୁ ବାହାରିବା ବେଳେ ତା’ ହାତମୁଠାରେ ରହିଲା କେବଳ ଦି’ପଇସିଟେ । ହାତ ମୁଠାରେ ଦି’ପଇସି ଧରି ବ୍ୟାସ ଦି’ପହର ସାରା ବୁଲିଲା, ଏ ସାଙ୍ଗ ସେ ସାଙ୍ଗର ଘର ହୋଇ । ଅବଶ୍ୟ ଏମାନଙ୍କ ସଙ୍ଗେ ତା’ର ଆନ୍ତରିକତା ନାହିଁ କାହାକୁ ଧରି ମସ୍ତି କରିବା ଆଡ଼୍‍ଡା ଦେବା ତ ଦୂରର କଥା, କଥା ଗପିବା ପାଇଁ ବି କଥା ନ ଥାଏ । ତେବେ ବି କାହାକୁ ନିଦରୁ ଉଠେଇ, କାହାକୁ ପଢ଼ାରୁ ଉଠେଇ, ସେ ଗପିଥିଲା । ଗପି ଗପି ଫେରିଲା ସନ୍ଧ୍ୟାବେଳକୁ ।

 

ରାସ୍ତାରେ ଦେଖା ହେଇଥିଲା ତା’ର ପୁରୁଣା ସାଙ୍ଗମାନଙ୍କ ସାଥୀରେ । ସମସ୍ତେ ତାକୁ ଘେରି ଯାଇଥିଲେ, ପ୍ରଶ୍ନ କରିଥିଲେ, ‘‘କୁଆଡ଼େ ଥିଲୁ? ଆଜି ନ ଥିଲୁ ଯେ ! କ’ଣ ହେଇଚି ତୋର-?’’ କେହି କେହି ସଲୀଳା ସଙ୍ଗେ ଯୋଡି ଥଟ୍‌ଟା କରିବା ଆରମ୍ଭ କରିଦେଇଥିଲେ । ସେମାନେ ସେଦିନ ଗପି ଗପି ଟାଉନସିପ୍‌ ସାରା ଚକ୍‌କର ଦେଇଥିଲେ । ସାଉଥ୍‌ ଇଣ୍ଡିଆନ୍‌ ଦୋକାନରେ ବସି ବସି ଗପିଥିଲେ ସନ୍ଧ୍ୟା ସାତଟା ଯାଏ ।

 

ୟା ପରେ କ’ଣ ବ୍ୟାସ ଜାଣିଥିଲା ଯେ ଗୋଟେ ଦୁଃଖ ଆସୁଚି ତା ପାଇଁ ସନ୍ଧ୍ୟାର ଷ୍ଟ୍ରେଚରରେ ! ସେ କ’ଣ ଜାଣିଥିଲା ଯେ ଠିକ୍‍ ୟା ପରେ ତା’ ପାଇଁ ଘଣ୍ଟା କଣ୍ଟା ମିନିଟ କଣ୍ଟା ବଦଳିଯିବ, ବଦଳିଯିବ ତାର ସବୁଦିନିଆ ରୁଟିନ୍‌ ।

 

ତା’ ସାଙ୍ଗମାନେ ତାକୁ ଉସ୍‍କେଇ ଦେଲେ । ତାକୁ ଠେଲି ପେଲି ପଠେଇ ଦେଲେ । ତା ପୁରୁଷପଣିଆ ଖେଞ୍ଚି ବାରମ୍ବାର ଆଘାତ କାଲେ ତାକୁ । ସେ ହାତ ଦେଖେଇ ଅଟକେଇ ଦେଲା । ହେଡ଼ ଲାଇଟ୍‌ଟା ସ୍ଥିର ହେଇଗଲା । ଚିଫ୍‌ ଇଞ୍ଜିନିୟର୍‌ ଘର କାର୍‌ଟିର ।

 

ହଠାତ୍‌ କ’ଣ ପଚାରିବ ହେଇ ସେ ପଚାରିଦେଲା : ସଲୀଳା, ତମେ ୟା ଭିତରେ ! କୁଆଡ଼େ ବାହାରିଚ ?

 

ସଲୀଳା କିଛି କହିଲାନି ।

 

ଗାଡିର ଡୋର୍‌ଟାକୁ ଧରି ସେ ଏମିତି ଛିଡ଼ା ହେଇଥିଲା ଯେ ଗାଡ଼ିଟା ଯାଇପାରୁ ନଥିଲା-। ସେମାନେ ବି କେହି କାହାକୁ କିଛି ନ କହି ସେମିତି ଚୁପ୍‌ ଥିଲେ ।

 

ହଠାତ୍‌ ପିଲାଟା ବ୍ୟାସ ଆଡ଼କୁ ଲକ୍ଷ୍ୟ କରି ପଚାରିଦେଲା, କ’ଣ ଦରକାର ଅଛି ଆପଣଙ୍କର ?

 

ବ୍ୟାସ ଚଟ୍‌କରି କହିଦେଲା : ଆପଣଙ୍କ ସାଙ୍ଗରେ ନୁହେଁ, ସଲୀଳା ସାଙ୍ଗରେ ।

 

ତା’ପରେ, ବ୍ୟାସର ଠିକ୍‌ ମନେ ନାଇଁ, କିଏ କାହାକୁ କେତେଟା ଓ କେତେ ପ୍ରକାରର ପ୍ରଶ୍ନ କରିଥିଲା ଓ କ’ଣ ଉତ୍ତର ମିଳିଥିଲା । ମନେ ନାଇଁ ବି କେତେବେଳେ ସେ କାର ଭିତରେ ହାତ ପୁରେଇ ସାର୍ଟ-କଲାର ଟାଣିଛି ଓ କେତେବେଳେ ନିଜେ ମାଡ଼ ଖାଇ ସାର୍ଟ ଚିରି ଯାଇଚି ।

 

ଶେଷରେ କେବଳ ଦେଖାଯାଏ, ବ୍ୟାସ ଫେରି ଆସେ ସବିତା ଅପା ଘରକୁ-ଫେରିଆସେ ରାତିବାରଟାର ଅନ୍ଧାରକୁ କାଟି କାଟି । ଚିରା ସାର୍ଟ ବାଟେ ପବନ ପଶିଯାଇ ତା’ର କାଖ ଓ ପେଟର ଝାଳକୁ ଶୁଖେଇଦିଏ । ବାଟସାରା ସେ ଶୁଣେ ମସ୍ତିଷ୍କରେ ପ୍ରପାତ ଝରିଯିବାର ଶବ୍ଦ; ଦେଖେ ଛାତି ଉପରେ ଚଢ଼ି ଟହଲ ମାରେ ହାମ୍‌ଲେଟ୍‌, ସଶବ୍ଦେ ଚାଲି ଯାଉଥିବା ରାତି ଅଧର ଟ୍ରେନ୍‌ରେ ଅପରିଚିତ ଯାତ୍ରୀ କିଏ ଧଳା ରୁମାଲ୍‌ ହଲେଇ ଚାଲିଯାଏ । ମନେ ମନେ ସେ ବିଡ଼୍‌ ବିଡ଼୍‌ ହୋଇ କୁହେ, କାଲିଠୁ, ହଁ କାଲିଠୁ ବ୍ୟାସ ପାଇଁ ଏଫ୍‌. ସି. ଆଇ. ଗେଟ୍‌ ବନ୍ଦ । ସେ ନିଶ୍ଚୟ କହିଦେବ । ତା’ ବାପଟା ଶଳା ଏଫ୍‌. ସି. ଅଇ, ମ୍ୟାନେଜିଂ ଡିରେକ୍ଟରର ବଟଲ ଫ୍ରେଣ୍ଡ ।

 

ସବିତା ଅପାର ଘରେ ପହଞ୍ଚିଯାଇ କବାଟ ବାଡ଼ାଏ ବ୍ୟାସ । କେହି ବି ଶୁଣନ୍ତିନି । ପୁଣି ବାଡ଼ାଏ । ଭିତରୁ ଜବାବ୍‌ ଆସେନି । ଫାଙ୍କରେ ମୁଣ୍ଡ ରଖି ଚାହେଁ ସେ । ଘୁଙ୍ଗୁଡ଼ି ଶୁଣେ । ଚାରିକାତ ମେଲି ତା’ରି ଖଟ ଉପରେ ପଡ଼ିଥିବା ସେଇ ଲୋକଟାକୁ ଦେଖେ । ସେଇ ପୁରୁଣା ରୋଗ ତାକୁ ପୁଣି ଗ୍ରାସ କରିଯାଏ । ରାଗରେ, ଦୁଃଖରେ ଆଉ ଦି’ଥର କବାଟଟାକୁ ପିଟିଦିଏ ସେ । ଏଥର ଲୋକଟା କିଏ ବୋଲି ପାଟିକରି ପୁଣି ଚୁପ୍‌ ହୋଇଯାଏ । ବ୍ୟାସ ଅପେକ୍ଷା କରି କରି ସେଇ ବାହାର ବାରଣ୍ଡାରେ ବସି ପଡ଼େ । କାନ୍ଥକୁ ଆଉଜି ବିଶ୍ରାମ ନେଉ ନେଉ ଶୋଇଯାଏ ।

Image

 

ଖୋଲା ଦରଜା

 

ଚିଠି ପଢ଼ି ବିପାଶା, ଭାବିଲା, ଘରଟା ଘର ନୁହେଁ ତ, ଗୋଟେ ନର୍କ ।

ସେଇ ନର୍କ କୁଣ୍ଡରୁ ସାର୍ଟନ ମୁହଁ ଉଠେଇ ଚାହେଁ । ଉପରକୁ ସ୍ୱର୍ଗଚ୍ୟୁତମାନଙ୍କୁ ବିଦ୍ରୋହର ବାଣୀ ଶୁଣେଇ ମୁହଁ ମାଡ଼ି ପଡ଼େ ପୁଣି । ଅଦ୍‌ଭୂତ ତରଳ ପଦାର୍ଥରେ ଭାସୁ ଭାସୁ, ତା’ର ବିକୃତ ମୁହଁ ଉଠେଇ ତା’ର ଲମ୍ବା ଲମ୍ବା ଆଙ୍ଗୁଠି ବଢ଼େଇଦିଏ, କହେ : ଜୀବନ, ତାକୁ ଅନୁଭବି ଯା’ରେ ଅନୁଭବି ଯା’ । ଦେଖ, କ୍ଷୁଧା ଇଏ, ଅନୁଭବି ଯା’ । ହସ ଇଏ, ଅନୁଭବି ଯା’ ଏଇ ସେ ପ୍ରେମ ଅନୁଭବି ଯା’ । ଦେଖ ୟା’ ନାଁ । କ୍ରୋଧ ଅନୁଭବି ଯା’ । ଦୁଃଖ ୟା’କୁ କହନ୍ତି ଅନୁଭବି ଯା’ । ଏଇ ତ ପାପ ଅନୁଭବି ଯା’ । ଦେଖ ମୁକ୍ତି ଇଏ ଅନୁଭବି ଯା’ ଅନୁଭବି ଯା’ରେ ଅନୁଭବି ଯା’ ।

ଚିଠି ପଢ଼ି ବିଷନ୍ନତାରେ ଭରିଗଲା ବିପାଶା । ଭାବିପାରିଲାନି ସୋମାନି’ର ହଠାତ୍‌କ’ଣ ହେଲା ଯେ ? ପ୍ରକୃତ କଥା କିଛି ବୁଝି ପାରିଲାନି ସେ । ବ୍ୟସ୍ତ ହୋଇ ପଡ଼ିଲା । ମନ ଉଚ୍ଛନ୍ନ ହେଇ ପଡ଼ିଲା । ଚିଠିକୁ ପର୍ସରେ ଧରି, ବିପାଶା ବସଷ୍ଟାଣ୍ଡ ଚାଲିଲା । ଭାବିଥିଲା ଏକସ୍‌ମାସ ଛୁଟିରେ ଘରକୁ ଯିବ, ହେଲେ ତା’ ପୂର୍ବରୁ ତାକୁ ସି.ଏଲ୍‌. ନେବାକୁ ପଡ଼ିଲା ହିସାବ କରିନେଲା କେତେଦିନ ପାଉଚି ସେ, ଘରେ କଟେଇବା ପାଇଁ ।

ଘର ଏଇ କଥାଟାକୁ ଭାବିଦେଲେ, ଏବେ ବି ତା ଛାତି ଭିତରେ ଅସଂଖ୍ୟ ବ୍ୟାକୁଳତାର ଭଉଁରୀ ଖେଳିବୁଲେ । ଏବେ ବି ତା’ର ଘର ପ୍ରତି ଗୋଟେ କଅଁଳିଆ ମୋହ ରହିଚି । ବେଳେ ବେଳେ ବିଛଣାରେ ଶୋଇଥିବାବେଳେ ତା’ର ଇଚ୍ଛା ହୁଏ, ଆରବୀ ଗପର ଉଡ଼ନ୍ତା ଗାଲିଚା ପରି ତା ବିଛଣା ଉଡ଼ି ଉଡ଼ି ଶୂନ୍ୟରେ ଚାଲିଯା’ନ୍ତା କି ? ତା’ର ପ୍ରିୟ ସହରକୁ, ତା’ର ଘରକୁ । ଏମିତି ଭାବୁ ଭାବୁ ମୁଁ କେତେବେଳେ ନିଦ ଆସିଯାଏ ତା’ର ଆଖିକୁ । ଘର କହିଲେ ଯୋଉ ସୁନ୍ଦର ଇମେଜ୍‌ ଟିକକ ଅସଂଖ୍ୟ ଅନୁଭୂତି ଭିତରୁ ବାମ ହାତ ଟେକେ, ତା’ ତ ଦଶବର୍ଷ ପୁରୁଣାର । ଏ ଭିତରେ ଘରର ବୟସ ବଢ଼ି ଗଲାଣି ।

ବିପାଶା ବେଳେ ବେଳେ, ଲଫାପା ଉପରେ ଘରର ଠିକଣା ଲେଖିଲା ସମୟରେ ଉଦାସ ହେଇପଡ଼େ । ଏତେ ଉଦାସ ହେଇପଡ଼େ ଯେ, ଆଉ କୋଉଥିରେ ମନଦେଇ ପାରେନା । କ୍ଳାସରେ ପିଲାଙ୍କୁ ପଢ଼େଇ ପାରେନା, କମନ୍‌ରୁମ୍‌ରେ କ୍ୟାରମ୍‌ ଖେଳରେ ବାରମ୍ବାର ହାରିଯାଏ । ସମୟେ ସମୟେ ଏମିତି ଉଦାସ ହେଇଯାଏ ବିପାଶା ଯେତେବେଳେ ସାଙ୍ଗସାଥୀ ମହଲରେ ଗପୁ ଗପୁ ଗପିପକାଏ ଘରକଥା, ଆମ ଘର ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ । ରାଜରାଜୁଡ଼ା ଅମଳର ଘର, ସିଂହମୁଣ୍ଡ ଥିବା ପିଲାର, ବ୍ୟାଡ଼୍‍ମିଟନ୍‌ ଖେଳି ହେବା ପରି ବିସ୍ତୃତ ଛାତ-। ଘରଟା ବହୁଦିନ ହେଲେ ମଧ୍ୟ ଚୂନ ସୁରକୀ ଛାଡ଼ିନି ଏ ଯାଏ । ସେ ଘରଟା ଆଉ ସେମାନଙ୍କର ନୁହେଁ । ଅଳ୍ପଦିନ ଖୁବ୍‌ ଅଳ୍ପଦିନ ପାଇଁ ଘରଟା ତାଙ୍କର ହେଇକି ରହିବ । ବାପା ଗୋଟିଏ ଜମି ବିକ୍ରି କରିଦେବା ପରେ, ଶେଷରେ ସେମାନଙ୍କ ଅଜାଣତରେ ଘରଟାକୁ ବନ୍ଧାଦେଇ ବ୍ୟାଙ୍କ୍‌ଲୋନ୍‌ ନେଇ ଆସିଛନ୍ତି । ବୋଧହୁଏ ଷାଠିଏ ସତୁରୀ ହଜାର । ଏଇ, ଦଶବର୍ଷ ମଧ୍ୟରେ ତ ମାତ୍ର ଛ’ହଜାର ସୁଝାଯାଇଚି । ବାପାଙ୍କର ଏ ବୋଝକୁ ମୁଣ୍ଡେଇ ଧରିବାକୁ କେହି ଚାହନ୍ତିନି । ସେଇଥିପାଇଁ ତ ଥରେ ନିଲାମ ନୋଟିସ ପହଞ୍ଚି ଯାଇଥିଲା ଘରେ ।

ବିପାଶାର ଛାତି ଥରେଇଦିଏ ବେଳେ ବେଳେ ପୁରୁଣା ଅନୁଭୂତି ଟିକକ । ଏମ୍‌.ଏ.ପାଶ୍‌ କରି ସେ ଘରେ ବସିଥିବାବେଳେ, ପୋଲିସ୍‌ ସହ ନିଲାମ ନୋଟିସ ଧରି ଆସିଥିଲେ ବ୍ୟାଙ୍କ୍‌ ଲୋକ-

ଆଉ ସେତିକିବେଳେ ବାରିବାଟଦେଇ ଲୁଚି ପଳେଇଲେ ବାପା । ମା’ ମୂକହେଇ ବସିପଡ଼ିଲେ ଭୂଇଁରେ । ଛାତିର ଉଠ ପଡ଼ ଭିତରେ କି ଜବାବ ଦେବ ବିପାଶା ଭାବି ପାରିଲାନି । ଡ୍ରଇଂରୁମ୍‌କୁ ବସିବାକୁ ଡାକି କହିଲା ବାପା ତ ନାହାନ୍ତି, ଫେରିଲେ କହିଦେବି ଆପଣମାନେ ଖୋଜି ଥିଲେ ବୋଲି । ମନେ ମନେ ବସି କପିଳାସ ଶିବଙ୍କଠୁ କଲିକତା କାଳୀଙ୍କ ଯାଏଁ ସବୁ ଦେବାଦେବୀଙ୍କୁ ମନେ ମନେ ଡାକି ଯାଇଥିଲା । ସେମାନେ କ’ଣ ଭାବିଲେ କେଜାଣି କହିଗଲେ; ବାପା ଫେରିଲେ ଅଫିସ୍‌କୁ ପଠେଇଦେବେ ।

ବିପାଶାର ମନେଅଛି , ସେତେବେଳେ ସେମାନଙ୍କର ଜିପ୍‌ଟା ଷ୍ଟାର୍ଟ ହେଇ ନ ଥିଲା ବୋଲି, ବିପାଶା ଦଉଡ଼ିଯାଇ ସାନଭାଇ ଅଂଶୁଟାକୁ ପଠେଇଥିଲା, ଜିପ ପଛରୁ ଠେଲିବାପାଇଁ । ବୋଉ ତା’ର କିଛି ଘଣ୍ଟାପରେ ଦେଖିଥିଲା ବାପା ନର୍ବିକାର ଭାବରେ ଗୋଟେ ବନ୍ଦ ଦୋକାନ ବାରଣ୍ଡାରେ ବସି ତାସ୍‌ ପିଟୁଛନ୍ତି । ବିପାଶାର ସେଇଦିନ ମନେ ହେଇଥିଲା, ସେମାନେ ବହୁତ ଗରିବ ହେଇଯାଇଛନ୍ତି, ଦିନେହେଲେ ସେ ଏ କଥା ଅନୁଭବ କରି ନ ଥିଲା କାହିଁ ?

ଆଲୁଅ ଅନ୍ଧାରର ସମ୍ଭୋଗରତ: ଆକାଶକୁ ଚାହିଁ ବିପାଶା ଭାବିଲା, ଘରେ ପହଞ୍ଚିବା ବେଳକୁ ରାତି ହେଇଥିବ । ଘରେ ତ ତାକୁ କେହି ଆଶାକରି ନ ଥିବେ । ଆଶ୍ଚର୍ଯ୍ୟ ହେଇଯିବେ କି ତାକୁ ଦେଖି ? ହୁଏତ ଆଶ୍ଚର୍ଯ୍ୟ ହେବା ଭଳି ମୁଡ୍‌ ଏବେ ଘରେ ନ ଥିବ କାହାର । ଚିଠିପାଇ ବିପାଶା ଭାବିଥିଲା ଚିଠିର ଉତ୍ତର ଦେଇଦେବ । ମାତ୍ର ସେ ଏତେ ଅସ୍ଥିର ହେଇ ପଡ଼ିଲା ଯେ ଅପେକ୍ଷା କରିପାରିଲାନି ଏକସ୍‌ମାସ ଛୁଟି ପର୍ଯ୍ୟନ୍ତ । ସୋମା’ନି କୁଆଡ଼େ ଯାଇଥାଇ ପାରେ ଯେ ?

ସୋମା’ନି କୁଆଡ଼େ ଚାଲିଯାଇଚି ଶୁଣି ତାକୁ ଭୀଷଣ କାନ୍ଦ ଲାଗିଲା । ତା’ର ଅନ୍ୟ ଦୁଇଭାଇ ଘରଛାଡ଼ି ଚାଲିଯିବାବେଳେ ବୋଧହୁଏ ତାକୁ ଖରାପ ଲାଗି ନ ଥିଲା । ସବୁ ଭାଇ ଉଉଣୀଙ୍କ ଭିତରେ ଏଇ ଭଉଣୀଟିତ ଥିଲା ସବୁଠୁ ବେଶୀ ପ୍ରାକ୍ଟିକାଲ୍‌ । ଛୁଆବେଳୁ ସେ ଏମିତି ଗୁଣର । ବାପା ତାଙ୍କ ପିଲାମାନଙ୍କୁ ଡାକ୍ତର କରିବେ ବୋଲି ଖୁବ୍‌ ଆଶା ରଖିଥିଲେ, କିନ୍ତୁ ଆଇ.ଏସ୍‌.ସି. ପରେ କିଏ କୋଉ ଲାଇନ୍‌ ଧରିଲେ । କେବଳ ସୋମା’ନି ହିଁ ତ ଡାକ୍ତର ହେଇପାରିଲା । ପାଖ ସବଡ଼ିଭିଜନ୍‌ ହସ୍‌ପିଟାଲ୍‌ରେ ଥିଲା ସେ । କ’ଣ ଯେ ହଠାତ୍‌ ହେଲା ତା’ର । କୁଆଡ଼େ ଯାଇଥିବ ସେ : ବିପାଶା ଭାବି ପାରିଲାନି । ଏତିକି ବେଳେ ତା’ର ମନେ ପଡ଼ିଗଲା ସୋମା’ନି କଥା । ଘର ନିଲାମ ନୋଟିସ୍‌ ଦେଖି ସେଇ ତ ସବୁଠୁ ବେଶୀ ଦମ୍ଭରେ କହିଥିଲା : ଘର ନିଲାମ ହେଇଯାଉ । ତୁମେ ସବୁ ଚାଲି ଆସ ମୋ ପାଖକୁ । କୁଆଡ଼େଗଲା ତା’ର ସେ ଦମ୍ଭ । ହଠାତ୍‌ କ’ଣ ହେଲା ଯେ ତା’ର ?

 

ସୋମା’ନି ସଙ୍ଗେ ଗୁଡ଼ାଏ ଦିନ ହେବ ଚିଠି ପତ୍ରର ସଂପର୍କ ରଖି ନ ଥିଲା ବିପାଶା । କେବଳ ମା’ ସୋମା’ନି ପାଖରେ ଥିଲାବେଳେ ଲେଖିଥିଲେ, ସୋମା’ନି ହସ୍‌ପିଟାଲ୍‌ ନଯାଇ, ଚାରି ପାଞ୍ଚଦିନ ହେଲା, ଶୋଇ ରହୁଚି ଘରେ । ପଚାରିଲେ କିଛି କହୁନି । ବିପାଶାର ଏତେ କମ୍ ଚିଠି ଲେଖିବା ଅଭ୍ୟାସ ଯେ, ହେଳାରେ ହେଳାରେ ଥରେ ହେଲେ ବି ପଚାରିପାରିଲାନି ସୋମା’ନିକୁ କ’ଣ ହେଇଚି ତା’ର ବୋଲି ।

 

ପରେ ପହଞ୍ଚି ଆଶ୍ଚର୍ଯ୍ୟର ସୀମା ରହିଲାନି ବିପାଶାର । ସେ ଯେତିକି ଆଶ୍ଚର୍ଯ୍ୟ ହେଲା ତାଠୁ ଅଧିକ ଖୁସି ହେଇଗଲା, ଘରେ ବଡ଼ଭାଇଙ୍କୁ ଦେଖି । ଇଣ୍ଟର୍‌ କାଷ୍ଟ କରିବା ଦିନଠାରୁ ଘରର ଦାଣ୍ଡଦୁଆର ବି ମନା ହେଇ ଯାଇଥିଲା ତାଙ୍କ ପାଇଁ । ସେଇ ଯେ ପାଞ୍ଚ ବର୍ଷ ତଳେ ଦେଖିଲା ବଡ଼ ଭାଇଙ୍କୁ, ଆଉ ଦେଖିବାର ସୁଯୋଗ ପାଇନି ବିପାଶା ।

 

ବେଳେ ବେଳେ ମନ ଖୁବ୍‌ ହାଇଁପାଇଁ ହୁଏ ଦେଖିବାକୁ, ହେଲେ ବାପାଙ୍କୁ ଆଘାତ ଲାଗିବା ଭୟରେ କି ଭାଇଙ୍କର ଏ କାମକୁ ଗ୍ରହଣ କରି ତେବେ ବି ଗ୍ରହଣ କରିପାରୁ ନ ଥିବାରୁ ସେ କେବେ ଯାଇପାରନି ଭାଇଙ୍କ ରାଉରକେଲାରେ ଥିବା ଘରକୁ । ଭାଇଙ୍କ ଚେହେରା କେତେ ବଦଳି ଯାଇଛି ସତେ, ଏ ଭିତରେ । ବାଳ ଉଠି ଚନ୍ଦା ହେଇ ଯାଇଛନ୍ତି, ମୋଟା ସ୍ପେକ୍‌ସ ପିନ୍ଧୁଛନ୍ତି ଆଖିରେ-। ଭାଇଙ୍କ ପାଦ ଛୁଇଁ ପ୍ରଣାମ କଲାବେଳେ, ଭାଇ ଆଶ୍ଚର୍ଯ୍ୟ ହେଇଗଲା ଭଳି କହିଲେ :କିରେ ତୁ ଏକା ? ସୋମ ତୋ ପାଖକୁ ଯାଇନି ।

 

ବିପାଶା କହିଲା : ନା ସେ ମୋ ପାଖକୁ ଯାଇନି । ଚିଠି ପାଇ ସେଇଥିପାଇଁ ତ ବ୍ୟସ୍ତ ଲାଗିଲା, ଚାଲି ଆସିଲି । କୁଆଡ଼େଗଲା ଯେ ? ତମ ପାଖକୁ ଚିଠି ଦିଆଯାଇଥିଲା କି ? ଭାଇ ମୁଣ୍ଡ ହଲେଇ ହଁ କରିଲେ ।

 

ସୋମା’ନିର ଚାଲିଯିବା ଘଟଣାଟା ମା’ଙ୍କୁ ସବୁଠାରୁ ବେଶି କଷ୍ଟ ଦେଇଥିଲା । ମା କାଠବେଞ୍ଚଟା ଉପରେ, ଗାଲରେ ହାତଦେଇ ବସି ଥିଲେ ।

 

ବିପାଶା ପ୍ରକୃତ ଘଟଣା କ’ଣ ପଚାରିବ ପଚାରିବ ହେଇ ବି ପଚାରିପାରିଲାନି । ମା’ଙ୍କ ପାଖରେ ଯାଇ ବସିଲା । ମା’ଙ୍କୁ କି ସାନ୍ତ୍ୱନା ଦବ ସେ । ତାଙ୍କୁ ଖୁବ୍‌ ଆଘାତ ଲାଗିଥିବ ନିଶ୍ଚୟ । କେଉଁ ମା’କୁ ନ ଲଗନ୍ତା ଯେ, ଏମିତି ଗୋଟେ ଗୋଟେ ହେଇ ସବୁ ପିଲା ଯଦି ତା’ ପାଖରୁ ଚାଲିଯାନ୍ତେ । ପଚାରିବ ପଚାରିବ ହେଇ ବିପାଶା ପଚାରି ଦେଲା : ମା, ବାପା କୁଆଡ଼େ ଯାଇଛନ୍ତି-?

 

ମା’ ବଡ଼ ନିର୍ଲିପ୍ତଭାବରେ କହିଲେ : ତାସ୍‌ ଖେଳିବାକୁ କଟକ ଯାଇଛନ୍ତି ।

 

: ତାସ୍‌ ଖେଳିବାକୁ ?

 

ହଁ, କ’ଣ ମ୍ୟାଚ ହଉଚି ।

 

ବିପାଶାର ବାପାଙ୍କ ଉପରେ ରାଗ ଜମିଗଲା । ଦେଖ କି ଦାୟିତ୍ଵହୀନ ଲୋକ । ତାସ୍‌ କମ୍ପିଟିସନ୍‌ କ’ଣ ଏତେ ଜରୁରୀ ହୋଇଗଲା ତାଙ୍କ ପାଇଁ । ବିପାଶାର ଇଚ୍ଛା ହେଲା ମା’ଙ୍କୁ ଜାବୁଡ଼ି ଧରି କାନ୍ଦନ୍ତା, କହନ୍ତା ମା ତମେ ଠକିଗଲ, ଠକିଗଲ ତମ ଯଉବନରୁ ।

 

ମା’ କହିଲେ : ଚାଲ୍‌ ଖାଇବୁ ଚାଲ୍‌ ।

 

ଖାଇବାବେଳେ ସାହାସକରି ବିପାଶା ମା’ଙ୍କୁ ପଚାରିଲା : ସୋମା’ନି କୁଆଡ଼େ ଯାଇଛି ବୋଲି ଭାବୁଛ ?

 

ମା’ ତଳ ଓଠକୁ ଆଗକୁ କାଢ଼ି କହିଲେ : କେଜାଣି ।

 

: ତମେ ଜାଣିଲ କେମିତି ସେ ଚାଲିଯାଇଛି ବୋଲି ହୁଏତ କୌଣସି କାମରେ ବାହାରକୁ ଯାଇ ଥାଇପାରେ ।

 

ମା’ ଗୁଆ କାଟୁ କାଟୁ କହିଲେ : ତାଙ୍କ ଡାକ୍ତରଖାନା ବେହେରା ତା କ୍ଵାର୍ଟର ଚାବି ଆଉ ଚିଠି ଆଣିଥିଲା ।

 

ବିପାଶା ବ୍ୟସ୍ତ ହୋଇ କହି ପକେଇଲା : ଦେଖି ଆଣିଲ ଚିଠିଟା କଣ ଲେଖାଅଛି ସେଥିରେ ।

ମା’ କହିଲେ : ଚିଠିଟା ବାପାଙ୍କ ପକେଟରେ । ଲେଖିଥିଲା, ମୁଁ ଯାଉଚି କ୍ଵାର୍ଟର ଚାବି ପଠେଇଲି । କେହି ଖୋଜା ଖୋଜି କରିବନି । ମନ ବୁଝିଗଲେ ଆସିବି ।

: ଆଉ କିଛି ?

ମା’ ମୁଣ୍ଡହଲେଇ ନା କଲେ ।

ତେବେ ସେ ଚାଲିଗଲା କାହିଁକି ଯେ । ତମେ କେମିତି କିଛି ଜାଣନା, ତମେ ତ ତା’ ପାଖରେ ରହିଥିଲ କିଛି ମାସ ପୂର୍ବରୁ । ତା’ ମତିଗତିରୁ ସେମିତି କିଛି ଜଣା ଯାଉଥିଲା କି ?

ମା’ ପାନ ମୋଡ଼ୁ ମୋଡ଼ୁ କହିଲେ : ସେ ଯୋଉ ପିଲାକୁ ରେଜେଷ୍ଟ୍ରୀ ମ୍ୟାରେଜ୍‌ କରିବ ବୋଲି ଆପ୍ଲାଇ କରିଥିଲା, ସେ ପିଲା ଅନ୍ୟ ଜାଗାରେ ବାହା ହେଇ ପଡ଼ିଲା, ଗଲା ମାସରେ ।

ବିପାଶାର ଛାତିରେ ଚାଉଁକିନା ଲାଗିଗଲା କଥାଟା । ପାଟି ଭିତରେ ସେମିତି ରୁଟି ରହିଗଲା । ମା’ କେଡ଼େ ହାଲୁକା ଭାବରେ କହୁଛନ୍ତି ସତେ କଥାଟାକୁ । ସେ ବୁଝିଲା ମା’ଙ୍କୁ । ଉଶ୍ୱାସ ଲାଗିଚି, ଭାଇଙ୍କ ପରେ ପରେ ଆଉ ଗୋଟେ ବଦନାମ୍‌ରୁ ରକ୍ଷା ପାଇଗଲେ ବୋଲି ସୋମା’ନି ବାହା ହେଇଥିଲେ ବି ଇଣ୍ଟର୍‌କାଷ୍ଟ୍‌ କରିଥାନ୍ତା । ମା’ଙ୍କର କଥାଟାକୁ ଏତେ ହାଲୁକାଭାବେ ଗ୍ରହଣ କରିବାର ଭାବ ବିପାଶାକୁ ଭଲ ଲାଗିଲାନି । ହୃଦୟର ଏ ଖେଳ କେତେ ଆଘାତ ଦେଇଥିବ ସୋମା’ନିକୁ ମା’ କାହିଁ ବୁଝୁନାହାନ୍ତି ଯେ ।

ମା’ଙ୍କ କହିବା ଢଙ୍ଗ ଦେଖି ବିପାଶା ଆଉ କଥା ବଢ଼େଇଲାନି । ସବୁଠୁ ତାକୁ ବେଶି ଆଶ୍ଚର୍ଯ୍ୟ ଲାଗିଲା ଘରଭିତର ନିଷ୍କ୍ରିୟତା ଦେଖି । ଚୁପ୍‌ ଚାପ୍‌ ଉଠି ଯାଇ ତା’ ବିଛଣା କରିନେଇ ଶୋଇପଡ଼ିଲା । ହେଲେ ଆଖିକୁ ତା’ର ନିଦ ଆସୁ ନ ଥିଲା । ବସଯାତ୍ରା ଜନିତ କ୍ଳାନ୍ତିରେ ଦେହଟା ତା’ର ପାଦଆଡ଼ୁ, ଅଜଗର ପାଲଟି ଆସୁଥିଲା । ତା’ ଆଖି ବୁଜି ବୁଜି ହେଇ ଆସିବା ବେଳକୁ ସେ ଶୁଣୁଥିଲା, ମା’ ବାରମ୍ବାର ଦାଣ୍ଡଦୁଆର ଖୋଲୁଥିଲେ ଓ ନିଜ ବିଛଣାକୁ ଫେରୁଥିଲେ, କେତେଥର କେଜାଣି ।

ସକାଳୁ ଉଠିବାବେଳକୁ ଭାଇ କଟକ ହେଇ ରାଉରକେଲା ଯିବାକୁ ବାହାରୁଥିଲେ । ବିପାଶା ସେଇ ଅଧୂଆ ମୁହଁରେ ପଚାରିଲା: ତମେ ଏବେ କ’ଣ ଚାଲିଯିବ ? ତେବେ ସୋମାନି କଥା କ’ଣ ହେବ ?

ଭାଇ ତାଙ୍କ ସୁଟ୍‌କେଶ ସଜାଡ଼ୁ ସଜାଡ଼ୁ କହିଲେ : କ’ଣ କରିବା ଆଉ । ସେ ଯୁଆଡ଼େ ଯାଇଥିବ ଚିଠିପତ୍ର ନିଶ୍ଚୟ ଦବ । ସେ ଚିଠି ଦେଲେ ମତେ ଜଣେଇବୁ ।

ଭାଇଙ୍କ କଥା ଶୁଣି ବିପାଶାକୁ ବିରକ୍ତ ଲାଗିଲା ଖୁବ୍‌ । ସବୁକାଳେ ଭାଇ ଏମିତି ମାନ୍ଦା ସ୍ଵଭାବର । ସବୁ କଥାକୁ ବେଶ୍‌ ଚିନ୍ତା କରନ୍ତି, ଅଥଚ କେବେ କୌଣସି ସଜେସନ୍‌ଦେଇ ପାରନ୍ତି ନାହିଁ । ସବୁଠୁ ବେଶି ବିରକ୍ତ ଲାଗିଲା; ଘରର ବଡ଼ପୁଅ ହେଇ ଏତେ ଦାୟିତ୍ୱହୀନ କେମିତି ଭାବି । ବିପାଶାର ଇଚ୍ଛା ହେଲା କହିବାକୁ, ହଁ ସୋମାନି ରହିବା ନ ରହିବା ସଙ୍ଗେ ବା ତମର ସମ୍ପର୍କ କ’ଣ-? ତମେତ ବାପାଙ୍କ ତେଜ୍ୟପୁତ୍ର-। ତମକୁ ତ ଆମେ ଘର ମଣିଷ ବୋଲି ଭାବିଲୁନି ଥରେ ହେଲେ, ତମେ ବା କାହିଁକି ଭାବନ୍ତ ଯେ ସୋମାନି ପାଇଁ, ଆମ ପାଇଁ । ଭାଇଙ୍କୁ ବାଧିବ ଭାବି ବିପାଶା କହି ପାରିଲାନି କିଛି ।

ବିପାଶା ପଚାରିଲା : ଅଂଶୁକୁ ଯାଇ ଦେଖା କରିଥିଲ ?

: ନାଇଁମ ମୁଁ ତା’ ପାଖକୁ ଯାଇନି ।

ବିପାଶା ଏଥର ଚିଡ଼ିଗଲା, ଇଚ୍ଛା ହେଲା ପଚାରିବାକୁ, ତେବେ କ’ଣ କରୁଥିଲ ଆସିକି । ସେ କିନ୍ତୁ ପଚାରିପାରିଲିନି ।

ଭାଇ ଗଲାବେଳକୁ ମା’ ମୁହଁରେ ଲୁଗାକାନି ଦେଇ କାନ୍ଦିଲେ । ବିପାଶାର ଇଚ୍ଛା ହେଲା କହିବାକୁ, ମା’ କାଂଦୁଚ କାହିଁକି, ତାଙ୍କୁ ତାଙ୍କ ରାସ୍ତାରେ ଯିବାକୁ ଦିଅ । ତମେ ତାଙ୍କୁ ଆଉ ଆପଣାର କରି ପାରିବନି । ମୁଁ ଜାଣେ ମା’ ତମେ କେବେ ବି ତାଙ୍କ ବଙ୍ଗାଳୀ ସ୍ତ୍ରୀକୁ ଘରକୁ ଆଣି ପାରିବନି । ତେବେ ତମେ କେମିତି ଭାବୁଥିଲ ଭାଇଙ୍କୁ ଅଣ୍ଟିରେ ପୁରେଇ ରଖିପାରିବ ବୋଲି ? ତମେ କାନ୍ଦନି ମା’ କାହାର ଅସହାୟତାକୁ ମୁଁ ସହିପାରୁନି, ମୁଁ, ମୁଁ, ଖୋଜି ଆଣିବି ।

ମୁଁ ଅଂଶୁକୁ ବୁଝେଇ ନେଇ ଆସିବି ଘରକୁ । ମୁଁ ତମମାନଙ୍କୁ ମୋ ପାଖକୁ ଘେନିଯିବି, ସେଭଳି ସମୟ ପହଞ୍ଚିଲେ । ହେଲେ ତମକୁ ସେତିକି ଦିନ ଅପେକ୍ଷା କରିବାକୁ ହେବ, ଏଯାଏ ତ ମୋ କଲେଜ ଗଭର୍ଣ୍ଣମେଣ୍ଟ ରେକଗ୍‌ନାଇଜଡ୍‌ ହେଇନି ।

ଭାଇ ଚାଲିଯିବା ପରେ ବିପାଶା ସହଳ ସହଳ କାମ ସାରିଦେଇ ବାହାରିପଡ଼ିଲା, ଡେରି ହେଇଗଲେ ହୁଏତ ସେ ଅଂଶୁକୁ ପାଇନପାରେ । ରିକ୍‌ସାଟିଏ ଡାକି କହିଲା କେଡ଼ିଆଜୀ ଧର୍ମଶାଳାକୁ ନେ ।

ଧର୍ମଶାଳାରେ ପହଞ୍ଚି ବିପାଶା ଭାବୁଥିଲା, କେମିତି ଭିତରକୁ ଯିବ ସେ । କେମିତି ଗୋଟେ ସଙ୍କୋଚ ଆସୁଥିଲା ତାକୁ । ଏତେ ବଡ଼ ହେଲାଣି ସେ ଅଥଚ ନିଜ ସହରର ଅନେକ ଜାଗା ତା’ ପାଇଁ ଏବେ ବି ନୂଆ ହେଇଅଛି । କେତେ ସମୟ ଧରି-ବାହାରେ ଛିଡ଼ାହେବା ପରେ ଧୀରେ ଧୀରେ ଭିତରେ ପଶିଲା ବିପାଶା । ଭିତରର ଲମ୍ବା ବାରଣ୍ଡାରେ କାହାକୁ ସେ ଦେଖିବାକୁ ପାଇଲାନି । କେତେ ସମୟ ଏମିତି ଛିଡ଼ାହେବ ସେ । ଦୁଇଥର ଜୋରରେ ଗଳା ଝାଡ଼ିଲା, ଚଟାଣକୁ ଚପଲରେ ଖସଖସ କଲା ।

ୟା’ପରେ ଜଣେ ସ୍ତ୍ରୀଲୋକ ଛୁଆ କାଖେଇ ବାହାରି ଆସିଲା, ବିପାଶା ପଚାରିଲା : ଏଇଠି ଅଂଶୁ ନାଁରେ କିଏ ରୁହନ୍ତି କି ?

ସ୍ତ୍ରୀ ଲୋକଟି ଟିକିଏ ଭାବିଲା ଭାବିଲା ହେଇ ଚାହିଁବା ପରେ ମୁଣ୍ଡ ହଲେଇ ନାଁ କଲା । ବିପାଶା ଟିକିଏ ଥତମତ ହେଇ ଫେରିଯାଉଥିଲା, ହେଲେ ପଛରୁ ସ୍ତ୍ରୀଲୋକଟି ଡାକିଲା,ଏ ଝିଅ ଶୁଣ, ଶୁଣ ।

ବିପାଶା ଫେରିଆସିଲା । ସ୍ତ୍ରୀଲୋକଟି କହିଲା : ବାବୁ ଜଣକ କେମିତି ଦେଖିବାକୁ କହିଲ ?

: ଗୋରା, ଖୁବ୍‌ ଲମ୍ବା ଚଉଡ଼ା ଦେହ, ଧଳା ପୋଷାକ ପିନ୍ଧେ ସବୁବେଳେ ।

ଏଥର ସ୍ତ୍ରୀଲୋକଟି ମୁରୁକି ମୁରୁକି ହସି କହିଲା : ସେୟା କହୁନ, ଆମ ରାଜାବାବୁ ତ ଆସ ଆସ । ତମେ ତାଙ୍କର କଅଣ ହୁଅମ ?

ବିପାଶା ଖୁବ୍‌ ସଂକ୍ଷୀପ୍ତରେ କହିଲା : ବଡ଼ନାନୀ । ସ୍ତ୍ରୀଲୋକଟି ଆଗରେ ବାଟ କଢ଼େଇ ନଉ ନଉ, ବୁଲିପଡ଼ି ତାକୁ ଗୋଟେ ଜୁହାର ପକେଇଲା । ତମେ ରାଜାବାବୁଙ୍କ ନାନୀ । ରାଜାବାବୁ ଭାରି ଭଲ ପିଲ ଏକା ।

ଅଂଶୁର ବଖରାଟା ବାଥ୍‌ରୁମ୍‌ ସାଇଜ୍‌ଠୁଁ ଟିକିଏ ବଡ଼, ତାକୁ ମାତ୍ର ଗୋଟେ କୋଣକୁ । ସ୍ତ୍ରୀଲୋକଟି କବାଟ ବାଡ଼େଇବା ପରେ, ଯିଏ କବାଟ ଖୋଲିଲା ସେଇତ ଆମ ଅଂଶୁ । ଘରର ସବୁଠୁ ବେଶୀ ଅଭିମାନୀ ପିଲା ଇଏ । ଅଂଶୁକୁ ଦେଖିଲେ ଏବେ ବି ମୋର ମନେ ହୁଏ ଯେ, ସେ ସେଇ ଗୋରା, ମୋଟା ହେଇ ଦୁଇ ବର୍ଷର ଛୁଆ ଆଉ ମୁଁ ତା’ ର ଛ’ ବରଷିଆ ବଡ଼ ଭଉଣୀ । ମୋର ଏବେ ବି ତ ମନେ ଅଛି, ତାକୁ ଥରେ କାଖେଇକି ବର୍ଷାରେ ମାତୁଥିବା ବେଳେ ମ୍ୟୁନିସିପାଲଟି ନାଳରେ ଉଭୟେ ଖସିପଡ଼ି ଅଣ୍ଟାଯାଏଁ ନର୍ଦ୍ଦମାରେ ପୋତିହୋଇ ଯାଇଥିଲୁ । ଅଂଶୁକୁ ଦେଖିଲେ ତା’ର ମନେ ହୁଏନା ସେ ଗୋଟେ ଯୁବକ ହେଇଯାଇଛି ଏ ଭିତରେ ବୋଲି ।

 

ଅଂଶୁ ଦେହରେ ମଶାରିଟା ଘୋଡ଼େଇ ହେଇ ଛିଡ଼ା ହେଇଥିଲା । ସେ ବୋଧେହୁଏ ବିପାଶାକୁ ଏତେ ଆକସ୍ମିକ ଆଶା କରି ନଥିଲା । ପଚାରିଲା : ତମେ, ତମେ କୁଆଡ଼େ ? ବିପାଶା ହସିପକେଇଲା : ତୁ କେବେଠୁ ମତେ ତମେ ଡାକିବା ଆରମ୍ଭ କଲୁଣି, କାହିଁ ମୁଁ ତ ଜାଣିନି !

 

ଅଂଶୁ କିଛି କହିଲାନି । ସେମିତି ସେଇଠି ଛିଡ଼ାହେଇ ରହିଲା । ନା ବାହାରିଯିବାକୁ ଥିଲା, ନା ଭିତରକୁ ଡାକୁଥିଲା । ବିପାଶା କହିଲା : ଚାଲ, ବସିବା ଚାଲ । ତୋ ସାଙ୍ଗରେ ବହୁତ କଥା ଅଛି । ଦି’ଜଣଯାକ ଯାଇ ଦଉଡ଼ି ଖଟ ଉପରେ ବସିଲେ ।

 

ବିପାଶା ଆଗ ଆରମ୍ଭ କଲା : ସୋମାନି କୁଆଡ଼େ ଚାଲିଯାଇଛି । କାହାକୁ କିଛି ଜଣେଇନି । ଭାଇ ଆସିଥିଲେ, ଆଜି ଚାଲିଗଲେ । ମା’ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି ତୁମମାନଙ୍କ ଚିନ୍ତାରେ-

 

ଅଂଶୁ ଏଥର ମୁହଁ ଫିଟେଇଲା । ତୁମେ କାହିଁକି ଭାବୁଚ ସୋମାନି କୁଆଡ଼େ ଚାଲି ଯାଇଚନ୍ତି ବୋଲି । ସେ ଡାକ୍ତର ଲୋକ କୋଉଠି କିଛି କାମ ଥାଇପାରେ । ନିଜ ଗୋଡ଼ରେ ଛିଡ଼ା ହେଲେଣି, ଘରୁ କ’ଣ ଗୋଡ଼ କାଢ଼ିବାକୁ ତାଙ୍କୁ ମନା ?

 

ବିପାଶା କହିଲା : ନା ସେ ଚାଲିଯାଇଚି । ତୁ ବୁଝିପାରିବୁନି କ’ଣ ପାଇଁ ଭାବୁଚୁ ଆମେ-। ବିପାଶା କାହିଁକି କେଜାଣି ଭାବିଲା : ଅଂଶୁ ଏବେ ବି ଛୋଟ ପିଲା ହେଇଅଛି, ଲଭ୍‌ପ୍ରଂଷ୍ଟେସନ କହିଲେ, ସେ କିଛି ବୁଝି ପାରିବା ଅବସ୍ଥାରେ ପହଞ୍ଚିନି ।

 

ଅଂଶୁ କହିଲା : ମୋ ପାଖକୁ କ’ଣ ପାଇଁ ଆସିଚ, ମୁଁ କ’ଣ କରିପାରିବ ଯେ । ମତେ କୁହ କ’ଣ କରିବାକୁ ହବ ମତେ ?

 

ବିପାଶା ଭାବିଲା, ଏଇ ଗୋଟେ ସୁଯୋଗ, ଅଂଶକୁ ବୁଝେଇ ଘରକୁ ଫେରେଇ ନେବାପାଇଁ । କହିଲା, ମୋ ସୁନାଭାଇଟା ପରା ଚାଲ ଘରକୁ ଯିବା । ତୁ ତ ଜାଣୁ ମା’ ତୋତେ କେତେ ଭଲପାଆନ୍ତି । ତାଙ୍କୁ ଆଉ ଦୁଃଖଦେବା ଠିକ ହେବନି ।

 

ଓଃ, ବିପାଶା ତ ଚମକି ପଡ଼ିଲା ଅଂଶୁର ଚିତ୍କାର ଶୁଣି । ନା, ମୁଁ ସେଠିକି ଯିବିନି, ସେଇଟା ଗୋଟେ ଘର ନା ନର୍କ । ମତେ କିଏ ଭଲପାଏ ଯେ ଯିବ । ଟିକିଏ ରହିଯାଇ କହିଲା : ତମେ ଗଲ ଶୀଘ୍ର । ମୋର ଆହୁରି ଅନେକ କାମ ଅଛି । ଆଉ କେହି ହେଇଥିଲେ ବିପାଶା ରାଗ ଅପମାନରେ ଲାଲ୍‌ ହେଇ ଯାଇଥାଆନ୍ତା । କାହିଁକି କେଜାଣି ସେ ରାଗି ପାରିଲାନି, କାନ୍ଦି ପକେଇଲା । ସାଟନ୍‌ ଥରେ ମୁହଁକୁ ଚାହିଁଲା ପରେ ପୁଣି ମୁହଁମାଡ଼ି ପଡ଼ିଲା ତରଳ ପଦାର୍ଥ ଉପରେ-। ବିପାଶା ପଚାରିଲା : ପଢ଼ାପଢ଼ି ଛାଡ଼ିଦେଲୁ ?

 

: ତମେ ସେଥିରୁ କ’ଣ ପାଇବ ।

 

: ପଚାରି ଦେଇ କ’ଣ ଭୁଲ କଲି ଯେ ?

 

: କଲେଜ ଯାଉଚି, ଟେଣ୍ଡର ବି ଧରୁଚି । କହୁ କହୁ ତକିଆତଳୁ ଦୁଇଟି ନୋଟି ବଣ୍ଡଲ ବାହାର କରି ହଲେଇ ଦେଲା ତା ଆଗରେ, ଦେଖ, ଦେଖ ଟଙ୍କା ଦେଖ ।

 

ବିପାଶା ସହି ପାରିଲାନି ଅଂଶୁର ଏ ଧରଣର ବ୍ୟବହାର, ଗୋଟେ ଥାପଡ଼ ବସେଇ ଦେବାକୁ ଇଚ୍ଛା ହେଉଥିଲା ତା’ର । ଛ’ମାସ ହେଲା ରାଗିକି ଚାଲିଆସିଚି ଅଂଶୁ ମା’ଙ୍କ ଉପରେ । ଖାଇବା କଥା ନେଇ ଦି’ଜଣଙ୍କ ଭିତରେ କ’ଣ ଟିକେ ପାଟିତୁଣ୍ଡ ହେଇ ଯାଇଥିଲା ।

 

ଘରର ସମସ୍ତେ ଆସି ବୁଝେଇ ବୁଝେଇ ଥକିଲେଣି, ହେଲେ ଘରକୁ ଫେରୁନି । ପିଲବେଳୁ ବି ଏମିତି ଟିକିଏ ଟିକିଏ କଥାରେ ରାଗିଯାଏ ଅଂଶୁ । ରାଗିଯାଇ ବାକ୍‌ସ ଚାବି କୂଅରେ ପକେଇଦିଏ, ବେଳେବେଳେ ବଗିଚାର ଗଛଯାକ ଉପାଡ଼ି ରାସ୍ତାକୁ ଫିଙ୍ଗି ଦିଏ ।

 

ବିପାଶା କହିଲା, ପିଲାଦିନରୁ ଏ ଆରୋଗାଣ୍ଟ୍‌ ସ୍ଵଭାବ ତୋର ଏବେ ବି ଯାଇନି ? ଟିକିଏ ନମ୍ରତା ଶିଖ । କେମିତି ଯେ ତୁମମାନଙ୍କ ହୃଦୟ ମୁଁ ବୁଝେନା ? ଦୁଇ ଦୁଇଟି ଭାଇ ଯେ, ଜଣେହେଲେ କେହି ଭାବିଚ ଘରଟା ଚଳେ କେମିତି ?

 

ସେ ଆଉ କଥା ବଢ଼େଇ ପାରିଲାନି । ଫେରିଆସିଲା ଘରକୁ ।

 

ବାପା ସେତେବେଳକୁ କଟକରୁ ଫେରି ଆସିଥିଲେ । ବିପାଶା କ’ଣ ଭାବିଲା କେଜାଣି ବାପାଙ୍କୁ ଦେଖି ସୋମାନିର ଚିଠିଟା ମାଗିପକେଇଲା ତାଙ୍କୁ । ବାପା କହିଲେ : ଚିଠି, ଚିଠି କ’ଣ ହବ ? କହୁ କହୁ ପକେଟରୁ ଖୋଜି ବାହାର କଲେ ଛୋଟ କାଗଜ ଖଣ୍ଡେ । କହିଲେ, ହଃ, ହଃ, ତୁମେମାନେ ସବୁ ତ ଗୋଟେ ଗୋଟେ ମୁରବି, ତମକୁ କିଏ କ’ଣ କହିବ, ଘରଟାର ମୁରବି କିଏ ? ତୁ ଏତେ ପାଠପଢ଼ିଛୁ, ଲେକଚର ହେଇଚୁ ମତେ କହ ? ଘରର ମୁରବି କାହାକୁ ଧରାଯାଏ ?

 

ବିପାଶା ଜାଣେ, ବାପା ବେଳେ ବେଳେ ଏମିତି ଅବାନ୍ତର ପ୍ରଶ୍ନ କରିଥାନ୍ତି । ତାଙ୍କୁ କୌଣସି ଉତ୍ତର ଦେଇ ସନ୍ତୁଷ୍ଟ କରି ହେବନି ।

 

ବିପାଶା କହିଲା, ଆପଣ ମୁରବି ।

 

ବାପା କେମିତି ଉପହାସ କଲାପରି କହିଲେ : ନା, ନା, କିଏ କହିଲା, ଆମଘରେ ସ୍ତ୍ରୀଲୋକ ମୁରବି । ଯୋଉଘରେ ସ୍ତ୍ରୀଲୋକ ମୁରବି ହୁଏ, ସେ ଘର ଏମିତି ଭାଙ୍ଗିଯାଏ । ବାପା ମା’ ଙ୍କୁ ଆକ୍ଷେପ କରି ଏ କଥାଟି କହିଲେ ବୋଲି ବିପାଶା ଜାଣି ପାରିଲା ବାପା ପୁଣି କହିଲେ: ଗୋଟେ ଘରେ ଗୋଟେ ମୁରବିର କଥାରେ ଚାଲିବା କଥା ସଭିଙ୍କର । ତୁମେ ତ ନିଜେ ନିଜକୁ ବଡ଼ ବୋଲି ଭାବୁଚ, ଏୟା ହୁଅନ୍ତାନି ତ କ’ଣ ହୁଅନ୍ତା ? ତୁମେମାନେ ବାପା କଥା ମାନିବନି । ଏଇ ଦେଖ, ତୋ ଭାଇ ମୋ କଥା ମାନିଥିଲେ, ଏତେବେଳକୁ ଗୋଟେ କୋଟିପତି ବନିଯାଇ ସାରନ୍ତାଣି । ଆଉ ଏବେ ଗୋଟେ ଷ୍ଟେନୋ ହେଇପଡ଼ିଚି, ୟାଡ଼ୁ ସ୍ୟାଡ଼ୁ ଝିଅଟେ ବାହାହେଇ କୁଳମର୍ଯ୍ୟଦା ପକୋଉଚି-। ପାପ ଆଉ କଣ କି ପୃଥିବୀରେ ।

ବିପାଶା ଶୁଣି ପାରିଲାନି ବାପାଙ୍କ ଉପଦେଶ ସବୁ । ଆଶ୍ଚର୍ଯ୍ୟ ହେଲା, ବାପାଙ୍କର ମା’ ପରି ଛାତି ରାମ୍ପି ହେଇ ଯାଇନି କାହିଁକି ସୋମାନିର ଚାଲିଯିବା ଘଟଣା ନେଇ । ସେ ଚିଠି ପାଇ ଯେତିକି ସିରିୟସ୍‌ ପାଲଟି ଯାଇଥିଲା, ଘରକୁ ଆସି ବରଫ ପରି ତରଳିଗଲା ତା’ର ସେ ସିରିୟସ୍‌ନେସ୍‌ ଟିକକ । କେବଳ ମା’ ଯାହା ଅସ୍ଥିର ହେଇ ପଡ଼ିଥିଲେ । ମା’ ଯେତେ ଲୁଚେଇବାର ଚେଷ୍ଟା କଲେ ବି ସେ ମା’ଙ୍କୁ ଦେଖି ତାଙ୍କ ଅସ୍ଥିରତାକୁ ବୁଝି ପାରୁଥିଲା, ମା’ଙ୍କର ପ୍ରତି ମୁହୂର୍ତ୍ତର ଦାଣ୍ଡ କବାଟ ଫିଟେଇ ବାହାରକୁ ଚାହିଁ ରହିବା ଦେଖି ।

ବିପାଶା ଭାବିଲା, ତାଙ୍କ ଡାକ୍ତରଖାନାକୁ ଯାଇ କିଛି ଖବର ସଂଗ୍ରହ କରାଯାଇପାରନ୍ତା; କିନ୍ତୁ ହୁଏତ କଥାଟା ଭିନ୍ନ ଆକାର ହେଇ ଗୁଜବ ବ୍ୟାପି ଯାଇପାରେ । କ’ଣ କରାଯାଇ ପାରିବ ଯେ ? ମା’ଙ୍କୁ ସେମିତି ଅସ୍ଥିରତା ଭିତରେ ଛାଡ଼ିଦେଇ ବିପାଶା, ନିଜ ମନଟାକୁ ବୁଝେଇବା ପାଇଁ ରେଡ଼ିଓ ଖୋଲିଲା, ପତ୍ରିକା ପଢ଼ିଲା ।

ରାତି ଦଶଟା ପାଖାପାଖି ବେଳକୁ ଦରଜାରେ ଶବ୍ଦ ଶୁଣି ମା’ ଦଉଡ଼ିଗଲେ କବାଟ ଖୋଲିବାକୁ । ବିପାଶା ତ ଆଶ୍ଚର୍ଯ୍ୟ ହେଲେ ମା’ଙ୍କର ଏ ବ୍ୟାକୁଳ ପ୍ରତିକ୍ଷା ଦେଖି । ବିପାଶା ମା’ଙ୍କ ପଛେ ପଛେ ବାହାରି ଆସିଲା । ଶ୍ୟାମଳ ରଙ୍ଗର ପତଳା ପିଲାଟିଏ କହିଲା : ଆପଣଙ୍କୁ ଅଂଶୁ ଡାକୁଚି, ଏଇ ବାହାରେ ଛିଡ଼ାହେଇଚି |

ବିପାଶା ରାଗ ଆଉ ଘୃଣାରେ ରୋକ୍‌ଠୋକ୍‌ ମନାକରି ଦେଲା, ନା ମୁଁ ଯିବନି । ଯା’ର ଦରକାର ସେ ଆସୁ । ମା’ ବିପାଶାର ମୁହଁରେ ହାତ ଦେଇଦେଲେ : ତୁ ଚୁପ୍‌କର । କାଇଁ ସେ ବାପା ଅଂଶୁ କୋଉଠି ଅଛି ?

ମା’ ସେମିତି ସେଇ ବେଶରେ ବାହାରି ଆସିଲେ ବାହାରକୁ । ବିପାଶା ଆଉ ପାଦ ଦୃଢ଼କରି ଛିଡ଼ା ହେଇ ପାରିଲାନି । ସେ ବି ବାହାରିଗଲା । ମା’ଙ୍କୁ ଦେଖି ଅଂଶୁ ପଳେଇ ଯାଉଥିଲା । ଦଉଡ଼ିଯାଇ ବିପାଶା ଧରି ପକାଇଲା ତା’ ହାତ : କ’ଣ ହେଲା କୁଆଡ଼େ ଆସିଚୁ ?

କହିବାକୁ ଆସିଥିଲି । ଅଂଶୁ ବିପାଶା ମୁଠାରୁ ହାତ ଛଡ଼େଇନେଲା । ସୋମାନି ପଣ୍ଡିଚେରୀ ପଳେଇଛନ୍ତି । କହୁଥିଲେ କାଳେ ସେଇଠି ରହିଯିବେ ।

: ତୁ କେମିତି ଜାଣିଲୁ ?

: ତାଙ୍କର ଜଣେ ସାଙ୍ଗଠୁ ବୁଝିଲି । କେବଳ ବୁଝିବା ପାଇଁ ତ ଯାଇଥିଲି ।

ଏତିକି କହି ଅଂଶୁ ଜୋର ଜୋର ପାଦ ପକେଇ ପଳେଇଲା । ମା’ ବଡ଼ପାଟିରେ ଡାକିଲେ ଅଂଶୁ ଶୁଣରେ, ମୋ ଧନ ପରା । ଅଂଶୁ ଏଥର ଆହୁରି ଜୋରରେ ପାଦ ବଢ଼େଇ ଦେଲା ଆଗକୁ, ତା’ ସାଙ୍ଗଟି ଦଉଡ଼ୁଥିଲା ତା’ ସଙ୍ଗେ ମିଶିବା ପାଇଁ ।

Image

 

ଅପହଞ୍ଚ

 

ବେଳେ ବେଳେ ଏମିତିଗୁଡ଼ିଏ ଘଟଣା ଘଟିଯାଏ । ଯେଉଁଥିପାଇଁ ତମେ ନିଜକୁ ଦୋଷୀ ନ କରି ରହିପାରିବନି । ନିଜ ସପକ୍ଷରେ ହଜାର କୈଫିୟତ୍‌ ଦେଇ ସୁଦ୍ଧା ନିଜକୁ ବୁଝେଇ ପାରିବନି-। ଦୋଷ ଲଦାଲଦି ଭିତରେ ଏମିତି ମୁହୂର୍ତ୍ତ ପହଞ୍ଚିଯିବ ତମେ ସବୁ କାରଣଗୁଡ଼ିକ ସହ ନିଜକୁ ଯୋଡ଼ିଦେବ ।

 

ପ୍ରକୃତରେ ମୋର ଠିକ୍‌ ସେୟା ହିଁ ହେଉଥିଲା । ଗୁଡ଼ାଏ ଦିନ, ହଁ ଗୁଡ଼ାଏ ଦିନ ଧରି ଆମ ଭିତରେ ଗୋଟେ ନୀରବ ଯୁଦ୍ଧ ହିଁ ଚାଲିଥିଲା । ଯୁଦ୍ଧଟା ଡିଗ୍‌ଲିକୁ ନେଇ ।

 

ଡିଗ୍‌ଲି ସାଙ୍ଗେ ମୁଁ ସେଇଦିନ ପ୍ରଥମ କଥା ହେଇଥିଲି ଯୋଉଦିନ ସେ ବବିକୁ ଟାଣି ଟାଣି ଆଣି ମୋ ସାମ୍ନାରେ ହାଜର କରିଦେଇ କହିଥିଲା-ଦେଖନା ଆଣ୍ଟି’, ବବି କେମିତି ଅସନା ପିଲାଙ୍କ ସଙ୍ଗେ ଖେଳୁଛି । ତାକୁ ଘରେ ଅଟକେଇ ରଖ ତ ।

 

ମୁଁ ପ୍ରଥମେ ହସି ଦେଇଥିଲି । ଝିଅଟା ଛୋଟ ହେଲେ ବି ମାଚିଓରଡ୍‌ଙ୍କ ପରି କଥା କହୁଚି । ତାପରେ କହିଲି–ଡିଗ୍‌ଲି, ସେମାନେ ଅସନା ନୁହଁନ୍ତି, ଯା’ ଖେଳ, ସାଙ୍ଗହେଇ ଖେଳ, ବବି ତୁ ବି ଯା’ ।

 

ଡିଗ୍‌ଲି ଆଶ୍ଚର୍ଯ୍ୟ ହେଇ ଯାଇଥିଲା ଯେମିତି । କିଛି ସମୟ ମୋ ମୁହଁକୁ ଚାହିଁ ବବିର ହାତଧରି ଦୌଡ଼ି ପଳେଇଲା ।

 

ପରମୁହୂର୍ତ୍ତରେ ମୁଁ ଭାବିଥିଲି ଡିଗ୍‌ଲିର ଏମିତି ଧାରଣାଟିଏ ହେଇଗଲା କିଆଁ ଯେ ? ଏଇ ଧାରଣାଟି ତାର ଅସ୍ଥି ମଜ୍ଜାଗତ ନ ହେଲେ ତ ହେଲା । କିନ୍ତୁ ସେଇଦିନ ହିଁ ମୁଁ ଜାଣିଲି ଯେ ଏଇଥିପାଇଁ ଡିଗ୍‌ଲିର ମମୀ ଅନେକଟା ଦାୟୀ । କାରଣ କିଛି ସମୟ ବାଦ୍‌ ଦେଖିଥିଲି ଡିଗ୍‌ଲିର ମମୀ ଝରକା ସେପଟୁ ଥାଇ ଡାକ ମାରୁଥିଲେ ‘‘ଡିଗ୍‌ଲି ଘରକୁ ଆସ ଡିଗ୍‌ଲି ! ତମକୁ ମନା କରିଥିଲି ପରା’ ଓ ଦେଖିଥିଲି ପିଅନ୍‌ଟା ଏତେ ପିଲାଙ୍କ ଭିତରୁ ଡିଗ୍‌ଲିକୁ ନେଇ ଚାଲିଗଲା ।

 

ଆମ କଲୋନୀଟା ଅଜବ କଲୋନୀ । ଆମର ଫ୍ଲାଟ୍‌ଗୁଡ଼ିକ ସାମ୍ନାରେ ଡିଗ୍‌ଲି ଘର ଦୁଇମହଲା ସରକାରୀ ଘର, ପାଖକୁ କ୍ଳର୍କ ମାନଙ୍କପାଇଁ ବ୍ୟବସ୍ଥା ହୋଇଚି । ସମସ୍ତେ କିନ୍ତୁ ଗୋଟିଏ ଜାଗାରେ ଚାକିରୀ କରନ୍ତି ଚାନ୍ଦା ଇତ୍ୟାଦି ଗୋଟିଏ ଫଣ୍ଡରେ ରହେ । ପିଲାମାନେ ସବୁ ଘରୁ ଓହ୍ଲେଇ ଆସନ୍ତି ମଝି ପଡ଼ିଆରେ ଖେଳିବା ପାଇଁ ।

 

କିନ୍ତୁ ଡିଗ୍‌ଲି ଘର ଏଠିକୁ ଆସିବାପରେ କେମିତି ଅଲଗା ହେଇ ହିଁ ରହିଯାଇଛନ୍ତି । ଡିଗ୍‌ଲିର ମମୀ ସହ ମୋର ପରିଚୟ ନାଇଁ । ସେ ତାଙ୍କ ଘରୁ ବାହାରିଆସି କଲୋନୀର କା’ଘରେ ଉଠିବାର ଆମେ କେବେ ଦେଖିନୁ । ଅବଶ୍ୟ କଲୋନୀଯାକର ସବୁ ଖବର ହିଁ ଘରେ ବସି ମୁଁ ଜାଣିପାରୁଥିଲି । ଭାଇ ଭାଉଜ କଲେଜ ଚାଲିଗଲା ପରେ ବବି ମୋରି ଦାୟିତ୍ଵରେ ଘରେ ରହୁଥିଲା-। ମୁଁ ଘରେ ବସିରହି ଡିଗ୍‌ଲିର ମା’ ବିଷୟରେ କିଛି କିଛି ଶୁଣିଥିଲି । ସେ କାଳେ ବାଥରୁମ୍‌ରୁ ବାହାରିବା ପରେ, ଘଣ୍ଟାଏ ପର୍ଯ୍ୟନ୍ତ କାହାରି ସଙ୍ଗେ କଥା ହୁଅନ୍ତି ନାଇଁ, ଏମିତି କି ଡିଗ୍‌ଲି ସାଙ୍ଗରେ ବି ନୁହଁ, ସେତିକି ସମୟ ସେ କେବଳ ଆଇନା ସାମ୍ନାରେ ହିଁ ବସିଥାନ୍ତି । ୟା’ଛଡ଼ା ତାଙ୍କ ଘରର ଆଉ ଗୋଟିଏ ସିକ୍ରେସି ପଦାକୁ ଚାଲି ଆସିଥିଲା । ସେଇଟା ହଉଚି ସ୍ଵାମୀ ସ୍ତ୍ରୀ ସାଙ୍ଗହେଇ କୋଉଠିକୁ ଯିବାର କେହି ଦେଖି ନାହାନ୍ତି । ପ୍ରକୃତରେ ସେ ନିଜ ଚାରିପଟେ ଏମିତି ଗୋଟେ ପାଚେରୀ ବୁଲେଇ ନେଇଚନ୍ତି ଯେ, ମୁଁ ଚେଷ୍ଟା କରି ବି କେବେ ତାଙ୍କୁ ଛୁଇଁ ପାରିନି । କିନ୍ତୁ ଦେଖ, ଡିଗ୍‌ଲିକୁ ନେଇ ଆମ ଭିତରେ ଗୋଟେ ନୀରବ ଯୁଦ୍ଧ ଲାଗି ଯାଇଥିଲା ।

 

ଡିଗ୍‌ଲିକୁ ପଡ଼ିଆ ମନା ହେଇଯିବାପରେ ତା’ର ଏକଇ ମାତ୍ର ସାଙ୍ଗଥିଲା ବବି । କିନ୍ତୁ ଦିନେ ମୁଁ ବବିକୁ ମନା କରିଦେଲି । ବାଧ୍ୟ ହେଇ ମନା କରିଦେଲି । ସେଇ ଘଟଣା ହଁ ଥିଲା ମୋର ଡିଗ୍‌ଲିକୁ ନେଇ ଦ୍ୱିତୀୟ ଥର ପାଇଁ ନୀରବ ଯୁଦ୍ଧ

 

ପ୍ରକୃତରେ ମୁଁ ରାଗି ଯାଇଥିଲି । ବବି ଫେରିଆସି ଯେତେବେଳେ ମତେ କହିଥିଲା ‘‘ଡିଗ୍‌ଲିର ମମୀ ମତେ ଘର ଭିତରକୁ ଯିବାକୁ ଦେଲେ ନାଇଁ ।’’ ମୁଁ ଅପମାନିତ ହେଇ ଯାଇଥିଲି । ମୋର ମନେହେଲା ଆମେ କାଙ୍ଗାଳ ହେଇଯାଇଚୁ, କିଛି ନ ହେଲେ ତ ଡିଗ୍‌ଲିର ମମୀ ପାଖରେ କାଙ୍ଗାଳ । ମୁଁ ଡିଗ୍‌ଲିର ମମୀ ଉପରେ ରାଗୁ ରାଗୁ ବବି ଉପରେ ରାଗିଗଲି । ମୋ ଦେହ ଥରି ଉଠିଲା । ମୋର ମନେ ହେଲା ବବି ଯେମିତି ମୋର ସବୁ କିଛି ସାଇତା ଧନକୁ ନଷ୍ଟ କରି ଦେଇଚି-

 

ମୁଁ ବବିକୁ ପିଟି ପକେଇଲି- କାଙ୍ଗାଳ, ତତେ କିଏ କହିଥିଲା ଯିବାକୁ ? ତତେ କ’ଣରେ ଅଭାବ ହେଇଚି ?

 

ବବି କାନ୍ଦି କାନ୍ଦି କୈଫିୟତ୍‌ ଦଉଥିଲା ।

 

ମୁଁ ରାଗି ଉଠୁଥିଲି ।

 

କିନ୍ତୁ ଏତିକି ବେଳେ ହିଁ କବାଟ ଫାଙ୍କରୁ ଡିଗ୍‌ଲି ବାହାରି ଆସି ଧୀରେ ଡାକିଲା-ଆଣ୍ଟି

 

ମୁଁ ବବିକୁ ହାତରୁ ଛାଡ଼ିଦେଲି । ବବି ଧକେଇ ହଉଥିଲା ।

 

ଡିଗ୍‌ଲି ଆଉ ପାଦେ ଆଗେଇ ଆସି କହିଲା-ଆଣ୍ଟି ଛୋଟ ପିଲାଙ୍କୁ ବାଡ଼େଇବା ଉଚିତ୍‌ ନୁହେଁ । ବାଡ଼େଇଲେ ସେମାନେ ରିଆକ୍‌ସନାରୀ ହେଇ ଯିବେନି ?

 

: ରିଆକ୍‌ସନାରୀ ? କିଏ ତତେ ଏକଥା ଶିଖେଇଚି ? ମୋ ଗଳାଟା ଚଢ଼ା ହେଇ ଯାଇଥିଲା ।

 

: ମମୀ କୁହନ୍ତି । ଡିଗ୍‌ଲି ନିର୍ବୋଧଙ୍କ ପରି ଉତ୍ତର ଦେଇ ବବି ପାଖକୁ ଗଲା ।

 

: ଓଃ, ଝିଅଟି ପାଇଁ ମୋର କେମିତି ଗୋଟେ କରୁଣା ଆସିଗଲା ରିଆକ୍‌ସନାରୀ ? ମାମୀ ଖାଉଥିବା ପିଲାଠୁ, ସାଙ୍ଗ ମଝିରୁ ଉଠେଇ ନଉଥିବା ପିଲାର ବେଶୀ ଦୁଃଖରେ ଡିଗ୍‌ଲି । ମୁଁ ଧୀର ଗଳାରେ କହିଲି । ତୋ ମମୀ କିଛି ଜାଣନ୍ତି ନାଇଁ । ସେ ଗୋଟେ ବୋକି ଅହଙ୍କାରୀ ସ୍ତ୍ରୀ ଲୋକ । ଆଇ ହେଟ୍‌ହର ଲାଇକ୍‌ ଏନିଥିଙ୍ଗି, ତୁ ବୁଝିପାରୁନୁ ଡିଗ୍‌ଲି, ସେ ତୋତେ ତାଙ୍କ ପରି ତିଆରି କରି ନଉଚନ୍ତି । କେତେ ଛୋଟିଆ ଝିଅଟା ତୁ, କେତେ ଛୋଟିଆ ଝିଅଟା ସତେ ।

 

ମୁଁ ଡିଗ୍‌ଲିକୁ ପାଖକୁ ଡାକିଲି । ତୁ ଛୋଟ ପିଲା ଡିଗ୍‌ଲି । ବଡ଼ ବଡ଼ କଥା କହିବା ଭଲ ନୁହେଁ । ତୋ ମମୀକୁ କହିବୁ ଛୋଟ ପିଲାର ମନ କଞ୍ଚାମାଟି । କଞ୍ଚା ମାଟିରେ ଏତେ ବିଧା ବସେଇବାର କ’ଣ ଅଛି ?

 

ମୁଁ ଡିଗ୍‌ଲିକୁ ଏତିକି କଥା କହିଦେବା ପରେ ହାଲ୍‌କା ହେଇଗଲି । କିନ୍ତୁ ଗୋଟେ ଛୋଟ ପିଲାକୁ ଏମିତି ଗୁଡ଼େ କଥା କହିବା କ’ଣ ଦରକାର ଥିଲା ଯେ ? ପ୍ରକୃତରେ ମୁଁ ହାଲୁକା ହେଇଗଲି, ଏଇଥିପାଇଁ ଯେ ଏଇଟାକୁ ଡିଗ୍‌ଲି ମମୀର ଅପମାନ ପାଇଁ ଗୋଟେ ଚମତ୍‌କାର ଉତ୍ତର ବୋଲି ଭାବୁଥିଲି । ଡିଗ୍‌ଲି ବବି ପାଖକୁ ଗଲା । ବବି ମୁଣ୍ଡ ହଲେଇଦେଇ ବିଛଣାକୁ ଚାଲିଗଲା । ଡିଗ୍‌ଲି ତା’ ପାଖରେ କିଛି ସମୟ ଛିଡ଼ା ହେଇ ହେଇ ଫେରିଗଲା ।

 

ଏଇ ଘଟଣାଟି ପରେ କିନ୍ତୁ ମୁଁ ଡିଗ୍‌ଲିକୁ ଆଉ ଘରୁ ବାହାରିବାର ଦେଖି ନଥିଲି । ଡିଗ୍‍ଲି ପାଇଁ ମୋର ଗୋଟେ ଅଭୁତ କରୁଣା ହିଁ ହେଉଥିଲା । ମୁଁ ଡିଗ୍‌ଲି ମମୀ ଉପରେ ଆଗ ଅପେକ୍ଷା ବେଶୀ ରାଗି ଯାଇଥିଲି । ଗୋଟେ ଛୋଟ ପିଲାକୁ ଘର ଭିତରେ ବନ୍ଦୀ କରି ରଖିବାଠୁ ବଡ଼ ଅନ୍ୟାୟ ଆଉ କ’ଣ ଥାଇପାରେ ଯେ ? ମୋ ମନକୁ ଡିଗ୍‌ଲି ଏତେ ବେଶୀ ଆଚ୍ଛନ୍ନ କରି ରଖିଥିଲା ଯେ, ଦିନେ ଡିଗ୍‌ଲି ମମୀର ମୁହାଁମୁହିଁ ହେବାର ଚିନ୍ତା କରି ନେଇଥିଲି ।

 

କିନ୍ତୁ ୟା’ ଭିତରେ ଡିଗ୍‌ଲିକୁ ନେଇ ଆଉ ଗୋଟିଏ ଘଟଣା ଘଟି ଯାଇଥିଲା । ପାଟି ଶୁଣି ମୁଁ ବାସନ ମଜାରୁ ଉଠି ଆସିଥିଲି । ଆମ କଲୋନୀର ବଡ଼ପାଟିଆ ମଦୁଆ ଡ୍ରାଇଭରଟା ପାଟି କରୁଥିଲା । ଡିଗ୍‌ଲି ମମୀ କବାଟ ଖୋଲି ଛିଡ଼ା ହେଇଥିଲେ ।

 

ଡ୍ରାଇଭରଟା ତା’ ପୁଅର ମୁଣ୍ଡକୁ ଦେଖେଇ କହୁଥିଲା : ହଁ ଆଜ୍ଞା, କିଏ କା’ଠୁ ତ କମ୍‌ ନୁହେଁ । ଆପଣଙ୍କ ଛୁଆ ଆପଣଙ୍କ ଆଖିରେ ଯେମିତି, ମୋ ଛୁଆ ମୋ ଆଖିରେ ସେମିତି । କଣା ପଇସା କଣା ହେଲେ ବି ତମ୍ବା ପଇସାଠୁ କୋଉ ଗୁଣରେ କମ୍‌ କି ? ତମ୍ବା ପଇସାର ମୂଲ୍ୟ ଯାହା, କଣା ପଇସାର ମୂଲ୍ୟ ତାହା ।

 

ପ୍ରଥମେ କିଛି ବୁଝି ପାରଲି ନାହିଁ । ବବି ସେଇଠି ହାଜର ହେଇ ଯାଇଥିଲା ।

 

କବାଟଟା ବନ୍ଦ କରୁ କରୁ ଡିଗ୍‌ଲିର ମମୀ କହିଲେ-‘ଆମ ପିଲା ଏତେ ଅଭଦ୍ର ନୁହନ୍ତି ।

 

ସେଇ ବନ୍ଦ କବାଟକୁ ଚାହିଁ ଚାହିଁ ଡ୍ରାଇଭରଟା କିଛି ସମୟ ପାଟି କରି ଫେରି ଆସିଲା ।

 

ପରେ ଶୁଣିଲି ଡିଗ୍‌ଲି ଏଇ କିଛିଦିନ ଧରି ଗୋଟେ ଅଜବ୍‌ ଖେଳ ଖେଳୁଥିଲା । ଅଜବ୍‌ ନୁହେଁ ବରଂ ଦୁଃଖଦ କୁହାଯାଇପାରେ । ଡିଗ୍‌ଲି କିଛି ଦିନ ଧରି ତା’ ଛେପ ସଙ୍ଗେ -ଖେଳୁଥିଲା । ପଡ଼ିଆରେ ପିଲାମାନେ ଖେଳିଲା ବେଳେ ସେ ଝରକା ପାଖରେ ଛିଡ଼ା ହେଇ ରହୁଥିଲା । ସେଇ ଛିଡ଼ା ହେବା ଭିତରେ ସୁଯୋଗ ଦେଖି, ଲକ୍ଷ୍ୟ କରି ପିଲାଙ୍କ ଉପରକୁ ଛେପ ଫିଙ୍ଗି ଭିତରକୁ ଦୌଡ଼ି ପଳୋଉଥିଲା । ପିଲାଗୁଡ଼ା ଏକଜୁଟ ହେଇ ଯାଉଥିଲେ । ଫାଙ୍କା ଝରକାକୁ ଚାହିଁ ଗୁରୁ ଗୁରୁ ହେଉଥିଲେ ଓ ପୁଣି ଖେଳରେ ମଜି ଯାଉଥିଲେ ।

 

ଡିଗ୍‌ଲି କଥା ଚିନ୍ତା କରି ମୋ ମନ ଖରାପ ହୋଇଗଲା । ମୁଁ ଠିକ୍‌ କରିନେଲି, ଆଜି- ହଁ ଆଜି ହଁ ଯାଇ ତା’ ମମୀକୁ ଦେଖାକରିବି । ମୋ ରାଗ ସବୁକୁ ଚାପି ରଖିବି ଓ ଗୋଟେ ବନ୍ଧୁ ଭଳି କହିବି-ଦେଖନ୍ତୁ, ସମସ୍ତେ ତ ଚାହାନ୍ତି ତାଙ୍କ ପିଲା ଭଲ ହୁଅନ୍ତୁ, କୁ-ସଂସର୍ଗରେ ନ ଆସନ୍ତୁ । ହେଲେ କହିଲେ ଦେଖି ଆପଣ କ’ଣ ଆପଣଙ୍କ ମା’ଠୁ ଆଉ ଗୋଟେ ପାଦ ଆଗେଇ ଆସି ନାହାନ୍ତି । ଆପଣଙ୍କ ମା’ ଆପଣଙ୍କ ଆଈଠୁ, ପାଦେ ଆଗେଇ ଆସି ନଥିଲେ । ଏ ତ ସ୍ଵାଭାବିକ ଜିନିଷ; ହବଇଁ ହବ । ପିଲାକୁ ଏତେ ଅଣନିଃଶ୍ଵାସୀ କରିରଖିବା ଭଲ ନୁହେଁ । ଆମେ ଯେତେ ଯତ୍ନବାନ ହେଲେ ବି ପିଲା ଗୋଟେ ପାଦ ଆଗେଇ ଯିବ ।

 

ଅବଶ୍ୟ ମୁଁ ଜାଣେ, ଏସବୁ କଥା ତାଙ୍କ ଚିନ୍ତାକୁ ଖାପ୍‌ ଖାଇବନି, କିନ୍ତୁ ୟା’ଛଡ଼ା ଆଉ କ’ଣ କହିପାରନ୍ତି ଯେ ? ଆପଣ ଆରିଷ୍ଟୋକ୍ରାଟ୍‌, ଆପଣ ଗର୍ବୀ, ଆପଣଙ୍କର ସୁପରିୟରିଟି କଂପ୍ଲେକସ ଅଛି, ପମିତି ତ କୁହାଯାଇ ନପାରେ ।

 

ଏତେ ଚିନ୍ତାକରି ମଧ୍ୟ ମୁଁ ଡିଗ୍‌ଲି ଘରକୁ ଯାଇପାରିଲି ନାଇଁ । ପରଦିନ ମୁଁ ସିଲେଇ କରୁଥିବାବେଳେ ଡିଗ୍‌ଲି‌ର ପାଟି ଶୁଣିଲି, ବବି, ବବି, ବାହାରକୁ ଆସି ଦେଖିଲି, ଡିଗ୍‌ଲି ଫ୍ରକ୍‌ଟିଏ ପିନ୍ଧି, ଝରକା ସେପଟେ ଥାଇ ହାତ ହଲଉଚି ବବି, ବବି ।

 

–କ’ଣ ଡିଗ୍‌ଲି, ମୁଁ ପଚାରିଲି, କ’ଣ ହେଲା ?

 

ଟିକେ ରହିଯାଇ ଡିଗ୍‌ଲି କହିଲା -ମୁଁ ବିଜନେସ୍‌ ଖେଳୁଚି ଆଣ୍ଟି ।

 

–ବିଜନେସ୍‌ ?

 

ହଁ ଆଣ୍ଟି, ଜାଗା କିଣି, ସେଟ୍‌ ବଜେଇଲିଣି । ଅଫିସ୍‌ ବାଙ୍ଗଲୋ ବସେଇଲିଣି ।

 

ଡିଗ୍‌ଲି ବଡ଼ ପାଟିରେ କହିଲାବେଳେ ତା’ର ଶିର ଟାଣି ହେଇ ଯାଉଥିଲା ।

 

ମୁଁ ଟିକେ ହସିଦେଇ କହିଲି-ତୋ କମ୍ପିଟାଣ୍ଟ୍‌ମାନଙ୍କର ଭାରି ଦୁଃଖ ନାଁରେ ।

 

–ସେ ଟିକେ ରହିଯାଇ କହିଲା-ମୁଁ ତ ଏକା ଖେଳୁଚି ଆଣ୍ଟି ।

 

–ଏକା ?

 

–ହଁ, ଜାଣନାଁ ଆଣ୍ଟି ନୂଆ ଆଇଡିଆ ।’ କହିଲାବେଳେ ତା’ର ଆଖି ଦିଟା ବଡ଼ ହେଇ ଯାଇଥିଲା ।

 

–ନୂଆ ଆଇଡ଼ିଆ ?

 

–ମୁଁ ଦି’ଜଣ ମଣିଷ ହେଇ ଯାଇଚି । ଡାହାଣ ହାତଟା ମୁଁ ନିଜେ ଆଉ ବାଁ ହାତଟା ମୋ କମ୍ପିଟାଣ୍ଟ୍‌।

 

ଡିଗ୍‌ଲି କଥାରେ, ମୋର ମନେହେଲା, ମୁଁ ଯେମିତି ବିଷର୍ଣ୍ଣତାକୁ ପିଇଗଲି,ବିଷର୍ଣ୍ଣତାକୁ ପିଇଗଲି ।

 

–ତୋର ଅସୁବିଧା ହଉଚି ନାଁରେ ଡିଗ୍‌ଲି ।

 

ଏତେଦିନ ପରେ ପ୍ରଥମ ଥର ପାଇଁ ମୁଁ ତା’ ପାଖରେ ଗୋଟେ ନୀରବ ହସ ଦେଖିଥିଲି-। ଏଇ ହସଟା ହିଁ ତାକୁ କରୁଣ କରିଦେଲା ଚାବିଦିଆ କଣ୍ଢେଇଟିଏ ସ୍ଥିର ହେଇଗଲା ଯେମିତି । ମୋର କାହିଁକି ମନେହେଲା ଡିଗ୍‌ଲିର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେଇ ପଡ଼ୁଚି । ଅଥଚ ତା’ର ମମୀ ଆଦୌ ଚିନ୍ତିତ ନୁହନ୍ତି । ଡିଗ୍‌ଲି ପାଇଁ ମୋ ଛାତି ଭିତରେ ଗୋଟେ ବ୍ୟାକୁଳତା ମୁଣ୍ଡ ଟେକିଲା । ମୁଁ ହାତଠାରି ଡାକିଲି–ଆ, ଡିଗ୍‌ଲି ଆ ।

 

ଚାବିଦିଆ କଣ୍ଡେଇଟି ଟିକିଏ ହଲିଗଲା ।

 

–ଆ, ଡିଗ୍‌ଲି ଆ ।

 

ଅଳ୍ପ ସମୟ ପରେ ଡିଗ୍‌ଲି ଆମ ଘରେ ପହଞ୍ଚିଗଲା । ମୁଁ ତାକୁ ପାଖକୁ ଡାକିଲି । କହିଲି-‘‘ଏଇ ତୋର ହାତ ନା ଡିଗ୍‌ଲି?’’ ସେ ମୁଣ୍ଡ ହଲେଇ ‘ହଁ’ କଲା । ଇଏ ତୋର ଆଖି, ଏ ନାକ, ଏ ପାଟି, ସେ ପଡ଼ିଆର ପିଲାମାନଙ୍କ ଭଳି ନାଁ ?

 

–ସେମାନଙ୍କଠୁ ତୁ କ’ଣ ଅଲଗା ଦିଶୁଚୁ ଡିଗ୍‌ଲି?

 

–ନାଁ, ଆଣ୍ଟି ।

 

–ତୋ ମମୀଠୁ କ’ଣ ସେମାନେ ଭିନ୍ନ ଦେଖାଯାଉଛନ୍ତି ?

 

–ନାଁ ଆଣ୍ଟି ନାଁ ।

 

ଡିଗ୍‌ଲିର ଗାଲ ସାଉଁଶି ଦେଲି, ‘ସୁନାଝିଅ, ଯା ସେମାନଙ୍କ ସଙ୍ଗେ ଖେଳିବୁ ଯା’ ।

 

ଡିଗ୍‌ଲି ମୋତେ ଚାହିଁଲା ଓ ଡେଣାମେଲି ପରୀଟିଏ ପରି ଦୌଡ଼ି ପଳେଇଲା ।

 

ମାତ୍ର କେଇ ମିନିଟ୍‌ ପରେ ପାଟିଗୋଳ ଶୁଣି ମୁଁ ବାହାରି ଆସିଲି । କଲୋନୀରୁ କେତେ ଲୋକ ବାହାରି ଆସିଥିଲେ । କଥା କ’ଣ ଜାଣିବା ପାଇଁ ମୁଁ ବି ଅନ୍ୟମାନଙ୍କ ପରି, ପଡ଼ିଆର ଗୋଟେ ପାଖକୁ ଦୌଡ଼ଲି । ଦେଖିଲି, ସେପାଖରେ ଥିବା ଗହିରିଆ ଶୁଖିଲା କୁଣ୍ଡଟିରେ ହାମୁଡି ପଡ଼ି କଲୋନୀଯାକର ପିଲା ଛେପ ପକେଇ ଚାଲିଛନ୍ତି, ଆଉ କୁଣ୍ଡ ଭିତରେ ଅତି ଅସହାୟ ଭାବେ ମୋଡି ହେଇ ପଡ଼ିଥିଲା ଡିଗ୍‌ଲିର ଦେହ । ଡିଗ୍‌ଲିର ଗାଲ ଉପରେ ପାଣି ବହି ଯାଇଥିଲା । ଦେଖିଲି କଲୋନୀର କିଏ ଗୋଟେ ସିଡିଟିଏ ଧରି ଆସିଲା ।

 

ମୁଁ ଚିତ୍କାର କଲି । ବନ୍ଦକର, ବନ୍ଦକର ।

 

ପାଗଳ ହେଇ ଯାଇଥିବା ପିଲାଗୁଡ଼ା, ସ୍ଥାଣୁ ପାଲଟି ଗଲେ, ନିଜ ଘରୁ ବାହାରି ଆସି ପଡ଼ିଆରେ ଛିଡ଼ା ହେଇଥିବା ଡିଗ୍‌ଲିର ମମୀ ବି ।

 

ତାଙ୍କ ନାକ ଓଠ ଥରି ଉଠୁଥିଲା, ଆଖିରେ ଆସି ଯାଇଥିଲା, ସେ କୁଣ୍ଡ ଆଡ଼କୁ ନଇଁପଡ଼ି ହାତ ବଢ଼େଇଦେଲେ । ତାଙ୍କ ହାତ ପାଇଲାନି, ଆଉ ଟିକେ ନଇଁ ଡିଗ୍‌ଲିକୁ ଛୁଇଁବାକୁ ଚେଷ୍ଟା କରୁଥିଲେ ।

 

ମୁଁ ଗୋଟେ ବିଚିତ୍ର ଅନୁଭୂତିରେ ଥରିଗଲି ଓ ଫେରି ଆସୁଥିଲି । ଫେରି ଆସୁ ଆସୁ ଅଟକିଗଲି ।

 

ସରୋଜିନୀ ସାହୁ :

 

ସଂପ୍ରତି ଓଡ଼ିଆ ଗଳ୍ପ ସାହିତ୍ୟିକଙ୍କ ପାଇଁ କରି ଯେଉଁ ଦି ତିନି ଜଣ ହାତ ଗଣତି ଗାଳ୍ପିକା କଲମ ଲେଖିଛନ୍ତି, ସେମାନଙ୍କ ଭିତରୁ ଶ୍ରୀମତୀ ସରୋଜିନୀ ସାହୁ ଅନ୍ୟତମ । ତାଙ୍କର ଦୃଷ୍ଟିଭଂଗୀର ତୀକ୍ଷଣତା, ଭାଷା ବ୍ୟବହାରରେ ସ୍ମାର୍ଟନେସ୍‌ ଓ ତଥା କଥିତ ନାରୀସୁଲଭ ସଙ୍କୋଚରୁ ଊର୍ଦ୍ଧ୍ଵରେ ନାରୀ ପୁରୁଷର ସଂପର୍କ ବିଷୟରେ ତାଙ୍କର ଫ୍ରନେସ୍‌ଙ୍କ ତା’ଙ୍କୁ ସମସାମୟିକ ଲେଖିକାମାନଙ୍କ ଉପରକୁ ଉଠେଇ ନେଇଚି ।

 

ଢେଙ୍କାନାଳରେ ଗାଳ୍ପିକାଙ୍କ ଜନ୍ମ ଜାନୁୟାରୀ ଚାରି ତାରିଖ, ୧୯୫୫ ମସିହାରେ । ଓଡ଼ିଆ ସାହିତ୍ୟରେ ଏମ୍‌. ଏ ଓ ଆଇନ ଶାସ୍ତ୍ରରେ ସ୍ନାତକ ଏଇ ଗାଳ୍ପିକା ବିଶିଷ୍ଟ ଗାଳ୍ପିକ ଜଗଦୀଶ ମହାନ୍ତିଙ୍କ ପତ୍ନୀ ।

 

‘ସୁଖର ମୁହାଁ ମୁହିଁ’ ତାଙ୍କର ପ୍ରଥମ ଗଳ୍ପ ସଂକଳନ ।

Image